Unknown

 

 

 

 

 

 

 

 

 

 

 

ଅସି ଓ ମୃଣାଳ

ମହାପାତ୍ର ଯତୀନ୍ଦ୍ର କୁମାର

 

ଜଣାଣ

 

ନ ଜାଣେ ଭକତି ତବ ପୂଜା ପ୍ରୀତି

ନ ଚାହେଁ ଜୀବନେ ଧନ ସମ୍ପତ୍ତି

ଦିଅ ପ୍ରଭୁ ବାରେ ଏ ଦେଶକୁ ଶାନ୍ତି ।

 

ଶାନ୍ତି ଲାଗି ଗାନ୍ଧି ନ ମାନିଲା ଗୁଳି

ଛାଡ଼ିଲା ଜୀବନ ରାମ ନାମ ବୋଲି ।

 

(ପ୍ରଭୁ) ଗାନ୍ଧିଙ୍କ ଉଦ୍ଦେଶ୍ୟ ପୂରଣ କରାଅ

ଆମ୍ଭର ଦେଶରୁ ନିଶାକୁ ଉଠାଅ ।

 

ଏ ନିଶା-ରାକ୍ଷସ ଚାଲିଗଲେ ଦେଶୁ

ନ ଦେଖିବ ନର ପାଲଟିଛି ପଶୁ ।

 

ସ୍ୱାଧୀନତା ଲାଭ ତିରିଶବର୍ଷ ହେଲା

ଗାନ୍ଧି ଇଚ୍ଛା କିଛି ପୂରଣ ନୋହିଲା ।

 

ଗାନ୍ଧି ନାମ ଧରି ଶାସନ କରିଲେ

ଧନ କ୍ଷମତାରେ ଗାନ୍ଧିକୁ ଭୁଲିଲେ

 

ଆସ ଭାଇମାନେ ଆମେ ସବୁ ମିଳି

ଉଠାଇବା ନିଶା ବାଜୁ ପଛେ ଗୁଳି ।

 

ଆହେ ଜାତି-ପିତା ଦିଅ ଆଶୀର୍ବାଦ

ଘରେ ଘରେ ହେଉ ତୁମର ଶଙ୍ଖ ନାଦ ।

✽✽✽

 

ସେଇ ଅଗ୍ନି-ଯୁଗ ସମ୍ବନ୍ଧରେ ପଦେ......

 

ବିଶିଷ୍ଟ ସାହିତ୍ୟିକ ତଥା ଐତିହାସିକ ତଥା ହରେକୃଷ୍ଣ ମହତାବଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ‘ଅସି ଓ ମୃଣାଳ’ ଲେଖି ବସିବାବେଳେ ସେଇ ଅଗ୍ନି-ଯୁଗ ମୋ ଆଖି ଆଗରେ ଚଳଚ୍ଚିତ୍ର ପରି ଦିଶି ଯାଉଥିଲା ।

 

ସୁରେନ୍ଦ୍ର ସାଏ ରାଜା ନଥିଲେ, ରାଜା ହେବାକୁ ଚାହିଁଥିଲେ । ହଜାରିବାଗ ବନ୍ଦିଶାଳାରୁ ତାଙ୍କୁ ମହାରାଜା ଅର୍ଜୁନ ସିଂହହିଁ ମୁକ୍ତ କରିଥିଲେ । ଉଭୟ ଥିଲେ ବନ୍ଧୁ ।

 

ସେତେବେଳେ ପୋଡ଼ାହାଟ କହିଲେ ସମଗ୍ର ସିଂହଭୂମିକୁ ବୁଝାଉ ଥିଲା । ରାଜଧାନୀ ଥିଲା ଚକ୍ରଧରପୁର । ବ୍ରିଟିଶ ସରକାର ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଚୁକ୍ତି ବଳରେ ମହାରାଜା ଅର୍ଜୁନ ସିଂହ ସମ୍ପୂର୍ଣ୍ଣ ନିରାପଦ ଥିଲେ । କିନ୍ତୁ ସେହି ଚୁକ୍ତି ଭଙ୍ଗ କରି ସମସ୍ତ ବିପଦବରଣ କରି ସେ ଭାରତର ପ୍ରଥମ ସହିଂସ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ତାଙ୍କର ରାଜନୈତିକ ଦକ୍ଷିଣ-ହସ୍ତ ଓ ଦେବାନ ଜଗବନ୍ଧୁ ପଟ୍ଟନାୟକଙ୍କୁ ସର୍ବଜନ ସପକ୍ଷରେ ଫାଶୀ-ଦଣ୍ଡ ଦିଆ ହୋଇଥିଲା । ଚକ୍ରଧରପୁର ବିହାରର ଅଂଶ ବିଶେଷ ହୋଇ ରହିବାରୁ ଆଧୁନିକ ଓଡ଼ିଶାର ଐତିହାସିକଙ୍କ ଦ୍ୱାରା ଅର୍ଜୁନ ସିଂହଙ୍କ ସ୍ମୃତି ହେଲା ଅବହେଳିତ । ପୁଣି ସେ ଓଡ଼ିଆ ହୋଇଥିବାରୁ ଅଣ-ଓଡ଼ିଆ ଐତିହାସିକଙ୍କ ଦ୍ୱାରା ଅବହେଳିତ ହେଲେ । ସେ ବିସ୍ମୃତିର ଗର୍ଭରେ ବିଲୀନ ହେବା ଆଗରୁ ମୁଁ ତାଙ୍କୁ ସାହିତ୍ୟ ମାଧ୍ୟମରେ ପୁନରୁଜ୍ଜୀବିତ କରିବା ମୋର ଜାତୀୟକର୍ତ୍ତବ୍ୟ ବୋଲି ମନେ କଲି ।

 

ସୁରେନ୍ଦ୍ର ସାଏଙ୍କର ଯଥେଷ୍ଟ ପ୍ରଚାର ହୋଇଛି; ଅର୍ଜୁନ ସିଂହଙ୍କର ହୋଇନାହିଁ । ସୁରେନ୍ଦ୍ର ସାଏଙ୍କୁ ଅର୍ଜୁନ ସିଂହଙ୍କ ଠାରୁ ନ୍ୟୂନ କରି ଦେଖାଇବା ମୋର ଉଦ୍ଦେଶ୍ୟ ନୁହେଁ । ଉଭୟ ଅସାମାନ୍ୟ ଜାତୀୟ-ବୀର, ଅସାଧାରଣ ଦେଶ-ପ୍ରେମୀ । ଉଭୟଙ୍କ ଦେଶ-ପ୍ରେମର ପ୍ରଚାର ହେଉ, ଏତିକିହିଁ କାମନା ।

 

ରାଉରକେଲା

ବିନୀତ

ତା ୧୨–୭–୭୭

–ଲେଖକ

✽✽✽

 

ଏକାମ୍ର ନିବାସ

ଭୁବନେଶ୍ୱର-୨

୧୮/୪ /୭୫

 

‘‘ମହାପାତ୍ର ସତୀନ୍ଦ୍ର କୁମାରଙ୍କ ଲିଖିତ ‘ଅସି ଓ ମୃଣାଳ’ ଉପନ୍ୟାସଟି ପଢ଼ିଲି । ଓଡ଼ିଶାର ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଅର୍ଜୁନ ସିଂହ ବର୍ତ୍ତମାନ ଇତିହାସରେ ବିସ୍ମୃତ । ଉପନ୍ୟାସ ମାଧ୍ୟମରେ ତାଙ୍କୁ ଯେ ଜନ ସ୍ମରଣକୁ ଅଣାଯାଇଛି ସେଥିପାଇଁ ଲେଖକଙ୍କୁ ଧନ୍ୟବାଦ । ପଛକୁ ଚାହିଁବାରେ ଆନନ୍ଦ ମିଳେ, ଆଗକୁ ଚାହିଁଲେ ଅନେକ ଆଶା, ଆକାଂକ୍ଷାର ଉଦ୍ରେକ ହୁଏ । ଏ ଦୁଇଟି ଉକ୍ତିର ସଂମିଶ୍ରଣ ହୋଇଛି ତାଙ୍କ ଲିଖିତ ଉପନ୍ୟାସଟିରେ । ଅତୀତର ଇତିହାସକୁ ପୁନର୍ଜୀବିତ କରି ସେହି ମନ୍ତ୍ରରେ ଅଧୁନାତମ ଯୁବ ସମାଜକୁ ଉଦ୍‌ବୁଦ୍ଧ କରିବା ନିମିତ୍ତ ଆକାଂକ୍ଷା ଉପନ୍ୟାସଟିରେ ସ୍ପଷ୍ଟ ହୋଇ ଉଠିଛି । ଇତିହାସ ଓ ସାହିତ୍ୟ ମଧ୍ୟରେ ଯେ ପ୍ରକାର ସମ୍ପର୍କ, ଅତୀତ ଓ ବର୍ତ୍ତମାନ ମଧ୍ୟରେ ସେହି ପ୍ରକାର ସମ୍ପର୍କ ସ୍ଥାପନପାଇଁ ଲେଖକଙ୍କର ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ । ଉପନ୍ୟାସଟିର ବିଷୟବସ୍ତୁ ଐତିହାସିକ ହେଲେ ମଧ୍ୟ ତାହାକୁ ସେ ଆଧୁନିକ ରୂପ, ରସ ଦେଇ ଯେପରି ଭାବରେ ସ୍ଥାପନ କରିଛନ୍ତି ତାହା ନୂତନ ଭଳି ଜଣାପଡ଼େ । ମହାପାତ୍ର ଯତୀନ୍ଦ୍ର କୁମାରଙ୍କର ସାହିତ୍ୟ କ୍ଷେତ୍ରରେ ଯେଉଁ ପ୍ରତିଷ୍ଠା ତାହା ଏ ଉପନ୍ୟାସଦ୍ୱାରା ଦ୍ୱିଗୁଣିତ ହେବ ବୋଲି ବିଶ୍ୱାସ । ଉପନ୍ୟାସଟି ସମସ୍ତଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଏ ।’’

 

ହରେକୃଷ୍ଣ ମହତାବ

✽✽✽

 

ଲିଆ ଖାଇ ବନ୍ଦିଶାଳେ କାଟିଲେ ଯେ ଦିନ

ଲୀଳା ଏବେ ଦେଖ ଭାଇ ଲଲାଟଲିଖନ ।। ୨୦।।

ବିଲାତ ଶାସକ ଠାରୁ ମଦର ଆଦର

ବଢ଼ିଅଛି କମିନାହିଁ ଦେଶୀ ଶାସକର ।। ୨୫ ।।

ଶାସନ ସଭାରେ ବସି ଶିଆଳର ଦଳ

ଶଙ୍କିତରେ ବିଚାରନ୍ତି କଳ କଉଶଳ ।। ୨୬ ।।

ଷଡ଼ରସ ଉପଚାର ପାଇ ଠାବେ ଠାବେ

ଷଣ୍ଢପରି ଛିଡ଼ା ହୁଏ କ୍ଷମତାର ଦମ୍ଭେ ।। ୨୭ ।।

ସୀମା ଆନ୍ଦୋଳନ ତମେ ଦେଲରେ ଭିଆଇ

ଶୋଇଲ ନିଶ୍ଚିନ୍ତେ ଘରେ କବାଟକୁ ଦେଇ ।। ୨୮ ।।

ହେଳାରେ ବୁଡ଼ିବ ଭେଳା ସାହସକୁ ନେଇ

ହଟିବାନି ଉଠ ମାତି ହରିନାମ ଧ୍ୟାୟୀ ।। ୨୯ ।।

କ୍ଷୀର ନୀର ପରି ମନେ ମନକୁ ମିଳାଇ

କ୍ଷିତି ଶାନ୍ତି ହେଉ ପଣ ସାହା ଭାବଗ୍ରାହୀ ।। ୩୦ ।।

✽✽✽

 

ହେ କୃଷକ ଭାଇ

 

ହେ କୃଷକ ଭାଇ ତୋର କଥା

ଭାବି ଭାବି ମୋର ଘୂରଇ ମଥା

ତୋର ଦୁଃଖ ରାଶି ହୃଦେ ମୋର

ଲାଗଇ ପରାଣେ ଦାରୁଣ ବୃଥା ।

ବୁଣୁ କାଟୁ ଧାନ, କରୁ ତା’ ଆ

ବରଷସାରା ତୁ ଖଟି ଜମିରେ

ତଥାପି ତୋହର ନ ପୂରେ ଉଦର

ମରୁଛୁରେ ଭାଇ ଉପବାସରେ ।

ନେତ ସୁଖରେ ଭୋଗବିଳାସରେ

ମାତିବାରେ କେବେ ନାହିଁ ମୁଁ ଦେଖି

ଭାବୁଛି ମୁଁ ଚିତ୍ତେ ନାହିଁ ତ ଜଗତେ

ପର ପୋଷି ନିଜେ ହୋଇଛୁ ଦୁଃଖୀ ।

ତାହାର ଧନରେ ଧନୀ ଜମିଦାର

କାଟନ୍ତି ଆନନ୍ଦେ ସୁଖର କାଳ

ଭାବନ୍ତି କି ମନେ ତୋର କଥା ଦିନେ

ଦେଖି ତୋର ଏହି ଦୁଃଖ ବିକଳ ।

ନାନାଭାବେ ତୋର ଶୋଷନ୍ତି ଶୋଣିତ

ତଥାପି ତାଙ୍କର ତୃଷ୍ଣା ନ ମେଣ୍ଟେ

ଦୁଃଖିରଙ୍କି ତଣ୍ଟି ଚିପି ବାରମ୍ବାର

ନିଜେ ବିଳାସରେ ଦିବସ କାଟେ ।

ଜାତିର ଉନ୍ନତି ଦେଶର ସଭ୍ୟତା

ତୋ ଉପରେ ସିନା କରେ ନିର୍ଭର

କେଡ଼େ କଷ୍ଟ ସହି ପରହିତ ପାଇଁ

କେତେ ଉପକାର କରୁ ଆମ୍ଭର ।

କେତେ ହୀନିମାନ ହୋଇଛୁରେ ଭାଇ

ଦୁଃଖ କଷ୍ଟ ତୋର ହେବ ମୋଚନ

ପ୍ରଭୁ କୃପା ବଳେ ଏ ମହିମଣ୍ଡଳେ

ଲଭିବୁରେ ଭାଇ ଦିନେ ସମ୍ମାନ ।

✽✽✽

 

ତମର ପୌରୁଷ ନାହିଁ ଅଭିଜିତ ? ଗୋଟାଏ ନପୁଂସକ ତାକୁ ‘ପଜେସ୍‌’ କରି ପାରୁଚି । ଅଥଚ ତମେ...ପୁରୁଷକାରର ଅଧିକାରୀ ହୋଇ...ତା’ଠାରୁ ପ୍ରତି ମୁହୂର୍ତ୍ତରେ ପରାଜୟ ବରଣ କରି ଚାଲିଚ !! ଏହା ଅପେକ୍ଷା ବରଂ–ନିଅ ଏହି ବନ୍ଧୁକ–ଆଉ ଗୁଳି କର ନିଜକୁ....

 

ବନ୍ଧୁକଟା ମୋ ଆଡ଼କୁ ବଢ଼ାଇ ଧରିଥିଲେ ରାଜା ନରପତି ସିଂହ ।

 

ଛୋଟ ସହର ଚକ୍ରଧରପୁର ।

 

କାଳ ଊଣେଇଶ ଶହ ତେଇଶ ମସିହା ।

 

ଜାତୀୟଚେତନାର ଜାଗରଣ ହୋଇ ସାରିଚି ଊଣେଇଶ ଶହ ଏକୋଇଶରୁ । ଗାନ୍ଧୀଙ୍କ କଥା ଅନୁଯାୟୀ ବର୍ଷକରେ ସ୍ୱରାଜ୍ୟ ଅବଶ୍ୟ ହୋଇନି । କିନ୍ତୁ ରାଜନୈତିକ ଚେତନା ବଢ଼ି ଯାଇଚି ଖୁବ୍‌ ।

 

ଗୋପବନ୍ଧୁ, ଗୋଦାବରୀଶ, ରାଜେନ୍ଦ୍ରପ୍ରସାଦଙ୍କ ଜ୍ୱାଳାମୟୀ ବକ୍ତୃତା... ବଙ୍ଗଳାର ସନ୍ତ୍ରାସବାଦୀମାନଙ୍କ ତତ୍ପରତା...ଆଉ ଇଂରେଜ ଶାସକ ଗୋଷ୍ଠୀର ଅଯୌକ୍ତିକତା ପ୍ରଭୃତି ପ୍ରକାଶ୍ୟରେ ଆଲୋଚନା କରିବାକୁ ସେତେବେଳେ ଆଉ ଭୟ ପାଇ ନଥିଲେ କେହି ।

 

ଜାତୀୟଚେତନାର ସେହି ଚୂଡ଼ାନ୍ତ ଜାଗରଣର ସମୟରେବି ଚକ୍ରଧରପୁର ରେଲ୍‍ୱେ କଲୋନୀ ଥିଲା ବର୍ଣ୍ଣ ବିଭାଗ ଅନୁଯାୟୀ ବିଭକ୍ତ । ଇଂରେଜ, ଆଙ୍ଗ୍‍ଲୋ ଓ ଭାରତୀୟଙ୍କ ପାଇଁ ତିନୋଟି ତାର ବାଡ଼ ଘେରା ବସତି । ମୁଖ୍ୟ ପ୍ରବେଶ ପଥମାନଙ୍କରେ ତାହା ଲେଖା ରହିଥିଲା ମଧ୍ୟ-। ବାହାରେ ଅବଶ୍ୟ କୁହାଯାଉଥିଲା ଯେ ସ୍ୱକୀୟ ସାମାଜିକ ଆଚରଣର ସୁବିଧାପାଇଁ ଏହି ବିଭକ୍ତୀକରଣ !

 

ତେବେ ଅଫିସର୍‌ କ୍ଳବ୍ ଥିଲା ମାତ୍ର ଗୋଟିଏ ।

 

ବର୍ଣ୍ଣ ଓ ଜାତୀୟତା ନିର୍ବିଶେଷରେ ଅଫିସର୍‌ ମାତ୍ରେଇ ସେଠାକୁ ସପରିବାର ପ୍ରବେଶାଧିକାର ପାଉଥିଲେ ।

 

ବିରାଟ୍‍ କଲୋନୀର ଠିକ୍‌ କେନ୍ଦ୍ର ସ୍ଥଳରେ ରେଲ୍‍ୱେ ସ୍କୁଲ । ଇଂରାଜୀ ମାଧ୍ୟମରେ ପଢ଼ାପଢ଼ି । ଖାଲି ଭାଷାଗତ ସାହିତ୍ୟ ଶିକ୍ଷାପାଇଁ ଓଡ଼ିଆ, ହିନ୍ଦୀ, ବଙ୍ଗଳାର ସ୍ୱତନ୍ତ୍ର କ୍ଲାସ୍‌ ।

 

ପଣ୍ତିତ ଗୋଦାବରୀଶଙ୍କ ପ୍ରତିଷ୍ଠିତ ଓଡ଼ିଆ ସ୍କୁଲ ସରକାରୀ ବିଷ-ଦୃଷ୍ଟିର ଶିକାର ହୋଇ ଲୋପ ପାଇ ସାରିଚି । ଛାତ୍ରମାନେ ବାଧ୍ୟ ହୋଇ ଚାଲି ଆସିଚନ୍ତି ରେଲ୍‍ୱେ ସ୍କୁଲକୁ । ଶିକ୍ଷକମାନେ କିଏ କୁଆଡ଼େ ଛିନ୍‍ଛତର । ଜଣେ କେବଳ ସେଥିରୁ ‘‘ଆବ୍‍ଜର୍ବ’’ ହୋଇଥିଲେ ରେଲ୍‍ୱେ ସ୍କୁଲରେ । ସାହିତ୍ୟ ଓ ଇତିହାସ ଶିକ୍ଷକ ପଣ୍ଡିତ ଅଗ୍ନିଦେବ ଶର୍ମା । ଚାଇଁବସା ନିବାସୀ ।

 

ପୁରୁଣା ବସ୍ତି ଠାରୁ କିଛି ଦୂରରେ ଦୁର୍ଗ । ଅତୀତ ଇତିହାସର ମୂକସାକ୍ଷୀ ପରି ତଳେ ତା’ର ବହିଯାଉଚି ସଂଜୟୀ ନଈ ।

 

ପୋଡ଼ାହାଟ ରାଜ୍ୟର ଶେଷ ରାଜଧାନୀ ଚକ୍ରଧରପୁର ।

 

ଯେଉଁ ପୋଡ଼ାହାଟର ଅର୍ଥ ଦିନେ ଥିଲା ସମଗ୍ର ସିଂହଭୂମି ।

ଆଉ ଆଜି ଚକ୍ରଧରପୁରରେ ଚତୁଃପାର୍ଶ୍ୱକୁ ନେଇ କେତେ ସଂକୁଚିତ ତାହାର ସୀମାରେଖା !! କେଉଁ ଅତୀତ କାଳରେ ରାଜପୁତ ବୀର କାଶୀନାଥ ସିଂହ ପ୍ରତିଷ୍ଠା କରିଥିଲେ ଏହି ରାଜ୍ୟ । ପର୍ବତ କନ୍ୟା ପାହାଡ଼ୀ ବା ପାଉଡ଼ୀ ଦେବୀଙ୍କୁ ଇଷ୍ଟଦେବତୀରୂପେ ପୂଜା କରୁଥିଲେ ସ୍ଥାନୀୟ ଭୂୟାଁ ଅଧିବାସୀମାନେ । ପ୍ରଜାସାଧାରଣଙ୍କ ଇଷ୍ଟଦେବତୀରୂପେ ବରଣ କରିନେଲେ ପ୍ରଜାନୁଗତ-ଧର୍ମୀ କାଶୀନାଥ । ରାଜ୍ୟର ନାମ ଦେଲେ ପାଉଡ଼ୀହାଟୀ । ସେଇଥିରୁ ଅପଭ୍ରଂଶ ହୋଇ ପୋଡ଼ାହାଟ ।

କାଶୀନାଥଙ୍କ ପରେ ଛତ୍ରପତି ।

ଇତିହାସ ଲେଖିଲା ପୋଡ଼ାହାଟର ଉତ୍‌ଥାନ ।

ପ୍ରତାପ ସିଂହ, ପୁରୁଷୋତ୍ତମ ସିଂହ, ବିକ୍ରମ ସିଂହ । ରାଜା ପରେ ରାଜା ।

ତା’ପରେ ଆଉ ଏକ ଅଧ୍ୟାୟ ।

ଜଗନ୍ନାଥ ସିଂହଙ୍କ ରାଜତ୍ୱ ।

ବିଦେଶୀ ବଣିକର ମାନଦଣ୍ଡ ସେତେବେଳକୁ ରାଜଦଣ୍ଡରେ ପରିଣତ ହେବାକୁ ଯାଉଛି-। ଠିକ୍‌ ସେହି ସୁଯୋଗ ବା ଦୁର୍ଯୋଗରେ ଉପସ୍ଥିତ ହେଲା ଜଗନ୍ନାଥ ସିଂହଙ୍କ ଗୃହବିବାଦ । ଗୃହ-ଶତ୍ରୁକୁ ଦମନ କରିବାପାଇଁ ସେ ଲୋଡ଼ିଲେ ବହିଃଶତ୍ରୁର ସାହାଯ୍ୟ ।

 

ସାହାଯ୍ୟ ଦେଲା ଇଂରେଜ । କିନ୍ତୁ ତା’ପରେ ପ୍ରଭାବ ବିସ୍ତାର କରିବାକୁ ଲାଗିଲା ।

 

ଅଠରଶ’ ତିନିରେ ମରହଟ୍ଟା ସହ ଇଂରେଜର କଳହ । ବଡ଼ଲାଟ୍‌ ୱେଲ୍‌ସଲିଙ୍କ ଅନୁରୋଧରେ ଇଂରେଜକୁ ସାହାଯ୍ୟ କଲେ ପୋଡ଼ାହାଟ ରାଜା ଚକ୍ରଧର ।

 

କିନ୍ତୁ ଇତିହାସର ଚକ୍ର ଘୂରିଗଲା ତାହାପରେ ।

 

ଅଠରଶ’ ପଇଁଚାଳିଶରେ ପୋଡ଼ାହାଟ ସିଂହାସନ ଅଳଙ୍କୃତ କଲେ ବୀର ଅର୍ଜୁନ ସିଂହ ।

 

ସେ ଅସ୍ୱୀକାର କଲେ ଇଂରେଜର ସମସ୍ତ ପ୍ରଭାବକୁ ।

 

ତାଙ୍କଠାରେ ବଶ୍ୟତା ସ୍ୱୀକାର କରିଥିଲେ ରାଜ୍ୟର ଦୁଇ ବିବାଦମାନ ଜାତି–କୋହ୍ଲ ଆଉ ସୁରାଖ ।

 

କିନ୍ତୁ ବିଧିର ବିଧାନ ବିଚିତ୍ର ।

 

ସୁରାଖ ଦଳପତି ଭୁଜେନ୍ଦ୍ର ଯାନୀ ବିଶୋଇ ।

 

ତାହାରି ଷୋଡ଼ଶୀ କନ୍ୟା ସିଂହାସିନୀ ।

 

ରୂପରେ ଅତୁଳନୀୟା କୁମାରୀ ଆଖିରେ ବିଦ୍ୟୁତ୍-ଦହନ, ଆକାଶର ମେଘ ପରି ପୁଞ୍ଜୀଭୂତ କେଶରାଶି, ହସରେ ତା’ର ମଣିମାଣିକ୍ୟ ଫୁଟିଉଠେ ।

 

ତାହାରିପାଇଁ ପ୍ରତିଦ୍ୱନ୍ଦ୍ୱୀ ହେଲେ ଦୁଇ କୋହ୍ଲ ଦଳପତି ଯୁବା । ସେ ସମୟରେ ରାକ୍ଷସବିବାହ ରୀତି ଥିଲା । ନାରୀ ଥିଲା ଅପହରଣ ସାପେକ୍ଷା, ବୀରଭୋଗ୍ୟା...ତତ୍‌କାଳୀନ ବସୁନ୍ଧରା ପରି ।

 

ଅର୍ଜୁନ ସିଂହ ପାଇଲେ ସିଂହାସିନୀର ଚିଟାଉ ।

 

‘‘ଅନ୍ୟ କେହି ଅପହରଣ କରିବା ଆଗରୁ ତୁମେ ମୋତେ ଅପହରଣ କରିନିଅ ରାଜା ! ମୁଁ ତୁମର !’’

 

ବଳଦର୍ପୀ ଅର୍ଜୁନ ସିଂହ ।

 

ପାରିଧି ଛଳରେ ଯାଇ ହଠାତ ଉପସ୍ଥିତ ହେଲେ ସିଂହାସିନୀ କୁଟୀରରେ ।

 

ଘୋଡ଼ା ପିଠିରେ ବସାଇ ନେଇ ଆସିଲେ ନଅରକୁ ।

 

ଇତିହାସ ଖାଲି ଦେଖିଲା ଆଉ ହସିଲା ।

 

ରାଜାନୁଗତ ସୁରାଖଗଣ ସୁଖୀ ହେଲେ ନାହିଁ ଏଥିରେ । ଅର୍ଜୁନ ସିଂହଙ୍କୁ ଭୁଲ୍‌ ବୁଝିଲେ ସେମାନେ ।

 

ଏଣେ କୋହ୍ଲ ଅଧ୍ୟୁଷିତ ଅଞ୍ଚଳରେବି ଜଳି ଉଠିଲା ବିଦ୍ରୋହର ଦାବାଗ୍ନି ।

 

ଅର୍ଜୁନ ସିଂହ ଅବଶ୍ୟ ଦମନ କଲେ ସେହି ବିଦ୍ରୋହ, କିନ୍ତୁ ଇଂରେଜ ଜାଣିପାରିଲା ତାଙ୍କ ଦୁର୍ବଳତା । ସୁରାଖ ଆଉ କୋହ୍ଲ...ଉଭୟଙ୍କ ସହଯୋଗରୁ ସେ ବଞ୍ଚିତ ।

 

ଠିକ୍‌ ସେତିକିବେଳେ ଚମକପ୍ରଦ ସିପାହି ବିଦ୍ରୋହର ଆରମ୍ଭ । ତାଙ୍କର ଇଲାକା ଭିତର ଦେଇ ମରହଟ୍ଟା ବିରୁଦ୍ଧରେ ସୈନ୍ୟ ଚାଳନା କରିବାକୁ ଇଂରେଜ ମାଗିଲା ଅନୁମତି ।

 

ଅର୍ଜୁନ ସିଂହ କାଳ ବିଳମ୍ବ କଲେ ।

 

କିନ୍ତୁ ଇଂରେଜ ଆଉ ଅପେକ୍ଷା କଲା ନାହିଁ । ହଜାରୀବାଗ୍‌ରୁ ମାଡ଼ି ଆସିଲେ ଶ୍ୱେତାଙ୍ଗ ବାଟାଲିଅନ୍‌ ।

 

ଇଂରେଜ ସହିତ ବନ୍ଧୁତା ଚୁକ୍ତି ଛିନ୍ନ କରି ପ୍ରତିରୋଧ କଲେ ଅର୍ଜୁନ ସିଂହ । ବନଭୂମି, ଗିରିସଙ୍କଟ କମ୍ପି ଉଠିଲା ଉଭୟ ପକ୍ଷର କମାଣ ନିନାଦରେ । ଲାଲ ହୋଇଉଠିଲା ସଂଜୟୀର ସୁଅ-

 

ଅଠରଶ ଅଠାବନର ଶେଷାର୍ଦ୍ଧରେ କର୍ଣ୍ଣେଲ୍‌ ଫାଷ୍ଟର୍‌, ବ୍ରିଗେଡ଼ିଅର୍‌ ଫ୍ରେଡ଼େରିକ୍‌ ଓ କ୍ୟାପଟେନ୍‌ ଫ୍ରାନ୍‌ସିସ୍‌ ତିନିଦିଗରୁ ଆକ୍ରମଣ କଲେ ଚକ୍ରଧରପୁର ଦୁର୍ଗ । ଯୁଦ୍ଧରେ ପରାସ୍ତ ହେଲେ ଅର୍ଜୁନ ସିଂହ । ଯାଇ ଆଶ୍ରୟ ନେଲେ ଦୁର୍ଗମ ଅରଣ୍ୟ-ସଂକୁଳ ସରଣ୍ଡା ପର୍ବତମାଳାର ଅଧିତ୍ୟକାରେ ।

 

ଇଂରେଜ ସହିତ ଚାଲିଲା ସଂଘର୍ଷ ପରେ ସଂଘର୍ଷ । ଅର୍ଜୁନ ସିଂହ ଦେଖିଲେ ତାଙ୍କରିପାଇଁ ଆଶଙ୍କାମୟ ହୋଇ ଉଠୁଛି ଜନସାଧାରଣଙ୍କ ଧନ, ମନ, ପ୍ରାଣ । ହଠାତ ଅପ୍ରତ୍ୟାଶିତଭାବେ ଅଠରଶ’ ଅଣଷଠି ଫେବୃଆରୀ ପନ୍ଦର ତାରିଖ ଦିନ ସକାଳେ ସେ ଆସି ଆତ୍ମସମର୍ପଣ କଲେ ଇଂରେଜ କମିଶନରଙ୍କ ନିକଟରେ ।

 

ତାଙ୍କ ବୀରତ୍ୱର ଭୂୟସୀ ପ୍ରଶଂସା କଲେ କମିଶନର ସାହେବ । ଅବଶିଷ୍ଟ ଜୀବନ ଶାନ୍ତିରେ କଟାଇବା ପାଇଁ ତାଙ୍କୁ ପଠାଇଦେଲେ କାଶୀ । ସେହିଠାରେ ସେ ହେଲେ ଅନ୍ତରୀଣ । ତାଙ୍କପାଇଁ ହେଲା ନାମମାତ୍ର ପେନ୍‌ସନ୍‌ର ବ୍ୟବସ୍ଥା । ସେହିଠାରେ ତାଙ୍କର ଦେହାବସାନ ଘଟିଲା ଅଠରଶ’ ଅଠାନବେରେ ।

 

କୁମାର ନରନତି ସିଂହଙ୍କୁ ପିନ୍ଧାଇ ଦିଆଗଲା ନାମମାତ୍ର ରାଜ୍ୟ କ୍ଷୁଦ୍ର ପୋଡ଼ାହାଟର ରାଜମୁକୁଟ !

 

କାନ୍ଦି ଉଠିଲା ଇତିହାସ !!

 

ଚକ୍ରଧରପୁର ଦୁର୍ଗରେହିଁ ରହୁଥିଲେ ରାଜା ନରପତି । ବିଧ୍ୱସ୍ତ ଦୁର୍ଗର ସଂସ୍କାର ହୋଇଥିଲେ ମଧ୍ୟ ବାହାର ପାଚେରିରେ ଗୋଳା ଚିହ୍ନ ସବୁ ରହିଚି । ଗୋଟାଏ ବଡ଼ ଗର୍ତ୍ତ ପାଖରେ ମାର୍ବଲ ପଥରରେ ଲେଖି ଦେଇଚି ଇଂରେଜ ‘‘Through this hole, British assault was delivered into the port.’’ ଗଡ଼ଖାଇ ଫାଟକ ପାଖରେ ମୁଖବ୍ୟାଦାନ କରି ରହିଥିବା ପୁରୁଣା କମାଣ....ମନେ ପକାଇ ଦିଏ ଅତୀତ ଇତିହାସ ।

 

ନରପତି ବୃଦ୍ଧ, ଅପୁତ୍ରିକ, ବିପତ୍ନୀକ । ଜ୍ୟେଷ୍ଠାକନ୍ୟା ବିବାହ କରି ଚାଲିଯାଇଛି ରାମଗଡ଼ । କନିଷ୍ଠା କନ୍ୟାକୁ ରାୟଗଡ଼ ରାଜମାତା ପୋଷ୍ୟ-କନ୍ୟାରୂପେ ଗ୍ରହଣ କରି ନେଇଛନ୍ତି ଶୈଶବରୁ । ଅଧିକାଂଶ ସମୟରେ ଦୁର୍ଗ ଭିତରେହିଁ ରହନ୍ତି ରାଜା । ପ୍ରାୟ ବାହାରକୁ ବାହାରନ୍ତି ନାହିଁ । ସେ ଅପ୍ରକୃତିସ୍ଥ ବୋଲି ସନ୍ଦେହ କରୁଥିଲେ କେହି କେହି ।

 

କାହାରି ସହିତ ମିଳାମିଶା କରୁ ନ ଥିବାରୁ, ନିଜ ଚାରିପାଖରେ ଏକ ରହସ୍ୟର ପରିବେଶ ସୃଷ୍ଟି କରି ରହିଥିବାରୁ ତାଙ୍କ ସମ୍ବନ୍ଧରେ ଲୋକେ ଅଧିକ କୌତୁହଳୀ ଥିଲେ । ତେବେ ଜନସାଧାରଣଙ୍କର ଖୁବ୍‌ ସମ୍ମାନ ଥିଲା ତାଙ୍କ ପ୍ରତି । ତାଙ୍କ ସମ୍ବନ୍ଧରେ ବହୁ ଜନଶ୍ରୁତି ପ୍ରଚଳିତ ଥିଲା-। ଜୀବିତାବସ୍ଥାରେ ସେ ଯେପରି ଅଧା ‘‘କିମ୍ବଦନ୍ତୀ’’ରେ ପରିଣତ ହୋଇ ସାରିଥିଲେ ।

 

କେତେକ କହନ୍ତି, ସିପାହି ବିଦ୍ରୋହବେଳେ ମାତ୍ର ତେରବର୍ଷ ବୟସରେ ସେ ବାପାଙ୍କ ସହ ମିଶି ଇଂରେଜ ବିରୁଦ୍ଧରେ ଲଢ଼ିଥିଲେ । ଅର୍ଜୁନ ସିଂହ କାଶୀରେ ଅନ୍ତରୀଣ ଥିବାବେଳେ ନରପତି ସିଂହଙ୍କୁ ତାଙ୍କ ସହ କେବଳ ନିୟମିତ ପତ୍ରାଳାପର ଅନୁମତି ମିଳିଥିଲା । ଚିଠିପତ୍ର ଖୋଲି ଦେଖିଲା ପରେ ଦେଉଥିଲେ ସରକାର । ଦେଖାସାକ୍ଷାତର ଅନୁମତି କମ୍‌ ମିଳୁଥିଲା । ବ୍ରିଟିଶ ରେସିଡ଼େନ୍‌ସିଆଲ୍‌ ଏକାଡ଼େମୀ ନୈନୀତାଲରେ ରଖା ହୋଇଥିଲା ନରପତିଙ୍କୁ । ଇଂରେଜ ଝିଅ ସହ ତାଙ୍କୁ ବିବାହ କରାଇ ଦେବାପାଇଁ କୁଆଡ଼େ ପ୍ରଚେଷ୍ଟାବି ହୋଇଥିଲା ।

 

ନରପତି କାହିଁକି ପୋଷ୍ୟପୁତ୍ର ଗ୍ରହଣ କରୁ ନାହାନ୍ତି ତାହା ମଧ୍ୟ ଲୋକେ ଆଲୋଚନା କରୁଥିଲେ । କିନ୍ତୁ ଏ ସବୁ ଆଲୋଚନା କେବଳ ଆଲୋଚନାରେହିଁ ରହୁଥିଲା ଯେହେତୁ ଅବରୁଦ୍ଧ ପ୍ରାୟ ଦୁର୍ଗ ଭିତରେ ନିଜକୁ ଲୁକ୍କାୟିତ ଭଳି ରଖି ରାଜା ଜନସମାଜଠାରୁ ବିଚ୍ଛିନ୍ନ ଥିଲେ ।

 

ଐତିହାସିକ ଚରିତ୍ର ନରପତିଙ୍କ ସମ୍ବନ୍ଧରେ ମୋ ମନରେ ବେଳେବେଳେ ଅହେତୁକଭାବେ ଏତେ ବେଶି ଅଦମ୍ୟ କୌତୁହଳ ଆସୁଥିଲା ଯେ ସେଇ ଦୁର୍ଗଟାକୁ ମୁଁ କେବେ କେବେ ସ୍ୱପ୍ନରେବି ଦେଖୁଥିଲି ।

 

କିନ୍ତୁ ସଂଜୟୀ ତୀରସ୍ଥ ଜଙ୍ଗଲ ଘେରା ଉକ୍ତ ଗଡ଼ଟି ତ ଲୋକାଳୟ ଠାରୁ ଦୂରରେ ଅବସ୍ଥିତ ଥିଲା । ବିନା କାରଣରେ ସେ ଆଡ଼କୁ ଯିବାପାଇଁ କିଏ ଯେପରି ବାରଣ କରୁଥିଲା ମନ ଭିତରୁ । କୌତୁହଳ ପରି ଦ୍ୱିଧାବି ବେଳେବେଳେ ଅହେତୁକ ହୋଇଥାଏ ।

 

ଷ୍ଟେସନ ଆରପାଖ ଏକ ସୁବିସ୍ତୃତ ଚାରଣ ଭୂମି । ତା’ପରେ ଯାଇ ଜଙ୍ଗଲ ଘେରା ସେଇ ଦୁର୍ଗ । ଷ୍ଟେସନର ଓଭରବ୍ରିଜ୍‌ ଉପରେ ଠିଆ ହେଲେ ଚରା-ଭୂଇଁର ମେଷ-ମହିଷ ସବୁ ଛବି ଆଙ୍କିଲାପରି ଦିଶନ୍ତି–ଆଉ ନଦୀର ପୃଷ୍ଠ-ଭୂମିରେ ଦୁର୍ଗର ବନାକୀର୍ଣ୍ଣ ପ୍ରାକାରବି ଦିଶେ ସ୍କେଚ୍‌ ଭଳି-

 

ବାପା ଥିଲେ ଚକ୍ରଧରପୁରରେ ରେଲ୍‍ୱେ ଡିଷ୍ଟ୍ରିକ୍‌ଟ ଇଞ୍ଜିନିୟର । ମାତ୍ର ଦୁଇଜଣ ଓଡ଼ିଆ ଅଫିସର୍‌ଙ୍କ ଭିତରୁ ସେ ଥିଲେ ଅନ୍ୟତମ ।

 

ଅନ୍ୟ ଜଣକ ସୁପ୍ରଭାତ ଛୋଟରାୟ ।

 

ଆମରି ବଙ୍ଗଳା ପାଖକୁ ଲାଗି ତାଙ୍କ ବଙ୍ଗଳା । ଖୁବ୍‌ ଉଗ୍ର ଆଧୁନିକ ସେମାନେ । ବହୁ ଦିନ ବମ୍ବେରେ ଥିଲେ । ସ୍ତ୍ରୀ ମହାରାଷ୍ଟ୍ରୀୟା । ଓଡ଼ିଆ ଶିଖିଛନ୍ତି ସ୍ୱାମୀଙ୍କ ସହାୟତାରେ । ଏକମାତ୍ର ସନ୍ତାନ ଅଞ୍ଜଳି ।

 

ଚକ୍ରଧରପୁରରେ ନୂଆ ଆସି ପହଞ୍ଚିଛନ୍ତି ସେମାନେ ।

 

ଆମରି କ୍ଲାସ୍‌ରେ ଏଡ଼୍‌ମିସନ୍‌ ନେଲା ଅଞ୍ଜଳି ।

 

ମାଟ୍ରିକ୍ୟୁଲେସନ୍‌ର ଶେଷ ବର୍ଷ ।

 

ସେତେବେଳେ ଟିକିଏ ବେଶି ବୟସରେ ବିଦ୍ୟାରମ୍ଭ କରୁଥିଲେ ସମସ୍ତେ । ମାଟ୍ରିକ୍ କ୍ଲାସ୍‌ରେ କେବଳ ବିବାହିତ ନୁହେଁ, ପିତୃତ୍ୱ ଲାଭ କରିଥିବା ଛାତ୍ର ଯେ ପଢ଼ୁଥିଲେ...ବର୍ତ୍ତମାନ ଯୁଗରେ ତାହା ଅବିଶ୍ୱାସ୍ୟ ।

 

ଅଞ୍ଜଳିର ବୟସ ସେତେବେଳେ ଷୋହଳ । ଆଉ ମୋର ସତର ଚାଲିଥାଏ ।

 

ସୁପ୍ରଭାତ ବିଲାତ ଯାଇଥିଲେ । ତାଙ୍କ ବିବାହ ଥିଲା ପ୍ରେମ ଘଟିତ । ଅଞ୍ଜଳିବି ଥିଲା ତା’ ବାପା-ମାଆଙ୍କ ପରି ସ୍ମାର୍ଟ ।

 

ଭଅଁର କଳା ଆଖି, ପଳାଶ ପାଖୁଡ଼ା ଓଠ, କଜଳ କେଶର ବନ୍ୟା, କେତକୀ ଶୁଭ୍ର ସୁଠାମ ଦେହ ଲତାର ସାଲ୍‌ୱାର ଆଉ ଉତ୍ତରୀୟର ମେଖଳା...

 

ସେ ସମୟରେ ପ୍ରଥମ ଦର୍ଶନରେ କେହି ତାକୁ ଓଡ଼ିଆ ଭାବି ବସିବା ସମ୍ଭବ ନଥିଲା ।

 

ଓଡ଼ିଶାର ସେତେବେଳେ ଦଶବର୍ଷର ଝିଅ ଶାଢ଼ି ପିନ୍ଧୁଥିଲେ ।

 

ଆଉ ପଞ୍ଚନଦୀୟ ବେଶରେ ଷୋଳବର୍ଷର ଓଡ଼ିଆ ଝିଅ... କଳ୍ପନା କରିପାରିବା ଅସମ୍ଭବ-

 

‘‘ଓଡ଼ିଆ କ୍ଲାସ’’ ଚାଲିଚି ।

 

ଏକମାତ୍ର ଝିଅପିଲା ଅଞ୍ଜଳି । ଅନ୍ୟ ଦୁଇ ଜଣ ନୀହାରିକା ଚଟର୍ଜୀ ଓ ଶ୍ୟାମଳୀ ସେନ୍‌ ତାଙ୍କର ‘‘ବଙ୍ଗଳା କ୍ଲାସ୍‌’’କୁ ଚାଲି ଯାଇଚନ୍ତି ।

 

କୋଡ଼ିଏ ଜଣ ପୁଅ ପିଲାଙ୍କ ଭିତରେ ଏକମାତ୍ର ଝିଅ ସେ । ସାମ୍ନା ଲାଇନ୍‌ର ଶେଷରେ କାନ୍ଥ ପାଖ ଝରକା ନିକଟରେ ବସିଥାଏ ।

 

ଶିକ୍ଷକ ଅଗ୍ନିଦେବ ଶର୍ମା ।

 

ସିଏ ଥିଲେ ନିଜ ନାମକୁ ସାର୍ଥକ କରିଥିବା ଜଣେ ନିର୍ଭୀକ ବ୍ୟକ୍ତି ।

 

ଅଗ୍ନିଦେବ ଶର୍ମାଙ୍କୁ ଅଗ୍ନିଶର୍ମା ବୋଲି ଆମେ କହୁଥିଲୁ ପଛରେ ।

 

ଗୋରା ତକତକ ଚେହେରାକୁ ଖଦଡ଼ ଧୋତିପଞ୍ଜାବି । (ସେ ସମୟରେ ଖଦଡ଼ ପିନ୍ଧିବା ସାହସିକ କାର୍ଯ୍ୟ ଥିଲା !) ...ବୟସ ପଚାଶ ପାଖାପାଖି । ଆଖିରେ ବେପରୁଆ ଦୃଷ୍ଟିଭଙ୍ଗୀ-। ଦେଖିଲେ ଭୟ-ଭକ୍ତି ଆସେ । କିଏ ଅଫିସର୍‌ ପୁଅ...କିଏ ଫାୟାରମ୍ୟାନ୍‌ ପୁଅ...ଏ ସବୁ ବାଛ-ବିଚାର ତାଙ୍କର ନ ଥାଏ । ଠୋଠା ଚାପୁଡ଼ା ବସେଇ ଦେବେ, ଠିଆ କରେଇ ଦେବେ ବେଞ୍ଚ ଉପରେ ତାଙ୍କ ପ୍ରଶ୍ନର ଉତ୍ତର ନ ପାରିଲେ ।

 

ଅଞ୍ଜଳି ଏ ପର୍ଯ୍ୟନ୍ତ ଓଡ଼ିଶା ବାହାରେ ରହି ଇଂରେଜୀ ମାଧ୍ୟମରେ ପଢ଼ି ଆସିଚି । ଘରେ ସେ କିନ୍ତୁ ତା’ ବାପାଙ୍କ ଠାରୁ ନିୟମିତ ଓଡ଼ିଆ ପଢ଼ୁଥିଲା । ପାଟ୍‌ନା ୟୁନିଭର୍‌ସିଟିର ମାଟ୍ରିକ୍‌ ଷ୍ଟାଣ୍ଡାର୍ଡ଼ ପର୍ଯ୍ୟନ୍ତ ବହି ସେ ଘରେ ପଢ଼ିଛି ବୋଲି କହି ମିଷ୍ଟର ଛୋଟରାୟ ହେଡ଼୍‌ମାଷ୍ଟରଙ୍କୁ ଧରାଧରି କରି ତାହାର ଓଡ଼ିଆ କ୍ଲାସ୍‌ରେ ବସିବା ବ୍ୟବସ୍ଥା କରାଇଥିଲେ । କିନ୍ତୁ ତତ୍‌କାଳୀନ ବିହାର-ଓଡ଼ିଶା ପ୍ରଦେଶରେ ଓଡ଼ିଆ ଷ୍ଟାଣ୍ଡାର୍ଡ଼ ମାଟ୍ରିକ୍‍ରେ ଯାହା ଥିଲା...ବର୍ତ୍ତମାନର ଏମ୍‌. ଏ. ଷ୍ଟାଣ୍ଡାର୍ଡ଼ ସହିତ ପ୍ରାୟ ସମାନ । ତେଣୁ ଅଞ୍ଜଳି ପାରୁ ନ ଥାଏ । ଅଗ୍ନିଶର୍ମା ତାକୁ ଉପଦେଶ ଦେଇଥିଲେ, ଖାଲି ଓଡ଼ିଆରେ ଫେଲ ହେବା ଯୋଗୁଁ ମାଟ୍ରିକ୍ ପାଶ୍‌ କରି ନ ପାରିବ କାହିଁକି–ବରଂ ନେଇ ନିଅ ଇଂରାଜୀ ।

 

କିନ୍ତୁ ଅଞ୍ଜଳିର ଜିଦ୍‌, ସେ ଓଡ଼ିଆରେଇ ପାଶ୍‌ କରି ଦେଖାଇ ଦେବ ।

 

ସେ ତା’ ବାପାଙ୍କ ଅହଂକାର ଉତ୍ତରାଧିକାର ସୂତ୍ରରେ ପାଇଥିଲା ।

 

ମାତ୍ର ଅଗ୍ନିଦେବଙ୍କ ପାଖରେ ଅହଂକାର ଚଳିବନି । ଯଦି ବଳେ ପଶି ଓଡ଼ିଆ କ୍ଲାସରେ ବସିଲ ପଢ଼ା ପ୍ରସ୍ତୁତ କରି ଆସ ଠିକ୍‌ ଭାବରେ ।

 

ଅଞ୍ଜଳି କିନ୍ତୁ ପାରେନା ।

 

ସେ ଦିନ ଅଞ୍ଜଳି ସମେତ ପ୍ରଥମ ଲାଇନ୍‌ର ଛଅ ସାତ ଜଣ ଠିକ୍‌ଭାବେ ବୁଝାଇ ପାରିଲେନି ରାଧାନାଥଙ୍କ ତୁଳସୀ-ସ୍ତବକ ।

 

ସମସ୍ତେ ଠିଆ ହୋଇ ରହି ଥାଆନ୍ତି । ମୋ ପାଳି ଆସିଲା । ମୁଁ ବୁଝାଇ ପାରିବାରୁ ସେମାନଙ୍କୁ ଚାପୁଡ଼ା ମାରିବାପାଇଁ ମୋତେ ଆଦେଶ ଦେଲେ ଅଗ୍ନିଶର୍ମା ।

 

ମାରି ଚାଲିଲି । କିନ୍ତୁ ଧୀରେ ଧୀରେ । ଶେଷ ଆଡ଼କୁ ଶବ୍ଦ ନ ଶୁଭିବାରୁ ଅଗ୍ନିଶର୍ମା ପାଟି କରି ଉଠିଲେ : ଠିକ୍‌ ଭାବରେ ମାରିବ ନା ତମ ଗାଳରେ ମାରି ଶିଖେଇ ଦେବି ?

 

ବାଧ୍ୟ ହୋଇ ଅନ୍ୟ କୌଶଳ ଅବଲମ୍ବନ କଲି । ପାପୁଲିକୁ ଠୁଙ୍ଗା ଭଳି କରି ଏପରିଭାବେ ମାରିଲି ଯେ ଆସ୍ତେ ବାଜିଲେବି ବେଶ୍‌ ଶବ୍ଦ ସୃଷ୍ଟି ହେଲା ।

 

ଶେଷ ଜଣକ ଅଞ୍ଜଳି ।

 

ପାଖାପାଖି ବଙ୍ଗଳାରେ ରହୁଥିଲେ ମଧ୍ୟ ସେମାନେ ନୂଆ ଆସିଥିବାରୁ ଉଭୟ ପରିବାର ଭିତରେ ଯିବା ଆସିବା ବା ଘନିଷ୍ଠତା ହୋଇ ନ ଥାଏ । ମୋ ବାପା ଇଞ୍ଜିନିୟର ହେଲେବି ଯାନ୍ତ୍ରିକ ମନୋବୃତ୍ତିର ନଥିଲେ । ମେଳାପୀ, ସଦାଶୟ, ଶୀଘ୍ର ମିଶି ଯାଇ ପାରୁଥିଲେ ସମସ୍ତଙ୍କ ସାଙ୍ଗରେ । କିନ୍ତୁ ମିଷ୍ଟର ଛୋଟରାୟ ୱେଲ୍‌-ଫ୍ରେଆର୍‌ ଅଫିସର୍‌ ହୋଇ ମଧ୍ୟ ଅହଂକାରୀ..., ଫର୍ମାଲ....ଜନ-ସମ୍ପର୍କ ରକ୍ଷା କରୁ ନଥିଲେ । ପରିଚୟ କରେଇ ନଦେଲେ କାହା ସହ କଥା କହିବେନି । ତାଙ୍କୁ ଘରକୁ ଡାକିବାକୁ ହେଲେ ‘‘ଚା’ ଖାଇବାକୁ ଆସନ୍ତୁ’’ କହି ନିର୍ଦ୍ଦିଷ୍ଟ ଦିନ ଓ ସମୟ ଧାର୍ଯ୍ୟ କରିବାକୁ ପଡ଼ିବ । ଏକା ଅଫିସ୍‍ରେ କାମ କରୁଥିଲେବି ଖୁବ୍‌ ବେଶି ଘନିଷ୍ଟତା ନ ହେଲେ କାହା ଘରକୁ ଯିବେନି । କଥା କଥାକେ ‘‘ସରି’’ ‘‘ଥ୍ୟାଙ୍କ ୟୁ’’ । କଥା ଆରମ୍ଭ କରିବା ଆଗରୁ ‘‘ଏକ୍‌ସକିଉଜ୍‌ ମି’’ ମୋଟଉପରେ ଖୁବ୍‌ ବେଶି ‘ସାହେବ’ !

 

ଅଞ୍ଜଳି ମଧ୍ୟ ତା’ ବାପାଙ୍କ ପରି ।

 

ସେଥିପାଇଁ ମୁଁ ତାକୁ ଆଦୌ ପସନ୍ଦ କରୁ ନଥିଲି । ତଥାପି ତା’ ପାଖରେ ପହଞ୍ଚି କାହିଁକି କେଜାଣି ରହି ଗଲି ଟିକିଏ । ଭାବୁଥିଲି, ଝିଅଟାକୁ ମାରିବି ?

 

ପଛରୁ ହଠାତ ଅଗ୍ନିଶର୍ମାଙ୍କ ଚିତ୍କାର !! କ’ଣ ମୁହଁ ଦେଖିବାକୁ ପଠେଇଲି ? ମାର ଚଟକଣା...

 

ଆପେ ଆପେ ଯେମିତି ମୋ ହାତ ଦି’ଟା ବେଶ୍‌ ଜୋର୍‍ରେ ତା’ ଗାଲରେ ପିଟି ହୋଇଗଲେ !

 

ମୁଁ କିଂକର୍ତ୍ତବ୍ୟବିମୂଢ଼ ! ହତବାକ୍‌ !!

 

କ’ଣ କଲି !!!

 

ସେ କିନ୍ତୁ କାନ୍ଦି ଉଠିଲାନି ।

 

ଖାଲି ଦୁଇ ଆଖି ଉଛୁଳାଇ ଝରି ପଡ଼ିଲା ବିନ୍ଦୁ ବିନ୍ଦୁ ଲୁହ ।

 

ନିଜକୁ ଅପରାଧୀ ମଣିଲି ।

 

: ଆହା କାନ୍ଦ !! –ଚିତ୍କାର କରି ଉଠିଲେ ଅଗ୍ନିଦେବ !! ଏଇନେ ବେଞ୍ଚ ଉପରେ କ୍ଲାସ ଓଭର ହେବାଯାଏ ଠିଆ କରେଇ ଦେବି ଯେ କାନ୍ଦ ବନ୍ଦ ହେଇଯିବ । ଯେତେ ସବୁ ଅଫିସର ପିଲା, ବେଶି ଫାଙ୍କିବାଜ । ‘‘ଅଜାତ ମୃତ ମୂର୍ଖାଣାଂ ବରମାଦୌ ନଚାନ୍ତିମ...’’ ! ସନ୍ତାନ ସନ୍ତତି ଜନ୍ମ ନ ହେବା, ଜନ୍ମ ହୋଇ ମରିଯିବା, ବଞ୍ଚି ରହି ମୂର୍ଖ ହେବା... ଏହି ତିନୋଟି ପରିସ୍ଥିତି ଭିତରୁ ପିତା-ମାତାଙ୍କ ପାଇଁ ପ୍ରଥମ ଦୁଇଟି ବରଂ ଶ୍ରେୟସ୍କର । ‘‘ବିଶାଳ କୁଳସମ୍ଭବା’’ ହୋଇବି ମୂର୍ଖ ହେଲେ ଖାଲି ‘‘ନିର୍ଗନ୍ଧାଇବ କିଂଶୁକ’’ । କାନ୍ଦ ବନ୍ଦ କର ନଚେତ ଷ୍ଟେଣ୍ଡ୍‌ ଅପ୍‌ ଅନ୍‌ ଦି ବେଞ୍ଚ !!

 

ତା’ପରେ ପାଟି କରି ଉଠିଲେ ମୋ ଉପରେ : କାହିଁକି ସେଠି ଠିଆ ହେଇ ରହିଚ ଇଡ଼ିଅଟ୍‌ ପରି ? ନିଜ ସିଟ୍‌କୁ ଯାଅ । ଫେରି ଆସିଲି ମୁହଁ ତଳକୁ କରି । ଫେରି ଆସିଲି ମନ ଭିତରେ ଅପରାଧ-ବୋଧ ଆଉ ଅନିର୍ବଚନୀୟ ଏକ ସ୍ପର୍ଶବୋଧ ନେଇ । ନିଜ ସିଟ୍‌ରେ ଆସି ବସି ପଡ଼ିଲି ।

 

ଆଙ୍ଗୁଳିରେ ଏବେବି ସେଇ ନରମ ଗାଲର ସ୍ପର୍ଶ । ଲହୁଣୀ ଭଳି କଅଁଳ, ଗୋଲାପ ପାଖୁଡ଼ା ପରି ପେଲବ, ଫେଣ ପରି ମସୃଣ ।

 

ମୁଁ ମୋ ଆଙ୍ଗୁଳି ଆଉ ପାପୁଲିକୁ ଓଠରେ ଲଗେଇଲି । ଜିଭ ଅଗରେ ଛୁଇଁଲି । ସେତେବେଳେ ମୋର ବୟଃସନ୍ଧି । ମୋ ଭିତରେ ଆବେଗର ପ୍ରାବଲ୍ୟ !! ଯେପରିକି ଜୀବନରେ ଏକ ନୂଆ ଘଟନା ଘଟିଲା !! ବହି ପୃଷ୍ଠାରେ ଆଖି ରଖିଥିଲେ ମଧ୍ୟ ମନଶ୍ଚକ୍ଷୁ ରହିଥିଲା ଗୋଟିଏ ସୁନ୍ଦର ମୁହଁ ଉପରେ ଯାହାର ଚାରୁପକ୍ଷ୍ମଳ ଆଖି ତଳେ କୃଷ୍ଣସାର କୁରଙ୍ଗୀର ମାୟା, କଜଳ ଚିକୁରରେ ମେଘର ଭ୍ରମ, ଓଷ୍ଠ ପୁଟରେ ଗୋଧୂଳି ଲାଲିମାର ପ୍ରହେଳିକା । ହଠାତ ମନେହେଲା, ମୁଁ କିଶୋର ନୁହେଁ ଯୁବକ; ଆଉ ଅଞ୍ଜଳି କିଶୋରୀ ନୁହେଁ ଯୁବତୀ । ମନେହେଲା, ପ୍ରଥମ ଥର ଜୀବନରେ ଆଜି ଜଣେ ଯୁବତୀର ଅଙ୍ଗ ସ୍ପର୍ଶ କଲି । ଆଉ...ମନେହେଲା, ପାପ କରି ପକେଇଚି । ସ୍ପର୍ଶ ସୁଖର ସେହି ଆନନ୍ଦଟାହିଁ ପାପ ।

 

ସ୍କୁଲ ଛୁଟି ହେଇଗଲା । ଯିଏ ଯୁଆଡ଼େ ଗଲେ ।

 

କଲୋନୀ ରାସ୍ତାରେ କିଛି ଦୂର ଆସିବା ପରେ ଦେଖିଲି ଅଞ୍ଜଳି ଆଗେ ଆଗେ ଯାଉଛି-

 

ମୁଁ ତାହାର ପଛେ ପଛେ ବେଶ୍‌ ବ୍ୟବଧାନ ରଖି ଚାଲିଥାଏ ।

 

ସେ ପଛକୁ ଚାହିଁ ପୁଣି ମୁହଁ ବୁଲେଇ ନେଲା ।

 

ଡାକିଲି : ଅଞ୍ଜଳି, ଶୁଣ ।

 

ଠିଆ ହେଇଗଲା । ପାଖକୁ ଯାଇ କହିଲି : ମୁଁ ତ ଆସ୍ତେ ମାରିବାକୁ ଚାହିଁଥିଲି । କିନ୍ତୁ କିମିତି ଯେ...

 

ଓଠ ଫୁଲେଇ ପ୍ରତିପ୍ରଶ୍ନ କଲା : ଆସ୍ତେ ମାରିଲେ ବୋଧହୁଏ ଅପମାନ ହୁଏନା !

 

ମୁଁ ୟା’ର କ’ଣ ଉତ୍ତର ଦେବି ? କହିଲି : ତମେ ବା ପଢ଼ା ଠିକ୍‌ ନ କରି ଆସୁଛ କାହିଁକି-?

 

: ଓଡ଼ିଆରେ ମୁଁ ଉଇକ୍‌ । ମୋତେ ହେଲ୍‌ପ କରିବାକୁ କିଏ ଅଛି ? ବାପା ଅଦ୍ଭୁଦ ଖାମ୍‍ଖିଆଲିଆ ଲୋକ । ତାଙ୍କ ଛାତ୍ରାବସ୍ଥାରେ ସେ ପାର୍ଟ ଟାଇମ କରି...ଟିଉସନ କରି...ବମ୍ବେ ପରି ସହରରେ ନିଜ ଖର୍ଚ୍ଚ ଚଳାଉଥିଲେ ଆଉ ଫାଷ୍ଟକ୍ଲାସ ଫାଷ୍ଟବି ହେଉଥିଲେ । ସେ ଚାହାନ୍ତି, ସମସ୍ତେ ତାଙ୍କ ପରି ହୁଅନ୍ତୁ । ମୋପାଇଁ ଟିଉଟର ରଖିବେନି–ଅନ୍‌ ପ୍ରିନ୍‌ସିପ୍ଲ ।

 

: ବଡ଼ ଆଶ୍ଚର୍ଯ୍ୟ କଥା ତ !

 

: ତମେ ମତେ ହେଲ୍‍ପ କରନ୍ତ ନାଇଁ ?

 

: ମୁଁ...

 

: ଆମ ଘରକୁ ଆସନ୍ତ । ସାଙ୍ଗ ହେଇ ପଢ଼ନ୍ତେ ।

 

: ଭାବି ଦେଖିବି ।

 

: କ’ଣ ଭାବି ଦେଖିବ ?

 

: ତମର ଦରକାର । ତମେ କାହିଁକି ଆମ ଘରକୁ ଆସିବନି ?

 

: ପୁଅମାନେ ଝିଅଙ୍କ ପାଖକୁ ଯିବା କଥାନା !

 

ଅଞ୍ଜଳି ଦୁଷ୍ଟାମି ହସ ହସୁଥିଲା ।

 

ଗମ୍ଭୀର ହୋଇ କହିଲି : ଏଠି ପୁଅ ଝିଅ କଥା ପଡ଼ିଚି । ପାଠ ପଢ଼ାରେ ସାହାଯ୍ୟ ଯାହାର ଦରକାର ସେ ଆସିବ ।

 

: ମୁଁ ଝିଅ ନ ହୋଇ ପୁଅଟାଏ ହୋଇଥିଲେ କ’ଣ ମୋତେ ସାହାଯ୍ୟ କରିବା କଥା ଚିନ୍ତା କରନ୍ତ ?

 

ଟିକିଏ ଅଡ଼ୁଆରେ ପଡ଼ିଗଲି । ବୁଦ୍ଧିମତୀ ଅଞ୍ଜଳି ମୁହଁରେ ପ୍ରକଟିତ ହେଇଚି ଏକ ଚିରନ୍ତନ ସତ୍ୟ । ଖାଲି କ’ଣ ମାନବିକ ଉଦାରତା ସବୁ କିଛି ? ଗୋଟିଏ ଝିଅକୁ ସାହାଯ୍ୟ କରିବା ଭିତରେ କ’ଣ ନିଜର ଟିକିଏ କିଛି ଲାଭର ଲୋଭ ନ ଥାଏ ? କାୟାକୁ ସାହାଯ୍ୟ କରିବାକୁ ଯାଇ ଛାୟା ପାଇବାପାଇଁ କ’ଣ ଇଚ୍ଛା ହୁଏନା ? ଖାଲି ଛାୟାକୁ ନେଇବି କେତେ ସୁଖୀ ହୁଏ ମଣିଷ ! କିନ୍ତୁ ମାତ୍ର ଷୋଳବର୍ଷର ଝିଅ ଅଞ୍ଜଳି...ଏ ସବୁ ବୁଝିଲା କିପରି ? ବିଶେଷତଃ ପୁରୁଷର ମନସ୍ତତ୍ତ୍ୱ ।

 

ହଠାତ ସେହି ମୁହୂର୍ତ୍ତରେ ମୋ ମନରେ ଆତ୍ମମର୍ଯ୍ୟାଦା ବୋଧ ଆସିଲା । କହିଲି : ହଁ, ପୁଅ ହେଇଥିଲେବି ସାହାଯ୍ୟ କରି ଥାଆନ୍ତି । ଜଣେ ଦୁର୍ବଳ ସହପାଠୀକୁ ସହାନୁଭୂତି ଦେଖେଇବା ତ ଉଚିତ ।

 

: ମୁଁ କିନ୍ତୁ ଦୟନୀୟ ନୁହେଁ ଯେ ମୋତେ କେହି ଦୟାକରି ବା ସହାନୁଭୂତି ଦେଖାଇ...

 

: ଏଇ ପୁଣି ଓଡ଼ିଆ ଭୁଲ୍ କଲ । ‘ଦୟନୀୟା’ ହବ । ଭୁଲି ଯାଉଚ ଯେ ତମେ ଗୋଟିଏ ଝିଅ ।

 

: ସେଇଟା ବରଂ ତମେ ମନେରଖ । ଝିଅମାନଙ୍କୁ ‘‘ରେସ୍‌ପେକ୍ଟ’’ ଦେବାକୁ ହୁଏ ।

 

: କ’ଣ ଡିସ୍‍ରେସ୍‍ପେକ୍ଟ କଲି ?

 

: ଏଇ ମୁଁ ତମକୁ ମୋ ଘରକୁ ଡାକୁଚି; ଆଉ ତମେ ଆସିବାକୁ ରାଜି ନୁହ !

 

: ନା, ନୁହେଁ । ହେଲା ? ତମ ରାସ୍ତାରେ ତମେ ଯାଅ, ଆଉ ମୋ ରାସ୍ତାରେ ମୁଁ...

 

: ଏଇଟା କିନ୍ତୁ ଉଭୟଙ୍କ ଘରକୁ ଯିବା ରାସ୍ତା ! –ହସି ଉଠିଲା ଅଞ୍ଜଳି ! ବମ୍ବେ ହେଇଥିଲେ ଝିଅମାନେ ତମକୁ ଅପମାନ କରି ଦିଅନ୍ତେ । ଝିଅମାନଙ୍କ ସାଙ୍ଗରେ ଖୁବ୍‌ ନରମ ହେଇ କଥାବାର୍ତ୍ତା କରିବାକୁ ହୁଏ । ଆଚ୍ଛା ଛାଡ଼; ମୁଁ ତମକୁ ଆଜି ସନ୍ଧ୍ୟାରେ ଚା’ପାଇଁ ଡାକୁଚି । ହେଲା ? ନିଶ୍ଚୟ ଆସିବ । ସାତଟାରେ ।

 

ଜୈବିକ କାରଣରୁ ଝିଅମାନେ ପୁଅମାନଙ୍କ ଅପେକ୍ଷା ଯେଉଁ ପରିପକ୍ୱତା ଲାଭ କରନ୍ତି, ତାହା ହୁଏତ ଖାଲି ଦୈହିକ ନୁହେଁ ମାନସିକ ମଧ୍ୟ । ସେଇଥିପାଇଁ ବୋଧହୁଏ ବୟସରେ ସାନ ହୋଇବି ସେ ବୁଦ୍ଧିରେ ଥିଲା ମୋ ଠାରୁ ବଡ଼ । ନଚେତ ପ୍ରତି ଯୁକ୍ତିରେ ମୋତେ ପରାସ୍ତ କରି ପାରୁ ଥାଆନ୍ତା କିପରି ?

 

ସେହି ପରିବାର ସହିତ ମୋର ଆତ୍ମୀୟତା ବଢ଼ି ଯାଇଥିଲା ।ୟ

ସାଙ୍ଗ ହେଇ ପଢ଼ିବା, ବୁଲିଯିବା କ୍ୟାରମ୍‌ ଖେଳିବା...ଏ ସବୁ ପ୍ରାତ୍ୟହିକ ନିୟମ ହେଇ ଉଠିଲା ।

...ସଂଜୟୀ ନଦୀ ଯାଇଚି...ଚକ୍ରଧରପୁରର ସୀମା ଛୁଇଁ ।

ସ୍ରୋତ ଅଟକାଇ ରଖିବାପାଇଁ ସେଥିରେ ଡ୍ୟାମ୍‌ କରାହୋଇଛି । ସେହିଠାରୁ ପମ୍ପଦ୍ୱାରା ପାଣି ସରବରାହ କରାହୁଏ ସମଗ୍ର ସହରକୁ ।

ରବିବାର ଛୁଟି ଦିନରେ ଥରେ ଅଞ୍ଜଳି ଆଉ ମୁଁ ଯାଇ ସେଇ ଡ୍ୟାମ ଧାରରେ ବସିଥିଲୁ-। ଦୁଇ ପାଖରେ ପାହାଡ଼ । ଅତି ସୁନ୍ଦର ପ୍ରାକୃତିକ ପରିବେଶ । ନିକଟରେ ରେଲ୍‍ୱେ ବ୍ରିଜ୍‌-। ବ୍ରିଜ୍‌ ଆରମ୍ଭରେ ପୁରୁଣାବସ୍ତିକୁ ଯିବା ରାସ୍ତାଟା ଲାଇନ୍‌ କ୍ରସ କରିଚି । ସେଇଠି ଲେଭେଲ୍‌ କ୍ରସିଂ ଜଗୁଆଳିର କ୍ୱାଟର ।

ଅଞ୍ଜଳିର ପାଦ ପାଣିରେ ଲାଗୁଥାଏ । ସ୍ୟାଣ୍ଡେଲ୍‍ ଖୋଲା ଖାଲି ପାଦର ଧାର ଅଳତା ଛୁଆଁଇ ଦିଆହୋଇଥିବା ପରି ରକ୍ତିମାଭ । ସାଲୱାର୍ ଉପରେ ତାହାର ବକ୍ଷାବରଣ-ଉତ୍ତରୀୟ କୁହୁକ ସୃଷ୍ଟି କରୁଥିଲା ଅପରାହ୍ନ ବାୟୁର ଦୁଷ୍ଟାମିରେ । ମୁଁ ବାରମ୍ବାର ତାକୁ ଚାହୁଁଥିଲି । ଏଇ ସ୍ଥାନର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ପୁନା ନିକଟବର୍ତ୍ତୀ ଏକ ପିକ୍‍ନିକ୍‌ ସ୍ପଟ୍‍ର ତୁଳନାତ୍ମକ ବର୍ଣ୍ଣନା ସେ କରି ଚାଲିଥିଲା ସେତେବେଳେ । ହଠାତ ପଚାରିଦେଲା : ମୋତେ ଏତେ ଦେଖୁଚ କ’ଣ ?

କହିଲି : କ’ଣ ହେଲା ? ଅନେଇବା କ’ଣ ଅନ୍ୟାୟ ?

 

: ମୁହଁ ଆଡ଼କୁ ଚାହିଁବା ଅନ୍ୟାୟ ନୁହେଁ...

 

ବାରମ୍ବାର ଉଡ଼ିଯାଇ ସ୍ଥାନଚ୍ୟୁତ ହୋଇ ଯାଉଥିବା ଉତ୍ତରୀୟର ଧାରକୁ ସେ ଚାପି ଧରିଲା ଓଠରେ । ଅଳ୍ପ ଅଳ୍ପ ହସୁଥିଲା ।

 

ଚୋରି କରୁ କରୁ ଧରା ପଡ଼ି ଯାଇଥିବା ପରି ମନେ ହେଲା ମୋର । ନିଜକୁ ଅପରାଧୀ ମଣିଲି । ଭାବିଲି, କ୍ଷମା ମାଗିବା ଉଚିତ । ତା’ପରେ ରାଗ ଆସିଲା । ରାଗ ଆସିଲା ଧରା ପଡ଼ି ଯାଇଚି ବୋଲି ନୁହେଁ । ପ୍ରତି ମୁହୂର୍ତ୍ତରେ ମୋ ଅପେକ୍ଷା ନିଜକୁ ସେ ଅଧିକ ବୁଦ୍ଧିମତୀ ପ୍ରମାଣିତ କରିଚାଲିଚି ବୋଲି ।

 

କହିଲି : ଆଉ ଭୁଲ୍‍ରେବି କେବେ ତମ ଆଡ଼କୁ ଅନାଇବି ନାହିଁ ।

 

: ଠିକ୍‌ ?

 

ଅଭିମାନରେ କହିଲି : ଠିକ୍‌ ।

 

: ହଉ ଦେଖିବା ।

 

ସେ ଯେପରି ମୋତେ ଚାଲେଞ୍ଜ କଲା ଏଇ ‘ହଉ ଦେଖିବା’ ଭିତରେ ।

 

ନୀରବରେ ବିତିଗଲା କିଛିକ୍ଷଣ ।

 

ମୁଁ ଚାହିଁ ରହିଥିଲି ଉପରର ଲେଭେଲ କ୍ରସିଂ ଜଗୁଆଳି ଘର ଆଡ଼େ । ଉଦ୍ଦେଶ୍ୟ ଥିଲା ଅଞ୍ଜଳି ଆଡ଼ୁ ମୁହଁ ବୁଲାଇ ନେବା । ତା’ଠାରୁ ମୁହଁ ଲୁଚାଇବାବି ଉଦ୍ଦେଶ୍ୟ ଥିଲା ହୁଏତ । ବର୍ହିମନ ଚାହୁଁଥିଲା, ତା’ ମୁହଁ ଦେଖିବିନି । ଅନ୍ତର୍ମନ କହୁଥିଲା ତାକୁ ମୁହଁ ଦେଖାଇବି ନାହିଁ । ଖାଲି ମୁହଁ ନୁହେଁ, ମନ ମଧ୍ୟ ଫେରାଇ ଆଣିବାକୁ ଚେଷ୍ଟାକଲି ତା’ ଆଡ଼ୁ ।

 

କିଛି ସମୟ ପରେ ସେ ପଚାରିଲା : କ’ଣ ଭାବୁଚ; କ’ଣ ଦେଖୁଚ ?

 

: ଏଇ ଜଗୁଆଳି ଘରଟା । ଦେଖୁଚି ଆଉ ଭାବୁଚି ଏଠି ରହି ଯିଏ ରେଲ୍‍ୱେ ଡ୍ୟୁଟି କରେ...କ’ଣ ଆନନ୍ଦ ଅଛି ତା’ର ଜୀବନରେ । ଖାଲି ବିପଦ ଏଡ଼େଇବାର ଗୁରୁ ଦାୟିତ୍ୱ ! କିନ୍ତୁ ସହର... ସୋସାଇଟି..... ଲୋକାଳୟଠାରୁ ଦୂରରେ, ନିର୍ଜନ ଏଇ ପାହାଡ଼ିଆ ସ୍ଥାନଟିରେ କ’ଣ ନେଇ ପଡ଼ି ରହିଚି ? କ’ଣ ନେଇ ସାରା ଜୀବନ ତା’ର କଟିବ ?

 

: ନିଜକୁ ତା’ରି ପରି ତମର ମନେ ହେଉଚି; ନା ?

 

: ତା’ ସ୍ଥାନରେ ନିଜକୁ ରଖିଲେ...ବାସ୍ତବିକ ଭାରି ନିଃସଙ୍ଗ ଆଉ ଦୁଃଖୀ ମନେହୁଏ ।

 

: ହେବ ନାହିଁ, ସାଙ୍ଗରେ ତାହାର ସ୍ତ୍ରୀଟିର ଥିବା କଳ୍ପନା କରି ନେଲେ ।

 

ମୁଁ ଅବାକ ହେଇ ଫେରି ଚାହିଁଲି ଅଞ୍ଜଳିକୁ । ଦେହକୁ କି ମୁହଁକୁ ନୁହେଁ, ତା’ ଆଖିକୁ । ତା’ ଆଖି ଭିତରେ ଯେପରି ଲୁଚି ରହିଥିଲା ସମୁଦ୍ରର ରହସ୍ୟ ଆଉ ହ୍ରଦର ଗଭୀରତା ।

 

ଅଞ୍ଜଳିକୁ ମୋର ମନେ ହେଲା ଦୁର୍ବୋଧ୍ୟ ନୁହେଁ ଅବୋଧ୍ୟ !

 

ମୁଁ ପୁଣି ତା’ ଆଡ଼ୁ ଆଖି ଫେରେଇ ନେଇ ନଦୀର ଅପର ତୀରକୁ ଚାହିଁଲି ।

 

ସଂଜୟୀ ସେପାରି ଶାଳ ବଣ ଶୀର୍ଷରେ ଗୋଧୂଳିର ମାୟା... । ସେଇ ଆଡ଼କୁ ଚାହିଁ ରହିଥାଏ ।

 

ନିଜକୁ ନିଜେ ପଚାରିଲି ଧୀରେ ଧୀରେ ମୁଁ କ’ଣ ଅଞ୍ଜଳି ପ୍ରତି ଦୁର୍ବଳ ହୋଇ ପଡ଼ୁନି ? ମୋ ଭିତରର ପୁରୁଷ କହିଲା ‘ହଁ’; ପୁରୁଷକାର କହିଲା ‘ନା’ ।

 

: ମୋ ଆଡ଼କୁ ଆଉ ଚାହିଁବ ନାହିଁ; ନା ? ପଚାରିଲା ଅଞ୍ଜଳି ।

 

ମୁଁ କିଛି ନ କହି ନୀରବ ରହିଲି ।

 

: ରାଗିଚ ?

 

କହିଲି : ରାଗିବାର କିଛି ନାହିଁ ତ ।

 

: ଫେରିବା ?

 

: ଚାଲ ।

 

ସେ ଉଠି ଠିଆ ହେଲା । ସ୍ୟାଣ୍ଡେଲ୍‌ରେ ପାଦ ପୂରାଇ ଫେରି ଚାହିଁଲା ମୋ ଆଡ଼କୁ : ଅଭିଜିତ, ତମେ ମତେ ଭଲ ପାଅ ? ...କିନ୍ତୁ ଏହାର ପରିଣତି ଶୂନ୍ୟ !!

 

ଏତିକି କହୁ କହୁ ଭାରସାମ୍ୟ ରଖି ପାରିଲାନି । ବନ୍ଧ ଉପରୁ ପାହାଚକୁ ପାଦ ଦେଉ ଦେଉ ପ୍ରାୟ ଓଲଟି ପଡ଼ୁଥିଲା ପାଣି ତଳକୁ ।

 

ଦି’ ହାତରେ ତାକୁ ଧରି ନେଲି ।

 

ତା’ ମୁହଁରେ ବିଲୟମାନ ଆତଙ୍କ ଆଉ କୃତଜ୍ଞତାର ହସ ।

 

: ଆଉ ଟିକକେ ତ ଯାଇଥିଲି । ପହଁରା ଜାଣେନା ଯେ...ମୁଁ ତା’ ହାତ ଛାଡ଼ିଦେଲି ।

 

ଆମେ ଉଭୟ ପାହାଚ ଅତିକ୍ରମ କରୁଥିଲୁ ।

 

ସେ ପୁଣି ପଚାରିଲା : ମୁଁ ତମକୁ ଠିକ୍‌ ଷ୍ଟଡ଼ି କରିଚି ନା ? ତମେ ମତେ ଭଲପାଇ ଯାଇଚ ।

 

: ମୋର ତମକୁ ଖୁବ୍ ଭଲ ଲାଗେ ଅଞ୍ଜଳି । କିନ୍ତୁ କାହିଁକି ଜାଣେନା । ଆଉ ପରିଣତି..., ମୁଁ ସେ କଥା ଭାବି ନାହିଁ କି ବର୍ତ୍ତମାନ ଭାବୁନି ।

 

: ଭଲ ଲାଗିବା ଆଉ ଭଲ ପାଇବା ଏକା କଥା ନୁହେଁ ଅଭିଜିତ । ସବୁବେଳେ ପରିଣତି ସମ୍ବନ୍ଧରେ ଚିନ୍ତା କରିବା ଉଚିତ ।

 

: ପରିଣତି ।

 

: ଖାଲି ତମକୁ ନୁହେଁ, ଅନେକଙ୍କୁ ଭଲ ଲାଗିଚି ମୋର । କିନ୍ତୁ ମୁଁ କାହାକୁ କେବେ ଭଲପାଇ ନାହିଁ ।

 

ଆହତ ହେଲି ।

 

ଆଘାତ ଦେବାକୁ ଇଚ୍ଛା ହେଲା । ସହାନୁଭୂତି ଦେଖାଇବା ଭଳି କହିଲି : ଜାଣି ନଥିଲି ତମେ ଏତେ ଦରିଦ୍ର ।

 

: ଦରିଦ୍ର ମୁଁ ?

 

: ଯିଏ ଯାହାକୁ ଭଲପାଇ ପାରି ନାହିଁ, ତା’ର ହୃଦୟ ଶୂନ୍ୟ । ତା’ଠାରୁ ଦରିଦ୍ର, ଦୟନୀୟ କେହି ନାହିଁ । ଭଲ ପାଇବା ଏତେ ଗର୍ବର ବିଷୟ ଯେ ପ୍ରଚାର କରିବାକୁ ଇଚ୍ଛା ହୁଏ ।

 

ଅଞ୍ଜଳିର ମୁହଁ ଶୁଖିଗଲା ।

 

ତା’ ପରଦିନଠାରୁ ମୁଁ ଆଉ ତାଙ୍କ ଘରକୁ ଗଲିନି । ମୋ ମନରେ ସନ୍ତୋଷ ଆସୁଥିଲା ଯେ ମୁଁ ତାକୁ ଆଘାତ ଦେଇ ପାରିଛି ।

 

ଟେଷ୍ଟ ପରୀକ୍ଷା ସରିଥିବାରୁ ଆଉ କ୍ଲାସ ଯିବାକୁ ହେଉ ନଥିଲା ।

 

ବିଶ୍ୱବିଦ୍ୟାଳୟ ପରୀକ୍ଷାପାଇଁ ମୁଁ ସେଣ୍ଟ-ଅପ୍‌ ହୋଇଥିଲି ଆଉ ଅଞ୍ଜଳିବି ।

 

ପଢ଼ାରେ ମନ ଦେଇଥାଏ । ପରୀକ୍ଷା ମାଡ଼ି ଆସୁଚି ।

 

ବେଳେବେଳେ ସାହିତ୍ୟ, ଇତିହାସ ବୁଝିବାପାଇଁ ଅଗ୍ନିଦେବ ଶର୍ମାଙ୍କ ଘରକୁ ଯାଏଁ । ସେ କହନ୍ତି, ଅଞ୍ଜଳିବି ମଝିରେ ମଝିରେ ତାଙ୍କ ପାଖକୁ ଆସୁଚି ।

 

ମୋର କିନ୍ତୁ ଅଞ୍ଜଳି ସଙ୍ଗରେ କେବେ ଦେଖା ହେଇ ଯାଇନି ।

 

ଅଗ୍ନିଦେବଙ୍କ ଘର ଲାଇନ୍‌ ଆରପଟେ ।

 

ସବୁ ଲାଇନ୍‌ ଓ ପ୍ଲାଟଫର୍ମ ତଳେ ସୁନ୍ଦର ଏକ ଅଣ୍ଡରଗ୍ରାଉଣ୍ଡ ରାସ୍ତା ଟନେଲ୍‌ ଭଳି ତିଆରି ହୋଇଚି । ପାହାଚ ଦେଇ ଓହ୍ଲାଇ ଯାଇ ଆରପାଖରେ ପୁଣି ଉଠି ଯିବାକୁ ହେବ । ଭିତରେ ଦିନରାତି ସବୁବେଳେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା । ଆରପାଖ ପ୍ଲାଟଫର୍ମକୁ ଯିବାପାଇଁ ସମସ୍ତେ ସେଇ ରାସ୍ତା ବ୍ୟବହାର କରନ୍ତି । ଉପରେ ଟ୍ରେନ୍‌ ଗଲାବେଳେ ତା’ ଭିତରେ ଭୂମିକମ୍ପ ପରି ଗୁମ୍‌ଗୁମ୍‌ ଶବ୍ଦ ହୁଏ । ସବୁବେଳେ ଯାତ୍ରୀ ଯାତାୟାତ ଚାଲିଥାଏ ପ୍ରଶସ୍ତ ସେଇ ଟନେଲ୍ ଦେଇ । ଏ ପାଖରୁ ଯାଇ ଆରପାଖରେ ଉଠିଗଲେ ଶେଷ-ପ୍ଲାଟଫର୍ମର ବାହାରକୁ ଯିବା ଫାଟକ । ସେଇ ଫାଟକ ଅତିକ୍ରମ କଲେ ଟିକିଏ ଦୂରପରେ ଅଗ୍ନିଦେବଙ୍କ କ୍ୱାଟର ଠିକ୍‌ ନର୍ଥ କଲୋନୀ ଆରମ୍ଭରେ ।

 

ଦିନେ ଉପରବେଳା ସମୟ ସାଢ଼େ ଚାରିଟା କି ପାଞ୍ଚଟା ହେବ ମୁଁ ସେଇ ଟନେଲ୍ ଦେଇ ଅଗ୍ନିଦେବଙ୍କ ଘର ଆଡ଼େ ଯାଉଥାଏ ଦେଖିଲି ସେ ଆଡ଼ୁ ଅଞ୍ଜଳି ଆସୁଛି । ତା’ ହାତରେ ବହି-। ତାକୁ ଆଡ଼େଇ ହେଇ ଚାଲି ଯାଉଥିଲି, ପଚାରିଲା–କୁଆଡ଼େ ଯାଉଚ ?

 

ନିସ୍ପୃହଭାବେ କହିଲି : ଅଗ୍ନିଦେବଙ୍କ ଘରକୁ ।

 

ଉଦ୍‌ବେଗ ଭରା ଗଳାରେ ଅଞ୍ଜଳି କହିଲା : ସେ ପାଖକୁ ଯାଅନାହିଁ ଅଭିଜିତ । ଗଣ୍ଡଗୋଳ ଚାଲିଚି ।

 

କିଛି ଗୋଟାଏ ଗଣ୍ଡଗୋଳ ଚାଲିଚି । ଆଉ ସେଇଆଡ଼େ ଗଲେ ମୁଁ ବିପଦରେ ପଡ଼ିବି । ମୋତେ ଏଇ ସତର୍କ କରି ଦେବା ଭିତରେ ମୋ ପ୍ରତି ତାହାର ଦରଦ ଥିବା ମୁଁ ଯେପରି ନୂଆ କରି ଆବିଷ୍କାର କଲି । ଜାଣିବାକୁ ଚାହିଁଲି : କ’ଣ ହେଇଚି ?

 

ସେ କହିଲା, ଆଜି ଶିକ୍ଷା ବିଭାଗୀୟ ଡିରେକ୍ଟର ପାଟନାରୁ ଆସିଥିଲେ ସ୍କୁଲ ପରିଦର୍ଶନ ପାଇଁ । ସାହେବଟା ନିତାନ୍ତ ଖାମ୍‍ଖିଆଲି ଲୋକ । ଶିକ୍ଷକମାନେ କିପରି ପଢ଼ାଉଚନ୍ତି ଜାଣିବାପାଇଁ ହେଡ଼୍‌ମାଷ୍ଟରଙ୍କୁ ସାଙ୍ଗରେ ନେଇ କ୍ଲାସ୍‌ ଚାଲିଥିଲାବେଳେ ଚୁପ୍‌ଚାପ୍ ଯାଇ ଝରକା ପାଖରେ ଶୁଣୁଥିଲା । ଓଡ଼ିଆ ଛଡ଼ା ସବୁ କିଛିତ ପଢ଼ା ହେଉଚି ଇଂଲିସ୍‌ ମିଡ଼ିୟମରେ.... !

 

: ସେଇଠୁ...ହେଲା କ’ଣ ? ମୁଁ ଅଧୈର୍ଯ୍ୟ ହୋଇ ଜାଣିବାକୁ ଚାହିଁଲି ।

 

: ଇତିହାସ କ୍ଲାସ୍‌ ଚାଲିଥିଲା । ସିପାହି ବିଦ୍ରୋହ କଥା ପଢ଼ାଉଥିଲେ ଅଗ୍ନିଦେବ ସାର୍‌ । କହୁଥିଲେ–ରାଜା ଅର୍ଜୁନ ସିଂହଙ୍କ ସମ୍ବନ୍ଧରେ ଯାହା ଲେଖା ହେଇଚି...ସବୁ ମିଛ । ଏହା ସେ ସମୟର ଇଂରେଜ ଐତିହାସିକମାନଙ୍କର...

 

: ଡିରେକ୍ଟର ଶୁଣି ନେଲେ ?

 

: ସାର୍‌ଙ୍କୁ ସେ ଡିସ୍‌ମିସ୍‌ କରି ଦେଇଛନ୍ତି !

 

: ଦୁଃଖର ବିଷୟ !

 

: ସାଙ୍ଗେ ସାଙ୍ଗେ ସ୍କୁଲରେ ସଡ଼ନ୍‌ ଷ୍ଟ୍ରାଇକ୍ ହେଇଗଲା । ବର୍ତ୍ତମାନ ସଭା ହଉଚି ସେ ପାଖରେ । ଷ୍ଟୁଡ଼େଣ୍ଟ, ପବ୍ଲିକ... ସମସ୍ତେ ଏକାଠି ହେଇ...

 

: କେତେବେଳେ ଏ ସବୁ କାଣ୍ଡ ହେଇଗଲା !

 

: ଆମେ ତ ସ୍କୁଲ ଯାଉନେ, ଜାଣି ପାରିବା କେମିତି ? ସମସ୍ତେ ଟଣାଟଣି କରି ସାର୍‍ଙ୍କୁବି ସଭାକୁ ନେଇଗଲେଣି ।

 

: ଚାଲ ଆମେବି ଯିବା । ଦେଖି ଆସିବା କ’ଣ ହଉଚି ।

 

: ଆଦୌ ଯିବା କଥା ନୁହେଁ । କ’ଣ ନାହିଁ କ’ଣ ହେବ !

 

ମୋର ଅଗ୍ନିଦେବଙ୍କ ପ୍ରତି ସହାନୁଭୂତି ଥିଲା । ଯେତେ କଡ଼ା ହେଲେବି ଲୋକ ହିସାବରେ ଭଲ । ଯିଏ ଯିବ ବିନା ଟିଉସନ୍‌ ଫି’ରେ ପଢ଼ା ବୁଝାଇ ଦେବେ । ଅନ୍ୟମାନଙ୍କ ପରି ଅର୍ଥଗୃଧ୍ନୁ ନୁହନ୍ତି । ଆମକୁ ସେ ଶାସନ କରନ୍ତି ଆମରି ମଙ୍ଗଳପାଇଁ ସିନା । ପଣ୍ଡିତ ଗୋଦାବରୀଶଙ୍କ ସହକର୍ମୀ ଥିଲେ । ତାଙ୍କରି ଠାରୁ ଶିଖିଥିବା ନିର୍ଭୀକତାର ପରିଣତି ଆଜି ଭୋଗିଲେ ସତ କଥା କହିବାକୁ ଯାଇ ।

 

ଅଗ୍ନିଦେବଙ୍କୁ ଛାତ୍ର, ସାଧାରଣ...ସମସ୍ତେ ଭଲ ପାଆନ୍ତି ଏ ସହରରେ । ସଭା ଜମି ଉଠିଥିଲା । କଲୋନୀ, ପୁରୁଣା ବସ୍ତିର ଲୋକ ଏବଂ ଶହ ଶହ ଛାତ୍ର... । ଊଣେଇଶ ଶ’ ଏକୋଇଶ ଆନ୍ଦୋଳନରେ ଜେଲ୍‌ ଖଟିଥିବା ସ୍ଥାନୀୟ କଂଗ୍ରେସ ନେତା ହରିହର ପ୍ରସାଦ ବକ୍ତୃତା ଦେଉ ଥାଆନ୍ତି-। ପାଖରେ ବସି ଥାଆନ୍ତି ଅଗ୍ନିଦେବ ଶର୍ମା । କଲୋନୀ ଆଉ ଦୁର୍ଗ ମଧ୍ୟବର୍ତ୍ତୀ ଚାରଣ ଭୂଇଁ ଲୋକ ଗହଳିରେ ଭରି ଉଠିଥାଏ ।

 

ଦୁର୍ଗ ଆଡ଼କୁ ପଡ଼ିଆଟା ଉଠାଣିଆ । ସଭା ଠିକ୍‌ଭାବେ ଦେଖିହେବ ବୋଲି ଆମେ ସେଇ ଆଡ଼େ ଟିକିଏ ଦୂରରେ ଠିଆ ହେଇଥିଲୁ । ହଠାତ ଦେଖାଗଲା ନର୍ଥ କଲୋନୀ ପାଖ ଲେଭେଲ୍‌ କ୍ରସିଂ ଅତିକ୍ରମ କରି ସାତ ଆଠଟି ପୁଲିସ ବୋଝାଇ ଟ୍ରକ୍‌ ।

 

ମିଟିଂ ଜୋର୍‍ସୋର୍‌ରେ ଚାଲିଚି । ହରିହର ପ୍ରସାଦ ବକ୍ତୃତା ଦେଉଚନ୍ତି–ଇତିହାସକୁ ଯେଉଁମାନେ ବିକୃତ କରିଛନ୍ତି, ଇତିହାସଇ ସେମାନଙ୍କର ବିଚାର କରିବ । ଦେଶପାଇଁ ସଂଗ୍ରାମ କରିଥିବା ଜାତୀୟନେତା ରାଜା ଅର୍ଜୁନ ସିଂହ, ରାଣୀ ଲକ୍ଷ୍ମୀବାଇ ବା ସେନାପତି ଥାନ୍ତିଆ ଟୋପି ପ୍ରଜାପୀଡ଼କ ଥିଲେ... ଅତ୍ୟାଚାରୀ ଥିଲେ... !!! ପଲାସୀ ଯୁଦ୍ଧରେ ଶହୀଦ ସିରାଜଉଦ୍ଦୌଲା ହିନ୍ଦୁ ବିଦ୍ୱେଷୀ ଥିଲେ !!! ଆଉ ତମେ ଇଂରେଜମାନେ ବେଶି ଭାରତ-ପ୍ରେମୀ !! ତମେ ଇଂରେଜମାନେ ବେଶି ପ୍ରଜାପାଳକ !! ଅତ୍ୟାଚାରୀ ରାଜା, ନବାବମାନଙ୍କ କବଳରୁ ତମେମାନେଇ ଆସିଥିଲ ଆମକୁ ଲିବରେଟ କରିବାପାଇଁ... ମୁକ୍ତ କରିବାପାଇଁ.....ଉଦ୍ଧାର କରିବାପାଇଁ... !!!

କରତାଳି ପରେ କରତାଳି ।

...ମାତ୍ର ପାଞ୍ଚବର୍ଷ ତଳେ ତମେମାନେ ଜାଲିଆନାବାଗରେ ଯାହା କରିଚ, ମାତ୍ର ଦୁଇବର୍ଷ ତଳେ ଅହିଂସ ଅସହଯୋଗ ଆନ୍ଦୋଳନବେଳେ ତମମାନଙ୍କର ଯେଉଁ ଅତ୍ୟାଚାର...ସେଥିପାଇଁ ଇତିହାସ ତମମାନଙ୍କୁ କେବେ କ୍ଷମା ଦେବ ନାହିଁ । ସ୍ୱାଧୀନ ଭାରତର ନୂତନ ଇତିହାସରେ...

ପୁଣି କରତାଳି ।

ପୁଲିସ ଟ୍ରକ୍‌ ସବୁ ଆସି ଠିଆ ହେଲା କିଛି ଦୂରରେ ।

ସେମାନଙ୍କ ସାଙ୍ଗରେ ଆସିଥିବା ଜଣେ ମାଜିଷ୍ଟ୍ରେଟ୍ ଭିଡ଼ କାଟି ହରିହର ପ୍ରସାଦଙ୍କ ପାଖକୁ ଯାଇ କ’ଣ କହିବାର ଦେଖାଗଲା ।

ବକ୍ତୃତା ବନ୍ଦ କରି ହରିହରବାବୁ ତାଙ୍କ କଥା ଶୁଣିଲେ । ତା’ପରେ ଉଚ୍ଚ ସ୍ୱରରେ କହିଲେ : ଭାଇମାନେ, ମାଜିଷ୍ଟ୍ରେଟ୍ ଶହେ ଚଉରାଳିଶ ଧାରା ଜାରି କରିଛନ୍ତି । ସଭା ଆଉ ହୋଇ ପାରିବ ନାହିଁ ।

 

ଚାରିଆଡ଼ୁ ଚିତ୍କାର ଉଠିଲା–ସଭା ନିଶ୍ଚୟ ହେବ । ...ଆରମ୍ଭ ହେଇଗଲା ଗଣ୍ଡଗୋଳ । ହରିହର ପ୍ରସାଦ ‘‘ଶାନ୍ତି’’ ‘‘ଶାନ୍ତି’’ କହୁ କହୁ ମାଜିଷ୍ଟ୍ରେଟ୍‍ଙ୍କ ଉପରେ ଆକ୍ରମଣ ହେଲା । ପୁଲିସ ଫଉଜ ଲାଠି ଉଞ୍ଚାଇ ତଡ଼ି ଆସିଲେ । ଆର୍ତ୍ତ ଚିତ୍କାର ଉଠିଲା । ଛିନ୍‍ଛତର ହୋଇ ପଳାଇ ଯାଉଚନ୍ତି କିଏ କୁଆଡ଼େ । ପୁଲିସବାଲା ଗୋଡ଼େଇ ଗୋଡ଼େଇ ମାରୁଛନ୍ତି । ମୁଁ ଆଉ ଅଞ୍ଜଳି ଯେଉଁ ଆଡ଼ଟା ଫାଙ୍କା ଥିଲା ସେହି ଆଡ଼େ ଧାଇଁଲୁ । ପଡ଼ିଆ ଅତିକ୍ରମ କରି ଆମେ କରକଚା ରାସ୍ତାରେ ପହଞ୍ଚିଲୁ ।

 

ସରଣ୍ଡା ରିଜର୍ଭ ଫରେଷ୍ଟ ଆଡ଼ୁ ଜୋର୍‍ରେ ଛୁଟି ଆସୁଚି କନା ଛାତ କାରଟିଏ ସେଇବାଟେ ।

 

ଖୁବ୍ ପୁରୁଣା ଫୋର୍ଡ଼ ଗାଡ଼ି ।

 

ନାଲି ଧୂଳି ବୋଳା ।

 

ରାସ୍ତାଟା ଲେଭେଲ କ୍ରସିଂ ଆଡ଼ୁ ସରଣ୍ଡା ଯାଇଚି । ଏଠାରୁ ଦୁର୍ଗକୁ ଶାଖା-ବାଟ ।

 

ଗାଡ଼ି ସାଙ୍ଗରେ ସେଇଠି ଆମର ମୁହାଁମୁହିଁ ।

 

ବୁଢ଼ା ଡ୍ରାଇଭର୍‌ ବ୍ରେକ୍‌ ମାରିଚି ଜୋର୍‍ରେ । ଧୂଳିର ଉଚ୍ଛ୍ୱାସ ।

 

ରକ୍ତ ଗଡ଼ି ପଡ଼ୁଛି ପଛ ପଟେ ବନ୍ଧା ହୋଇଥିବା ମଲା ଚିତାବାଘ ମୁହଁରୁ ।

 

ବେକ୍‌ ସିଟ୍‌ରୁ ଆମ ଆଡ଼କୁ ଜିଜ୍ଞାସୁ ଦୃଷ୍ଟିରେ ମୁହଁ କାଢ଼ି ବନ୍ଧୁକ ଆଡ଼େଇ ଚାହିଁଛନ୍ତି ବଳିଷ୍ଠ, ସ୍ଥବିର, ଶିକାରୀ । ମୋଟା ନିଶ ତଳେ ଲମ୍ବା ଚୁରୁଟକୁ ଦାନ୍ତରେ ଚୋବାଇଲା ପରି କାମୁଡ଼ି ସେ ପଚାରିଲେ : କ’ଣ ହେଇଚି ପିଲାମାନେ ?

କାର୍‌ର ବନେଟ୍ ଉପରେ ସିଂହ–ଲାଞ୍ଚିତ ପତାକା ଦେଖି ଆଉ ବୁଝିବାକୁ ସନ୍ଦେହ ନାହିଁ ଯେ ସେହି ନିଜେ ରାଜା ନରପତି ସିଂହ !

ମୁଁ ନର୍ଭସ ହୋଇ କହି ପକାଇଲି, ହେଇ ଦେଖନ୍ତୁ...ପୁଲିସ ଗୋଡ଼େଇ ମାରୁଚି...ଦେଖନ୍ତୁ.....ଏଇ ଆଡ଼କୁ ଆସୁଛନ୍ତି ସେମାନେ...

ମୁହଁରୁ ତାଙ୍କର ମଦ ଗନ୍ଧ ବାହାରୁ ଥିଲା । ଆଖି ଦି’ଟା ଲାଲ ଲାଲ । ଥରେ ଅନେଇ ଦେଲେ ପଡ଼ିଆ ଆଡ଼କୁ । ତା’ପରେ ଦରଜାଟା ସଶବ୍ଦରେ ଖୋଲି ବନ୍ଧୁକ ଧରି ବାହାରି ଆସିଲେ ବାହାରକୁ । : କାହାର ଏତେ ସାହସ ଏ ଆଡ଼କୁ ଆସିବ ! ଆସିଲେ ମୁଁ (ବନ୍ଧୁକରେ ଟ୍ରିଗାର୍‌ଟା ପରୀକ୍ଷା କରି ନେଇ) କାହାରି ମୁଣ୍ଡ ରଖିବିନି...

ସେ ପ୍ରାୟ ଟଳୁ ଥାଆନ୍ତି !!

ଡ୍ରାଇଭର ଆସି ଧରି ପକେଇଲା ତାଙ୍କ ହାତ । : ହଜୁରଙ୍କ ଦେହ ଭଲ ନାହିଁ... !!

ହାତ ଛଡ଼େଇ ନେଇ ରାଜା କହିଲେ : ବିଲ୍‌କୁଲ୍‌ ଠିକ୍‌ ଅଛି । ଖାଲି ଟିକିଏ ବେଶି ଡ୍ରଙ୍କ୍ କରି ଦେଇଚି; ଏଇତ ? ତେବେବି ଠିକ୍‌ ଏକା ଗୁଳିରେ ଚିତାଟାକୁ ମାରିଲି ଯେ ଦୟାଲ୍‌ ! ତୁ ଜାଣୁ ଯେତେ ପିଇଲେବି ମୋ ନିଶାଣ ଭୁଲ୍ ହୁଏନା !!!

ଡ୍ରାଇଭର୍‌ ଆମକୁ ଠାରି ଦେଲା ।

ସେତେବେଳେ ପଡ଼ିଆରେ ହୁଇସିଲ ଶୁଭୁଚି । ପୁଲିସ ଦଳ ଏ ପାଖରୁ ଲୋକଙ୍କୁ ଘଉଡ଼େଇ ଆଗ ପାଖକୁ ଫେରି ଯାଉଛନ୍ତି । କିଏ କୁଆଡ଼େ ଉଭେଇ ଗଲେଣି । ପଡ଼ିଆଟା ଫାଙ୍କା ହେଇ ଆସୁଚି ।

କହିଲି : ଆପଣ ଗାଡ଼ିରେ ବସନ୍ତୁ । ଆମେ ବରଂ ଏଇ ଲେଭେଲ୍‌ କ୍ରସିଂ ରାସ୍ତା ଦେଇ ଫେରି ଯାଉଛୁ ।

: ଆରେ ନା, ନା, ଗାଡ଼ି ନେଇ ତମକୁ ଛାଡ଼ିଦେଇ ଆସିବ ।

ଆସ, ବସିଯାଅ ଭିତରେ; ଆଦେଶ ଦେଲା ପରି କହିଥିଲେ ନରପତି ସିଂହ । ଟିକିଏ ଆତ୍ମସ୍ଥ ହେଲାଭଳି ପଚାରିଲେ : ଆଚ୍ଛା, ଆଜିକାର ଘଟନାଟା ଠିକ୍‌ କ’ଣ...କାହିଁକି ଏ ସବୁ...

ଆମେ ଡ୍ରାଇଭର୍ ପାଖରେ ବସିଥାଉ ।

ଗାଡ଼ି ମୋଡ଼ ନେଲା ଦୁର୍ଗ ଆଡ଼କୁ... । ସଂକ୍ଷେପରେ ତାଙ୍କୁ ଅଗ୍ନିଦେବଙ୍କ ପ୍ରସଙ୍ଗ କହିଲି-

ରାଜା ଗମ୍ଭୀର ଓ ନୀରବ ।

ରାସ୍ତା ଦି’ ପାଖରେ ବଣ...

 

କିଛି ସମୟ ପରେ ଦେଖାଗଲା ପୁରୁଣାକାଳର ଦୁଇଟା ବଡ଼ବଡ଼ ତୋପ... । ଆମରି ଆଡ଼କୁ ଯେପରିକି ମୁଖ-ବ୍ୟାଦାନ କରି ଚାହୁଁଚି । ଖାଲି ଆମ ଆଡ଼କୁ ନୁହେଁ; ସମଗ୍ର ଚକ୍ରଧରପୁର ଆଡ଼କୁ । ବ୍ରିଟିଶ ତିଆରି ଏଇ ନୂଆ ସଭ୍ୟତା ଆଡ଼କୁ । ଯେପରିକି କହୁଚି–ତଫାତ ଯାଅ... ଦୂରେଇ ରହ... ଆଉ ଏ ଆଡ଼େ ଚାହଁନା ।

 

ଗାଡ଼ି ଆଗେଇ ଚାଲିଚି...

 

ଦୁର୍ଗଟା ଦିଶୁଚି ଦୂରରେ । ଦିଶୁଚି ଏକ ନିର୍ବାନ୍ଧବପୁରୀ ପରି । ରାଜା ନରପତି ସିଂହଙ୍କ ବର୍ତ୍ତମାନ ଜୀବନ ଭଳି ।

 

ଅଧିକ ନିକଟତର ହେଇ ଆସୁଚି...ଦିଶୁଚି ଅଧିକରୁ ଅଧିକ ବୃହତ୍ତର । ମନେ ହେଲା, ଆଧୁନିକତାକୁ ଆମେ ଯେପରି ଅନେକ...ଅ-ନେ-କ...ପଛରେ ପକାଇ ଆସିଛୁ । ଆହୁରିବି ମନେହେଲା ସେହି ଅନେକ ପଛରେ ପକାଇ ଆସିଥିବା ସମସ୍ତ ସଭ୍ୟତା ଓ ପୃଥିବୀ ଯେପରିକି ଅବାସ୍ତବ । ବାସ୍ତବ କେବଳ ଆଗରେ ମୂର୍ତ୍ତିବନ୍ତ ହେଉଥିବା ଏଇ ଦୁର୍ଗ, ଆଉ ତାହାର ପୃଷ୍ଠଭୂମି । କାଶୀନାଥ, ଛତ୍ରପତି, ପ୍ରତାପ, ବିକ୍ରମ... । ରାଜା ପରେ ରାଜା । କେତେ ଯୁଦ୍ଧ.. କେତେ ସନ୍ଧି... । କେତେ ରାଜ କନ୍ୟାଙ୍କ ଗୋପନ-ପ୍ରଣୟର କାହାଣୀ । କେତେ ଅତ୍ୟାଚାର... ବ୍ୟଭିଚାର... । କେତେ ପୂଜା-ହୋମ, ଜାଗ-ଯଜ୍ଞ । କେତେ ରାଷ୍ଟ୍ରବିପ୍ଳବର ଅଭ୍ୟୁତ୍‌ଥାନ ଓ ପତନ । କାହିଁ ସେହି ଶଙ୍ଖ ଠାରୁ ବଳଙ୍ଗ ଯାଏଁ ସୁବିସ୍ତୀର୍ଣ୍ଣ ଏକଦା-ଶକ୍ତିମାନ୍ ପୋଡ଼ାହାଟ ! ଆଉ କେଉଁଠି ଏଇ ଅତୀତର ପୋଡ଼ା-ଭୂଇଁ ଉପରେ ଦଣ୍ଡାୟମାନ ଜୀର୍ଣ୍ଣ ଦୁର୍ଗ ଓ ସ୍ଥବିର ରାଜା । ସୁଉଚ୍ଚ ପାଚେରି ଶୀର୍ଷରେ ଦିଶୁଥିବା ଚନ୍ଦ୍ରଶାଳାପୁର,.... ଫାଟକ ପାଖ ଗମ୍ବୁଜକୁ ଉଠିବାର ଲମ୍ବା ଲମ୍ବା ପାହାଚ ଆଉ ଦଲାଣ..., ଫାଟକର ଅନ୍ୟ ପାଖରେ ଗଡ଼ଚଣ୍ଡୀଙ୍କ ମନ୍ଦିର,... ଅଦୂରରେ ଘୋଡ଼ାଶାଳ, ହାତୀଶାଳର ଭଗ୍ନାବଶେଷ... ସବୁ ଯେପରି ମୃତ ଅତୀତର ଜୀବନ୍ତ କଙ୍କାଳ ।

 

ହାତୀଶାଳର ଯେଉଁ ଅଂଶଟି ଟିକିଏ ଭଲ ଅଛି, ତା’ରି ଛାତ ତଳେ ବୁଢ଼ା ଦନ୍ତାହାତୀଟିଏ ବାହାରକୁ ଚାହିଁ ଶୁଣ୍ଢ ହଲାଉଥାଏ । ଘୋଡ଼ାଶାଳ ପାଖରେ ଚରୁଥିଲେ ଘୋଡ଼ା ଦି’ଟା କଙ୍କାଳସାର ହେଇ ଆସିଲେଣି । ବହୁ ଦିନ ଧରି ବାହାର ଚୂନ କାମ ଅଭାବରୁ ଦୁର୍ଗ ଯେପରି ପୁରୁଣା ଦିଶୁଚି, ...ଘୋଡ଼ା, ହାତୀ...ସବୁଯାକ ସେଇପରି ।

 

ବନ୍ଦଥିଲା ଫାଟକର ମସ୍ତବଡ଼ ଦରଜା । ନିଶୁଆ ଭୋଜପୁରୀ ସିପାହିଟିଏ ପାଖ ଚଉତରା ଉପରେ ବସି ସଙ୍ଗିନ ଲଗା ବନ୍ଧୁକଟାକୁ ଡେରେଇ ଦେଇ ଏକ ମନରେ ‘‘ଖୈନୀ’’ ଦଳୁଥାଏ ହୁଏତ । ଦୂରରୁ ଗାଡ଼ିଟି ଦେଖିପାରି ଝାଡ଼ିଝୁଡ଼ି ହେଇ ବନ୍ଧୁକ ଧରି ଠିଆ ହେଇଗଲା । ମାରିଲା ଲମ୍ବା ଗୋଟାଏ ସାଲ୍ୟୁଟ୍‌ ।

 

ତା’ପରେ ଧାଇଁ ଯାଇ ଖୋଲି ଦେଲା ଦରଜା ।

 

ଗାଡ଼ି କୋର୍ଟ-ୟାର୍ଡ଼ ଭିତରକୁ ପଶିଲା ।

 

କି ଲମ୍ବା ଲମ୍ବା ପାହାଚ...ଉଚ୍ଚ ଉଚ୍ଚ ଖିଲାଣ... ବଡ଼ବଡ଼ ଦରଜା... ! କେତେ ଉଚ୍ଚାରେ ଛାତର ଶିଲିଂ !! ପୁରୁଣାକାଳିଆ ଘର ସବୁ... । ତିନି ତାଲା ହେଲେବି ଉଚ୍ଚତାରେ ଚାରି ପାଞ୍ଚ ତାଲା କୋଠା ସାଙ୍ଗରେ ସମାନ ହେବ ।

 

ଗାଡ଼ିରୁ ଓହ୍ଲାଇ ଆମେ ଚାରିଆଡ଼କୁ ଚାହିଁଲୁ ।

 

ବିରାଟ୍ ପ୍ରାସାଦ । ଭିତର ପାଖ କାନ୍ଥରେ, ଚଟାଣରେ ଶଙ୍ଖ ମର୍ମରର କାରୁକାର୍ଯ୍ୟ ।

 

ନରପତି କହିଲେ : ବର୍ତ୍ତମାନ ଘରକୁ ଯିବ ? ବାହାରଟା ହୁଏତ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିରାପଦ ହୋଇନି ।

 

ଅଞ୍ଜଳି ମୋତେ ଚାହିଁଲା । ଆଉ ମୁଁ ତା’ ମୁହଁକୁ । ବାହାର ଗଣ୍ଡଗୋଳ କଥା ଆମେ ସେତେବେଳକୁ ଭୁଲିଗଲୁଣି ।

 

: ଚାଲ ଉପରକୁ ଯିବା । –ନରପତି ସିଂହ ଆମକୁ ସାଙ୍ଗରେ ନେଇ ଚାଲିଲେ । –ତମେମାନେ କ୍ଳାନ୍ତ ହେଇ ପଡ଼ିଥିବ । ମୁଁ ବି...

 

ଘୁରାଣିଆ ସିଡ଼ି ଦେଇ ତାଙ୍କୁ ଅନୁସରଣ କରି ଚାଲିଲୁ । ସୁନ୍ଦର ଲାଲ ପଥରରେ ରେଲିଂଗୁଡ଼ିକ ତିଆରି ।

 

ସେ ଆମକୁ ନେଇଗଲେ ତୃତୀୟ ତଳର ପାର୍ଲୋର୍‌ ଉପରକୁ ଯାହାର ଗୋଟିଏ ଅଂଶ ଦୁର୍ଗତଳେ ବହି ଯାଉଥିବା ସଞ୍ଜୟୀ ନଦୀ ଆଡ଼କୁ ଖୋଲା ହୋଇ ଆଗେଇ ଯାଇଚି ପାଣି ଉପରକୁ ବାଲ୍‌କନୀ ପରି ।

 

ସୁନ୍ଦର ସଜା ହେଇଚି ପାର୍ଲୋର୍‍ଟି । ଚଟାଣରେ ମଖମଲ ଗାଲିଚା, ଲାଲ ସୋଫାସେଟ୍‌, ଫୁଲଦାନି-ସଜ୍ଜିତ ଟି’ ପୟ ଟେବୁଲ, ଶିଲିଂରୁ ଝୁଲୁଥିବା ବୈଦ୍ୟୁତିକ ପଙ୍ଖା ଆଉ ବିଜୁଳି ବତିର ଝାଡ଼ରେ ନାନା ପ୍ରକାର ରଙ୍ଗିନ କାରୁକାର୍ଯ୍ୟ । ଫ୍ୟାନ ଘୂରାଇବା ଏଠି ଦରକାର ନାହିଁ-। ସଂଜୟୀର ହୁ...ହୁ....ହାଉଆ ।

 

ଆମକୁ ବସାଇ ଦେଇ ସେ ପାଖ କୋଠରି ଭିତରକୁ ଗଲେ ।

 

ଅଞ୍ଜଳି ମୋ ଆଡ଼କୁ ଇଶାରା କରି ଆସ୍ତେ କହିଲା : ଇସ କି ଶୁନ୍‌ଶାନ୍‌ ଲାଗୁଚି ଦୁର୍ଗଟା-। ଯେପରିକି ଅତୀତ ଇତିହାସର ବୁରିଏଲ୍‌ ଗ୍ରାଉଣ୍ଡ ।

 

: ବିଶେଷ କେହି ଷ୍ଟାଫ୍‌ ନାହାନ୍ତି ମନେ ହେଉଚି । –ମୁଁ ଚାରିଆଡ଼କୁ ଆଖି ବୁଲାଉ ବୁଲାଉ କହିଲି–ଦରୁଆନ ଆଉ ଡ୍ରାଇଭର ଛଡ଼ା ଆଉ କେହିତ ଦିଶୁନାହାନ୍ତି ।

 

: ଏତେ ସବୁ କୋଠରି,... ଅଞ୍ଜଳି ଆଖିରେ କୌତୁହଳ : କ’ଣ ହଉ ଥିବ !

 

: ଦେଖୁଚ, ଘର ଆଉ ବାରଣ୍ଡା...ସବୁ କିଛି ଯେପରି ଜାଲ ଛନ୍ଦିଲା ପରି !

 

: କ୍ରସ୍ ୱାର୍ଡ଼ ପଜଲ ପରି । ମୁଁ ପୁନା ପାଖରେ ପର୍ତ୍ତୁଗୀଜମାନଙ୍କ କିଲାର ରୁଇନ୍‌ସ୍‌ ଦେଖିଚି । କିନ୍ତୁ ସେ ଭିନ୍ନ ପ୍ରକାରର । ଅନେକଟା ଗିର୍ଜା ଘର ପରି.... ପୁରୁଣାକାଳିଆ ଗୋଥିକ୍‌ କାଥେଡ଼୍ରାଲ ଭଳି । କିନ୍ତୁ ଏଥିରେ କେଡ଼େ ଗଳି –ଅର୍ଗଳି ଅନ୍ଦିସନ୍ଧି ଦେଖୁଚ ? ମୁଁ ଆସିବାର ବାଟ ଭୁଲି ଗଲିଣି, ଏକା ଯାଇ ପାରିବିନି !

 

: ସେ ସମୟରେ... ଏଇଭଳି ତିଆରି ହେଉଥିଲା !

 

ରାଜା ଫେରି ଆସିଲେ ଟ୍ରାଉଜର୍‌ ଆଉ ସାର୍ଟ ଦେହରେ । ଶିକାରୀ ପୋଷାକ ବଦଳାଇ ଆସିଛନ୍ତି ।

 

ଆମ ପାଖରେ ଅନ୍ୟଏକ ସୋଫାରେ ବସି ସେ କଲିଂ ବେଲ ଟିପିଲେ ।

 

ଉର୍ଦ୍ଦିପିନ୍ଧା ଚାକରଟିଏ ବାହାରି ଆସି ସଲାମ ଦେଇ ଠିଆ ହେଲା ଯନ୍ତ୍ରଚାଳିତ ପରି, ଅନେକଟା ଅଭିନୟ କଲାଭଳି ।

 

ତା’ ଛାତିରେ ‘ପେଜ୍‌’ ଲେଖା ହେଇଚି ।

 

ପେଜ୍‌ । ରାଜକୀୟ ଭୃତ୍ୟ !!

 

: କିଛି ନେଇ ଆସ । ଆଉ ରହିମ୍‌କୁ କୁହ ଟାଇଗର୍‍କୁ ଆଣିବାପାଇଁ ।

 

ପେଜ୍‌ ଚାଲିଗଲା ।

 

କିଛି ସମୟ ପରେ ଆସିଲା ନିଗ୍ରୋ ପରି କଳା ମଚ୍‌ମଚ୍‌ ଚେହେରାର ସ୍ୱାସ୍ଥ୍ୟବାନ ଲୋକ । ଲୁଙ୍ଗି, ସ୍ୟାଣ୍ଡୋ ଗେଞ୍ଜି ପିନ୍ଧା, ଦାଢ଼ି ମୁହାଁ ସେଇ ମଣିଷଟି ଦିଶୁଥିଲା କ୍ଳାନ୍ତ, ଗଳଦ୍‌ଘର୍ମ । ସଲାମ କରି କହିଲା : ହଜୁର, ଟାଇଗର୍‌ ଆଜି ଭାରି ରାଗି ଯାଇଚି । ମୁଁ ହଇରାଣ ହେଇ ଗଲିଣି !!

 

: କାହିଁକି ? କ’ଣ ହେଲା ? –ଉଦ୍‌ବିଗ୍ନ ହୋଇ ରାଜା ପଚାରିଲେ–ଦେହ ଖରାପ ?

 

: ଟାଇଗ୍ରେସ୍‌ ମରିଯିବା ଦିନୁ...

 

: ତାହାହେଲେ ମଥା ଖରାପ ! ଟିକିଏ ଜିନ୍‌ ପିଆଇ ଦିଅ ତାକୁ–ଠିକ୍‌ ହେଇଯିବ !

 

: ହଜୁର...

 

: ପାଣି ଭାଣ୍ଡରେ ଜିନ୍‌ ଭରି ତା’ ଆଗରେ ରଖି ଦେଖନା ! –ରାଜା ଚୁରୁଟ ଧରେଇ କହିଲେ, ଯାଅ ଚେଷ୍ଟାକରି ଦେଖ । ଭଲଭାବେ ପିଆଇ ଦେଇ ତାକୁ ନେଇ ଆସିବ ମୋ ପାଖକୁ ।

 

ପେଜ୍‌ ଆଣି ରଖି ଦେଲା ଆମ ଆଗରେ ଫଳର ପାହାଡ଼ । ସେଓ, ନାସପାତି, ଆପେଲ୍‌, ଅଙ୍ଗୁର, ବନାନା ।

 

ତାଙ୍କ ସାଇଡ଼୍‍ରେ ଥିବା ଏକ ବୁକ୍‌ ସେଲ୍‍ଫର ଡ୍ରୟାର ଭିତରୁ ସେ ନିଜେ ହାତ ବଢ଼ାଇ କାଢ଼ି ଆଣିଲେ ଜିନ୍‌ ବୋତଲ ଆଉ ଛୋଟ ଗୋଟିଏ ଗିଲାସ ।

 

ପଚାରିଲେ : ସାମାନ୍ୟ ଟିକିଏ ଡ୍ରିଙ୍କ୍‌ ତମେମାନେ ?

 

ଆମେ ନାହିଁ କରିବାରୁ କହିଲେ : ଭଲ... । ନ କର । ଅନ୍ୟ ରାଜା-ପିଲାମାନଙ୍କ ପରି ମୁଁ ବି ଏ ସବୁ ଆରମ୍ଭ କରି ନଥିଲି ତମମାନଙ୍କ ବୟସରେ । କିନ୍ତୁ ତା’ପରେ ହଠାତ ଏଇଟା ଖୁବ୍‌ ଦରକାରୀ ହେଇ ଉଠିଲା । ସେ ଅ-ନେ-କ କଥା !! ଖାଅ... ଆପେଲ୍‌ ଖାଅ... ଅଙ୍ଗୁର ନିଅ... । କ’ଣ ତମ ନାଆଁ ?

 

: ଅଭିଜିତ । ଅଭିଜିତ ମହାପାତ୍ର ।

 

: ଆଉ ତମର ?

 

: ଅଞ୍ଜଳି ଛୋଟରାୟ ।

 

: ଏକା ସାଙ୍ଗରେ ପଢ଼ ? ରେଲ୍‍ୱେ ସ୍କୁଲରେ ! ଆଇ ସି !! କ୍ଲାସ୍‌ ? ବାପା କ’ଣ କରନ୍ତି-? ଡେରି ହେଲେ ବିରକ୍ତ ହେବେନି ? କହିଦେବ, ମୁଁ ଡାକିଲି । ମୋ ବାପାବି ମୋ ଉପରେ ଆଦୌ ବିରକ୍ତ ହେଉ ନଥିଲେ । କିନ୍ତୁ ମୁଁ ଭାରି ମାନୁଥିଲି ତାଙ୍କୁ । ହେଇ ଦେଖ ତାଙ୍କ ଫଟୋ-। ମୃତ୍ୟୁର କିଛିଦିନ ପୂର୍ବରୁ... । ବନାରସ୍‌ରେ ‘ଡିଟେନିଉ’ ଥିବାବେଳେ...

 

କାନ୍ଥରେ ଥିବା ଫଟୋଟି ଖୁବ୍‌ ବଡ଼ ସାଇଜ୍‌ର । ଏନ୍‌ଲାର୍ଜଡ଼ । ରାଜା ସିଂହ ଚେୟାରରେ ବସିଛନ୍ତି । ପାଖରେ ଫୁଲ କୁଣ୍ଡଟିଏ ।

 

ଫଟୋ ଆଡ଼କୁ ଚାହିଁ ନରପତି ସିଂହ ମଦ୍ୟପାତ୍ର ଉଠାଇ ଓଠରେ ଲଗାଇଲେ । କିନ୍ତୁ ପିଇ ପାରିଲେ ନାହିଁ ।

 

ଗିଲାସ ପୁଣି ରଖି ଦେଲେ ।

 

: ଫଟୋଟା ଯେମିତି ମୋତେ ତିରସ୍କାର କରୁଛି । ସେ ଡ୍ରିଙ୍କ୍ କରିବା ପସନ୍ଦ କରୁ ନଥିଲେ । କିନ୍ତୁ... ଦାୟୀ ସେଇ ନିଜେ । ଜାଣ, ମୁଁ ଖୁବ୍‌ ପଜେସିଭ୍ ଥିଲି ପିଲାଦିନୁ । ଯାହା ଚାହେଁ...ନିଶ୍ଚୟ ପଜେସ୍ କରିବି । କିନ୍ତୁ ତାଙ୍କରି ଆଦେଶରେ ଯାହା ଛାଡ଼ିବାକୁ ପଡ଼ିଲା... ସେଇ ନ ପାଇବାର କଷ୍ଟକୁ ଭୁଲି ଯିବାପାଇଁ ମୋତେ ଏଇ ପାନୀୟର ଆଶ୍ରୟ ନେବାପାଇଁ ହେଲା ଶେଷ ପର୍ଯ୍ୟନ୍ତ । ଆମେ ଚମକି ଉଠିଲୁ ବାରଣ୍ଡାରେ ଏକ ଗର୍ଜନ ଶୁଣି । ମୃଦୁ ହେଲେବି ପରିଚିତ । ସର୍କସରେ ଖେଳ ଦେଖାଇବା ପାଇଁ ପୃଥିବୀର ସବୁଠାରୁ ହିଂସ୍ର ଯେଉଁ ଚତୁଷ୍ପଦ ସ୍ଥଳଚର ଜନ୍ତୁଟା ଯନ୍ତା ଭିତରୁ ବାହାରେ... ଏଇ ଗର୍ଜନ ତାହାରି । ବାରଣ୍ଡାରେ ଚିଡ଼ିଆଖାନା ଭଳି କରି ସେ ରଖିଚନ୍ତି ନା କ’ଣ ! ସଉକରେ ରାଜାମାନେ ସେପରି ରଖି ଥାଆନ୍ତି ।

 

ଆମ ଆଡ଼କୁ ଚାହିଁ ନରପତି ହସିଲେ । : ଟାଇଗର୍‌ !

 

: ଆଲସେସିଆନ୍‌ ? – ମୁଁ କହିଲି, ବାଘ ଗୁମୁରିଲା ଭଳି ଶୁଭିଲା ଯେ !

 

ଅଞ୍ଜଳି ହସି ଉଠିଲା । ମୁଁ ତ ଡରି ଯାଇଥିଲି !

 

: ଏଇ ରାଜବଂଶର ଆବାସରେ ଶ୍ୱାନକୁ ସ୍ଥାନ ଦିଆଯାଏନା ପିଲାମାନେ ! – ନରପତିଙ୍କ ମୁହଁ ଗମ୍ଭୀର ହେଇ ଉଠିଚି । –ଶ୍ୱାପଦକୁ ଏଠି ଶ୍ୱାନରେ ପରିଣତ କରାହୁଏ !

 

ପର ମୁହୂର୍ତ୍ତରେ ଏକ ଚେନ୍‌ ବନ୍ଧା ମହାବଳକୁ ନେଇ ପ୍ରବେଶ କଲା ରହିମ୍ ।

 

ଭୟରେ ଆମେ ଠିଆ ହୋଇ ପଡ଼ିଲୁ ।

 

ଅଞ୍ଜଳି ମୋ ହାତ ଧରି ପକେଇଚି ।

 

ଅତି ସହଜଭାବେ ରାଜା ଆମକୁ ବସିବାପାଇଁ ଇଙ୍ଗିତ କରି ରହିମ୍‍କୁ କହିଲେ ଫିଟେଇଦେ ଚେନ୍‌ଟା ।

 

: ପ୍ଲିଜ ! ଆତଙ୍କରେ କହି ଉଠିଲା ଅଞ୍ଜଳି । ଭାରି ଭୟ ଲାଗୁଚି ସାର୍‌ !

 

: ‘ସାର୍‌’ ନୁହେଁ ! ମୋତେ ‘ଅଙ୍କଲ’ କହିବ । ଆଉ ତମେ ମତେ ‘ଡାଡ଼ି’ ଡାକିବ ଅଭିଜିତ-। ୟୁ ନୋ, ଆଇ ହେବ୍‌ ନୋ ସନ୍‌ ? ବୟସ କେତେ ତମର ? ଗୁଡ଼୍‌ । ପୁତ୍ରେ ମିତ୍ରୈବ ଆଚରେତ । ସୋ ଉଇଆର୍‌ ଫ୍ରେଣ୍ଡସ୍‌ !

 

ଚେନ୍‌ ଫିଟା ବାଘଟାକୁ ସେ କୋଳରେ ଶୁଆଇ ଆଉଁଶୁ ଥିଲେ ।

 

ଅଞ୍ଜଳି ବରଂ ଦୂରେଇ ବସିଚି । ମାତ୍ର ରାଜା ଆଉ ମୋ ଭିତରେ ଦୁଇ ଫୁଟ୍‌ର ବ୍ୟବଧାନ ।

 

ବାଘଟା ମୁହଁ ବଢ଼େଇଚି ମୋ ଆଡ଼କୁ । ଚାହୁଁଚି ଆଉ ଜିଭ ଚାଟୁଚି । ଲାଞ୍ଜ ହଲେଇ ନିଶ ଫୁଲାଉଚି । ମୃଦୁ ଗୁରୁଗୁରୁ ଶବ୍ଦ... ଅନେକ ଦୂର ଆକାଶରେ ମେଘ ଡାକୁଥିବା ପରି ।

 

କିନ୍ତୁ ଭୟ ଲାଗୁଥିଲେବି ପ୍ରକାଶ କରୁ ନ ଥାଏ ।

 

: ଖୁବ୍‌ ପିଲାଦିନେ ମୁଁ ବାଘ ଛୁଆ ନେଇ ଖେଳୁଥିଲି ଜାଣ ? ଆଜିକାଲି ଆଉ ଭଲ ଲାଗେନା । ତଥାପି ଏଇଟାକୁ ଡାକି ଆଦର କରେ ବେଳେବେଳେ ! ...ଆଉଁଶି...; ଆଣ...ହାତ ଆଣ । କାମୁଡ଼ିବ ? ଆରେ ନା ନା, ଏ ସେପରି ନୁହେଁ । ବିଚରା ନିରୀହ ଜୀବ । ମୋରି ପଜେସିଭ୍ ସ୍ପିରିଟ୍‌ପାଇଁ ପିଲାଦିନୁ ମାତୃହୀନ ହେଲା । ହଁ ଠିକ୍‌ ମୋରି ପରି । ମୋ ମାଆ ଇଂରେଜ ଗୁଳିରେ ଶିକାର ହେଲା । ବାପା ଅନ୍ତରୀଣ ହୋଇ ରହିଲେ । ଇଂରେଜ ମୋତେ ପାଳିପୋଷି ଶ୍ୱାନରେ ପରିଣତ କରିଦେଲା ।

 

ଏଇ ବାଘଟା କ’ଣ ସରଣ୍ଡା ଜଙ୍ଗଲ ! – ଅଞ୍ଜଳି ପଚାରିଲା, ଆଜିବି ତ ଆପଣ ଶିକାରକୁ ଯାଇଥିଲେ !

 

 

: ହଁ ଭାରି ବଣ ସରଣ୍ଡା ! ଡେନ୍‌ସ ଫରେଷ୍ଟ୍ !! ଖୁବ୍‌ ଇଣ୍ଟିରିଅର୍‌ରେ ସଂଜୟୀକୂଳେ ଚମତ୍କାର ସ୍ପଟ୍‌ । ବାପା ଗୋଟାଏ ଗମ୍ବୁଜ ତିଆରି କରାଇଥିଲେ । ତା’ରି ଉପରୁ ଶିକାର କରାଯାଏ-

 

: ମୋର ଭାରି ଇଚ୍ଛା ଶିକାର ଦେଖିବାକୁ । –ମୁଁ ଆଗ୍ରହ ପ୍ରକାଶ କଲି, କେବେ ମୋତେ ଥରେ ନିଅନ୍ତୁନା ।

 

: ଶିକାର କରିବ ? ବନ୍ଧୁକ ମାରି ଜାଣନା ! ...ଆଉ ତାହାହେଲେ କ’ଣ କରିବ ସେଠିକି ଯାଇ ।

 

: ଖାଲି ଦେଖିବାକୁ ଇଚ୍ଛା...

 

: ନେବି ନେବି । ନେଇଯିବି । ସେଇଠି ବନ୍ଧୁକ ଧରେଇବି ଆଉ ଶିକାର କରି ଶିଖେଇବି-

 

: ସେ ଗିଲାସରେ ପୁଣି ଜିନ୍‌ ଢାଳୁଥିଲେ ।

 

: ଏଇଟା ମୋ ସ୍ୱାସ୍ଥ୍ୟକୁ ଖରାପ କରି ଦେଉଛି ଦିନକୁଦିନ । ଚେଷ୍ଟ୍‌ ପେନ୍‌ ହୁଏ... । ଛାଡ଼ି ପାରେନା ତଥାପି । ଗୋଟାଏ ପରାଜୟକୁ ଭୁଲିବାପାଇଁ...

 

: କିନ୍ତୁ ଦେହକୁ ତ ଆଗେ ଦେଖିବା ଉଚିତ ଡାଡ଼ି ।

 

: ଦେହ ଠାରୁ ମନଟା ଯେ ଅଧିକ ଗୁରୁତ୍ୱପୂର୍ଣ୍ଣ ମାଈଁ ଫ୍ରେଣ୍ଡ୍‌ । ତମ ଜୀବନରେ ସେପରି କେବେ ନ ଘଟୁ । ଜ୍ୱାଳାକୁ ଭୁଲିବାପାଇଁ ପ୍ରଦାହର ଆଶ୍ରୟ ନେବାକୁ ନ ପଡ଼ୁ । କ’ଣ, ମୁଁ ଠିକ୍‌ କହିଲି ନା ? – ଗିଲାସ ଥୋଇ କହିଲେ, ପ୍ରଦାହ ନୁହେଁ ତ ଆଉ କ’ଣ ?

 

ଗ୍ରୀଷ୍ମର ବିଳମ୍ବିତ ସୂର୍ଯ୍ୟାସ୍ତ ସଂଜୟୀ ସେପାରି ଶାଳ ବଣ ଶୀର୍ଷରେ ଫଗୁର ଲହରୀ ସୃଷ୍ଟି କରି ବିଲୀନ ହେବାକୁ ଯାଉଥିଲା ।

 

ସେଇ ଆଡ଼କୁ ଚାହିଁ ରହିଥିଲେ ନରପତି । ଦେଖୁଚ, ସଂଜୟୀର ସୁଅ କିମିତି ଲାଲ ଦିଶୁଚି । ମୋର ଅଠରଶ’ ସତାବନ ମନେ ପଡ଼ି ଯାଉଛି ଅଭିଜିତ । ତେରବର୍ଷ ସେତେବେଳେ ମୋର ବୟସ । ରାତିର ଅନ୍ଧାର ଭିତରେ ବଣ ପାହାଡ଼ ଦେଇ ମାର୍ଚ୍ଚ କରି ଚାଲି ଆସିଥିଲେ ଇଂରେଜମାନେ...

 

: କିଛି ଜଣା ପଡ଼ି ନଥିଲା ?

 

: ଇତିହାସ ପଢ଼ ଅଭିଜିତ; ଇତିହାସ ପଢ଼ । ଭରତପୁର, ଗୋଆଲିୟର୍, ଶ୍ରୀରଙ୍ଗପତ୍ତନ... ସବୁଠି ଇଂରେଜ ରାତିର ଅନ୍ଧାରରେ ଦୁର୍ଗ ଘେରି ନେଇଚି । ସେ ଜାତି କେବଳ ଅନ୍ଧକାର ଭିତରେ ସୁଯୋଗ ନିଏ । ସବୁବେଳେ ତାହାର ଆକ୍ରମଣ ଅପ୍ରତ୍ୟାଶିତ । ସୀମାନ୍ତରକ୍ଷୀ, ପ୍ରହରୀ, ଦେଶୀୟ ସେନାଧ୍ୟକ୍ଷମାନଙ୍କୁ ଉତ୍କୋଚରେ ବଶୀଭୂତ କରି...

 

: ଏ ଦୁର୍ଗ କ’ଣ ରାତିରେ ଆକ୍ରମଣ କରିଥିଲେ ସେମାନେ ?

 

: ବାଧା ଦେଲା ଖରସ୍ରୋତା ସଂଜୟୀ । ନଦୀ ପାରିର ଉପକ୍ରମ କରୁ କରୁ ଭୋର ହେଇ ଆସିଲା । ଦୁର୍ଗର ନିରୀକ୍ଷଣ-ଗମ୍ବୁଜ ଉପରେ ମୁହୁର୍ମୁହୁଃ ବାଜି ଉଠିଲା ବିପଦ-ସଙ୍କେତ ସୂଚକ ତୁର୍ଯ୍ୟନାଦ । ଦେବୀ ସିଂହାସିନୀ... ମୋର ବିମାତା, ନା ନା ସେ ମୋର ମାଆ ଅଭିଜିତ.... ସେ ଆସି ମୋତେ ଉଠେଇଲେ, କହିଲେ ସର୍ବନାଶ ହେଇଚି । ନଦୀ ସେପାରିରେ ଇଂରେଜ !! ସର୍ବନାଶ ନୁହେଁ ‘ସୁଯୋଗ’ କହି ବାପାଙ୍କ ବନ୍ଧୁକଟା ଧରି ମୁଁ ବାହାରି ଆସିଥିଲି ଏଇଠିକି । ଆଉ... ଆଉ ଅଭିଜିତ... ମୋ ବନ୍ଧୁକ ସହ ତାଳ ଦେଇ ଫୁଟି ଉଠିଥିଲା ଆମର ଶତ ସେନାନୀଙ୍କ ଆଗ୍ନେୟାସ୍ତ୍ର ଦୁର୍ଗର ପ୍ରାକାର, ଗମ୍ବୁଜ, ଗବାକ୍ଷ, ଅଳିନ୍ଦ ଆଉ ରାଣୀହଂସପୁରର ବାରଣ୍ଡାରୁ ! ସଂଜୟୀର ଜଳ ଶ୍ୱେତାଙ୍ଗର ରକ୍ତରେ ଠିକ୍‌ ଏଇଭଳି ଲାଲ ହେଇ ଉଠିଥିଲା !!

 

: କର୍ଣ୍ଣେଲ ଫସ୍‌ଟାର ଏଇ ଦୁର୍ଗ ଆକ୍ରମଣ କରିଥିଲେ ନା ?

 

: ସେ ତ ଅନେକ ପରର କଥା ।

 

: ମୋର ଇଚ୍ଛା ହୁଏ ଶୁଣିବାକୁ ସେଥଇ ସବୁ ପ୍ରତ୍ୟକ୍ଷଦର୍ଶୀ ବିବରଣୀ । ଯେଉଁ ଅସତ୍ୟ ଇତିହାସ ଆମକୁ ପଢ଼ା ହେଉଚି....

 

ଆଜି ମୁଡ଼୍‌ ନାହିଁ ଅଭିଜିତ । ଆଉ କେବେ । ଶିକାର କରି ଫେରିଛି; କ୍ଳାନ୍ତ ।

 

: ଓ ସରି... ଆପଣଙ୍କୁ କଷ୍ଟ ଦେଇଛୁ !!

 

: ଆରେ ନା ନା, ମୁଁ ତୁମମାନଙ୍କୁ ଏଭଏଡ଼୍‌ କରିବାକୁ ଚେଷ୍ଟା କରୁନି । ବରଂ....କାହିଁକି ଜାଣେନା... ତମକୁ ଭାରି ନିଜର ବୋଲି ମନେ ହେଉଛି । ନିଶ୍ଚୟ ପୁଣି ଆସିବ... । ଆଜିଠାରୁ ଆମର ବନ୍ଧୁତା ହେଲା । ଯାଅ, ମନ ଦେଇ ପଢ଼ାପଢ଼ି କର । ଯଶସ୍ୱୀ ହୁଅ । ଆମର ତ ସବୁ ଶେଷ ହେଇଗଲା । ତମେମାନେ ଏ ଦେଶର ଉତ୍ତରପୁରୁଷ । ରୁହ... ମୁଁ ତମମାନଙ୍କ ପାଇଁ ଯିବାର ବ୍ୟବସ୍ଥା କରେ... ! କଲିଂ ବେଲ ଟିପିଲେ ନରପତି । ଗାଡ଼ି ବ୍ୟବସ୍ଥା କଲେ । ତା’ପରେ ନିଜେ ମଧ୍ୟ ଆମକୁ ବାଟେଇ ଦେବାପାଇଁ ତଳକୁ ଓହ୍ଲାଇବାକୁ ଯାଉଥିଲେ । ଆପତ୍ତି କଲୁ ଆମେ । ପାହାଚ ପର୍ଯ୍ୟନ୍ତ ଆସିଥିଲେ–ତା’ପରେ ହଠାତ ରହିଯାଇ କହିଲେ : ଟିକିଏ ଅପେକ୍ଷା କର ।

 

ଭିତରକୁ ଯାଇ ନେଇ ଆସିଲେ ତାଡ଼ାଏ ନୋଟ୍‌ ।

 

: ଅଭିଜିତ, ଦେଇ ଦେବ ଏତକ ଅଗ୍ନିଦେବ ଶର୍ମାଙ୍କୁ । ଚାକିରି ଚାଲିଗଲା... । କହିଦେବ ମୁଁ ଦେଇଚି । ବୁଝିଲ; କେହି ଯେମିତି ନ ଜାଣନ୍ତି ।

 

କାର୍ ଚାଲିଥିଲା । ପଛ ସିଟ୍‌ରେ ମୁଁ ଆଉ ଅଞ୍ଜଳି । ଦୁର୍ଗର ଫାଟକ ପାଖରୁ ଛିଡ଼ାଇ ଆଣିଥିବା ଗୋଲାପ ଗୁଚ୍ଛଟି ହାତରେ ଧରିଥାଏ ମୁଁ ।

 

ଅଞ୍ଜଳି ମୋ ହାତରୁ ସେଇଟା ନେଇ ନେଲା : ଅଭିଜିତ, ମୋ ଉପରେ ରାଗିଚ ?

 

ତା’ ଆଡ଼କୁ ଚାହିଁଲି ।

 

ଏ ପର୍ଯ୍ୟନ୍ତ ବାହାରକୁ ଅନାଇ ଦେଖୁଥିବା ଅସ୍ତାୟମାନ ଆକାଶର ଲାଲିମା ତା’ରି ହସିଲା ମୁହଁରେ ଯେପରିକି ପ୍ରତିବିମ୍ବିତ ।

 

ସେଇ ଗୋଲାପ ଗୁଚ୍ଛଟିକୁ ସେ ଗାଲରେ ଛୁଆଁଉ ଥିଲା ।

 

ଯେଉଁଠି ବାଜିଥିଲା ମୋର ଚାପୁଡ଼ା, ସେଇଠି ଆଜି ମୋ ହାତର ଗୋଲାପ ।

 

: ଅଭିଜିତ ରାଜାଙ୍କ ବୟସ କେତେ ହବ....ଅନୁମାନ ?

 

: ସିପାହି ବିଦ୍ରୋହବେଳେ ତେରବର୍ଷ ହୋଇଥିଲା । ତା’ ମାନେ ବର୍ତ୍ତମାନ ଅଶୀ ପାଖାପାଖି । କିନ୍ତୁ....କେତେ ଷ୍ଟ୍ରଙ୍ଗ୍‌ ଅଛନ୍ତି ।

 

: ତାଙ୍କ ସାଙ୍ଗରେ ଯଦି ତୁମର ବନ୍ଧୁତା ସମ୍ଭବ...

 

: ବୟସ ବ୍ୟବଧାନ କିଛି ନୁହେଁ । ଯେ କୌଣସି ବ୍ୟକ୍ତି ବିଶେଷ ଅନାବିଳ ବନ୍ଧୁତା ସମ୍ଭବ ଯଦି ଉଭୟ ଉଭୟଙ୍କୁ ବୁଝନ୍ତି ।

 

: ତାହାହେଲେ ତମ-ମୋ ଭିତରେ ‘ବନ୍ଧୁତା’ କାହିଁକି ଅସମ୍ଭବ ଅଭିଜିତ ?

 

ଅଞ୍ଜଳି ତେବେ ମୋ ସାଙ୍ଗରେ ଖାଲି ‘ବନ୍ଧୁତା’ ଚାହେଁ । ‘ବନ୍ଧୁତା’ ଛଡ଼ା ଅନ୍ୟ କିଛି ନୁହେଁ !!

 

: ବେଶ୍‌ ତେବେ ସେଇଆ ହେଉ ।

 

: ଏଇଟା ଅଭିମାନର କଥା ନୁହେଁ ତ ?

 

: ଆଦୌ ନୁହେଁ ।

 

ଗାଡ଼ି ଲେଭେଲ କ୍ରସିଂ ପାଖରେ ଅଟକିଲା । ଟ୍ରେନ୍‌ ପାସ୍‌ କରିବ । ଗେଟ୍‌ ବନ୍ଦ ଅଛି ।

 

କିଛି ସମୟ ନୀରବତା ।

 

ମୁଁ ଫାଟକ ଆଡ଼େ ଚାହିଁ ଥାଏ ।

 

ଲେଖା ହେଇଚି–‘କ୍ଲୋଜଡ଼୍‌’

 

ଭାବୁଥାଏ, ଗୋଟାଏ ଝିଅ ପାଖରେ ନିଜକୁ ଏତେଟା ଛୋଟ କରିବାକୁ ଯିବି କାହିଁକି ? There are more things is heaven and earth. ବରଂ ଏଇଠୁ ତା’ ପ୍ରତି ମୋ ମନରେ ଆସିଥିବା ଆସକ୍ତିର ଅପମୃତ୍ୟୁ ହେଉ । ମୋର ପାଠ ପଢ଼ା..., ଭବିଷ୍ୟତ୍..., କେତେ କ’ଣ ରହିଚି । ଏଇ ବିରାଟ୍ ପୃଥିବୀରେ ମୋପାଇଁ ଖାଲି ଅଞ୍ଜଳି ସବୁ କିଛି ନୁହେଁ । ସେଇ ଅଧ୍ୟାର ପରିସମାପ୍ତି ଘଟୁ । ସେ ପୁଣି ପଚାରିଲା; ରାଗିନତ ? ସଂକ୍ଷେପରେ କହିଲି ! That chapter is already closed.

 

ଟ୍ରେନ୍‌ ଆସିଗଲା ।

 

ତୀବ୍ର ବେଗରେ ପାସ୍ କରୁଚି । ହୁଇସିଲ୍‌ ଦେଲା । ଲମ୍ବା ହୁଇସିଲ୍‌ । ଅଞ୍ଜଳି କିଛି କହିଲା । ଶୁଣି ପାରିଲିନି ଶବ୍ଦ ଯୋଗୁଁ ।

 

ଟ୍ରେନ୍‌ଟା ଚାଲିଗଲା ।

 

ଖୋଲି ଯାଉଚି ଫାଟକ... ।

 

କାର୍‌ ଷ୍ଟାର୍ଟ କଲା ଡ୍ରାଇଭର ।

 

ମୋ ଆଡ଼କୁ ଟିକିଏ ଝୁଙ୍କିପଡ଼ି ଅଞ୍ଜଳି ପଚାରିଲା : ଆମ ଘରକୁ ଆସିବତ ! ସାଙ୍ଗ ହେଇ ପଢ଼ିବା ଆଗଭଳି ।

 

ମୁଁ ‘ହଁ’ କି ‘ନା’...କିଛି କହି ପାରିଲିନି ।

 

ସେ ହାତ ଧରି ପକେଇ କହିଲା : ଆସିବ !

 

ଗୋଲାପ ଗୁଚ୍ଛ ସମେତ ସେ ତା’ ଦୁଇ ହାତରେ ମୋ ଡାହାଣ ହାତଟା ଧରିଥିଲା । ମୋ ଆଡ଼କୁ ଅନେଇ ରହିଥିଲା ଉତ୍ତର ଆଶାରେ ।

 

କହିଲି : ତମେବି ତ ଆସି ପାରନ୍ତ ।

 

ଟିକିଏ ରହିଗଲା । କ’ଣ ଭାବି କହିଲା : ପାରିବି । ...କିନ୍ତୁ ତାହାହେଲେ ଏଇଆ ଭାବି ନେଲି ଯେ ପର୍ଯ୍ୟନ୍ତ ତମେ ରାଗ ରଖିଚ ।

 

: ଭୁଲ୍‌ ବୁଝିଚ ମତେ । ମୁଁ ସେ ସବୁ କଥା ଭୁଲି ଯାଇ ସାରିଲିଣି ।

 

: ତାହାହେଲେ ଆଗେ ତ ଆସୁଥିଲ...ବର୍ତ୍ତମାନ ଆସିବ ନାହିଁ କାହିଁକି ?

 

: ଆଚ୍ଛା, ନ ହେଲା ଆସିବି ।

 

: ଆଜି ଠାରୁ ?

 

: ନା ଅଞ୍ଜଳି, କାଲିଠୁ । ମୁଁ ବର୍ତ୍ତମାନ ଅଗ୍ନିଦେବଙ୍କ ଘରକୁ ଯିବି । କଲୋନୀ ହେଇଗଲା, ଏଇଠୁ । ଗାଡ଼ି ଫେରିଯାଉ... । ହାତରେ ଏତେଗୁଡ଼ାଏ ଟଙ୍କା ଧରି...

 

: ନିଅ, ମୋ ରୁମାଲଟା । ଗୁଡ଼େଇ ଦିଅ । ଜଣା ପଡ଼ିବନି । କିନ୍ତୁ ଏଠି ଓହ୍ଲେଇବା କାହିଁକି ? କ୍ୱାଟର୍‌ରେ ଡ୍ରପ୍‌ କରୁନା–କ’ଣ ହେଇ ଯାଉଚି । ଘରେ ପଚାରିଲେ ସତ କଥା କହି ଦେବା । ପଢ଼ିବାପାଇଁ ଯାଇ ମିଟିଂ ଦେଖିବାକୁ ପଡ଼ିଆକୁ ଯାଇଥିଲେ । ଗଣ୍ଡଗୋଳ ହେଲା–ଚାଲି ଆସିଲେ–ରାଜାଙ୍କ ଗାଡ଼ି...

 

: କିନ୍ତୁ ଟଙ୍କା କଥାଟା ତ କହି ହେବନି ।

 

: ଠିକ୍ । ଏଇଠୁ ତାହାହେଲେ ଓହ୍ଲେଇ ଯିବା ।

 

କଲୋନୀ ଆରମ୍ଭରେ ବଡ଼ ପାର୍କଟିଏ । ସେଇଠି ଗାଡ଼ି ରଖି ଆମେ ଓହ୍ଲେଇ ପଡ଼ିଲୁ ।

 

ଅଞ୍ଜଳି ତା’ ଘର ଆଡ଼େ ଚାଲିଗଲା । ଆଉ ମୁଁ ଅଗ୍ନିଦେବଙ୍କ କ୍ୱାଟରକୁ ।

 

ସେତେବେଳକୁ ରାସ୍ତାରେ ବିଜୁଳି ବତି ଜଳି ଉଠିଲାଣି ।

 

ରୁମାଲ ବନ୍ଧା ନୋଟ୍‌ଗୁଡ଼ାକ ଧରି ଲାଇନ୍‌ ପାରି ହେଇ ଶର୍ଟ-କର୍ଟ କଲି ତାଙ୍କ ବ୍ଲକ୍‌କୁ ।

 

ବ୍ଲକ୍‌ଟା ଶୁନ୍‌ଶାନ୍‌ । ସବୁ ଘରର ଦରଜା ଝରକା ବନ୍ଦ ହେଇ ଯାଇଛି ।

ଅଗ୍ନିଶର୍ମାଙ୍କ ପଡ଼ୋଶୀ ଏମାନେ !

କାଳେ ପୁଲିସ୍ ଆସି ପଚରା-ଉଚରା କରିବ... ଏଇ ଭୟରେ ବନ୍ଦବାନ୍ଦ କରି ରହିଛନ୍ତି ମନେ ହେଉଛି । ପ୍ରାୟ ସବୁ ଘରର ପିଲାମାନେ ତ ସ୍କୁଲ୍‌ରେ ପଢ଼ନ୍ତି । ହଇରାଣ ହେବାକୁ କିଏ ଚାହେଁ ?

ଏଇଆ ସବୁ ଅନୁମାନ କରୁ କରୁ ମୋ ମନରେ ସନ୍ଦେହ ଆସିଲା, ଅଗ୍ନିଦେବ ଶର୍ମା ଆଉ ଥିବେ କି ? ତାଙ୍କୁଇ କେନ୍ଦ୍ର କରି ଏତେ ଗଣ୍ଡଗୋଳ ପରେ ପୁଲିସ କ’ଣ ତାଙ୍କୁ ଥାନାକୁ ନ ନେଇଥିବ ?

ପରେ ମୋର ସାଧାରଣ-ଜ୍ଞାନ କହିଲା, ସେ ତ ସଭାର ଆୟୋଜନ କରି ନାହାନ୍ତି କି ସଭାରେ ବକ୍ତୃତା ଦେଇ ନାହାନ୍ତି ବା ନିଷେଧ ଆଦେଶ ଅମାନ୍ୟ କରି ମାଜିଷ୍ଟ୍ରେଟ୍‌ ଉପରକୁ ହାତ ଉଠାଇ ନାହାନ୍ତି । ନିତାନ୍ତ ତାଙ୍କୁ ଟଣାଟଣି କରି ନେଇଥିଲେ । ସେ ସେଠି ସଭାପତିଙ୍କ ପାଖରେ... ମୁଁ ଠିକ୍ ଲକ୍ଷ୍ୟ କରିଚି... ଚୁପ୍‌ଚାପ୍‌ ବସି ରହିଥିଲେ ଖାଲି । ତେଣୁ ତାଙ୍କୁ କାହିଁକି ବା ଥାନାକୁ ନିଆହେବ ? ଦେଖାଯାଉ ।

କ୍ୱାଟରରେ ଯାଇ ପହଞ୍ଚିଲି ।

ନକ୍ କରିବାମାତ୍ରେ ଦରଜା ଖୋଲି ଗଲା ।

: ଆସ, ଆସ ଅଭିଜିତ ।

ଭିତରେ ସେ ଜିନିଷପତ୍ର ବନ୍ଧାବନ୍ଧି କରିବାରେ ବ୍ୟସ୍ତ । ...ତାଙ୍କ ପରିବାରବର୍ଗ ଚାଇଁବସାରେ ଥାଆନ୍ତି ବୋଲି ଜାଣେ । ଏଠି ସବୁବେଳେ ତାଙ୍କୁ ଏକୁଟିଆ ଦେଖିଚି । ରନ୍ଧାରନ୍ଧି, ଘରକାମ... ସବୁ ନିଜ ହାତରେ କରନ୍ତି । ପଢ଼ା ବୁଝିବାକୁ ଯାଇଥିବା ଛାତ୍ରମାନେ ସାହାଯ୍ୟ କରିବାକୁ ଚାହିଁଲେ ମଧ୍ୟ ସାହାଯ୍ୟ ଗ୍ରହଣ କରନ୍ତିନି ।

ପଚାରିଲି : ଆପଣ ଏ ସବୁ...

: ମାଜିଷ୍ଟ୍ରେଟ୍‌ ମୋତେ ଚବିଶ ଘଣ୍ଟା ଭିତରେ ଚକ୍ରଧରପୁର ଛାଡ଼ି ଚାଲିଯିବା ପାଇଁ ଆଦେଶ ଦେଇଛନ୍ତି । ଏଇ ସନ୍ଧ୍ୟା ଟ୍ରେନ୍‌ରେ ଚାଲିଯିବି ।

: ପଚାରିଲି ଆପଣ ଏ ସବୁ...

: କଲିକତା ।

: କ’ଣ ସେଠି....

: ଯାଉଛି ସୁଭାଷବାବୁଙ୍କ ସାଙ୍ଗରେ ଦେଖା କରିବାପାଇଁ । ସେ ଗୋଦାବରୀଶବାବୁଙ୍କ ବନ୍ଧୁ । କଂଗ୍ରେସ ନେତା । ପରିଚୟ ଅଛି ତାଙ୍କ ସାଙ୍ଗରେ ।

ଆଉ କିଛି ପଚାରିଲି ନାହିଁ । ପଚାରିବାକୁ ସାହସ ହେଲା ନାହିଁ । ଜିନିଷପତ୍ର ବନ୍ଧାବନ୍ଧି କରିବାରେ ତାଙ୍କୁ ସାହାଯ୍ୟ କରିବାକୁ ଚାହିଁଲି ।

 

ଆଜି ସେ ଆଉ ମନା କଲେ ନାହିଁ । କହିଲେ ହଉ ଶେଷ ସମୟ ଆସିଚି; ଟିକିଏ ସାହାଯ୍ୟ କରିଥାଅ ।

 

ବନ୍ଧାବନ୍ଧି ଶେଷ ହେଲା ।

 

ସବୁ କଥା କହି ଟଙ୍କା ବଢ଼େଇ ଦେଲି ତାଙ୍କ ହାତକୁ ।

 

କ’ଣ ଟିକିଏ ଭାବିଲେ; ତା’ପରେ ନେଇ ନେଲେ । କହିଲେ : ଅସମୟରେ ଟଙ୍କାଟା ଦରକାରୀ ହେଇ ପଡ଼େ ।

 

ଟ୍ରେନ୍‌ ଆଉ ଅଳ୍ପ ସମୟ ପରେ ।

 

ମୁଁ ଗଲି କୁଲି ଡାକିବାପାଇଁ । ଜଣକୁ ନେଇ ଆସି ଦେଖେତ ଅଗ୍ନିଦେବ ନିଜେ ଜିନିଷପତ୍ର ବାରଣ୍ଡାକୁ କାଢ଼ି ଆଣି ସାରିଚନ୍ତି ।

 

ଟ୍ରେନ୍‌ ପର୍ଯ୍ୟନ୍ତ ଯିବାପାଇଁ ଚାହିଁଲି ।

କହିଲେ : ନା, ଫେରିଯାଅ ଅଭିଜିତ । ତମ ବାପା ଜଣେ ଅଫିସର୍ ! ସମସ୍ତେ ଲକ୍ଷ୍ୟ କରିବେ... । ମୁଁ ବର୍ତ୍ତମାନ ଆଇଡ଼େଣ୍ଟଫାଏଡ଼୍‌ ଲୋକ । ମୋ ସାଙ୍ଗରେ ଦେଖିଲେ ପୁଲିସ ତମକୁବି ପଚରା-ଉଚରା କରିବେ ।

ଆଉ ଜିଦ୍ କଲିନି ।

ପ୍ରଣାମ କଲି ତାଙ୍କ ପାଦ ତଳେ ।

ସେ ମୋତେ ଉଠାଇ ଧରିଲେ । ଖାଲି ମୋ ଆଖି ନୁହେଁ, ତାଙ୍କ ଆଖିବି ଛଳଛଳ ହେଇ ଉଠିଚି । କହିଲେ : ବଡ଼ ହୁଅ ଅଭିଜିତ; ମଣିଷ ହୁଅ । ନିଜକୁ ମଜବୁତ୍ କର । ସତ୍ୟର ପ୍ରକାଶପାଇଁ ଲାଞ୍ଛନା ଭୋଗ କରିବାଟା ବଡ଼କଥା ନୁହେଁ—ସତ୍ୟର ମୁଖରୋଧକାରୀମାନଙ୍କୁ ଲାଞ୍ଛିତ କରିବାପାଇଁ ପ୍ରସ୍ତୁତ ହେବାଟା ବରଂ ଅଧିକ ଦରକାର ।

 

ସେ ଦିନ ସାରା ରାତି ଶୋଇ ପାରି ନଥିଲି । ଏଇଭଳି ପରିସ୍ଥିତି ଭିତରେ ଏତେ ବଡ଼ ଗୋଟାଏ ଐତିହଶାଳୀ ଦେଶ... ବୁଦ୍ଧ, ଶଙ୍କର, ରାମକୃଷ୍ଣ, ବିବେକାନନ୍ଦର ଜନ୍ମଭୂମି..., ବିଶ୍ୱନାଥ, ଜଗନ୍ନାଥ, କେଦାରନାଥ, ତିରୁପତିଙ୍କ ପୀଠ-ସ୍ଥଳୀ...କିପରି ନିର୍ବେଦ ଆଉ ଅଷାଢ଼ ହେଇ ରହିଚି ! ସତ୍ୟକୁ ଅସତ୍ୟରେ, ଇତିହାସକୁ ଉପହାସରେ ଏଠି ପରିଣତ କରାଯାଏ । ସତ୍ୟର ପୂଜକ ହୁଏ ଲାଞ୍ଛିତ, ଅପମାନିତ, ଜୀବିକା-ଚ୍ୟୁତ । ଅଧିକାଂଶଙ୍କର ସେଥିପ୍ରତି ଦରଜ ନାହିଁ... ଅନୁଶୋଚନା ନାହିଁ..., ନାହିଁ ବିବେକର ଦଂଶନ । ମନ୍ଦିରଠାରୁ ଦରବାର ଯାଏଁ ସବୁଠାରେ ଖାଲି ପ୍ରାର୍ଥନା ଓ ଯାଚନା ନିଜ ନିଜର ବ୍ୟକ୍ତିଗତ ଉନ୍ନତିପାଇଁ । ଆଲେକ୍‌ଜାଣ୍ଡରଙ୍କ ଭାଷାରେ ‘‘ସତ୍ୟ ସେଲ୍ୟୁକସ୍, ବିଚିତ୍ର ଏଇ ଦେଶ !’’

ନିଜକୁ ଅପମାନିତ ମନେ ହେଲା । ମନେହେଲା ନିରୁପାୟ ଆଉ ଅସହାୟ ।

ମଣିଷର ଜନ୍ମ ହୁଏ ଦୈବାତ । ଏଥିପାଇଁ ସେ ଦାୟୀ ନୁହେଁ । ମୁଁ ମଧ୍ୟ ଦାୟୀ ନୁହେଁ ଏଇ ଦେଶରେ ଜନ୍ମଗ୍ରହଣ କରିଥିବା ପାଇଁ । କିନ୍ତୁ ଦାୟୀ ନୁହେଁ ବୋଲି ଦାୟିତ୍ୱ କ’ଣ ନାହିଁ ? କର୍ତ୍ତବ୍ୟ, ଖାଲି ନୀରବ ଦର୍ଶକର ଭୂମିକାରେ ରହି ବିମାନ ଉପରୁ ବନ୍ୟାଞ୍ଚଳ ପରିଦର୍ଶନ କଲାପରି...ପ୍ରେକ୍ଷାଳୟରେ ବସି ନାଟକ ଦେଖିବା ପରି..., କେତେବେଳେ ଦୁଃଖ ପ୍ରକାଶ କରିବା ଆଉ କେତେବେଳେ କରତାଳି ଦେବା !

ଏଇତ ବାପାଙ୍କୁ ମୋର ଦେଖୁଚି । ତାଙ୍କର ଅଫିସର୍‌ ବନ୍ଧୁମାନଙ୍କୁ । ବୈଠକଖାନାରେ ବସି ଖୁସି-ଗପ..ଚା’ ସିଗାରେଟ୍‌..., ଏମ୍ବିସନ୍... ପଦୋନ୍ନତି...ଜମି କିଣା... କୋଠା ତିଆରି... ଆଉ ଉପରିସ୍ଥ କର୍ମଚାରୀମାନଙ୍କ ଚରିତ୍ର ଆଉ ଆଚରଣର ଆଲୋଚନା । ଇଂରେଜ ଅଫିସର୍‍ମାନଙ୍କୁ ଖୁସି କରିବାପାଇଁ କିଏ କି ପ୍ରକାର କୌଶଳ ପ୍ରୟୋଗ କଲା, କେତେବେଳେ ବା ସେହି ସବୁ କୌତୁହଳଦ୍ଦୀପକ କାହାଣୀ । ଗାନ୍ଧୀ ଆଉ କଂଗ୍ରେସକୁ ନେଇ ଲଘୁ ଥଟ୍ଟା ପରିହାସ ଛଡ଼ା ବିଷୟଟି ଗୁରୁତ୍ୱପୂର୍ଣ୍ଣଭାବେ ସେମାନେ ଆଲୋଚନା କରିବାବି କେବେ ଶୁଣିନି ମୁଁ । ଏ ସବୁରେ ଯେଉଁମାନେ ମାତିଛନ୍ତି ସେମାନେ ଯେପରି ଏହି ତଥାକଥିତ ଅଭିଜାତବର୍ଗଙ୍କ ମତରେ ମୂର୍ଖ ଅବା ପାଗଳ ।

ସେତେବେଳେ ମୋର ସେଇ ବୟସ, ଯେଉଁ ବୟସରେ ଅନେକ କିଛି କରିବାକୁ ଇଚ୍ଛା ହୁଏ–କିନ୍ତୁ କିଛି ହେଲେ କରିବାର ଶକ୍ତି ସାମର୍ଥ୍ୟ ଥାଏନା । ମନର ଜ୍ୱାଳା ମନ ଭିତରେ ମରେ, ନିଆଁ ଜଳି ଜଳି ମଉଳି ଯାଏଁ, କ୍ରୋଧ କ୍ରୋଧରେହିଁ ରହେ, ସହାନୁଭୂତି ଅନୁକମ୍ପାରେ ରହିଯାଏ ।

 

ଅଗ୍ନିଦେବ ଚାଲିଗଲେ । ତାଙ୍କ ସ୍ଥାନରେ ଆସିଲେ ଅନ୍ୟ ଶିକ୍ଷକ ।

 

ଲୋକେ ଅଗ୍ନିଦେବଙ୍କୁ ଭୁଲିଗଲେ ।

 

ଗଣ୍ଡଗୋଳ ସମ୍ବନ୍ଧୀୟ ମକଦ୍ଦମାବି ସମସ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରୁ ପ୍ରତ୍ୟାହାର କରି ନେଲା ପୁଲିସ; ସ୍ଥାନୀୟ ବିଶିଷ୍ଟ ଲୋକମାନଙ୍କ ଅନୁରୋଧରେ ।

 

ସବୁ ଠିକ୍‌ ଆଗପରି ଚାଲିଲା ।

 

ପରୀକ୍ଷା ଆଗେଇ ଆସୁଚି । ପଢ଼ାପଢ଼ିରେ ମନ ଦେବାକୁ ହେବ । ଅନୁଭବ କଲି, ମୋର ଦାୟିତ୍ୱଜ୍ଞାନ ଯେପରିକି ଖୁବ୍‌ ବଢ଼ି ଯାଇଚି ।

 

ବହି ଭିତରେ ବୁଡ଼ି ରହିଲି ।

 

ଅଞ୍ଜଳି ଘରକୁ ଯାଏଁ । ତେବେ ଆଗଭଳି ସବୁଦିନ ନୁହେଁ । ଅବଶ୍ୟ ମୁଁ ନଗଲେ ସ ବହିପତ୍ର ଧରି ମୋ ପାଖକୁ ଚାଲିଆସୁଥିଲା ।

 

ତା’ ପ୍ରତି ମୋର ଆଉ ମୋହ ନଥିଲା, ଥିଲା ସହାନୁଭୂତି । ସେ ପଢ଼ାପଢ଼ିରେ ଦୁର୍ବଳ ଥିଲା । କିନ୍ତୁ ମୋ ମନ ଭିତରେ ଟିକିଏ ସ୍ୱାର୍ଥପରତାବି ଆସି ଯାଇଥିଲା । ତେଣୁ ତା’କୁ ସାହାଯ୍ୟ କରିବାକୁ ଚାହୁଁ ନଥିଲି ବିଶେଷଭାବେ । କାଳେ ତା’ରି ପରି ନିଜେ ପଛେଇ ଯିବି, ଏଇ ଭୟରେ ! ତା’ପାଇଁ ସମୟ ଦେଇ ନିଜର କ୍ଷତି କରିବାକୁ ଚାହୁଁ ନଥିଲି ।

 

ଆମମାନଙ୍କୁ ଚାଇଁବସା କେନ୍ଦ୍ରକୁ ଯିବାକୁ ହୋଇଥିଲା । ପରୀକ୍ଷା ଦେବାପାଇଁ ।

 

ସମସ୍ତଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଥିଲା ନୂଆ ତିଆରି ହୋଇ ଉଦ୍‌ଘାଟିତ ହେବା ଅପେକ୍ଷାରେ ଥିବା ଜିଲ୍ଲା ଅଦାଲତ କୋଠାରେ । ଝିଅମାନେ ଗୋଟିଏ ବ୍ଲକରେ ରହୁଥିଲେ । ଆମେ ଅନ୍ୟ ବ୍ଲକମାନଙ୍କରେ ।

 

ଅଞ୍ଜଳି ସାଙ୍ଗରେ ଦେଖାହୁଏ ପ୍ରତିଦିନ । ଯେଉଁ ପ୍ରକାର ପ୍ରଶ୍ନ ପଡ଼ିବାର ସମ୍ଭାବନା ଥିବା ସୂଚାଇ ଥିଲି...ପ୍ରାୟ ସେଇଭଳି ପଡ଼ୁଚି ବୋଲି ସେ ଖୁସି ହୋଇ କହେ ।

 

ପରୀକ୍ଷା ଭିତରେ ମୁଁ କିନ୍ତୁ ଅଗ୍ନିଦେବଙ୍କ କଥା ଭାବୁଥାଏ ।

 

ଏଇଠି ତାଙ୍କ ଘର ।

 

ଶେଷଦିନ ନିକଟବର୍ତ୍ତୀ ଏକ ଜଳିଖିଆ ଦୋକାନରୁ ପଚାରି ବୁଝି ‘‘ଲୁଫୁଗୁଟୁ’’ ଝର ପାଖ ତାଙ୍କ ଘରେ ଯାଇ ପହଞ୍ଚିଲି ।

 

ଛୋଟ ପକ୍କାଘରଟିଏ । ଭଡ଼ା ଦିଆହୋଇଛି ।

 

ଭଡ଼ାଦାର୍‌ ଜଣେ ସରକାରୀ କର୍ମଚାରୀ । ତାଙ୍କରିଠାରୁ ବୁଝିଲି ଅଗ୍ନିଦେବ ନିରୁଦ୍ଦିଷ୍ଟ । ତାଙ୍କ ସ୍ତ୍ରୀ ଆଉ ଏକମାତ୍ର କନ୍ୟା ଡାଲ୍‌ଟାନ୍‌ଗଞ୍ଜରେ । ସାନ ଭାଇ ଧନୀ ଲୋକ । ଅଭ୍ର ଖଣି ଠିକାଦାର । ସେଠାରେ ତା’ର ବିରାଟ୍ କାରବାର । ସେ ଅବିବାହିତ । ଡେଲ୍‌ଟାନ୍‌ଗଞ୍ଜରେ ମସ୍ତବଡ଼ ଘର କରିଚି । ଭାଉଜ, ଝିଆରୀ ବେଶ୍‌ ଭଲରେ ଅଛନ୍ତି ସେଠି । ଅଗ୍ନିଦେବ ବହୁଦିନ କୁଆଡ଼େ ସ୍ତ୍ରୀ-କନ୍ୟା ସମ୍ବନ୍ଧରେ ବୀତସ୍ପୃହ ଥିଲେ । ପ୍ରାୟ ଆସୁ ନଥିଲେ ଘରକୁ ।

 

ଫେରି ଆସି ଝର ପାଖରେ ବସିଲି । ସହର ବାହାରେ ବେଶ୍ ସୁନ୍ଦର ନିକାଞ୍ଚନ ସ୍ଥାନ ।

 

କୁଳୁକୁଳୁ ଶବ୍ଦରେ ବହିଯାଉଚି ଉତ୍ସଟି ସହର ତଳ ଦେଇ ।

 

କୋଟ୍‍ ବିଲଡ଼ିଂ ସେଠାରୁ ବେଶି ଦୂରରେ ନୁହେଁ । ଶାଳ ବଣର ଫାଙ୍କ ଦେଇ ଦିଶୁଥାଏ-

 

କିଛି ସମୟ ପରେ ଉଠିଲି ।

 

ସନ୍ଧ୍ୟା ମାଡ଼ି ଆସୁଥିଲା ଖାଲି ବାହାରେ ନୁହେଁ, ମନ ଭିତରେବି । ଅଗ୍ନିଦେବ ଭାରି ମନେ ପଡ଼ୁଥିଲେ । ସେଇ ବିଦାୟ ବେଳର ଦୃଶ୍ୟ । କାହିଁକି ଜଣ ଜଣଙ୍କର ଏପରି ହୁଏ । ପରିବାର ଭଲ ଲାଗେ ନାହିଁ; ଦେଶ ଭଲ ଲାଗେ ! କିଏ ଜାଣେ ସେ ସୁବାଷବାବୁଙ୍କ ପାଖରେ ରହିଲେ ନା ଛନ୍ନଛଡ଼ା ହେଇ କେଉଁଠି ଘୂରି ବୁଲୁଚନ୍ତି ! ନିଶ୍ଚିତ, ନିରୁଦ୍‌ବିଗ୍ନ ଜୀବନ ଭିତରେ ଯେ ଶାନ୍ତି ପାଇ ପାରିଲେନି ।

 

ଜଣେ ଜଣେ ବୋଧହୁଏ ଶାନ୍ତି ପରିବର୍ତ୍ତେ ଅଶାନ୍ତି ଖୋଜିବାପାଇଁ ବାହାରନ୍ତି ।

 

ଯାହାର ଯାହା ମୂଲ୍ୟବୋଧ ।

 

ଚାଇଁବସାରୁ ଚକ୍ରଧରପୁର ।

 

ପଢ଼ାର ଚାପା ନାହିଁ, ଦାୟିତ୍ୱ ନାହିଁ । ଅଳସ ନିଷ୍କ୍ରିୟ ଜୀବନ ।

 

ମୁଁ ନରପତିଙ୍କ ସହିତ ସମୟ କଟାଇବାକୁ ଲାଗିଲି ।

 

କଂଗ୍ରେସ ଆଉ ଗାନ୍ଧୀ କଥା ଥରେ ଆଲୋଚନା ପ୍ରସଙ୍ଗରେ ପଡ଼ିବାରୁ ସେ କହିଥିଲେ: ସମ୍ପୂର୍ଣ୍ଣ ନୂଆ ଏକ ଏକ୍‌ସପେରିମେଣ୍ଟ । ଦେଖାଯାଉ କ’ଣ ହଉଚି । ସ୍ୱାଧୀନତା ଦେଖିବାପାଇଁ ମୁଁ ତ ବଞ୍ଚି ରହି ପାରିବିନି । ତମେମାନେଇ ଦେଖିବ ।

 

ତାଙ୍କ ସମ୍ବନ୍ଧରେ ମୋର ବ୍ୟକ୍ତିଗତ କୌତୁହଳ ଥିଲା । ମନେ ହେଉଥିଲା ସେ ଯେପରି ଏକ ଜୀବନ୍ତ ଇତିହାସ । ସିପାହି ବିଦ୍ରୋହର ବିବରଣୀ ବର୍ଣ୍ଣନା କଲାବେଳେ ତାଙ୍କ ଆଖି ଦି’ଟାକୁ ଚାହିଁବାକୁ ଭୟ ହୁଏ । ପୁଣି ସହାନୁଭୂତି ଆସେ ଯେତେବେଳେ ଅର୍ଜୁନ ସିଂହ ବନ୍ଦି ହେଇଯିବା କଥା କହନ୍ତି ।

 

ବୟସର ବ୍ୟବଧାନ ସତ୍ତ୍ୱେ ଆମେ ଉଭୟ ବନ୍ଧୁରେ ପରିଣତ ହୋଇ ଉଠିଥିଲୁ ।

 

ତାଙ୍କ ଜୀବନର ବହୁ ନିଷିଦ୍ଧ ଅଧ୍ୟାୟ ସେ ମୋ ଆଗରେ ଖୋଲି ଧରିଥିଲେ ।

 

ପ୍ରାସାଦର ଅଧିକାଂଶ କକ୍ଷଗୁଡ଼ିକ ସବୁବେଳେ ବନ୍ଦ ଥାଏ । ଦିନେ ସବୁ ପ୍ରକୋଷ୍ଠଗୁଡ଼ିକ ବୁଲି ଦେଖିବାପାଇଁ କୌତୁହଳ ପ୍ରକାଶ କଲି ।

 

ସେ ‘ପେଜ୍‌’କୁ ଡାକି ଚାବି ଖୋଲିବାକୁ କହିଲେ ।

 

ତାଙ୍କ ସାଙ୍ଗେ ସାଙ୍ଗେ ଚାଲିଲି ।

 

କକ୍ଷ ପରେ କକ୍ଷ ।

 

ଏଇଟା ଥିଲା ରାଣୀଙ୍କର ।

 

ଏଇଟା ବଡ଼ ଜେମାର ଯେ ବାହା ହେଇ ଚାଲି ଯାଇଚି ।

 

ସାନଜେମା ?

 

‘ସାନଜେମା’ ପାଖରେ ଟିକିଏ ରହି ଯାଆନ୍ତି ନରପତି । କହନ୍ତି : ଶୈଶବରୁ ସେ ପୋଷ୍ୟା ।

 

ରାଜା ମୋତେ ଆର୍ଟ ଗ୍ୟାଲେରୀ ଦେଖାନ୍ତି ।

 

କାର୍ଡ଼ବୋର୍ଡ଼ରେ ମଣିଷ ପ୍ରମାଣ ରଙ୍ଗିନ ଛବି ସବୁ । କାଠ ଷ୍ଟାଣ୍ଡରେ ଠିଆ ହୋଇଚି ।

 

ସିଂହାସନରେ ଆସୀନ ଅର୍ଜୁନ ସିଂହ । ପାଖରେ ସିଂହାସିନୀ ।

 

ଏପରି ଅଦ୍ଭୁତ ସୁନ୍ଦରୀ ମୁଁ ଦେଖିନି ।

 

ସାକ୍ଷାତ ଦେବୀ ପ୍ରତିମା ପରି !

 

ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ଶକ୍ତି ପୋଡ଼ାହାଟ ଦୁର୍ବଳ ହୋଇ ପଡ଼ିବାର ମୂଳକାରଣ ଯେଉଁ ମହିଳା ! ଏ ସେଇ ସିଂହାସିନୀ !

 

ଏହାଙ୍କପାଇଁ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ...ଅର୍ଜୁନ ସିଂହ...ଦୁର୍ଦ୍ଧର୍ଷ କୋହ୍ଲ ଆଉ ଅପରାଜେୟ ସୁରାକ ଶକ୍ତି ସହିତ ।

 

: ଆପଣଙ୍କ ବିମାତା !

 

: ଦେବୀ ସିଂହାସିନୀଙ୍କୁ ମୁଁ କେବେ ‘ବିମାତା’ ମନେ କରିନି ଅଭିଜିତ ।

 

ଗୋଟିଏ ପରେ ଗୋଟିଏ... ଛବିଗୁଡ଼ିକ ମୋତେ ଦେଖାଉଥିଲେ ନରପତି ।

 

ଶେଷରେ କର୍ଣ୍ଣେଲ ଫଷ୍ଟାରଙ୍କ ପାଖରେ ଅର୍ଜୁନ ସିଂହଙ୍କ ଆତ୍ମ–ସମର୍ପଣର ଦୃଶ୍ୟ ।

 

ତା’ପରେ ଇଂରେଜ ସୈନିକ କେତେଜଣ ସାଲ୍ୟୁଟ୍‌ କରୁଛନ୍ତି ନରପତି ସିଂହଙ୍କୁ । ଭାଇସ୍‌ରାୟ ନିଜ ହାତରେ ପିନ୍ଧାଇ ଦେଉଛନ୍ତି ମୁକୁଟ ।

 

କାଠ ଷ୍ଟାଣ୍ଡରେ ଠିଆ ହେଇଥିବା ଛବିଗୁଡ଼ିକ ଚାହିଁଥିଲେ ନରପତି । କାର୍ଡ଼ବୋର୍ଡ଼ରେ ଅଙ୍କା ହେଇଥିଲେବି କେତେ ଜୀବନ୍ତ !!!

 

: ଏଇ ଛବି ସବୁ କାହାଦ୍ୱାରା ଆପଣ ଅଙ୍କାଇ ଥିଲେ ? ରାଜବଂଶର ଇତିହାସ ତ ଏହା ଭିତରେ ରହିଚି ।

 

: ସୁଦକ୍ଷ ଶିଳ୍ପୀର ଅଙ୍କନ ! ଦେଖ...ସାଇଡ଼୍‌ରେ ଛୋଟକରି ଲେଖା ହେଇଚି ଜେ: ଏନ୍‌: ରାୟ ।

 

: ଯାମିନୀ ରାୟ ନୁହେଁତ ?

 

: ଜାଣେନା । କିନ୍ତୁ ସବୁ ମୁଁ ଅଙ୍କାଇନି ।

 

: ତେବେ ?

 

: ମୋତେ ଚୂଡ଼ାନ୍ତ ଅପମାନ ଦେବାପାଇଁ ନୁହେଁ, ଭବିଷ୍ୟତ୍‍ରେ ଯେପରି ବିଦ୍ରୋହ କରିବା କଥା ଚିନ୍ତା କରି ନପାରେ... ତାହାହିଁ ଚେତାଇ ଦେବାପାଇଁ ବୋଧହୁଏ...ଏଇ ସେଟ୍‌ଟି ଉପହାର ଦେଇଥିଲେ ଭାଇସ୍‍ରାୟ । ସେ ହୁଏତ ଭାବିଥିଲେ ସିଂହ ହେବା ସ୍ୱାଭାବିକ । କିନ୍ତୁ ଅର୍ଜୁନ ସିଂହଙ୍କ ରାଣୀ ଯେ ଗୋଟିଏ ମୂଷିକ ପ୍ରସବ କରିଥିଲା, ତାହାର ମନସ୍ତାତ୍ତ୍ୱିକ ଚିକିତ୍ସା ଯେ ଅନାବଶ୍ୟକ ଏହା ଜାଣିଥିଲେ ସେ ଚିକିତ୍ସାର ଏହିସବୁ ଉପକରଣ ଯୋଗାଇ ଦେଇ ନ ଥାନ୍ତେ କେଉଁ ସୁଦକ୍ଷ ଶିଳ୍ପୀକୁ ଅକାରଣେ ବରାଦ ଦେଇ । ତେରବର୍ଷ ବୟସରେ ରାଜା ଅର୍ଜୁନ ସିଂହଙ୍କ ସାଙ୍ଗରେ ମିଶି ଯିଏ ଦୁର୍ଗ ଭିତରୁ ଇଂରେଜ ଉପରକୁ ବନ୍ଧୁକ ଚାଳନା କରିଥିଲା...ସେଇ ପୁଣି ବୁଡ଼ିଗଲା ସୁରା, ନର୍ତ୍ତକୀ ଆଉ ଶିକାର-ବିନୋଦନ ଭିତରେ...ଜୀବନ ଠାରୁ ପଳାୟନବାଦୀ ତାହାର ଯୌବନକୁ ‘ସାର୍ଥକ’ କରିବାପାଇଁ, ‘ସାର୍ଥକ’ ଆଶ୍ରୟ ଦେବାପାଇଁ ।

 

: କିନ୍ତୁ ସେତେବେଳେ ଭାରତର ଯେଉଁ ଅବସ୍ଥା ଆପଣ କ’ଣ ବା କରି ପାରି ଥାଆନ୍ତେ-!

 

କିଛି ସମୟ ନୀରବ ରହି ସେ ପୁଣି କହିଲେ : ସୁରା, ନର୍ତ୍ତକୀ, ଶିକାର-ବିନୋଦନ ଭିତରେ ମୁଁ କିନ୍ତୁ ପ୍ରକୃତରେ ବୁଡ଼ି ରହି ନଥିଲି; ଖାଲି ନିଜକୁ ଭୁଲିବାକୁ ଚେଷ୍ଟା କରି ଚାଲିଥିଲି ଅର୍ଜୁନ ସିଂହଙ୍କ ପ୍ରତି ହୋଇଥିବା ଅପମାନ, ସିଂହାସିନୀଙ୍କ ପ୍ରତି ଲାଞ୍ଛନାର ସ୍ମୃତି । ନଚେତ ଏଇ ଦୁର୍ଗ ଦେଖି ଥାଆନ୍ତା ଆଉ ଏକ ନିଷ୍ଫଳ ବିଦ୍ରୋହ ! ପଞ୍ଜାବ କେଶରୀ ମହାରାଜା ରଣଜିତ୍‌ଙ୍କ ପରି ମୁଁ ବି ଜାଣିଥିଲି ଅଭିଜିତ, ଯେ ଇଂରେଜକୁ ହଟେଇବା ଅସମ୍ଭବ । କିନ୍ତୁ ଆଜି ବୃଦ୍ଧ ଜରାଗ୍ରସ୍ତ ନରପତି ବିଶ୍ୱାସ କରେ ତମେମାନେଇ ପାରିବ...ତମେମାନେଇ ହୋଇ ପାରିବ ଅର୍ଜୁନ ସିଂହଙ୍କ ଉପଯୁକ୍ତ ଉତ୍ତରପୁରୁଷ ।

 

ମୋ ଆଡ଼କୁ ସେ ସ୍ନେହଭରା ଆଖିରେ ଚାହିଁ ରହିଲେ କିଛିକ୍ଷଣ । ତା’ପରେ ଶାନ୍ତି ଗଳାରେ କହିଲେ : ସେ ପାଖରେ ଦେଖ ସେଇ ଷ୍ଟାଚ୍ୟୁଟିକୁ... । ଏଟା ଇଂରେଜ ଦେଇନି । ନିଜେ ତିଆରି କରାଇଥିଲେ ବାପା ।

 

ଘୋଡ଼ା ଉପରେ ଅର୍ଜୁନ ସିଂହ ଓ ସିଂହାସିନୀ । କାଠରେ ତିଆରି ହେଲେ ମଧ୍ୟ ଜୀବନ୍ତ-ପ୍ରାୟ ।

 

: ସେ ବି ଭାରି ପଜେସିଭ୍ ଥିଲେ ଅଭିଜିତ । ମାଆଙ୍କୁ ସେ ପଜେସ୍ କରିବାକୁ ଚାହିଁଥିଲେ; କଲେ । ମୁଁ ମଧ୍ୟ ସେଇ ପ୍ରବୃତ୍ତି ଉତ୍ତରାଧିକାରୀ ସୂତ୍ରରେ ପାଇଚି । କିନ୍ତୁ ତଥାପି.....

 

ବିଚିତ୍ର ଏକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ରାଜା ନରପତି ସିଂହ ।

 

ବିଶାଳକାୟ ଦୁର୍ଗଟାରେ ସେ ପ୍ରାୟ ନିଃସଙ୍ଗ ଜୀବନଯାପନ କରୁଥିଲେ । ଚାହୁଁ ନଥିଲେ ଲୋକ-ସମ୍ପର୍କ ରକ୍ଷା କରିବାକୁ । ତାଙ୍କ ସମ୍ବନ୍ଧରେ କିଏ କେତେ ପ୍ରକାର କହୁଥିଲେ । କିନ୍ତୁ ତଥାପି ମୁଁ ଚୁମ୍ବକ ପରି ତାଙ୍କ ଆଡ଼କୁ ଆକର୍ଷିତ ହେଇଥିଲି ନିତାନ୍ତ ଅହେତୁକ ଭାବରେ । କେତେବେଳେ ‘ମାଈଁ ଚାଇଲଡ଼୍‌’ ‘ମାଈଁ ସନ୍‌’ କହୁଥିଲେ ତ କେତେବେଳେ ମୋତେ ସମ୍ବୋଧନ କରୁଥିଲେ ‘ଡିୟର ଫ୍ରେଣ୍ଡ୍‌’ ବୋଲି । ବେଳେବେଳେ ଭାରି ଉତ୍ତେଜିତ ହୋଇ ବୀର ପରି କଥାବାର୍ତ୍ତା କରନ୍ତି; ପୁଣି କେତେବେଳେ ପରାଜିତ ସୈନିକ ଭଳି ଭାଙ୍ଗି ପଡ଼ିଥିବା ମନୋଭାବ । ଚାକର-ବାକରଙ୍କ ଉପରେ ହଠାତ ଖୁବ୍‌ ଭାରି ରାଗି ଯାଆନ୍ତି; ହସି ଦିଅନ୍ତି ପର ମୁହୂର୍ତ୍ତରେ ।

 

ସ୍ୱାସ୍ଥ୍ୟ କିନ୍ତୁ ଦିନକୁଦିନ ଭାଙ୍କି ପଡ଼ୁଚି ତାଙ୍କର । ବେଳେବେଳେ ଚେଷ୍ଟ୍ ପେନ୍ ହେଉଚି । ଡାକ୍ତର ଆସି ଇଞ୍ଜେକ୍‌ସନ୍‌ ଦେଇ ଯନ୍ତ୍ରଣା କମାଇ ଦିଅନ୍ତି–ଆଠ ହଜାର ଫୁଟରୁ ଅଧିକ ଉଚ୍ଚ କୌଣସି ଶୈଳ ନିବାସରେ କିଛିଦିନ ଯାଇ ରହିବାପାଇଁ ଏବଂ ମଦ୍ୟ-ପାନ ପୂରାପୂରି ବନ୍ଦ କରି ଦେବାପାଇଁ ପରାମର୍ଶ ଦିଅନ୍ତି.... !

 

ହେଲେ, କିଏ ଶୁଣେ କାହା କଥା ?

 

ଏଇ ଦୁର୍ଗ ଛାଡ଼ି ଯିବେନି କି ମଦ ଛାଡ଼ି ପାରିବେନି !

 

ସମୟ ସମୟରେ ତାଙ୍କ ଉପରେ ଖୁବ୍‌ ରାଗ ଆସେ । ବେଶି ବୟସ ହେଲେ ବୋଧହୁଏ ମଣିଷ ଇମିତି ଜିଦ୍‌-ଖୋର୍ ହୁଏ, ଅଯୌକ୍ତିକ ହୁଏ । ହୁଏ ଶିଶୁ ପରି ଅବୁଝା ।

 

ତାଙ୍କର ଏହି ପ୍ରକୃତିପାଇଁ ବୋଧହୁଏ ତାଙ୍କୁ ବଡ଼ ଜେମା, ସାନ ଜେମା, ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ସମସ୍ତେ ପରିତ୍ୟାଗ କରିଚନ୍ତି... ଏଡ଼ାଇ ରହିଚନ୍ତି ! ନଚେତ କେହି ଏଠିକି ଆସୁ ନାହାନ୍ତି କାହିଁକି ?

 

ତିନି ଚାରିଜଣ ଚାକର ଆଉ ଗୋଟିଏ ମହାବଳ ବାଘ ନେଇ, ପ୍ରାୟ କୁଆଡ଼େ ନ ଯାଇ, ଜନ-ସମ୍ପର୍କ ଯଥାସମ୍ଭବ ଏଡ଼ାଇ, ମାସ ପରେ ମାସ...ବର୍ଷ ପରେ ବର୍ଷ... ଜରାଜୀର୍ଣ୍ଣ ଗୋଟାଏ ପ୍ରାୟାନ୍ଧକାର ଦୁର୍ଗ ଭିତରେ ଖାଲି ଅତୀତ ଇତିହାସକୁ ଅନୁଶୋଚନା କରି ମୃତ୍ୟୁପାଇଁ ଦିନ ଗଣି ଗଣି ଚାଲିଲେ ଯେ କେହି ଲୋକ ଅପ୍ରକୃତିସ୍ଥ କ’ଣ ପାଗଳ ତ ହେଇଯିବ ।

 

ଆପଣ ମହାବଳଟାକୁ ଏତେ ଭଲ ପାଉଚନ୍ତି....ବୋଲି ପଚାରିଥିଲି ଥରେ ।

 

ଭଙ୍ଗା ଗଳାରେ କହିଲେ : ବିଚରା ! ମୋରି ପରି ପଜେସିଭ୍‌ ସ୍ପିରିଟ୍‍ପାଇଁ ତା’ର ଏ ଅବସ୍ଥା !!

 

ମୋତେ ହସ ମାଡ଼ି ଆସୁଥିଲା । ରୋକି ନେଲି ।

 

: ବାପାଙ୍କ ବଳ, ସାହସ, ଶୌର୍ଯ୍ୟ, ବୀରତ୍ୱ, ଦେଶାତ୍ମବୋଧ... କିଛି ତ ପାଇ ପାରିଲି ନାହିଁ ଅଭିଜିତ । ଇନ୍‌ହେରିଟ୍‌ କଲି ଖାଲି ତାଙ୍କ ପଜେସିଭ୍‌ ସ୍ପିରିଟ୍‌ । ୟା’ ବାପାଙ୍କୁ ଯନ୍ତା ବସେଇ ଚିଡ଼ିଆଖାନା ପାଇଁ ଧରି ନିଆହେଇଥିଲା । ତା’ପରେ ଉପଦ୍ରବ ସୃଷ୍ଟି କରିଥିଲା ମାଆଟା । ମଣିଷଖିଆ ସେଇ ବାଘୁଣୀକୁ ଶିକାର କରିବାପାଇଁ ଭାରି ଇଚ୍ଛା ହେଲା ମୋର । ହଣ୍ଟିଂ ସ୍ପଟରେ ବସି ବସି ବାରମ୍ବାର ହରିଣ, ମହିଷ ଆଉ ଛାଗଳର ‘ଚାରା’ ବଣ-ବୁଦାରେ ବାନ୍ଧି ବାନ୍ଧି... କୌଣସି ପ୍ରକାରେ ତାକୁ ଆକର୍ଷଣ କରି ହେଲାନି । କିନ୍ତୁ ତା’ର ସୁନ୍ଦର ଶବଟାକୁ ପେକିଂ କରି ରଖିବା ଯେ ମୋର ଦରକାର । ମନ ଭିତରେ ସେଇ ପଜେସିଭ୍‌ ସ୍ପିରିଟ୍‌ । ଆଇ ମଷ୍ଟ ହେବ୍‌ ଇଟ୍‌ !! କିନ୍ତୁ ସବୁ ପରିଶ୍ରମ ନିଷ୍ଫଳ । ମଣିଷଖିଆକୁ, ହରିଣ, ମହିଷ ଆକର୍ଷଣ କରି ପାରେନା । ଶେଷରେ ହଠାତ ମୋ ମଥାକୁ ଗୋଟାଏ ବୁଦ୍ଧି ଆସିଲା । ହରିଣ ପରିବର୍ତ୍ତେ ରହିମ୍‌କୁ ବାନ୍ଧି ଦେଲେ ଗଛରେ । ସେ ଭୟରେ ଥରୁଥାଏ । ତାକୁ ବନ୍ଧୁକ ଦେଖାଇ ଚୁପ୍ ରହିବାକୁ କହିଲି । ସେ କେବଳ ପ୍ରାଣଭୟରେ ମୋ ଆଦେଶ ପାଳନ କରିଥିଲା । ତେବେ ତା’ର ବିଶ୍ୱାସ ଥିଲା ଯେ ମୋର ଲକ୍ଷ୍ୟ ଅବ୍ୟର୍ଥ; ବାଘ ତା’ ଉପରକୁ ଝାମ୍ପି ପଡ଼ିବା ଆଗରୁ ଟଳି ପଡ଼ିବ ମୋ ଗୁଳିରେ ।

 

: କିନ୍ତୁ , ଏତେ ବଡ଼ ରିସ୍କ୍ ଆପଣ...

 

: କହିଚି ତ, ମୁଁ ପଜେସିଭ୍‌ ଅଭିଜିତ । ଯାହା ଚାହେଁ... ଆଇ ମଷ୍ଟ୍‌ ହେବ୍‌ ଇଟ୍‌... !

 

ତା’ପରେ ବାଘୁଣୀ ଆସିଥିଲା । ସାଙ୍ଗରେ ତା’ର ଶାବକ । ଗୋଟିଏ ମାତ୍ର ଗୁଳିରେ ସେ ଟଳି ପଡ଼ିଥିଲା । କିନ୍ତୁ ତା’ ପିଲାଟା ମାଆର ଶବକୁ ଛାଡ଼ି ନ ଯାଏଁ ! ...ବିଳମ୍ବିତ ଚନ୍ଦ୍ରୋଦୟର ଆଲୋକରେ, ସେଇ କୃଷ୍ଣ ତ୍ରୟୋଦଶୀର ଶେଷ ରାତିରେ ମୁଁ ନିଶ୍ଚୁପ୍‌ ହେଇ ଠିଆ ହୋଇ ରହି ସେଇ ଦୃଶ୍ୟ ଦେଖିବାକୁ ଲାଗିଲି । ଚିତ୍କାର କରି କହିବାକୁ ଇଚ୍ଛା ହେଲା, ଆରେ ନିର୍ବୋଧ, ବଣ ଭିତରକୁ ପଳା...ନଚେତ କୌଣସି ଶିକାରୀ, କି ମୁଁ ବି...ଏ ସୁଯୋଗ ଛାଡ଼ିବିନି ।... ନା, ସେ ଗଲାନାହିଁ ତା’ ମାଆକୁ ପରିତ୍ୟାଗ କରି । ଦୁଗ୍ଧପୋଷ୍ୟ ନୁହେଁ–ବେଶ୍‌ ବଡ଼ ହେଇଚି–ତଥାପି ମାଆ ପ୍ରତି ଏତେ ମମତା ! ...ଶେଷ ପର୍ଯ୍ୟନ୍ତ ସେ ବନ୍ଦି ହେଲା । ରହିଲା ଆସି ଏଇ ଦୁର୍ଗରେ । ତା’ ମାଆର ପେକିଂ କରା ଶବ ଏବେବି ଉପରମହଲାରେ ରହିଚି... ଚାଲ ଦେଖିବା ଅଭିଜିତ ।

 

ବାଘର ଜୀବନୀ ସହ ନିଜର ଜୀବନକୁ ତୁଳନା କରନ୍ତି ନରପତି ସିଂହ ।

 

ଅନେକ ଚେଷ୍ଟାରେ ତା’ପାଇଁ ବାଘୁଣୀଟିଏ ମଧ୍ୟ ଯୋଗାଡ଼ କରି ଅଣାଇଥିଲେ ।

 

ଉଭୟଙ୍କୁ ପରିଣତ କରାଇଥିଲେ ନିରାମିଷାହାରୀରେ ।

 

କହନ୍ତି: ମୋ ବାପାଙ୍କୁ ଯେପରି ବନ୍ଦି କରି ରଖାଗଲା ବନାରସରେ, ଦେବୀ ସିଂହାସିନୀ ହେଲେ ଗୁଳିର ଶିକାର, ବ୍ରିଟିଶ୍‌ ମତେ ନେଇ ...ଠିକ୍‌ ସେହିପରି !

 

ମନକୁମନ ହସନ୍ତି ସେ ନିଜକୁ ଉପହାସ କଲାପରି.... !

 

ବିଚରା ! ରାଜ୍ୟଚ୍ୟୁତ, ନଷ୍ଟନୀଡ଼, ଛିନ୍ନମୂଳ, ନିଃଶେଷିତ ରାଜା ନରପତି ସିଂହ ।

 

ଚକ୍ରଧରପୁରରେ ଇଲେକ୍‌ଟ୍ରିସିଟି ଥିଲା । ଦୁର୍ଗ ଭିତରକୁ ମଧ୍ୟ ଲାଇନ ଆସିଚି । କିନ୍ତୁ ଭିତରେ ଲାଗିଥିବା ବଲ୍‌ବଗୁଡ଼ିକ ଖୁବ୍‌ କମ୍‌ ପାୱାରର । ରାଜା କହୁଥିଲେ ଯେ ଆଲୋକ ସହ୍ୟ କରି ପାରନ୍ତି ନାହିଁ । ପ୍ରାୟାନ୍ଧକାର ପରିବେଶ ତାଙ୍କୁ ଭଲ ଲାଗେ । ସେ ପସନ୍ଦ କରୁଥିଲେ ଦୁର୍ଗରେ ମୁଖଶାଳା ସବୁବେଳେ ବନ୍ଦ କରି ରଖିବାକୁ । ମନ ଭିତରେ ସତେ ଯେପରି ବହିଃଶତ୍ରୁ ଆକ୍ରମଣର ଆଶଙ୍କା–ଏହିପରି ମନେ ହେଉଥିଲା ତାଙ୍କ ଆଚରଣରୁ । ସେ ପୋଷ୍ୟପୁତ୍ର ଗ୍ରହଣ କରି ନଥିଲେ କି କରିବାର ଇଚ୍ଛା ମଧ୍ୟ ତାଙ୍କର ନଥିଲା । ଚାହୁଁଥିଲେ ତାଙ୍କ ବଂଶ ନିର୍ବଂଶ ହେଇଯାଉ । ତାଙ୍କର ଏପରି ଚାହିଁବାର କାରଣବି ସେ ଚାହୁଁ ନଥିଲେ ଜାଣିବାକୁ ।

 

ବିଚିତ୍ର ଏଇ ଚରିତ୍ରଟି ନିଜ ଭିତରେ ନିଜକୁ ଲୁଚାଇ ରଖି ଆପଣାକୁ ପରିଣତ କରିଥିଲେ ଏକ ରହସ୍ୟମୟ ବ୍ୟକ୍ତିତ୍ୱରେ ।

 

ଦିନେ ଯାଇ ଦେଖିଲି ସେ ଉତ୍ତେଜିତଭାବେ ଦୁଇ ନଳା ବନ୍ଧୁକଟିଏ ଧରି ପାର୍ଲୋର୍‌ ଉପରେ ପଦଚାରଣ କରୁଚନ୍ତି । ଟି’ ପୟ ଉପରେ ଖାଲି ବୋତଲ କେତୋଟି ଗଡ଼ୁଚି ।

 

ମୋତେ ଦେଖି ଆଦେଶ ସୂଚକ ଇଙ୍ଗିତ କଲେ ବସିବାକୁ । କିଛି ସମୟ ପରେ ‘ପେଜ୍’ ଆଉ ‘ରହିମ୍’ କର୍ଣ୍ଣେଲ୍ ଫଷ୍ଟର୍ ବ୍ରିଗେଡ଼ିୟର ଫ୍ରେଡ଼୍‌ରିକ୍‌, କ୍ୟାପ୍‍ଟେନ୍‌ ଫ୍ରାନ୍‌ସିସ୍‌ ଆଉ ଭାଇସ୍‍ରାୟଙ୍କ ଷ୍ଟାଣ୍ଡ୍ ଲଗା କାର୍ଡ଼ବୋର୍ଡ଼ ଷ୍ଟାଚ୍ୟୁ ସବୁ ଆଣି ଧାଡ଼ି କରି ଠିଆ କରାଇ ଦେଲେ ସଂଜୟୀ ଆଡ଼କୁ ପଛକରି : ...ସେଗୁଡ଼ିକର ଜଏଣ୍ଟ ସବୁ ଖୋଲାଥିବାରୁ ଜଣା ପଡ଼ି ଯାଉଥିଲା ଅନ୍ୟ ଷ୍ଟାଚ୍ୟୁଠାରୁ ଡିଟାଚ୍‌ କରି ହୋଇଚି କବ୍‌ଜା କଢ଼ା ହୋଇ ।

 

ମୋ ଆଡ଼କୁ ଫେରି ଚାହିଁ କହିଲେ : କେତେଦିନ ବଞ୍ଚିବି ଜାଣେନା । କିନ୍ତୁ... ବୋଧହୁଏ ଆଉ ବେଶି ଦିନ ନୁହେଁ । ...ଏଇ ଥିଲା ମୋର ଏକ ଅପୂରଣୀୟ ଶେଷ ଅଭିଳାଷ...

 

ଚାହିଁ ରହିଲେ ରାଜା ସେହି ମୂର୍ତ୍ତିଗୁଡ଼ିକ ମୁହଁକୁ । ...ଆଉ ତା’ପରେ ବନ୍ଧୁକ ଉଠାଇଲେ ।

 

ମୁଁ ଯାଇ ତାଙ୍କ ହାତ ଧରି ପକାଇଲି । : କ’ଣ କରୁଚନ୍ତି ଆପଣ ? ଲୋକେ କହିବେ....

 

: ରାଜା ନରପତି ସିଂହ ପାଗଳ ହେଇ ଯାଇଚି...

 

: ନା । ଏଇ ଖବର ସୀମାବନ୍ଧ ରହିବନି । ଚାରିଆଡ଼େ ପ୍ରଚାରିତ ହେଇଯିବ । ଇଂରେଜ ସରକାର ଜାଣିବେ...

 

: କ’ଣ ହେବ ସେଇଠୁ...

 

: ଯାହା ଅଛି ତା’ ବି ଚାଲିଯିବ । ଉପାଧି, ଆଲାଉନ୍‌ସ୍‌ ସୀମିତ କ୍ଷମତା...

 

: ଯାଉ ସବୁ ଚାଲି ଯାଉ...

 

: କିନ୍ତୁ ଭାରତର ଜଣେ ପୂର୍ବତନ ଭାଇସ୍‍ରାୟଙ୍କ ଛବିକୁ ନିଜ ଇତିହାସ ବହିର ପୃଷ୍ଠାରେ ଜାଣିଶୁଣି ବିକଳାଙ୍ଗ କରିଥିବା ଯୋଗୁଁ କଲିକତା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରକୁ ଗିରଫ୍ କରାହୋଇଥିବା ଖବର ଥରେ ପେପରରେ ବାହାରି ଥିଲା । ଦିଶ୍‌ ଇଜ୍‌ କର୍‌ନିଜିବ୍ଲ ଅଫେନ୍‌ସ !!!

 

: ଲେଟ୍‌ ଇଟ୍‌ ବି...

 

ଛବିଗୁଡ଼ିକୁ ଗୁଳି କରି ଲାଭ କ’ଣ ? ଏ ନିତାନ୍ତ ପିଲାଳିଆମି...କ୍ଷମା କରିବେ...ଲୋକେ ଆପଣଙ୍କୁ କେତେ ସମ୍ମାନ କରନ୍ତି... ଶୁଣିଲେ ଭାବିବେ...

 

: ପାଗଳ ହେଇ ଯାଇଚି ରାଜାଟା...ହା ହା ହା ହା...

 

: ଆପଣ ମୋର ପିତୃତୁଲ୍ୟ...ଅଧିକ କ’ଣ କହିବି...ଆପଣଙ୍କୁ ମୋ ରାଣ...

 

ବନ୍ଧୁକଟା ପାରାପେଟ୍‌ ଉପରେ ଆଡ଼େଇ ରଖି କ୍ଳାନ୍ତ ହେଲାପରି ସୋଫାରେ ଆଉଜି ବସି ପଡ଼ିଲେ ସେ । ନିଶା-ଗ୍ରସ୍ତ ନାଲିଆଖି ତାଙ୍କର ଲୁହରେ ଭରି ଉଠିଚି । ମୋ ଆଡ଼କୁ କରୁଣଭାବେ ଚାହିଁ କହିଲେ : କାମନା ପୂରଣ ନ ହେଲେ ଯେ ମଣିଷର ମୋକ୍ଷ, ମୁକ୍ତି, ନିର୍ବାଣ...ଅସମ୍ଭବ ।

 

: କିନ୍ତୁ ଏଇ କ’ଣ କାମନା ପୂରଣର ଉପାୟ ? ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ କ୍ରମ୍‌ୱେଲ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ ମୃତ୍ୟୁ ପରେ ତାଙ୍କ କଙ୍କାଳକୁ କବରରୁ ବାହାର କରି ଫାଶୀରେ ଝୁଲାଇ ‘ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରତିଶୋଧ ନେଇଛୁ’ ବୋଲି ଆତ୍ମ-ସନ୍ତୋଷ ଲାଭ କଲାପରି ଇଏତ ଖାଲି ନିଛକ ସାଇକୋଲୋଜିକାଲ୍‌ ସେଟିସ୍‌ଫାକ୍‌ସନ୍‌ !

 

: ମୁଁ ଶାନ୍ତି ପାଇ ପାରୁନି । ମନ ଭିତରେ ପ୍ରତିହିଂସା । ଅଥଚ କିଛି ଉପାୟ ନାହିଁ ।

 

: ଇତିହାସକୁ ଆପଣ ଭୁଲି ଯାଆନ୍ତୁ । ଗତସ୍ୟ ଶୋଚନା ନାସ୍ତି ।

 

: ତମେ ବୁଝିବ ନାହିଁ ଅଭିଜିତ ! ... ସୁଦୀର୍ଘ ସମୟ ବାପା ବନାରସରେ ଅନ୍ତରୀଣ ହୋଇ ରହିଲେ । କୋଟିଏ ସୁବର୍ଣ୍ଣ ଯିଏ ଦିନେ ଦାନ-ଦକ୍ଷିଣାରେ ବିତରଣ କରି ଦେଉଥିଲେ...ତାଙ୍କରି ଚଳିବାପାଇଁ ମାସିକ ଭତ୍ତା ବ୍ୟବସ୍ଥା ହେଲା ମାତ୍ର ଚାରିଶହ ଟଙ୍କା । କିନ୍ତୁ ବନାରସରେ ସମସ୍ତେ ଜାଣନ୍ତି ସେ ପୋଡ଼ାହାଟ ମହାରାଜା । ସେ ଉଦାର, ଦାନୀ, ଦୟାଳୁ ଅର୍ଜୁନ ସିଂହ । ଦୁସ୍ଥ, ଦରିଦ୍ର ଯାଇ ହାତ ପାତନ୍ତି... । କେହି ବିଶ୍ୱାସ କରି ପାରନ୍ତି ନାହିଁ ଯେ ସେ ନିଃସ୍ୱ । ବନାରସ ମହାରାଜାଙ୍କ ଠାରୁ ଋଣ କରି ସେମାନଙ୍କ ମାଗୁଣି କିଞ୍ଚିତ୍ ପୂରଣ କରିବାକୁ ଚେଷ୍ଟା କରନ୍ତି ବାପା । ଏଣେ କ୍ରମେ ଋଣ ବଢ଼ିଚାଲେ ସିନା, ପରିଶୋଧ ହୋଇ ପାରେନା । ବାପା ଇଂରେଜକୁ ଭତ୍ତା ବଢ଼ାଇବା ପାଇଁ ଅନୁରୋଧ କରନ୍ତି । ଭତ୍ତା ବଢ଼ି ହୁଏ ଛଅ ଶହ । ସେ ହସନ୍ତି । ଲେଖନ୍ତି, ଦେଖିଯାଅ...ମୋ ଦ୍ୱାରରେ କେତେ ସାହାଯ୍ୟପ୍ରାର୍ଥୀଙ୍କର ଭିଡ଼ । ଏଇମାନଙ୍କୁ ଦେବାପାଇଁ ତ ମୋର ଆହୁରି ବେଶି ଅର୍ଥ ଆବଶ୍ୟକ । ବ୍ରିଟିଶ୍‌ ସରକାର ଉତ୍ତର ଦେଇଥିଲେ, ଯିଏ ନିଜେ ‘ସାହାଯ୍ୟ ପ୍ରାର୍ଥୀ’ ସେ ପୁଣି ଅନ୍ୟକୁ ସାହାଯ୍ୟ କରିବାକୁ ଯାଏଁ କିପରି ? ଇଂରେଜର ଧମକରେ ବନାରସ ମହାରାଜା ତାଙ୍କୁ ଆଉ ଋଣ ଦେଲେ ନାହିଁ । ବାପାଙ୍କର ଜନପ୍ରିୟତାକୁ ଭୟ କରୁଥିଲେ ସରକାର । ‘ଆଉ ଆପଣଙ୍କୁ ସାହାଯ୍ୟ–ପ୍ରାର୍ଥୀମାନେ ବିରକ୍ତ କରିବେ ନାହିଁ ’ କହି ତାଙ୍କ ବାସଭବନର ଫାଟକ ଠାରୁ ବହୁଦୂର ଯାଏଁ ତାର ବାଡ଼ ଘେରାଇ ପୁଲିସ ଜଗୁଆଳି ବ୍ୟବସ୍ଥା ହେଲା ।

 

ଗବାକ୍ଷ ଖୋଲିଲେ ଦେଖାଯାଏ ବିଶ୍ୱେଶ୍ୱର ମନ୍ଦିରର ଚୂଡ଼ା ଆଉ ଦିଗ୍‍ବଳୟ ବ୍ୟାପୀ ପ୍ରଶସ୍ତ-ବକ୍ଷା ଗଙ୍ଗା । ଶୂନ୍ୟ ଆଖିରେ ସେଇ ଆଡ଼କୁ ଚାହିଁ ରହନ୍ତି ଅର୍ଜୁନ ସିଂହ ।

 

କେବେ କେବେ ମନ୍ଦିରକୁ ଯାଆନ୍ତି ଦର୍ଶନପାଇଁ, କିନ୍ତୁ ତାଙ୍କୁ ଭିଡ଼ରୁ ରକ୍ଷା କରିବାପାଇଁ ସାଙ୍ଗରେ ଥାଆନ୍ତି ପୁଲିସ ବାହିନୀ । ଗଙ୍ଗାକୁ ଗାଧୋଇବା ପାଇଁ ଗଲେବି ସତର୍କ ପହରାର ବ୍ୟବସ୍ଥା-। ଅନ୍ୟ କୌଣସି ରାଜା ତାଙ୍କ ସହ ସୌଜନ୍ୟ–ସାକ୍ଷାତ କରିବାପାଇଁ ଆସିଲେ ପ୍ରାୟ ଫେରାଇ ଦିଆ ହୁଏ.... ସେ ଅସୁସ୍ଥ ଅଛନ୍ତି କହି । ଏପରିକି ମୋ ସହିତ ଆଲୋଚନା ମଧ୍ୟ କାନ ପାତି ଶୁଣା ହୁଏ ।

 

: ଆପଣ କ’ଣ ରହୁଥିଲେ ତାଙ୍କ ସାଙ୍ଗରେ ?

 

: ନା । ମୋତେ ନୈନୀତାଲ୍‌ରେ ରଖା ହୋଇଥାଏ । ସାକ୍ଷାତପାଇଁ ଅନେକ କଷ୍ଟରେ ଅନୁମତି ମିଳେ । ସାଙ୍ଗରେ ରହିବାକୁବି ଦିଆଯାଏନା ।

 

: ଦୁଃଖର ବିଷୟ ।

 

: ବୟସ ଯେତେ ବଢ଼ୁଚି, ମୃତ୍ୟୁ ଯେତେ ନିକଟରେ ହେଉଥିବାର ମୁଁ ଅନୁଭବ କରୁଚି, ସେଇ ସବୁ କଥା ମୋର ସେତେ ଅଧିକରୁ ଅଧିକ ମନେ ପଡ଼ୁଚି ଅଭିଜିତ । ଭାବୁଛି, ମୁଁ ବାପାଙ୍କ ପାଇଁ କିଛି କରିପାରିଲି ନାହିଁ । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାରର ମୁଁ ନେଇ ପାରିଲିନି ପ୍ରତିଶୋଧ ।

 

ସବୁ ପ୍ରକାର ଅନ୍ୟାୟ ଅବିଚାରର ପ୍ରତିଶୋଧ ସମ୍ପୃକ୍ତ ବ୍ୟକ୍ତି ବିଶେଷ ନେଇ ପାରିବା ସମ୍ଭବ ହୋଇ ପାରେନା । କିନ୍ତୁ ଇତିହାସ ଏହାର ବିଚାର କରିବ । ପ୍ରତିଶୋଧ ନେବ ଭାବୀ କାଳ-

 

: ଅର୍ଜୁନ ସିଂହବି ଠିକ୍‌ ସେଇଆ କହୁଥିଲେ । ତାଙ୍କର ଜ୍ୟୋତିଃଶାସ୍ତ୍ରରେ ଭାରି ବିଶ୍ୱାସ ଥିଲା । କହୁଥିଲେ ମୋ ମୃତ୍ୟୁର ଅର୍ଦ୍ଧ-ଶତାବ୍ଦୀ ଭିତରେ ଭାରତ ସ୍ୱାଧୀନ ହେବ । ସିପାହି ବିଦ୍ରୋହର ଶତବାର୍ଷିକ ପାଳିତ ହେବାର ଗୋଟିଏ ଦଶନ୍ଧି ଆଗରୁ ବ୍ରିଟିଶ୍‌ ଭାରତରୁ ବିଦାୟ ନେଇଥିବ । ଏଇ ସମୟ ଭିତରେବି ସେମାନେ ଶାନ୍ତିରେ ଏଠି ରହି ପାରିବେନି । ଠିକ୍‌ କହି ନାହାଁନ୍ତି ? ଊଣେଇଶ’ ପା’ଞ୍ଚରେ ବନ୍ଦେ ମାତରମ୍‌ ଆନ୍ଦୋଳନ, ଊଣେଇଶ’ ଊଣେଇଶରେ ଜାଲିୱାନାବାଗ୍‌, ଊଣେଇଶ’ ଏକୋଇଶରେ ଗାନ୍ଧୀଙ୍କ ଅସହଯୋଗ...

 

: ବ୍ରିଟିଶ୍‌ ସିଂହ ଶାନ୍ତିରେ ଶୋଇ ପାରିନାହିଁ ।

 

: ଠିକ୍‌ ! ଠିକ୍‌ କହୁଚ ତୁମେ ! କିନ୍ତୁ ମୁଁ ବି ଯେ ଶାନ୍ତି ପାଇ ପାରୁନାହିଁ ଭାଇ । ଏ ବୟସରେ... ବ୍ରିଟିଶ୍‌ ବିରୁଦ୍ଧରେ ମୁଁ କ’ଣ କରି ପାରିବି ? ମୁଁ ଯେ ଶାନ୍ତି ପାଇ ପାରୁନି ।

 

: କହିଲି ତ ପ୍ରତିଶୋଧ ନେବ ଭାବୀ କାଳ । ଆପଣ କିଛି କରିବା ଅନାବଶ୍ୟକ ।

 

: କିନ୍ତୁ ଭିତରଟା ଯେ ସବୁବେଳେ ଅଶାନ୍ତ ହେଇ ଉଠୁଚି !

 

: ଆପଣ ଗୀତା ପଢ଼ନ୍ତୁ, ଧର୍ମ-ଗ୍ରନ୍ଥ ଆଲୋଚନା କରନ୍ତୁ......

 

: ଠିକ୍‌ ଏଇ ପରାମର୍ଶ ଯେ ଇଂରେଜବି ଦେଇଥିଲା ଅର୍ଜୁନ ସିଂହଙ୍କୁ । ଈଶ୍ୱର ଚିନ୍ତା କର, ଧର୍ମଶାସ୍ତ୍ରରେ ମନ ଦିଅ’ ! ଧର୍ମ କରିବା ଉଦ୍ଦେଶ୍ୟରେଇ ସେମାନେ ତାଙ୍କୁ କାଶୀ ପଠାଇ ଦେଇଥିଲେ । ଆଚ୍ଛା କହି ପାରିବ ଅଭିଜିତ, ସରକାର ରାଜନୀତି ଚର୍ଚ୍ଚାକୁ ନିରୁତ୍ସାହିତ କରେ...ଇତିହାସ ଚର୍ଚ୍ଚାକୁ ଭଲ ଆଖିରେ ଦେଖେନା–ଦେଖିଲେ ତ ଇତିହାସର ବ୍ୟାଖ୍ୟା କରିବାକୁ ଯାଇ ଏଠି ଜଣେ ଶିକ୍ଷାବିତ୍‌ର ଜୀବିକା ଚାଲିଗଲା–ଅନ୍ଧକୂପ ହତ୍ୟାର ଐତିହାସିକ ବ୍ୟାଖ୍ୟାକାର ହେବାକୁ ଯାଇ ସୁଭାଷ ବୋଷ୍‌ କିପରି ସରକାରୀ ବିଷଦୃଷ୍ଟିରେ ପଡ଼ିଲେ–କିନ୍ତୁ ଧର୍ମଚର୍ଚ୍ଚାକୁ ଏତେ ଉତ୍ସାହିତ କରେ କାହିଁକି ? ଧର୍ମର ଅର୍ଥ କ’ଣ ଯାହା କିଛି ହେଉଛି ସବୁ କିଛି ଈଶ୍ୱରଙ୍କ ଇଚ୍ଛା ବୋଲି ମନେ କରି ନେଇ ଭାଗ୍ୟବାଦୀ ହୋଇ ସବୁ କିଛି ସହି ନେଇ ଅବିଚଳିତ ରହିବା ?

 

: ଧର୍ମର ଅର୍ଥ ଠିକ୍‌ ତାହା ନୁହେଁ । ଧର୍ମ କେବେହେଲେ ମଣିଷକୁ କ୍ଳୀବ, ପଙ୍ଗୁ, ଭୀରୁ–କାପୁରୁଷରେ ପରିଣତ କରିନି । ଶାସକ ଗୋଷ୍ଠୀକୁ ସୁହାଇବା ପରି ଧର୍ମର ଭୁଲ୍ ବ୍ୟାଖ୍ୟା ଏଥିପାଇଁ ଦାୟୀ । ଅର୍ଜୁନ ଅସ୍ତ୍ର ସମ୍ବରଣ କଲାବେଳେ ଶ୍ରୀକୃଷ୍ଣ ତାଙ୍କୁ ଅସ୍ତ୍ର-ଧାରଣ କରିବାପାଇଁ କହୁଥିଲେ । କିନ୍ତୁ ଓଡ଼ିଶାକୁ ଦୁର୍ବଳ କରି ଦେବାପାଇଁ ପରକୀୟାର ମାଧ୍ୟମରେହିଁ କୃଷ୍ଣତ୍ୱ ପ୍ରାପ୍ତି ସମ୍ଭବ ବୋଲି ବୁଝାଇ ଦିଆହୋଇଥିଲା । ଏଥିପାଇଁ ବଙ୍ଗଳାରୁ ଓଡ଼ିଶାକୁ ଚୈତନ୍ୟଦେବଙ୍କୁ ପଠା ହୋଇଥିଲା । କାରଣ ବଙ୍ଗଳା ଚାହୁଁଥିଲା ଓଡ଼ିଶାକୁ ଶାସନ କରିବାପାଇଁ ।

 

: ଠିକ୍‌ ବୁଝିଚ ତମେ ।

 

: ଖାଲି ଧର୍ମ ନୁହେଁ, ପ୍ରେମକୁବି ଉତ୍ସାହିତ କରେ ସରକାର । ପାଠ୍ୟପୁସ୍ତକରେ ଭଲ୍‌ଟେୟାରାଙ୍କ ଲେଖା ସ୍ଥାନ ପାଏନା, ପାଏ ବାଇରନ୍‌ଙ୍କ ବିଦଗ୍ଧ ପ୍ରେମ-କବିତା ।

 

: କିନ୍ତୁ ଧର୍ମବି ପ୍ରେମର ନାମାନ୍ତର । କେତେବେଳେ ଦେଶପାଇଁ ଜାତିପାଇଁ ଏହା ଉଦ୍ଦିଷ୍ଟ, କେତେବେଳେ ବା କେବଳ ବ୍ୟକ୍ତି ବିଶେଷର ମଙ୍ଗଳପାଇଁ ।

 

: ଠିକ୍‌ କହୁଚନ୍ତି ଆପଣ ।

 

: ଜାଲିଆନାବାଗ୍‍ର ଶୋକ ସଭା କରିବାପାଇଁ ବନାରସରେ ଅନୁମତି ମିଳି ନଥିଲା । ଅଥଚ ତା’ ପରଦିନ ହୃଷିକେଶରୁ ଆସିଥିବା ଜଣେ ସନ୍ୟାସୀଙ୍କ ବକ୍ତୃତାମାଳା ଆରମ୍ଭ ହେଲା । ସାତଦିନ ବ୍ୟାପୀ ବିରାଟ୍ ଧର୍ମ-ସଭା । ଉଦ୍ୟୋକ୍ତାମାନେ ଚାହିଁଥିଲେ ଶୋକ–ସଭାରେ ସଭାପତିତ୍ୱ କରିବେ ଅର୍ଜୁନ ସିଂହ । ସରକାର ତାଙ୍କୁ ବାରଣ କରିଥିଲେ । ଅଥଚ ଆବେଦନ ନ କରିବା ସତ୍ତ୍ୱେ ଅଯାଚିତଭାବେ ତାଙ୍କୁ ଜିଲ୍ଲା ଶାସକ ଦପ୍ତରରୁ ଚିଠି ମିଳିଥିଲା ଯେ ସେ ଧର୍ମ–ସଭାରେ ଯୋଗ ଦେବାକୁ ଚାହିଁଲେ ଆବଶ୍ୟକୀୟ ସୁବିଧା କରି ଦିଆଯିବ ।

 

: ଆଶ୍ଚର୍ଯ୍ୟ !

 

: ତମେବି ତାହାହେଲେ ସେହିପରି ମୋତେ ଧର୍ମ ନେଇ ରହିବାକୁ ପରାମର୍ଶ ଦେଉଛ ! କାହିଁକି ?

 

: କାରଣ ବିଜ୍ଞାନ ନୁହେଁ, କୌଣସି କିଛି ନୁହେଁ,–କେବଳ ଧର୍ମହିଁ କହେ ପରଜନ୍ମ ଅଛି । ମନରେ ବିଶ୍ୱାସ ଆସିବ, ପରଜନ୍ମରେ ଆପଣଙ୍କ ପ୍ରତିଶୋଧ–କାମନା ପୂରଣ ହୋଇପାରେ ।

 

: ଇଂରେଜ ବିରୁଦ୍ଧରେ... ପରଜନ୍ମରେ... !! ତମେ ମୋତେ ନିର୍ବୋଧର ସ୍ୱର୍ଗରେ ବାସ କରିବାକୁ ପରାମର୍ଶ ଦେଇଛ ଅଭିଜିତ ! ତା’ ଅପେକ୍ଷା ବରଂ ବୁଦ୍ଧିମାନ୍‍ର ନରକରେ ଘାଣ୍ଟି ହେବାକୁ ମୁଁ ଅଧିକ ଶ୍ରେୟସ୍କର ମଣିବି ! ଜାଣେ ଏ ଜୀବନରେ ଆଉ କାମନା ପୂରଣ ଅସମ୍ଭବ; ପ୍ରତିଶୋଧ-କାମନା କି ଅନ୍ୟ କୌଣସି କାମନା ।

 

: ଅନ୍ୟ କାମନା ଆଉ କ’ଣ ? ଆପଣ ପଜେସିଭ୍‌ ! ସବୁ କିଛି ପଜେସ୍‌ କରିଛନ୍ତି !!

 

: ପାରି ନାହିଁ ଅଭିଜିତ, ପାରି ନାହିଁ । ଦୁନିଆରେ ସବୁ କିଛିକୁ ପଜେସ୍‌ କରି ହୁଏନା । କଂସ ଭଗବାନ୍‍ଙ୍କୁ ପଜେସ୍‌ କରି ପାରି ନଥିଲା, ଦିଗ୍‌ବିଜୟୀ ନେପୋଲିଅନ୍‌ ଗୋଟିଏ ନାରୀର ପ୍ରେମକୁ ପଜେସ୍‌ କରି ପାରି ନଥିଲେ କି ମହାକବି ଗେଟେଙ୍କ ପରି ହେବାକୁ ଚାହିଁ ଲେଖିବାକୁ ପ୍ରଚେଷ୍ଟା କରିବା ସତ୍ତ୍ୱେବି ସେ ସାହିତ୍ୟକୁ ପଜେସ୍‌ କରି ପାରି ନଥିଲେ । ଶକ୍ତି ଆଉ ପ୍ରଚେଷ୍ଟାଦ୍ୱାରା ବୋଧହୁଏ ସବୁ କିଛି ପଜେସ୍‌ କରି ହୁଏନା । ହଁ, ପୃଥିବୀରେ ସେପରି କେତେକ...ରହିଚି ।

 

କହୁ କହୁ ହଠାତ ରହିଗଲେ ନରପତି । ଛାତିରେ ହାତ ରଖି ଚୁପ୍-ଚାପ୍‌ ହେଇ ରହିଗଲେ କିଛି ସମୟ । ମୁହଁରେ କୌଣସି କିଛିର ଅଭିବ୍ୟକ୍ତି ନାହିଁ ।

 

ଭାବିଲି କ’ଣ ହେଲା !

 

ପୁଣି ସେ ସ୍ୱାଭାବିକ ହେଇଗଲେ ।

 

: ବେଳେବେଳେ ଛାତିରେ ଇମିତି ଯନ୍ତ୍ରଣା ହୁଏ । ଡାକ୍ତର କହୁଚନ୍ତି, ମଦ ଛାଡ଼ି ଦେବାପାଇଁ । ...ଛାଡ଼ି ଦେଲେ ଯନ୍ତ୍ରଣା ଭଲ ହେଇଯିବ । କିନ୍ତୁ ମନର ଯନ୍ତ୍ରଣା...

 

କହୁ କହୁ ସେ ସେଲଫ୍‌ରୁ ବୋତଲ ବାହାର କରି ଗିଲାସରେ ପୁଣି ଜିନ୍‌ ଢାଳିବାକୁ ଲାଗିଲେ ।

 

: କିନ୍ତୁ ଆପଣଙ୍କର.....ଭଲ ହୁଅନ୍ତା ଛାଡ଼ିଦେଲେ ।

 

କିଛି ପିଇ ନେଇ ଅର୍ଜୁନ ସିଂହଙ୍କ ଛବି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ନରପତି । ଏଥିପାଇଁ ଦାୟୀ ସେ ଆଉ ତାଙ୍କର ଅନ୍ୟାୟ ଜିଦ୍‌ ।

 

କାଶୀରେ ଅନ୍ତରୀଣ ରାଜା ଅର୍ଜୁନ ସିଂହ । ଆଉ ମୋତେ, ଇଂରେଜୀ ଶିକ୍ଷା ଦେବାପାଇଁ ରଖା ହେଲା ବ୍ରିଟିଶ୍‌ ରେସିଡ଼େନ୍‌ସିଆଲ୍‌ ଏକାଡ଼େମୀ, ନୈନୀତାଲ୍‌ରେ । ଉଦ୍ଦେଶ୍ୟ ବାପାଙ୍କ ଠାରୁ ମୋତେ ପୃଥକ୍‌ କରି ରଖିବା, ମନୋବୃତ୍ତି ବଦଳାଇବା, ଇଂରେଜଙ୍କ ସାଙ୍ଗରେ ମିଶାଇ ଇଂରେଜ କରାଇବା । ମୋତେ ରାଜ୍ୟର ଦାୟିତ୍ୱ ହେବା ପୂର୍ବରୁ ମୋର ଜାତୀୟତା-ବୋଧ ନଷ୍ଟ କରି ଦେବା ଥିଲା ସେମାନଙ୍କର ଲକ୍ଷ୍ୟ ।

 

ମୋ’ରି ପରି ଆହୁରି କେତେ ରାଜକୁମାରଙ୍କୁ ମଧ୍ୟ ସେହି ଉଦ୍ଦେଶ୍ୟରେ ରଖା ହୋଇଥିଲା ସେଠାରେ । ସିପାହି–ବିଦ୍ରୋହ ପରେ ଭାରତର ରାଜନ୍ୟବର୍ଗଙ୍କ ଉତ୍ତରପୁରୁଷମାନଙ୍କର ଚରିତ୍ର ସଂଶୋଧନ କରିବାକୁ ଚାହୁଁଥିଲା ବ୍ରିଟିଶ୍‌ । ରାଜକୁମାର କଲେଜ ସେତେବେଳେ ନଥିଲା । ସେହି ଏକାଡ଼େମୀହିଁ ଉଦ୍ଦିଷ୍ଟ ଥିଲା ରାଜପରିବାରର ସନ୍ତାନମାନଙ୍କ ପାଇଁ-। ଅବଶ୍ୟ ସେଥିରେ ଇଂରେଜ ରାଜକର୍ମଚାରୀମାନଙ୍କ ପିଲାମାନେ ମଧ୍ୟ ପଢ଼ୁଥିଲେ-। ବରଂ ସେଇମାନେଇ ଥିଲେ ସଂଖ୍ୟାରେ ବେଶି ।

 

ଅବର୍ଣ୍ଣନୀୟ ନୈନୀତାଲ୍‌ର ନୈସର୍ଗିକ ସୌନ୍ଦର୍ଯ୍ୟ । ହିମାଦ୍ରିର ଆକାଶ ଛୁଆଁ ତୁଷାର ଶୃଙ୍ଗ, ତା’ ତଳେ ପାଇନ୍‌ ଅରଣ୍ୟର ସ୍ତର, ଅରଣ୍ୟତଳେ ପ୍ରସାରଶୀଳ ହ୍ରଦ । ତା’ର ତୀରରେ ସୁବିସ୍ତୃତ ରେସିଡ଼େନ୍‌ସିଆଲ୍‌ ଏକାଡ଼େମୀର କମ୍ପାଉଣ୍ଡ୍‌ ।

 

ଗଣିତରେ ମୁଁ ଥିଲି ଦୁର୍ବଳ । ଅନେକ ଚେଷ୍ଟା କଲେବି ପାରେନା । ସମସ୍ତଙ୍କ ପଛରେ ପଡ଼ିଯାଏ ।

 

ଅଙ୍କହିଁ ହେଲା ମୋର ଦୈନନ୍ଦିନ ଆତଙ୍କ !

 

ପ୍ରିନ୍‌ସିପାଲ୍‌ ଲେମ୍ବାର୍ଟ ସାହେବ ନିଜେ ଅଙ୍କ କ୍ଲାସ୍‌ ନିଅନ୍ତି । ଦିନେ ଉଠି ପଚାରି ଦେଲି, ସାର୍‌, ଅଙ୍କ ଶିଖିବାକୁ କୌଣସି ସହଜ ରାସ୍ତା ନାହିଁ ?

 

: ଦେୟାର୍‌ ଇନ୍‌ ନୋ ରୟାଲ୍‌ ଓୟେ ଟୁ ମେଥେମେଟିକ୍‌ସ୍‌ ! କହି ହସି ଉଠିଲେ ମିଷ୍ଟର ଲେମ୍ବାର୍ଟ ।

 

ହସି ଉଠିଲେ ସମସ୍ତେ ।

 

ଲଜ୍ଜିତ ହେଲି ।

 

କ୍ଲାସ୍‌ ଓଭର୍‌ ହେବାପରେ ପ୍ରିନ୍‌ସିପାଲ୍‌ ଅଫିସକୁ ଡାକି ପଠାଇ କହିଲେ, ମୁଁ ଫ୍ରି ଥିବାବେଳେ ଇଭନିଂରେ ଆସିପାର ମୋ ପାଖକୁ । ବୁଝେଇ ଦେବି ।

 

ତା’ପରେ ମୋର ତାଙ୍କ ଘରକୁ ଯିବା ଆସିବା ଆରମ୍ଭ ହେଲା ।

 

ଲେମ୍ବାର୍ଟଙ୍କ ପରିବାର-ବର୍ଗ ବିଲାତରେ ରହୁଥିଲେ ।

 

କେବଳ ଛୁଟି କଟାଇବା ପାଇଁ ଆସିଥିଲେ ଭାରତବର୍ଷକୁ ତା’ ବି ସବୁ ଛୁଟି ନୁହେଁ । ସେମାନେ ଗୋଟିଏ ଛୁଟିରେ ଏଠାକୁ ଆସିଲେ ଲେମ୍ବାର୍ଟ ଯାଉଥିଲେ ସେଠାକୁ ପରବର୍ତ୍ତୀ ସୁଯୋଗରେ । ସିପାହି-ବିଦ୍ରୋହ ପରେବି ଇଂରେଜମାନଙ୍କର ଭୟ ଯାଇ ନ ଥାଏ । ପ୍ରାୟ କେହି ପରିବାର ନେଇ ରହିବାକୁ ଇଚ୍ଛା କରୁ ନଥିଲେ ଭାରତରେ । ସାହସ ମଧ୍ୟ କରୁ ନଥିଲେ । ତେବେ, ସମସ୍ତଙ୍କର ଏହିପରି ବାରମ୍ବାର ବିଲାତ ଯାତାୟାତର ସାମର୍ଥ୍ୟ ନଥିଲା । ତେଣୁ କେତେକ ରହୁଥିଲେ ବାଧ୍ୟ ହେଇ । କିନ୍ତୁ ଲେମ୍ବାର୍ଟ ପରିବାର କଥା ଭିନ୍ନ । ସେମାନେ ଧନୀ, ଅଭିଜାତ, ସମ୍ଭ୍ରାନ୍ତ । ସ୍ୱଦେଶରେ ସେମାନଙ୍କର ବିରାଟ୍ ଇଷ୍ଟେଟ୍‌ । ଶିକ୍ଷା ପ୍ରତି ବ୍ୟକ୍ତିଗତ, ଆଗ୍ରହ ଥିବାରୁହିଁ କେବଳ ଶିକ୍ଷାବିତ୍‌ ଲେମ୍ବାର୍ଟ ଶିକ୍ଷା ବିଭାଗକୁ କର୍ମ-କ୍ଷେତ୍ର ଭାବରେ ବାଛି ନେଇଥିଲେ । ଭାରତକୁ ଭଲପାଉଥିବାରୁହିଁ କେବଳ ଭାରତରେ ଚାକିରି ଗ୍ରହଣ କରିଥିଲେ ।

 

ସୁଦୀର୍ଘ ଗ୍ରୀଷ୍ମବିକାଶ କଟାଇବା ପାଇଁ ନୈନୀତାଲ୍‌ ଆସିଲେ ଶ୍ରୀମତୀ ଲେମ୍ବାର୍ଟ ଓ କୁମାରୀ ସୋନିଆ । ଛୁଟି ଯୋଗୁଁ ରେସିଡ଼େନ୍‌ସିଆଲ୍‌ ଏକାଡ଼େମୀ ସେତେବେଳକୁ ଫାଙ୍କା ହେଇ ଯାଇଥିଲା । ଅତଏବ ନୈନୀତାଲ୍‌ର ସୁନ୍ଦର ଉପତ୍ୟକାରେ ସୋନିଆର ଅଳସ ତାରୁଣ୍ୟକୁ ସଙ୍ଗ ଦେବାପାଇଁ ମୁଁହିଁ ହେଲି ଉପଯୁକ୍ତ ତରୁଣ ।

 

ଗତ ପରୀକ୍ଷାରେ ମୁଁ ଭଲ କରି ପାରିନି । ଦିଲ୍ଲୀ, କଲିକତା ବା ବନାରସ ନ ଯାଇ ଛୁଟିରେ ଏଠି ରହି ଯିବାର ଉଦ୍ଦେଶ୍ୟ ଥିଲା, ପଢ଼ା ମେକ୍‌-ଅପ୍‌ କରିବା । କିନ୍ତୁ ସୋନିଆ ଆସିବା ପରେ ସେ ସବୁ ଚିନ୍ତା କୁଆଡ଼େ ଗଲା ।

 

କୌଣସି ଯୁବତୀ ସଂସ୍ପର୍ଶରେ ଆସିବା ଜୀବନରେ ସେଇ ପ୍ରଥମ । ଆଉ ବିଶେଷତଃ ସୋନିଆ, ଅକସ୍‌ଫୋର୍ଡ଼ ଇଉନିଭରସିଟିର ଛାତ୍ରୀ, ଅସାଧାରଣ ସୁନ୍ଦରୀ । ତଥାପି ଭାରସାମ୍ୟ ହରାଇ ନଥିଲି ବହୁଦିନ ଯାଏଁ... ।

 

ଦିନେ ପ୍ରସ୍ତାବ ହେଲା, ଆମେ ଯିବୁ ତୁଷାର ତରଳା-ପାହାଡ଼ ତଳର ଝରଣାକୁ । ବଣଭୋଜି ! ସେଇ ଝର ସହିତ ଏକ ଉଷ୍ଣ ପ୍ରସ୍ରବଣ ସଂଯୁକ୍ତ । ବରଫ ସ୍ରୋତର ମିଶ୍ରଣ ତାହାକୁ ସମଶୀତୋଷ୍ଣ, ସହନୀୟ କରିଚି । ସ୍ନାନର ବିଳାସ; ଗୁଳ୍ମହୀନ ପ୍ରଶସ୍ତ ଚଟାଣରେ ସ୍ୱେଟିଂର ଆନନ୍ଦ...ଏହି ସବୁଥିଲା ସେହି ସ୍ଥାନର ଆକର୍ଷଣ ।

 

କିନ୍ତୁ ସୋନିଆ କହିଲା, ମୁଁ ତ ଏପରିଭାବେ ଯିବିନି । ତମେ ଶିଷ୍ଟାଚାର ସମ୍ମତ ରୀତି ଅନୁଯାୟୀ ମତେ ଆମନ୍ତ୍ରଣ କରିବା କଥା !

 

ବୁଝି ପାରିଲିନି । ପଜ୍‌ଲଡ଼୍‌ ହେଇଗଲି ।

 

: ତମେ କହିବା କଥା ଯେ.... ୟୁ ଓ୍ୱାଣ୍ଟ୍‌ ଟୁ ଡେଟ୍‌ ଉଇଥ୍‌ ମି !

 

କହିଲି, ହଉ ଆଇ ଓ୍ୱାଣ୍ଟ ଡେଟ୍‌...

 

ହସି ହସି ପଚାରି ଥିଲା, ଏହା ଆଗରୁ କେବେ କୌଣସି ଝିଅ ସାଙ୍ଗରେ ‘ଡେଟ୍‌’ କରିନ-?

 

ନାହିଁ କରିବାରୁ ଆହୁରି ହସିଥିଲା ସୋନିଆ ।

 

: ତାହାହେଲେ ତ ମୁଁ ତମର ଗୁରୁ ହେବି !

 

: ତମେ କରିଚ ?

 

: ଅନେକ !

 

ହ୍ରଦର ଅପର ତୀରରେ ସେଇ ଝରଣା ।

 

ଛୋଟ ପେଡ଼୍‌ଲିଂ ବୋଟ୍‍ଟିଏ ଭଡ଼ା କରି ନିଜେ ଚଳାଇ ନେଇ ଗଲୁ ଆରପାଖକୁ ।

 

ଆମ ସାଙ୍ଗରେ ଖାଦ୍ୟ–ପାନୀୟ ଥିଲା ।

 

ଥିଲା ବାଇନାକୁଲର୍‌ ।

 

ଆହୁରିବି ସ୍ନାନପାଇଁ ଆବଶ୍ୟକୀୟ ଯାହା କିଛି । ବୋଟ୍‍ରୁ ଓହ୍ଲାଇ ବଣ-ବାଟରେ ଅଳ୍ପଦୂର ଯିବାପରେ ସେଇ ଉତ୍ସ ।

 

ପଥର ଚଟାଣ ଉପରେ ବସି ପଡ଼ିଲୁ ଉଭୟେ । ଆଠ ଦଶ ଫୁଟ୍‌ ଉଚ୍ଚରୁ ପାଣି ଝରି ଝରି ହୋଇ ପଡ଼ୁଥାଏ ଆମ ସାମନାରେ । ଗନ୍ଧକର ବାସ୍ନା । ସୋନିଆ କହିଲା, ଏଇ ପରି ଚୁପ୍‌ଚାପ୍‌ ବସିଥିବା ? ଏଇଥିପାଇଁ ଆସିଥିଲେ ?

 

କ’ଣ କରିବାକୁ ହେବ ବୁଝି ନ ପାରି ମୁଁ ତା’ ସୁନେଲି ବାଳରେ ହାତ ମାରିଲି । : ମୋର ଏଇଭଳି ବ୍ଲଣ୍ଡ୍‌ ହେଆର୍‌ ଥାଆନ୍ତା କି !

 

କାନ୍ଧ ଉପରୁ ବାଳଗୁଡ଼ିକ ଆଡ଼େଇ ଦେଲା ସେ ଅଳ୍ପ ହସି ।

 

: ଜନ୍‌ ବୋଲି ମୋର ଜଣେ ଏଡ଼୍‌ମାୟାରାର୍‌ ମୋତେ କହେ, ମୁଣ୍ଡ କୁଣ୍ଡେଇବା ପରେ ପାନିଆରେ ଲାଗିଥିବା ବାଳ ଫିଙ୍ଗି ନ ଦେଇ ମୋତେ ଦେବ ସୋନିଆ । ମୁଁ ପ୍ରିଜର୍ଭ କରି ରଖିବି ।

 

: କାହିଁକି ?

 

: କାରଣ ମୋ ବାଳ ତାକୁ ଭଲ ଲାଗେ !

 

ମୋ ମନରେ ଈର୍ଷା ଆସିଲା । କୌଣସି ନାରୀ ସମ୍ବନ୍ଧୀୟ ବ୍ୟାପାରରେ ପ୍ରଥମ ଈର୍ଷା । ଜନ୍‌ କିଏ ମୁଁ ଜାଣେନା । ତାକୁ ଦେଖି ନାହିଁ । ହେଇଥିବ ଅକ୍‌ସଫୋର୍ଡ଼ର ଗୋଟାଏ ଅଣ୍ଡର୍‌ ଗ୍ରାଜୁଏଟ୍‌ । କିନ୍ତୁ ତା’ ପ୍ରତି ମୁଁ ଅସହିଷ୍ଣୁ ହେଇ ଉଠୁଚି କାହିଁକି ?

 

ସୋନିଆ କହିବାକୁ ଲାଗିଲା–କିପରି ଥରେ ସେ ଆଉ ଜନ୍‌ ଯାଇଥିଲେ ବୋଟ୍‌ ରେସ୍‌ ଦେଖିବାପାଇଁ କେମ୍ବ୍ରିଜ୍‌ । ଛୋଟ ନାଳଟିଏ ପରି କେମ୍‌ ନଦୀ ବହି ଯାଉଚି ସହର ଭିତରେ ଦେଇ । ରୋଇଙ୍ଗ୍‌ ପାଇଁ ରଙ୍ଗିନ ବୋଟ୍‌ଗୁଡ଼ିଏ କୂଳକୁ ଲାଗି ବନ୍ଧା । ସେଟା ଥିଲା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା । ଅନେକ ପୁଅ ଝିଅ ଅଂଶ ଗ୍ରହଣ କରିଥିଲେ । ଶେଷ ପର୍ଯ୍ୟନ୍ତ ଫାଷ୍ଟ୍ ହେଲା ଜଣେ ପୁଅ । ଅକ୍‌ସଫୋର୍ଡ଼ ଫେରିବାବେଳେ ଦେଖିଲି ଟ୍ରେନ୍‌ରେ ସେ ମୋର ପାଖ ସିଟ୍‌ରେ...। ମୁଁ ତାକୁ ଆନନ୍ଦର ଆତିଶଯ୍ୟରେ ଅଭିନନ୍ଦନ ଜଣେଇ ଦେଲି । ସେ ଅଭିନନ୍ଦନର ଉତ୍ତର ଦେଲା । ଜନ୍‌ ସହି ପାରିଲାନି...

 

ମୁଁ ବି ଅସହିଷ୍ଣୁ ହୋଇ ଉଠିଲି । ଜଣେ ଝିଅ ମୁହଁରୁ ଅନ୍ୟ ଯୁବକମାନଙ୍କ କଥା ଶୁଣିବାକୁ କୌଣସି ଯୁବକ ବୋଧହୁଏ ଚାହେଁନା ।

 

କଥାର ମୋଡ଼ ଘୂରାଇବା ପାଇଁ କହିଲି : ଛାଡ଼.... । କେମିତି ଲାଗୁଛି ଏଇ ଜାଗାଟା ? ମୋତେ ଭଲ ଲାଗେ ବୋଲି ତମକୁ ଆଣିଲି । ଇଂଲଣ୍ଡରେ ଦେଖିଚ ଇମିତି ସ୍ପଟ୍‌ ?

 

ସେ ହସି ପକେଇଲା । : ତମେ ଦେଖିଚ ଭାରତରେ ମୋ ପରି ଝିଅ ?

 

: କୌଣସି ଝିଅ ସଂସର୍ଗରେ ଆସିବା ଏଇ ମୋରି ପ୍ରଥମ । ତମେ ସୁନ୍ଦର ।

 

: ତମେ ସରଳ । ହାତରେ ପ୍ରଥମ ଥର ଖେଳଣା ପାଇଥିବା ଅର୍ବାଚୀନ ଶିଶୁ । ଖେଳଣା କ’ଣ ଜାଣନା, ଖେଳ କ’ଣ ଜାଣନା ।

 

ତା’ ଆଖିରେ ହତାଶାର ସମୁଦ୍ର-ନୀଳ ବିସ୍ତାର ।

 

ମୁଁ ବୁଝିପାରୁନି ସେ କ’ଣ ଚାହେଁ ।

 

ସେ ବୁଝାଇ ପାରୁନାହିଁ ମୁଁ କ’ଣ ଚାହିଁବା ଉଚିତ ।

 

ସେ ତା’ ଓଠ ମୋ ମୁହଁ ପାଖକୁ ନିକଟତର କରି ଆଣିଥିଲା ।

 

ଅନୁଭବ କଲି ତା’ ପ୍ରଶ୍ୱାସର ଉଷ୍ଣତା ।

 

: ପ୍ରଥମ ଡେଟିଂରେ ଆସିଥିବା ଅବୋଧ ବାଳକ... ବୋଲି ବିଦ୍ରୂପ କରି ସେ ମୋ ଓଠରେ ଓଠ ଲଗାଇ କହିଲା, ମୋତେ ବୋର୍ କରିବାପାଇଁ ଆଣିଥିଲ ଏଠିକି ?

 

ମୁଁ ସୋନିଆକୁ ଭଲ ପାଇଥିଲି ଅଭିଜିତ ।

 

ମିଷ୍ଟର୍‌ ଆଉ ମିସେସ୍‌ ଲେମ୍ବାର୍ଟ ଦେଇଥିଲେ ଯଥେଷ୍ଟ ପ୍ରଶ୍ରୟ ।

 

ଚିଠି ଲେଖିଲି ବାପାଙ୍କୁ । ସୋନିଆ ହେବ ପୋଡ଼ାହାଟର ଯୁବରାଣୀ ।

 

ବନାରସରୁ ଚିଠି ଆସିଲା–ଶୀଘ୍ର ମୁଁ ଯେପରି ତାଙ୍କୁ ଦେଖା କରିବାକୁ ଯାଏଁ ।

 

ସାଙ୍ଗରେ ରହିବାକୁ ଅନୁମତି ମିଳୁ ନଥିଲା । ସରକାରୀ ଅତିଥି ଭବନରେ ରହି... ନିର୍ଦ୍ଦିଷ୍ଟ ସମୟରେ ସାକ୍ଷାତର ନିର୍ଘଣ୍ଟ ଅନୁଯାୟୀ ଦେଖାସାକ୍ଷାତ । ଦେଖି ପାରିବା ଓ ଶୁଣି ପାରିବା ଭଳି ବ୍ୟବଧାନରେ ବସି ରହେ ଜଣେ ଇଂରେଜ ସର୍ଜେ‌ଣ୍ଟ୍ !

 

ଉଭୟ ବସିଥିଲେ ମୁହାଁମୁହିଁ ।

 

ପୋଡ଼ାହାଟର ପଦଚ୍ୟୁତ ରାଜା । ଆଉ ଭାବୀ ଉତ୍ତରାଧିକାରୀ ।

 

କିନ୍ତୁ କେହି କାହାକୁ ଚାହୁଁ ନଥିଲୁ ।

 

ସେ ଚାହୁଁଥିଲେ ଗବାକ୍ଷ ବାଟେ ବିଶ୍ୱେଶ୍ୱର ମନ୍ଦିର ଚୂଡ଼ାକୁ –ମୋ ଦୃଷ୍ଟି ନିବଦ୍ଧ ଥିଲା କାନ୍ଥରେ ଝୁଲୁଥିବା ଦେବୀ ସିଂହାସିନୀଙ୍କ ପ୍ରକାଣ୍ଡ ତୈଳଚିତ୍ର ଆଡ଼େ ।

 

: ସୋନିଆକୁ ବିବାହ କରିବାପାଇଁ ତୁ କ’ଣ ନିଷ୍ପତ୍ତି କରି ସାରିଚୁ ବାବା ?

 

: ନା ଡାଡ଼ି । ମୁଁ କେବଳ ଅନୁମତି ନେବାପାଇଁ ଆସିଚି ।

 

: ରାଜପୁତ୍ରର ଜୀବନରେ ବିବାହ ବହୁବାର ହୁଏ । କିନ୍ତୁ ପ୍ରଥମେ ଏକ କୁଳକନ୍ୟା ସହିତ ବୈଦିକ ରୀତିରେ ହସ୍ତଗ୍ରନ୍ଥି ପଡ଼ିବା ପରେ । ଯେ ପ୍ରଥମେ ଆସିବ ସେ ସହଧର୍ମିଣୀ–ଆଉ ସବୁ ଉପପତ୍ନୀ ।

 

: କିନ୍ତୁ ଡାଡ଼ି...

 

: ତୁ ଅନ୍ତ୍ୟଜ, ଅସ୍ପୃଶ୍ୟ, ମ୍ଳେଚ୍ଛ...ଅନେକ ରକ୍ଷିତା ପୋଷଣ କରିପାରୁ...ପତ୍ନୀ, ଉପପତ୍ନୀରେ ଯଦି ସମ୍ଭୋଗ ତୃଷ୍ଣା ନ ମେଣ୍ଟେ । ଏହାହିଁ ବୈଦିକ ଯୁଗର କ୍ଷତ୍ରିୟ ପରିବାରରେ ପ୍ରଚଳିତ, ନିର୍ଦ୍ଧାରିତ ରୀତି । ସୋନିଆ ବିଜାତୀୟା, ବିଧର୍ମୀ । ସେ କେବଳ ରକ୍ଷିତାର ମର୍ଯାଦା ଲାଭ କରିପାରେ ।

 

: ରାଜ ପରିବାରର ପରମ୍ପରା... ସେଇ ଅଧକୃତ ପରମ୍ପରା... ମୁଁ ଭଙ୍ଗ କରିବାକୁ ଚାହେଁ-। ମୋ ଜୀବନରେ ବିବାହ କେବଳ ଥରେ ହେବ...

 

: ତାହାହେଲେ ସୋନିଆ ସହିତ ଅନ୍ତତଃ ନୁହେଁ ।

 

: କାରଣ ?

 

: କାରଣ ସେ ଇଂରେଜ-କନ୍ୟା ।

 

: ଡାଡ଼ି !

 

: ଇଂରେଜ ସହିତ ମୋର ଶତ୍ରୁତା । ଯେଉଁମାନେ ପୋଡ଼ାହାଟକୁ ପୋଡ଼ାଭୂଇଁରେ ପରିଣତ କରି ଦେଲେ ସେମାନଙ୍କ ସହିତ ବନ୍ଧୁତା ଅସମ୍ଭବ ! ଶତ୍ରୁ-କନ୍ୟା ଚକ୍ରଧରପୁର ଦୁର୍ଗରେ ଯୁବରାଣୀରୂପେ ଅଧିଷ୍ଠିତା ହେଇ ପାରେନା ।

 

: ‘ସରକାର’ ସହ ଶତ୍ରୁତା ଆପଣଙ୍କର । ‘ସାଧାରଣ’ ଇଂରେଜ ନାଗରିକ ସହିତ ନୁହେଁ-

 

: ଇଂରେଜ ଜାତିଟାଇ ମୋର ଶତ୍ରୁ ।

 

ମୁଁ ଉଠି ପଡ଼ିଲି ।

 

ଅର୍ଜୁନ ସିଂହ ପଚାରିଲେ, ମୋର ବିନାନୁମତିରେବି ତୁ କ’ଣ ଗ୍ରହଣ କରି ନେବୁ ସୋନିଆକୁ ?

 

: କଥା ଦେଇ ପାରୁନି ।

 

: ତେବେ ମନେ କରିନେ, ଆଜିଠାରୁ ତୋ ପିତାର ମୃତ୍ୟୁ ହେଲା । ପୋଡ଼ାହାଟ ଦୁର୍ଗରେ ଏଣିକି ମୂଷିକ ନୃତ୍ୟ କରନ୍ତୁ... ଆଉ ସେଥିପାଇଁ ତା’ର ଶୋଚନା ନାହିଁ !!

 

ଅଭିଜିତ, ପ୍ରଥମ ଥରପାଇଁ ଦେଖିଲି ବାପାଙ୍କ ଆଖିରେ ଲୁହ !

 

କହିଲେ : ଇଂରେଜ ଠାରେ ଏତେଦିନ ପରେ ମୋର ପ୍ରକୃତ ପରାଜୟ । –ସେ ହତାଶାରେ ଦୀର୍ଘ ଶ୍ୱାସ ଛାଡ଼ିଲେ...। ଇଂରେଜ ମୋତେ ପରାସ୍ତ କଲା ! ବଳରେ ହରାଇଥିଲା; ଆଜି ହରାଇଲା କୌଶଳରେ । ଅର୍ଜୁନ ସିଂହର ନାତି ହେବ ବର୍ଣ୍ଣସଙ୍କର ! ବସିବ ତା’ର ସିଂହାସନରେ ।

 

ବିଶ୍ୱେଶ୍ୱରଙ୍କ ମନ୍ଦିର ଚୂଡ଼ାକୁ ଚାହିଁ ବାପା ପୁଣି ଗୋଟିଏ ଦୀର୍ଘ-ଶ୍ୱାସ ଛାଡ଼ି କହିଲେ : ସବୁ ତମ ଇଚ୍ଛା !

 

ଅନୁଭବ କଲି ଛାତି ଭିତରେ ଯେପରିକି ଅନେକ ବୃଶ୍ଚିକର ଦଂଶନ । ଶେଷ-ଜୀବନରେ ବାପା ଏଇ ଗ୍ଳାନି ଭୋଗିବେ ? ଗୋଟିଏ ନାରୀପାଇଁ...

 

ଫେରି ଆସିଲି ନୈନୀତାଲ୍‌ ।

 

ସୋନିଆକୁ ମୋ ଠାରୁ ଦୂରେଇ ଦେବି ।

 

କିନ୍ତୁ କିପରି ?

 

ତାକୁ କହିଲି, ବାପା ଭୟାନକ ଅସୁସ୍ଥ ! କଥାଟା ତାଙ୍କ ଆଗରେ ପକାଇ ପାରିନି ।

 

ସେ ଅକ୍‌ସଫୋର୍ଡ଼ ଫେରିଗଲା ।

 

ପୁଣି ପଚାରିଲା ଚିଠି ଲେଖି ।

 

ଉତ୍ତର ଦେଲି–ମୁଁ ତମକୁ ପ୍ରକୃତରେ ଭଲ ପାଉ ନଥିଲି ସୋନିଆ । ଅତଏବ ଯାହା କିଛି ହେଇଚି...ତାକୁ ଖେଳ ମନେ କରି ଭୁଲିଯାଅ ।

 

ଭୁଲିବାପାଇଁ ‘ସେ’ କି ଉପାୟ ଅବଲମ୍ବନ କଲା ଜାଣେନା । କିନ୍ତୁ ‘ମୁଁ’ ସେଥିପାଇଁ ଆଶ୍ରୟ ନେଲି ଏଇ ଜିନିଷଟିର ।

 

ପୁଣି କିଛି ଜିନ୍‌ ପିଇଗଲେ ନରପତି ।

 

ସ୍ତବ୍ଧ ହେଇ ବସି ରହିଲି ମୁଁ ।

 

ପରୀକ୍ଷାର ଫଳ ବାହାରିବାକୁ ଦୁଇ ମାସ ଡେରି ଥିଲା ।

 

ମୋତେ ଆଉ ଚକ୍ରଧରପୁର ଭଲ ଲାଗୁ ନ ଥାଏ । ଇଚ୍ଛା ହେଉଥାଏ କୁଆଡ଼େ ଯାଇ ବୁଲି ଆସିବାପାଇଁ ।

 

କାମ ନଥିଲେ ମଣିଷକୁ ଏହିପରି ଲାଗେ ।

 

କଲିକତା ଯିବା କଥା ଚିନ୍ତା କଲି ।

 

ମାଆର ଜଣେ ମାଉସୀ-ପୁଅ ଭାଇ ସେଠି ଖିଦିରପୁରରେ ଜାହାଜ ରଙ୍ଗକରା ଠିକାଦାର । ବହୁତ ପଇସା, ନିଜର ଘର; ତାଙ୍କର କଥା ଅନୁସାରେ ତାଙ୍କୁ ଅଭାବ କେବଳ ସମୟ-। ଚିଠିରେ ସେଇଆ ସେ ମାଆ ପାଖକୁ ଲେଖନ୍ତି । ଆସି ପାରୁ ନଥିବାର କାରଣ । ଆମ ସାଙ୍ଗରେ ତାଙ୍କର ଯୋଗାଯୋଗ ଥାଏ କେବଳ ଚିଠିରେ । ଆଉ ତା’ ବି ଦୀର୍ଘ ବ୍ୟବଧାନରେ ।

 

ଛୁଟିରେ ମୋତେ କଲିକତା ଯିବାପାଇଁ ଅନେକ ଥର ଲେଖିଛନ୍ତି ।

 

ମାଆକୁ କହିଲି ।

 

ସେ ଚିଠି ଲେଖିଲା ମାମୁଁଙ୍କୁ । ଉତ୍ତର ଆସିଲା ସାତ ଦିନ ପରେ । ମାମୁଁ ମାଈଁ ଉଭୟ ଲେଖିଚନ୍ତି, ମୁଁ ଯେପରି ନିଶ୍ଚୟ ଆସେ ।

 

କଲିକତା ଯିବା ଆଗରୁ ରାଜାଙ୍କୁ ଦେଖାକରିବା ପାଇଁ ଯାଇଥିଲି । ଅଞ୍ଜଳିକୁ ମଧ୍ୟ ।

 

ମାମୁଁଙ୍କ ଘରେ ଖୁବ୍‌ ଖାତିର ହେଲା ମୋର ।

 

ଆମ ପରିବାର ପ୍ରତି ରୀତିମତ ସମ୍ମାନ ସେମାନଙ୍କର ଅଛି...

 

ମାମୁଁ ବଢ଼ାଇଥିଲେ ପୈତୃକ ବ୍ୟବସାୟକୁ । ଆମ ଅପେକ୍ଷା ପଇସା ସେମାନଙ୍କର ବହୁତ । କିନ୍ତୁ ବିଦ୍ୟା ନାସ୍ତି । ମାମୁଁଙ୍କ ବାପା ନାଆଁ ଦସ୍ତଖତ କରି ଶିଖିଥିଲେ । ମାଟ୍ରିକ୍ୟୁଲେସନ୍‌ରୁ ଛାଡ଼ି ମାମୁଁ ଯୋଗ ଦେଇଥିଲେ ପୈତୃକ ‘ଜାହାଜ-ରଙ୍ଗ-କରା ବ୍ୟବସାୟ’ରେ । ମାଈଁ ତେଜୀୟାନ୍‌ ହେଲେବି ପଢ଼ାପଢ଼ି ଅ, ଆ, କ, ଖ...ଯାଏଁ । ଆଉ ଏକମାତ୍ର ସୁଯୋଗ୍ୟ ପୁତ୍ର ରଘୁନାଥ ଚାରିଥର ମାଟ୍ରିକ୍‌ ଫେଲ୍‌ ହୋଇ ଡୋରି ବନ୍ଧିଚନ୍ତି ।

 

ଭାରି ଅବସୋସ ସେମାନଙ୍କର ପରିବାରରୁ ଶିକ୍ଷିତ କେହି ବାହାରିଲେନି । ସରସ୍ୱରୀଙ୍କୁ ଯେତେ ଆଣିବାକୁ ଚେଷ୍ଟା କଲେବି ସେ ପଳାଇଲେ ଲକ୍ଷ୍ମୀଙ୍କ ଭୟରେ । ପରିବାର ଭିତରେ ଇଂରେଜୀ ଦିପଦ କହିପାରିବା ଭଳି ନାହିଁ କେହି । ଅଥଚ କୋଠା ଅଛି । ଗାଡ଼ି ଅଛି, ଟଙ୍କା ଅଛି । ମାମୁଁଙ୍କର ଧାରଣା, ଯେତେ ପଇସା କମେଇଲେ କି ଯେତେ ଭଲ ବେଶ-ପୋଷାକ ପିନ୍ଧିଲେବି ଇଂରେଜୀ ନ ଶିଖିଲେ ଏ ଯୁଗରେ ସମ୍ମାନ ନାହିଁ । ତେଣୁ ରଘୁନାଥଙ୍କ ପାଇଁ ଖଞ୍ଜିଥିଲେ ତିନୋଟି ଟିଉସନ୍‌ ମାଷ୍ଟର । ଫଳ ତ ‘ନିଲ୍‌’ ହେଲା ।... ଲାଗିଲେ, ପରୀକ୍ଷକମାନଙ୍କୁ ଯଦି ଟଙ୍କା ଦେଇ ପାସ୍‌ କରାଯାଇପାରେ । କିନ୍ତୁ ଇଂରେଜୀରେ ଦୁଇ ଶହରୁ ପନ୍ଦର କୋଡ଼ିଏ ରଖୁଥିବା ପିଲାକୁ ପାସ୍‌ମାର୍କ ଦେବାପାଇଁ ସାହସ କରିବ କିଏ ? ଶେଷରେ, ଛାଡ଼ ବାଳକୃଷ୍ଣ ମନ ଦିଅ ବେଉସାରେ ! ଏକା ସାଙ୍ଗରେ କୋଡ଼ିଏ ପଚିଶ ଜାହାଜ ରଙ୍ଗ କରାହେଉଚି–ଯାଇ ସୁପରଭାଇଜ୍‌ କର ।... ହେଲେ, ସେଥିରେବି ଫାଙ୍କି । ଡକ୍‌ୟାର୍ଡ଼ରେ ଏପଟସେପଟ ଦି ଚକ୍କର ମାରିଦେଇ କୁଆଡ଼େ ନା କୁଆଡ଼େ ହାଉଆ । ଆଜି ରେସ୍‌କୋର୍ସରେ ଧଳା ଘୋଡ଼ା ଉପରେ ବାଜି ଲଗେଇବା ତ କାଲି ‘ଗଡ଼େର ମାଠ’ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଇଷ୍ଟବେଙ୍ଗଲ ତରଫ ହେଇ ମୋହନ୍‌ବାଗାନ୍‌ ବିରୁଦ୍ଧରେ ପାଟିତୁଣ୍ଡ କରିବା । ବାପା କହନ୍ତି ପୁତ୍ରମଣିଙ୍କୁ ଯୁଆଡ଼େ ଯାଉଚୁ...ହେଲେ ମୋ କାର୍‌ଟା ନେଇଯା । ମୁଁ ପଛେ ଟାକ୍‌ସିରେ ଯିବି–ଚିହ୍ନା ବ୍ରାହ୍ମଣର ପଇତା କ’ଣ ଦରକାର–କିଏ ନଚିହ୍ନେ ମତେ କଲିକତାରେ ! ଦାମୀ ସୁଟ-ବୁଟ ପିନ୍ଧି, ଦାମୀ ସିଗାରେଟ୍‌ ଟାଣ, ଆଖିଦୃଶିଆ ହେଲେତ ତୋତେ କିଏ ଜୋଇଁ କରିବାକୁ ଚାହିଁବେ । କିନ୍ତୁ କାକସ୍ୟ ପରିବେଦନା !! ବେଶି ଫ୍ରି ଲାଗେ ରଘୁମଣିଙ୍କୁ ସ୍ପୋଟିଂ ଗେଞ୍ଜି, ହୁଗୁଳା ଟ୍ରାଉଜର୍‌ ଆଉ ହଳେ ବାଟା ସ୍ୟାଣ୍ଡାଲ୍‌ରେ । ସିଗାରେଟ ଅପେକ୍ଷା ବିଡ଼ି ଟାଣିଲେ ବେଶି ସହଜ ସ୍ୱାଭାବିକ ଲାଗେ । ଭାରି କଷ୍ଟ ଲାଗେ ଡ୍ରାଇଭିଂ କରିବାକୁ ଯେହେତୁ ସେଥିରେ କନ୍‌ସେଣ୍ଟ୍ରେସନ୍‌ ଦରକାର । ଟ୍ୟାକ୍‌ସିଠାରୁବି ବେଶି ମଜା ଲାଗେ ଭିଡ଼ ଟ୍ରାମ୍‌, ବସ୍‌ । ରେଷ୍ଟୁରାଣ୍ଟରେ ବସି ବସି ଭଦ୍ରଭାବେ ପୁଡ଼ିଂ ଖାଇବା ଅପେକ୍ଷା ‘ଗଡ଼େର ମାଠ’ ପଡ଼ିଆରେ କିମ୍ବା ଡକ୍‌ୟାର୍ଡ଼ର ପାରାପେଟ ବା ହଠାତ ତିଆରି ରେଡ଼ିମେଡ଼୍‌ ବନ୍ଧୁଙ୍କ ସହିତ ଚାନାଚୁର ସୋନପାପଡ଼ି...ଖାଇବାକୁ ଅଧିକ ଆନନ୍ଦ ଲାଗେ ।

 

ସୁଖ ଆଉ ଆନନ୍ଦ ଦୁଇଟା ଭିନ୍ନ ଜିନିଷ । ସୁଖ ତୂଳିତଳ୍ପରେ ଅଳସେଇ ଶୋଇବାକୁ ଡାକେ; ଆନନ୍ଦ ଘାସ ପଡ଼ିଆରେ ଗଡ଼ାଗଡ଼ି ହେବାକୁ ଡାକେ । ଗୋଟିଏ ନରମ ହାତର ଆଉଁଶା; ଅନ୍ୟଟି ଅଧୀର ଆଲିଙ୍ଗନ । ଗୋଟିଏ ପ୍ରଶାନ୍ତି; ଅନ୍ୟଟି ଆବେଗ । ଗୋଟିଏ ଶାନ୍ତ ସ୍ଥିର ହ୍ରଦ; ଅନ୍ୟଟି ଉଦ୍ଦାମ ଝରଣା । ଗୋଟିଏ ରବୀନ୍ଦ୍ର ସଙ୍ଗୀତ; ଅନ୍ୟଟି ଭାଟିଆରି । ଗୋଟିଏ ଚଲାଏ; ଅନ୍ୟଟି ନଚାଏ । ଗୋଟିଏ ସ୍ମିତ ହସ; ଅନ୍ୟଟି କଳହାସ୍ୟ । ଗୋଟିଏ ସଂଳାପ; ଅନ୍ୟଟି କୋଳାହଳ । ଗୋଟିଏ ପ୍ରାର୍ଥନା, ଅନ୍ୟଟି ସଂକୀର୍ତ୍ତନ । ଗୋଟିଏ କୁହୁ, ଅନ୍ୟଟି କାକଳି । ଗୋଟିଏ ବୀଣା; ଅନ୍ୟଟି ବାଦ୍ୟ । ଗୋଟିଏ ନଦୀର ତରଙ୍ଗ; ଅନ୍ୟଟି ସମୁଦ୍ର ଲହରୀ । ଗୋଟିଏ ଶୁଆଏ; ଅନ୍ୟଟି ଉତଲା କରେ ।

 

ସୁଖ ଆଉ ଆନନ୍ଦ ଭିତରୁ ଦ୍ୱିତୀୟଟିକୁ ବାଛି ନେଇଥିଲେ ରଘୁନାଥ ।

 

ମୋ ଅପେକ୍ଷା ସେ ବୟସରେ ବଡ଼ । ତେଣୁ ‘’ଭାଇ’ ବୋଲି ଡାକିଲି । ମିଳିଲା ପିଠିରେ ଗୋଟାଏ ଚାପୁଡ଼ା ଆଉ ଉପଦେଶ–ଭାଇ-ଫାଇ ନୁହେଁ, ‘ରଘୁ’–ବନ୍ଧୁତାର ମଜା ଭାତୃତ୍ୱରେ ଥାଏନା । ଏକଥା ଅବଶ୍ୟ ସେ ମୋତେ ଜନାନ୍ତିକେ କହିଲେ, ମାମୁଁ-ମାଈଁଙ୍କ ଆଗରେ ନୁହେଁ ।

 

ମନ ଭିତରେ ସେ ମୋର ‘ରଘୁଭାଇ’ ହେଇ ରହିଲେବି ବାହାରେ ମୁଁ ତାଙ୍କୁ କିଛି ବୋଲି ଡାକିଲିନି ।

 

ସେ ମୋତେ ‘ଅଭି’ ‘ଅଭି’ ଡାକି ତୁ ତା’ କଲେ । ଆମେ ହେଲୁ ପ୍ରକୃତ ବନ୍ଧୁ । ଇନ୍‌ଷ୍ଟେଣ୍ଟ, ରେଡ଼ିମେଡ଼୍‌ ବନ୍ଧୁ ।

 

ମୁଁ ଆସିବାରୁ ତଥାକଥିତ ସୁପରଭାଇଜରୀରୁ ରଘୁ ଭାଇଙ୍କୁ ଅବ୍ୟାହତ ମିଳିଚି । ମାମୁଁ ମାଈଁ କହି ଦେଇଚନ୍ତି, ଜାହାଜ ଘାଟକୁ ଆଉ ବିଶେଷ ଯିବା ଦରକାର ନାହିଁ–ପୁଅଟାକୁ ସହର ବୁଲେଇ ଦେଖେଇବ କିଏ ! ତା’ର ଯେପରି ମନ ଲାଗେ ଏଠି ।

 

ସେମାନଙ୍କର ଇଚ୍ଛା, ପରୀକ୍ଷା ଫଳ ବାହାରିବା ଯାଏଁ ମୁଁ ଏଠି ରହିବି ।

 

ଜୀବନରେ କମ୍‌ ଦେଖିଚି ରଘୁ ଭାଇଙ୍କ ପରି ଭଲ ମଣିଷ । ଛନ୍ଦକପଟ ନାହିଁ, ପଇସାପତ୍ର ପ୍ରତି ମୋହ ନାହିଁ, କାହାରି ଅମଙ୍ଗଳ ଚିନ୍ତି ନାହିଁ, କି ନାହିଁ ହୀନମ୍ମନ୍ୟତାବି । ସ୍ପୋର୍ଟସ୍‌ମ୍ୟାନମାନେ ତାଙ୍କ ବନ୍ଧୁ, ଯଦିଓ ସେ ଖେଳାଳି ନୁହନ୍ତି । ଖଞ୍ଜ, ଅନ୍ଧ, ଭିକାରି ହାତ ବଢ଼ାଇ ଦେଲେ ନୋଟ୍‌ ଦିଅନ୍ତି । କେହି ସମସ୍ୟାରେ ପଡ଼ିଥିଲେ ସମାଧାନ କରିବାକୁ ଚେଷ୍ଟା କରନ୍ତି । ...ଏସବୁ ବୁଝିପାରିଲି, ତାଙ୍କ ସାଙ୍ଗରେ ବୁଲାବୁଲି କରିବାଫଳରେ ।

 

ଦିନଗୁଡ଼ିକ ବେଶ୍‌ କଟି ଯାଉଥାଏ କଲିକତାରେ ।

 

ହଠାତ ଚିଠି ପାଇଲି ମାଆ ଠାରୁ–ଅଞ୍ଜଳିର ବିବାହ । ସେମାନେ ଅନୁରୋଧ କରିଚନ୍ତି ଯିବାପାଇଁ ।

 

ଅନୁରୋଧ କେବଳ ସମ୍ବାଦ ।

 

ମାଆକୁ ଲେଖିଥିଲି, ଶୁଭେଚ୍ଛା ଜଣେଇ ଦେବୁ ।

 

ପରବର୍ତ୍ତୀ ଚିଠିରୁ ଜାଣିଲି, ଅଞ୍ଜଳି ବର୍ତ୍ତମାନ ଚକ୍ରଧରପୁରରେ ରହିଚି । ତା’ ସ୍ୱାମୀ ଅଶୋକ ଚୌଧୁରୀ ରେଲ୍‍ୱେ ନିରାପତ୍ତା ଅଫିସର୍‌ । ଧାନ୍‌ବାଦ୍‌ରୁ ତାଙ୍କର ଟ୍ରାନ୍‌ସ୍‌ଫର୍‌ ହେଇଚି ହାଓଡ଼ା । ସେଠାରେ ସେ ଜଏନ୍‌ କରିବା ପରେ ଅଞ୍ଜଳିକୁ ନେଇଯିବେ । ...ଶେଷରେ, ମୁଁ ବିବାହରେ ଯୋଗ ଦେଇନଥିବାରୁ ଅଞ୍ଜଳି ଦୁଃଖିତା...

 

ଅଞ୍ଜଳି ସମ୍ବନ୍ଧରେ କୌଣସି ଆଗ୍ରହ ଆଉ ଥିଲାନି । ତଥାପି ମନ ଭିତରେ ହଠାତ ଯେପରି ଏକ ଶୂନ୍ୟତା ଅନୁଭବ କଲି । କିନ୍ତୁ ତାକୁ ଦେଖା କରିବାର ଇଚ୍ଛା ଆଉ ନଥିଲା ।

 

ସେତେବେଳେ ନିର୍ବାକ ଯୁଗ ଛାଡ଼ି ଚଳଚ୍ଚିତ୍ର ସବାକ୍‌ ଯୁଗରେ ପାଦ ଦେଇଚି । ପୁଣି ମଞ୍ଚ ଜଗତ୍‍ରେବି ନବନାଟ୍ୟ ଆନ୍ଦୋଳନର ସୂତ୍ରପାତ ।

 

ରାଜପୁତ୍ର ପ୍ରମଥେଶ ବଡ଼ୁଆ ବାରିଷ୍ଟର ହେବାପାଇଁ ବିଲାତ ଯାଇ ଶିଖି ଆସିଲେ ଶିଳ୍ପକଳା ।

 

ଯମୁନାଙ୍କୁ କେନ୍ଦ୍ର କରି ତାଙ୍କ ନାଆଁରେ କେତେ ସ୍କେଣ୍ଡେଲ୍‌ । ଚଳଚ୍ଚିତ୍ରର ସେ କର୍ଣ୍ଣଧାର-

 

ଠିକ୍‌ ସେହିପରି ମଞ୍ଚର ଦିକ୍‌ପାଳ ଶିଶିର ଭାଦୁଡ଼ୀ ।

 

ଅଭିଜାତ ପରିବାରର କେହି ଷ୍ଟେଜକୁ ଆସୁନଥିବାବେଳେ ଅଧ୍ୟାପନା ଛାଡ଼ି ସେ ଓହ୍ଲାଇ ଆସିଲେ ମଞ୍ଚକୁ ।

 

ତତ୍‌କାଳୀନ ଜଣେ ଶ୍ରେଷ୍ଠ ମଞ୍ଚାଭିନେତ୍ରୀ ସହିତ ଜଡ଼ିତ ହୋଇ ସେ ବି ପରିଣତ ହୋଇଚନ୍ତି କଳଙ୍କିତ ନାୟକରେ ।

 

‘ସ୍କେଣ୍ଡେଲ’ ହେଉଚି ବୋଧହୁଏ ଶିଳ୍ପୀମାନଙ୍କର ଭୂଷଣ । ଜିନିଷଟା ଖୁବ୍‌ ଶୀଘ୍ର ସେମାନଙ୍କୁ ଖ୍ୟାତିମାନ କରି ତୋଳେ ।

 

ସେମାନଙ୍କ ଅଭିନୀତ ଫିଲ୍ମ ଓ ନାଟକ ଦେଖିବାପାଇଁ ସେ ଯେଉଁ ପ୍ରଚଣ୍ଡ ଭିଡ଼... ନିଶ୍ଚୟ ତାହା କେବଳ ସେମାନଙ୍କ ଜିନିୟସ୍‌ ପାଇଁ ନୁହେଁ,–ଜିନିୟସ୍‌ ସାଙ୍ଗରେ ସ୍କେଣ୍ଡେଲ୍‌ ‘ସୋନାରେ ସୋହାଗା’ !!

 

ରଘୁ ଭାଇଙ୍କ ସହିତ ମାତିଗଲି ସିନେମା, ଥିଏଟର ଦେଖିବାରେ ।

 

ଚେଷ୍ଟା କରୁଥିଲି ମନର ଶୂନ୍ୟତା ପରିପୂରଣ କରିବାକୁ ବିକଳ୍ପ...

 

ସେ ଦିନ ଷ୍ଟାର ଥିଏଟରରେ ଶିଶିର ଭାଦୁଡ଼ିଙ୍କର ଏକ ନୂଆ ନାଟକ ଉଦ୍‌ଘାଟିତ ହେବ-। ନାୟକ ସେ ନିଜେ । କାନନ ଦେବୀ ଅଭିନୟ କରିବେ ତାଙ୍କ ସାଙ୍ଗରେ । ଶିଶିରବାବୁ କେବଳ ମଞ୍ଚରେ ଅଭିନୟ କରୁଥିଲେ । କିନ୍ତୁ କାନନ ଦେବୀ ଅଭିନୟ କରୁଥିଲେ ମଞ୍ଚ, ଚଳଚ୍ଚିତ୍ର ଉଭୟରେ-। ସେ ମଧ୍ୟ ଥିଲେ ସ୍କେଣ୍ଡେଲ ହିରୋଇନ୍‌ ।

 

ବହୁ କଷ୍ଟରେ ଆଗରୁ ଆଡ଼୍‌ଭାନସ୍‌ ଟିକଟ ଅଣା ହୋଇଥିଲା ।

 

ସାମନା ସିଟ୍‌ରେ ରଘୁଭାଇ ଆଉ ମୁଁ ।

 

ପ୍ରଥମେ ଆରମ୍ଭ ହେଲା ରବୀନ୍ଦ୍ରନାଥଙ୍କ ନୃତ୍ୟନାଟ୍ୟ ବାସବଦତ୍ତା ।

 

ସେ କାଳରେ ସେଇ ଥିଲା ରୀତି । ନାଟକ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ନୃତ୍ୟ, ନୃତ୍ୟନାଟ୍ୟ ବା ବନ୍ଦନା ସଙ୍ଗୀତ ।

 

ମଞ୍ଚରେ ଅଭିନୟ ଚାଲିଥିଲାବେଳେ ପ୍ରେକ୍ଷାଳୟ ଥିଲା ଅନ୍ଧକାର ।

 

ସନ୍ୟାସୀ ଉପଗୁପ୍ତ ବାସବଦତ୍ତାକୁ କମଣ୍ଡଳୁର ଜଳ ଦେବାବେଳେ ସିନ୍‌ ପଡ଼ିବା ଭିତରେ ମଞ୍ଚର ଆଲୋକ ଲିଭିଯାଇ ଜଳି ଉଠିଲା ପ୍ରେକ୍ଷାଳୟର ଆଲୋକ ।

 

ରଘୁଭାଇ ମୋ ଆଡ଼କୁ ସିଗାରେଟ୍‌ ବଢ଼େଇ ଦେଲେ ।

 

ସେତେବେଳେକୁ ଅଭ୍ୟସ୍ତ ନଥିଲେବି...ଖଣ୍ଡେ ଅଧେ ଖାଉଥାଏ ମୁଁ ।

 

ଖୋଳ ଖୋଲି ସିଗାରେଟ୍‌ ନେଉ ନେଉ ଆଖି ପଡ଼ିଗଲା–ସିନ୍‌ ଉଠିବାବେଳେ ରଘୁଭାଇଙ୍କ ସେପାଖରେ ତିନୋଟି ଖାଲି ଥିବା ଚେଆର୍‌ ଅଡ଼ିଟୋରିଅମ ଅନ୍ଧକାର ଥିଲାବେଳେ ଅଧିକୃତ ହୋଇ ସାରିଚି । ସେଥିରୁ ରଘୁଭାଇଙ୍କ ପରବର୍ତ୍ତୀ ପ୍ରଥମଟିରେ ରାଜା ନରପତି ସିଂହ !!!

 

ସେ ଚୁରୁଟ ଧରାଉଥିଲେ ।

 

: ଆପଣ !–ମୁଁ ସିଗାରେଟ ପକାଇ ଦେଇ ତାଙ୍କ ଆଡ଼କୁ ଚାହିଁ ନମସ୍କାର କଲି । ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ତାଙ୍କୁ ଦେଖି, ଆନନ୍ଦିତ ମଧ୍ୟ ।–ଆପଣ କେବେ ଆସିଲେ ଚକ୍ରଧରପୁରରୁ ?

 

ଚୁରୁଟରୁ ସେ ଆଖି ଫେରେଇଲେ ମୋ ଆଡ଼େ । ହସିଲେ । : ତମେ !

 

ରଘୁଭାଇଙ୍କ ସହ ଚେଆର ବଦଳି କରି ନେଲି ।

 

ସିନ୍ ଉଠୁଥିଲା ।

 

ଆରମ୍ଭ ହେଲା ନାଟକ ।

 

‘‘କଙ୍କାବତୀର ଘାଟ’’ ।

 

ରାଜା ଛାଡ଼ି ମହାରାଜା ହେଲେବି ରଘୁଭାଇ ସିଗାରେଟ୍‌ ପକାଇବା ଲୋକ ନୁହନ୍ତି । ମହା ମହା ବୟସ୍କ ଲୋକଙ୍କ ଆଗରେ ସ୍ମୋକିଂ ବନ୍ଦ କରନ୍ତିନି । ତେଣୁ ତାଙ୍କ ସାଙ୍ଗରେ ରାଜା ସାହେବଙ୍କ ପରିଚିତ କରାଇଲି ନାହିଁ । ଚକ୍ରଧରପୁରର କେହି ଚିହ୍ନା-ଜଣା ଭାବି ରଘୁଭାଇ ମଧ୍ୟ ଆଗ୍ରହ ଦେଖାଇଲେ ନାହିଁ କିଛି । ନାଟକ ପ୍ରତି ଆଟେନ୍‌ସନ୍‌ ଦେଇଥାଆନ୍ତି ।

 

ନରପତିଙ୍କ ସେପାଖରେ ଜଣେ ବର୍ଷିୟସୀ ବିଧବା ମହିଳା । ସାଦା ଶାଢ଼ି ପିନ୍ଧି ଥାଆନ୍ତି-। ଦେଖିଲେଇ ବିଶ୍ୱାସ ଆସେ, ଯୌବନରେ ସୁନ୍ଦରୀ ଥିଲେ । ଆଉ ତାଙ୍କ ପାଖକୁ ଲାଗି ଶାଢ଼ି, ଗହଣା, ସୌନ୍ଦର୍ଯ୍ୟରେ ଝଲମଲ ଜଣେ ତରୁଣୀ । ରାଜା ପରିଚୟ କରାଇଦେଲେ–ରାଜମାତା ରାୟଗଡ଼ । ଆଉ ସାନ-ଜେମା । ...ଇଏ ଅଭିଜିତ ମହାପାତ୍ର । ତାଙ୍କ ବାପା ସେଠି ରେଲ୍‍ୱେ ଅଫିସର୍‌–ମୋର ଖୁବ୍‌ ବନ୍ଧୁତା ଏକ ସାଙ୍ଗରେ ।

 

ସାନ-ଜେମା ଅନଙ୍ଗ ମଞ୍ଜରୀ ତାହାହେଲେ ଏଇ !

 

ଚକ୍ରଧରପୁରରେ ଶୁଣିଥିଲି କିଛି କିଛି ।

 

ନରପତିଙ୍କୁ ବୟସ ଯେତେବେଳେ ପ୍ରାୟ ଷାଠିଏ ପାଖାପାଖି ହେବାକୁ ଯାଉଛି, ସନ୍ତାନ ଲାଭ କରିବା ଯେଉଁ ସମୟରେ ସ୍ୱାଭାବିକଭାବେ କଳ୍ପନାତୀତ, ସେତିକିବେଳେ ପୁଣି ରାଣୀ ହେଲେ ସନ୍ତାନ ସମ୍ଭବା ! ରାଜ-ଜ୍ୟୋତିଷଙ୍କୁ ଡକା ଗଲା । ଅଭ୍ରାନ୍ତ ହୁଏ ସବୁବେଳେ ତାଙ୍କର ଗଣନା ।

 

ଅନେକ ଅଙ୍କ କଷି ସେ କୁଆଡ଼େ କହିଥିଲେ ଯେ ନରପତି କନ୍ୟା-ଲାଭ କରିବେ; କିନ୍ତୁ ସେଇ କନ୍ୟା ହେବ ରାଜପରିବାର ପକ୍ଷରେ ଅମଙ୍ଗଳର କାରଣ ।

 

ରାଜା ବଡ଼ବଡ଼ ଚିକିତ୍ସକମାନଙ୍କ ସହିତ ପରାମର୍ଶ କଲେ । ସେମାନେ ମତ ଦେଲେ, ଗର୍ଭପାତ ପାଇଁ ଡେରି ହୋଇ ଯାଇଚି ।

 

ରାଜଜ୍ୟୋତିଷଙ୍କୁ ପଚରା ହେଲା ପ୍ରତିକାର ସମ୍ବନ୍ଧରେ । ସେ କହିଲେ, ହେଉ ପରିତ୍ୟକ୍ତା ।

 

ରାୟଗଡ଼ର ରାଜମାତା ନରପତି ସିଂହଙ୍କ ଆତ୍ମୀୟା–କଲିକତାରେ ରହନ୍ତି । ତାଙ୍କର ବିଜିନେସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଅଛି । ଧନୀ ମହିଳା !

 

ଶିଶୁ ଜନ୍ମ ହେବାର କିଛିଦିନ ପରେ ରାଣୀଙ୍କର ମୃତ୍ୟୁ ଘଟିଥିବା, ଦୁର୍ଗ-ପ୍ରାଙ୍ଗଣରେ ଇଷ୍ଟ-ଦେବତୀଙ୍କ ମନ୍ଦିର ଚୂଡ଼ାରେ ବାରମ୍ବାର ଚିଲଟିଏ ବସିବା...ପ୍ରଭୃତି ଅଶୁଭ ଶକୁନର ପ୍ରମାଣ ପାଇ ମଧ୍ୟ କନ୍ୟାଟିକୁ ରାଜମାତା ପୋଷ୍ୟାରୂପେ ଗ୍ରହଣ କରି ନେଇଥିଲେ । ଜ୍ୟୋତିଷାଚାର୍ଯ୍ୟ କହିଲେ, ଗ୍ରହୀତାର କୌଣସି ଅଶୁଭ ହେବାର ପ୍ରଶ୍ନ ନାହିଁ ।

 

ଅନଙ୍ଗମଞ୍ଜରୀ କଲିକତାର ଲେକ୍‌ ଗାର୍ଡ଼େନସ୍‌ରେ ‘ରାୟଗଡ଼ ପ୍ରାସାଦ’ ଭିତରେ ପ୍ରତିପାଳିତ ହେଲେ ରାଜମାତାଙ୍କ କନ୍ୟାଭାବେ ।

 

ଚକ୍ରଧରପୁର ଯାଇ ନାହାନ୍ତି କେବେବି ।

 

ନରପତି ଆସି ଦେଖାକରି ଯାଆନ୍ତି ।

 

ଥିଏଟର୍‌ ଚାଲିଥାଏ ।

 

Unknown

ରାଜା କହିଲେ, ସ୍ୱାସ୍ଥ୍ୟ ମୋର ଡିଟୋରିଏଟ୍‌ କରୁଚି । ବଢ଼ି ଉଠୁଚି ଚେଷ୍ଟ୍ ପେନ୍‌ । ଜେମା ଚିଠି ଲେଖିଲା, ରାଜମାତାବି ଜୋର୍‌ କଲେ–ଏଇଠି ଆସି ରହିବି, ଟ୍ରିଟ୍‌ମେଣ୍ଟ ହେବ । ଚାଲି ଆସିଚି ।

 

ଲକ୍ଷ୍ୟ କଲି, ବାସ୍ତବିକ ତାଙ୍କ ଚେହେରା ଆହୁରି ଭାଙ୍ଗି ପଡ଼ିଚି ।

 

ସହାନୁଭୂତି ଆସିଲା । ଦୁଃଖିତ ହେଲି ।...

 

ସ୍ନେହ, ଶ୍ରଦ୍ଧା, ଭଲ ପାଇବା ବେଳେବେଳେ ଅହେତୁକ ହୁଏ ।

 

ମୁଁ ନରପତି ସିଂହଙ୍କୁ ଅହେତୁକଭାବେ ଶ୍ରଦ୍ଧା କରୁଥିଲି ।

 

ନଚେତ ବିଂଶ ଶତାବ୍ଦୀର ପ୍ରତିନିଧିତ୍ୱ କରୁଥିବା ମୋ ବୟସର ଜଣେ ତରୁଣ ମନରେ ଗତ ଶତାବ୍ଦୀର ଅବତାର ନରପତି କଦାପି ଏପରିଭାବେ ପ୍ରଭାବ ବିସ୍ତାର କରିପାରି ନଥାନ୍ତେ ।

 

ବାସ୍ତବିକ ମୋ ଜୀବନର ଶ୍ରେଷ୍ଠ ବ୍ୟକ୍ତି ଥିଲେ ସେହି ।

 

ଅଧିକାଂଶ ସମୟରେ ମୁଁ ତାଙ୍କରି କଥା ଚିନ୍ତା କରୁଥିଲି ।

 

ଥିଏଟର୍‌ ଭାଙ୍ଗିଲା ।

 

ଗଲାବେଳେ ରାଜା, ଅନଙ୍ଗମଞ୍ଜରୀ ଓ ରାଜମାତା ମୋତେ ଅନୁରୋଧ କଲେ ଲେକ୍‌ ଗାର୍ଡ଼େନସ୍‌ ପ୍ରାସାଦକୁ ସମୟ କରି ଆସିବାପାଇଁ । କଲିକତାରେ ରହିବା ଭିତରେ ନିଶ୍ଚୟ କେବେ ଯିବି ବୋଲି ପ୍ରତିଶ୍ରୁତି ଦେଇ ଫେରି ଆସିଲି ରଘୁଭାଇଙ୍କ ସହିତ ।

 

ରାଜମାତା ମୋତେ ଟେଲିଫୋନ ନମ୍ବର ଦେଲେ ।

 

ରିଙ୍ଗ୍ କଲେ ଗାଡ଼ି ପଠେଇବେ ।

 

ରଘୁ ଭାଇ ମୋତେ ନେଇ ଦିନେ ଗଲେ ଇମ୍ପିରିଏଲ୍‌ ବ୍ୟାଙ୍କ-ବିଲ୍‌ ଭଙ୍ଗେଇବା ପାଇଁ ।

 

ସେ ଯାଇଚନ୍ତି ଭିତରକୁ ।

 

ମୁଁ କାଉଣ୍ଟର୍‌ ପାଖ ସୋଫାରେ ବସି ସେଇ ଦିନର ଖବରକାଗଜ ପଢ଼ୁଥାଏ ।–ହଠାତ ଆଖି ପଡ଼ିଲା ଗୋଟିଏ ଚମକପ୍ରଦ ସମ୍ବାଦ ଉପରେ । ତିନସୁକିଆ ଷ୍ଟ୍ରିଟ୍‌ର ଏକ ଭଡ଼ା ଘରୁ କିଛି ବ୍ରିଟିଶ୍‌ ବିରୋଧୀ କାଗଜପତ୍ର ଆଉ ବୋମା-ବାରୁଦ ଜବତ ହୋଇଛି ।

 

କେହି ଗିରଫ୍‌ ହୋଇ ନାହାନ୍ତି ।

 

ଅଧିବାସୀ ସମସ୍ତେ ନିରୁଦ୍ଦିଷ୍ଟ ।

 

ଏ: କେ: ବାନାର୍ଜୀଙ୍କ ନାମରେ ଘରଟି ଭଡ଼ା ନିଆ ହୋଇଥିଲା ।

 

ସାତ ଆଠ ଜଣ ଭଦ୍ରଲୋକ ଏଠାରେ ରହୁଥିଲେ ।

 

ଏମାନଙ୍କର ଜୀବିକା ଜଣା ନାହିଁ । କିନ୍ତୁ ଖୁବ୍‌ ଆଡ଼ମ୍ବରରେ ରହୁଥିଲେ ।

 

ସ୍ଥାନୀୟ ଲୋକମାନଙ୍କ ସାଙ୍ଗରେ ଅଧିବାସୀମାନଙ୍କର କୌଣସି ସମ୍ପର୍କ ନଥିଲା ।

 

ତେଣୁ କେହି କିଛି କହି ପାରୁ ନାହାନ୍ତି !

 

ଇଂରେଜକୁ ତଡ଼ିବାପାଇଁ ସଶସ୍ତ୍ର ପ୍ରଚେଷ୍ଟା ବଙ୍ଗଳାରେ କିଛି ନୂଆ କଥା ନୁହେଁ ।

 

କିନ୍ତୁ ଊଣେଇଶ’ ଏକୋଇଶ ଅହିଂସ ଅସହଯୋଗବେଳୁ ଏଇ ପ୍ରକାର ଉଦ୍ୟମ ତ ମାନ୍ଦା ପଡ଼ି ଯାଇଥିଲା ।

 

ପୁଣି ବୋଧହୁଏ ଆରମ୍ଭ ହେଇଗଲା ତାହାହେଲେ !

 

ଟୋକନ ହାତରେ ନେଇ ସୁଟ୍‌ ପିନ୍ଧା ଭଦ୍ରଲୋକ ଜଣେ ଆସି ବସି ପଡ଼ିଲେ ପାଖରେ । : ପେପର୍‌ଟା ଟିକିଏ...

 

ବଢ଼େଇ ଦେଉ ଦେଉ ଚମକି ଉଠିଲି ।

 

ଏ’ତ ଅଗ୍ନିଦେବ ଶର୍ମା ! ....ତାଙ୍କୁ ନମସ୍କାର କରିବାକୁବି ଭୁଲିଗଲି !!

 

ସେ ମୋତେ ଚିହ୍ନି ସାରିଥିଲେ ଆଗରୁ । ଜାଣି ଜାଣି କୌତୁକରେ ପେପର୍‌ଟା ମାଗୁଥିଲେ ।

 

ପିଠିରେ ପ୍ରକାଣ୍ଡ ଚାପୁଡ଼ାଟାଏ ।

 

ମୁହଁରେ ହସ । : ତମେ କଲିକତାରେ ?

 

ଟିକିଏ ଘୁଞ୍ଚି ବସି କହିଲି : ପରୀକ୍ଷାଫଳ ବାହାରିବା ଯାଏଁ ସମୟ କଟାଇବାକୁ ଆସିଛି । ଏଠି ମୋ ମାମୁଁଘର । ଆଉ...ସାର୍‌...ଆପଣ...

 

: ମୋ କଥା ପରେ । ଆଗେ ଚକ୍ରଧରପୁରର ଖବର ସବୁ କ’ଣ କୁହ । ରାଜା ସାହେବଙ୍କ କଥା...ସ୍କୁଲ ଖବର...

 

: ରାଜା ସାହେବ ଅସୁସ୍ଥ । କଲିକତା ଆସିଚନ୍ତି ।

 

: କ’ଣ ହେଇଚି ତାଙ୍କର ?

 

: ଚେଷ୍ଟ୍ ପେନ୍‌ ! ଖୁବ୍ ଡ୍ରିଙ୍କ୍ କରନ୍ତି ତ ।

 

: ଛାଡ଼ି ପାରୁନାହାନ୍ତି ?

 

: ଅଭ୍ୟାସ ।

 

: ଆଉ ସ୍କୁଲ ?

 

: ଚାଲିଚି । ...ମୁହଁରୁ ବାହାରି ପଡ଼ିଲା, ଅଞ୍ଜଳିର ବାହାଘର ହେଇଗଲା ସାର୍‌ ।

 

ନିସ୍ପୃହଭାବେ ପଚାରିଲେ ଅଗ୍ନିଦେବ : କେଉଁଠି ?

 

: ମାଆ ଚିଠିରୁ ଜାଣିଲି । ଅଶୋକ ଚୌଧୁରୀ...ରେଲ୍‍ୱେର ସିକ୍ୟୁରିଟି ଅଫିସର୍... ।

 

: ରେଲ୍‍ୱେର ! –ଏଥର ଯେପରି ଆଗ୍ରହ ନେଲେ ଅଗ୍ନିଦେବ । –କେଉଁଠି ?

 

: ଧାନବାଦରେ । ଟ୍ରାନ୍‌ସଫର ହେଉଚନ୍ତି ଏଇଠିକି ।

 

: ଏଇଠିକି ?

 

: ହଁ, ହାଓଡ଼ା । ମାଆ ସେଇଆ ଲେଖିଚନ୍ତି । ମେରେଜ୍‌ ତ ମୁଁ ଆଟେଣ୍ଡ କରିନି–ମାସେ ହେଲା ଆସିଲିଣି । ଆମର ପଡ଼ୋଶୀ ସେମାନେ...

 

: ତମେ କ’ଣ ଅଞ୍ଜଳିର ବିବାହରେ ଯୋଗ ନ ଦେବାପାଇଁ କଲିକତା ଆସିଛ ଅଭିଜିତ-?

 

: ନା ସାର୍‌ ! ତା’ ବିବାହ ସାଙ୍ଗରେ ମୋର କ’ଣ ସମ୍ପର୍କ ?

 

ଅଗ୍ନିଦେବଙ୍କର ଏ ପ୍ରକାର ପ୍ରଶ୍ନରେ ମୁଁ କ୍ଷୁବ୍‌ଧ ହେଇଥିଲି । ଅଞ୍ଜଳି ସହିତ ମିଳାମିଶାକୁ ସେ ତାହାହେଲେ ସନ୍ଦେହଜନକ ଦୃଷ୍ଟିରେ ଲକ୍ଷ୍ୟ କରିଥିଲେ । ଅନ୍ତତଃ ତାଙ୍କଭଳି ବ୍ୟକ୍ତି ଠାରୁ ଏହା ଆଶା କରାଯାଏନା ।

 

ଅଗ୍ନିଦେବ ନୀରବ ହେଇଗଲେ ।

 

: ଆପଣ ବର୍ତ୍ତମାନ ସର୍ଭିସ କରୁଚନ୍ତି ଏଠି ?–ମୁଁ ଟିକିଏ ରହି ପଚାରିଲି–କେଉଁ ଡିପାର୍ଟମେଣ୍ଟରେ ?

 

: ମୋ କଥା ଛାଡ଼ । ତମର ଫିଉଚର ପ୍ଲାନ କ’ଣ ?

 

: ଡାକ୍ତରୀ ପଢ଼ିବି ।

 

: ଡାକ୍ତର ହେବ ।

 

: ମୋର ସେବା କରିବାକୁ ଖୁବ୍‌ ଆଗ୍ରହ ।

 

: ସେବା କରିବ କାହାର ?

 

: ଦେଶ ଲୋକଙ୍କର... ।

 

: ନା, ଧନୀମାନଙ୍କର ।

 

: ମୁଁ ଆପଣଙ୍କ କଥା ଠିକ୍‌ ବୁଝିପାରୁନି ସାର୍‌ । ରୋଗ ତ ସମସ୍ତଙ୍କର ହେଉଚି ।

 

: ଯେଉଁ ଔଷଧ ଆଉ ପଥ୍ୟର ପ୍ରେସ୍‌କ୍ରିପ୍‌ସନ ତମେ ଦେବ...ଏ ଦେଶର ଗରିବ ଲୋକଙ୍କର ଶକ୍ତି ଅଛି ତାହା କିଣି ପାରିବାପାଇଁ ?

 

: ତାହାହେଲେ ଆଉ କ’ଣ କରାଯିବ ?

 

ସେବା କହିଲେ କେବଳ ଦରିଦ୍ରର ସେବାକୁ ବୁଝାଏ ଅଭିଜିତ ।

 

ନେତାମାନେ ତ କହୁଚନ୍ତି ଦେଶ ସ୍ୱାଧୀନ ହେଲେ ଦାରିଦ୍ର୍ୟ ରହିବନି ।

 

: ସେଇଥିପାଇଁ ବୋଧହୁଏ ଏମାନଙ୍କୁ ଧନୀମାନେ ସାହାଯ୍ୟ କରୁଚନ୍ତି ?

 

: ଆର୍ଥିକ ସାହାଯ୍ୟ ଦେବା ଅବସ୍ଥାରେ ଯେ କେବଳ ସେଇମାନେହିଁ ଅଛନ୍ତି ।

 

: ତେଣୁ ଦେଶ ସ୍ୱାଧୀନ ହେବାପରେ ସେଇମାନେଇ ପାଇବେ ଅର୍ଥ, ଆଉ ଦରିଦ୍ରମାନେ ପରମାର୍ଥ !

 

ମୁଁ ଏହାର କ’ଣ ଉତ୍ତର ଦେବି ? ଅଗ୍ନିଦେବଙ୍କ ମୁହଁରେ ଆଜି ନୂଆ କଥା ଶୁଣୁଛି ।

 

: କାୟେମୀ ସ୍ୱାର୍ଥବାଦୀମାନେ ଦେଶପାଇଁ କିଛି କରନ୍ତି ନାହିଁ–କରନ୍ତି ନିଜର ସ୍ୱାର୍ଥପାଇଁ-। ଦେଶ ସ୍ୱାଧୀନ ହେଲେ ଏମାନଙ୍କୁ ଆଉ ବିଦେଶୀ ବାଣିଜ୍ୟିକ ପ୍ରତିଷ୍ଠାନ ସହିତ ପ୍ରତିନ୍ଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ ନାହିଁ ! ଠିକ୍‌ ଯେପରି ଅର୍ଜୁନ ସିଂହଙ୍କ ପରି ରାଜା ମହାରାଜାମାନେ ଲଢ଼ିଥିଲେ ସିପାହି-ବିଦ୍ରୋହ ସମୟରେ ଜନତାର ସ୍ୱାର୍ଥପାଇଁ ନୁହେଁ–ନିଜର ଏକଛତ୍ର ଆଧିପତ୍ୟ ଅକ୍ଷୁଣ୍ଣ ରଖିବାପାଇଁ । ସିପାହି-ବିଦ୍ରୋହକୁ ସାମନ୍ତ-ବିଦ୍ରୋହ ବା ରାଜକୀୟ ଅଭ୍ୟୁତ୍‌ଥାନ କହିଲେ ବରଂ ଅଧିକ ଠିକ୍‌ ହେବ !

 

: ସାର୍‌ ଆପଣ ଆଜି ଏ କଥା କହୁଚନ୍ତି ! ଅଥଚ ଏଇ ସିପାହି ବିଦ୍ରୋହ କଥା କହିବାକୁ ଯାଇ...ଆପଣ ଏତେ ବଡ଼ ସେକ୍ରିଫାଇସ୍‌ କଲେ...

 

: ମୁଁ ଭ୍ରାନ୍ତି ବିଳାସରେ ରହିଥିଲି ଅଭିଜିତ । ସିରାଜଉଦ୍ଦୌଲାର ମାନ-ରକ୍ଷା କରିବାପାଇଁ ସୁଭାଷବାବୁଙ୍କ ‘ଅନ୍ଧକୂପ ହତ୍ୟାକୁ ମିଥ୍ୟା ପ୍ରମାଣ କରିବାର ଆନ୍ଦୋଳନ’ ଏକ ବିରାଟ୍ ଦେଶାତ୍ମବୋଧ ବୋଲି ମନେ କରୁଥିଲି ! କିନ୍ତୁ ତା’ପରେ ମୋର ଆଖି ଖୋଲି ଗଲା । ଏଠାକୁ ଆସି...

 

ଆପଣ ତ ସୁଭାଷବାବୁଙ୍କୁ ଦେଖା କରିବାପାଇଁ ଆସିଥିଲେ ।

 

: ଏଠାରେ ପହଞ୍ଚିବା ବେଳକୁ ସେ କିନ୍ତୁ ସୁଇଜରଲ୍ୟାଣ୍ଡରେ । ଡାକ୍ତର ପରାମର୍ଶରେ ସେ ଚାଲି ଯାଇଥିଲେ ହୃଦ୍‌ରୋଗ ଚିକିତ୍ସାପାଇଁ । ତାଙ୍କ ସାଙ୍ଗରେ ଦେଖା ହେଲା ନାହିଁ; କିନ୍ତୁ ଦେଖା ହେଲା ଆଉ ଜଣଙ୍କ ସାଙ୍ଗରେ...

 

: କିଏ ?

 

: ଏମ୍‌ : ଏନ୍‌ : ରାୟ !

 

: ମାନବେନ୍ଦ୍ର ରାୟ ? ସେ ତ ସୋଭିଏଟ୍‌ ଋଷିଆରେ ! ତାଙ୍କୁ ଧରାଇ ଦେବାପାଇଁ ପୁରସ୍କାର ଘୋଷଣା ବାହାରି ଥିଲା...

 

: ଏ ଥରକୁ ମିଶାଇ ସେ ଋଷିଆରୁ ତିନିଥର ଆସିଲେଣି ! ବର୍ତ୍ତମାନବି ଏଇଠି ଅଛନ୍ତି !!

 

: ଆଶ୍ଚର୍ଯ୍ୟ କଥା ! ...ମୁଁ ରୋମାଞ୍ଚିତ ହେଇ ଉଠିଲି । ମାନବେନ୍ଦ୍ର ରାୟ ସେତେବେଳେ ଏକ ରହସ୍ୟଜନକ ବ୍ୟକ୍ତିରେ ପରିଣତ ହୋଇ ଥାଆନ୍ତି । ସେ ଯେପରି ସମଗ୍ର ବିଶ୍ୱର ଅନ୍ୟତମ ବିସ୍ମୟ । କିମ୍ବଦନ୍ତୀରେ ପରିଣତ ହୋଇଥିବା ଏହି ଜୀବନ୍ତ ବ୍ୟକ୍ତି ସମ୍ବନ୍ଧରେ ସମସ୍ତଙ୍କର ଦୁରନ୍ତ ଆଗ୍ରହ । ଊଣେଇଶ ଶହ ସତରରେ ସୋଭିଏଟ୍‌ ଋଷିଆରେ କମ୍ୟୁନିଷ୍ଟ ସରକାର ପ୍ରତିଷ୍ଠିତ ହେବାପରେ ସେ ଏଠାରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିବାପାଇଁ ଚେଷ୍ଟା କରିଥିଲେ । ସୁଭାଷ ବୋଷଙ୍କ ସହିତ ତାଙ୍କର ମତ-ପାର୍ଥକ୍ୟ ଓ ଆଣ୍ଡାମାନ୍‌ ଯିବା ରାସ୍ତାରେ ବ୍ରିଟିଶ୍‌ ବନ୍ଦି-ବାହୀ ଜାହାଜରୁ ନିଖୋଜ ହେବା ପ୍ରଭୃତି ସମ୍ବାଦପତ୍ରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସମଗ୍ର ପୃଥିବୀରେ ତାଙ୍କ ବିରୁଦ୍ଧରେ ଗିରଫ୍‌ଦାରୀ ପରୱାନା ! ଋଷ୍‌ରେ ସେ ପାଇଥିଲେ ଗୋପନୀୟ ଆଶ୍ରୟ ।

 

ସହଜ-ବୋଧ୍ୟ କାରଣରୁ ସୋଭିଏଟ୍‌ ସରକାର ତାଙ୍କୁ ଧରାଇ ଦେବାପାଇଁ ରାଜି ନଥିଲେ ।

 

: ଦେଖା କରିବ ?

 

: ଭାରି ଆଗ୍ରହ ସାର୍‌ ! କିନ୍ତୁ କେଉଁଠି ?

 

: ତମ ଠିକଣା ଦିଅ । ମୁଁ ସୁବିଧା କରି ନେଇଯିବି । ମୋର ପୂର୍ବ ନାମ ଭୁଲିଯାଅ । କେ : ଏନ୍‌ : ତରଫଦାର...ବହୁବର୍ଷ ଧରି ଆମେରିକାନ୍ ନାଗରିକ...କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ...ବନ୍ୟପ୍ରାଣୀମାନଙ୍କ ସମ୍ଭନ୍ଧରେ ରିସର୍ଚ୍ଚ କରିବାପାଇଁ ଆସିଚି...

 

ମୁଁ ହତବାକ୍‌ ।

 

ସେହି ସୋଫାଟିରେ ଅନ୍ୟ କେହି ନଥିଲେ–କେବଳ ଆମେ ଦୁଇଜଣ । ମୋ ହାତରୁ ଖବରକାଗଜ ଟାଣି ନେଇ ଅଗ୍ନିଦେବ କହିଲେ : ଏଇ ଯେଉଁ ଖବରଟା... ! ତିନ୍‌ସୁକିୟା ଷ୍ଟ୍ରିଟ୍‌ର ଏଇମାନେ ‘ଆମେ’...ଗୋଳାବାରୁଦ ବୋଝେଇ ଟ୍ରେନ୍‌ ଯେଉଁମାନେ ଲୁଟ୍ କରିଥିଲେ ବମ୍ବେ ପାଖରେ କିଛିଦିନ ତଳେ...ସେମାନେ ‘ଆମେ’;...ଫିସପ୍ଲେଟ୍‌ କାଢ଼ି ଭାଇସ୍‌ରାୟଙ୍କ ସ୍ପେଶାଲ୍‌ ଓଲଟାଇବାର ଚେଷ୍ଟା ଯେଉଁମାନେ କରିଥିଲେ ସେମାନେବି ‘ଆମେ’...

 

: କାଗଜରେ ପଢ଼ିଥିଲି । କଂଗ୍ରେସବାଲା ଏ ସବୁ...

 

: ନା ଅଭିଜିତ । କିନ୍ତୁ ଦେଖ ମୋ ଆଗ ଟୋକନ୍‌ବାଲା ଚାଲି ଗଲେଣି । ସେ ବି ‘ଆମେ’ । ବିଭିନ୍ନ ନାମରେ ଆମେ ଟଙ୍କା ଉଠାଉ । ଏଡ୍ରେସ୍‌ ଦିଅ ମୁଁ ଯାଏଁ ।

 

ଅଗ୍ନିଦେବ ଚାଲିଗଲେ ।

 

ଗୋଟିଏ ରହସ୍ୟ ଉପନ୍ୟାସର ପ୍ରଥମ ପୃଷ୍ଠା ପଢ଼ାଇ ତା’ପରେ ସେଇଟାକୁ ନିଜ ପକେଟରେ ରଖି ସେ ଚାଲିଗଲେ ଯେପରି !!!

 

ମାନବେନ୍ଦ୍ର ରାୟ ।

 

ସେହି ବିଖ୍ୟାତ ବ୍ୟକ୍ତିର ସହକର୍ମୀ ହେଇଚନ୍ତି ଅଗ୍ନିଦେବ । ରଘୁଭାଇଙ୍କ ସାଙ୍ଗରେ ଟ୍ୟାକ୍‌ସିରେ ଫେରୁଥାଏ । ମୋ ମନର ଗତି ଯେପରି ଟ୍ୟାକ୍‌ସିର ଚକ ଠାରୁ ଦ୍ରୁତତର ।

 

ଅଗ୍ନିଦେବ ଯେଉଁ ରାସ୍ତା ଧରିଚନ୍ତି ସେଇଟା କ’ଣ ଭୁଲ୍ ? ବର୍ଷକରେ ସ୍ୱରାଜ୍ୟ ଆଣିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଗାନ୍ଧିଜୀ ଯେଉଁ ହଜାର ଛାତ୍ରଙ୍କୁ ପଢ଼ା ଛଡ଼େଇ ଜେଲ୍‌ ପଠେଇ ସେମାନଙ୍କ ଭବିଷ୍ୟତ୍ ନଷ୍ଟ କଲେ ତାହା କ’ଣ କେବଳ ଭାରତୀୟ ପୁଞ୍ଜିପତିମାନଙ୍କର କାୟେମୀ ସ୍ୱାର୍ଥୀ ରକ୍ଷା କରିବାପାଇଁ ? ଦେଶୀୟ ରାଜ୍ୟର ରାଜା ଆଉ ଜମିଦାରବର୍ଗଙ୍କ ବିରୁଦ୍ଧରେ ପ୍ରଜା ଆନ୍ଦୋଳନ ହେଲେ କଂଗ୍ରେସ ସେଥିରେ ସହଯୋଗ ନ କରିବାକୁ ଗାନ୍ଧୀ ମତବ୍ୟକ୍ତ କରୁଥିବାର ଶୁଣା ଯାଉଚି । କାରଖାନାର ଧର୍ମଘଟରେ ମଧ୍ୟ କଂଗ୍ରେସ ଜଡ଼ିତ ନ ହେବା ତାଙ୍କ ଇଚ୍ଛା । ...

 

କ’ଣ ରହସ୍ୟ ଅଛି ଏହା ଭିତରେ ?

 

ଅଗ୍ନିଦେବ ଯାହା ବୁଝିଚନ୍ତି...ଠିକ୍‌ ?

 

ମୋ ଆଡ଼କୁ ସିଗାରେଟ୍‌ ବଢ଼ାଉ ମୋତେ ଅନ୍ୟମନସ୍କ ଦେଖି ରଘୁଭାଇ ପଚାରିଲେ, କ’ଣ ଏତେ ଭାବୁଚୁ କିରେ ?

 

: ନା...କିଛି ନୁହେଁ...କହି ସିଗାରେଟ୍‌ ଧରେଇ ନେଲି । ତାଙ୍କ ସାଙ୍ଗରେ ଆଉ ଯାହା ହଉ ରାଜନୀତି ଆଲୋଚନା କରିବା ଚଳେନା । ସେ ଆଦୌ ସିରିଅସ୍‌ ନୁହନ୍ତି । ସାହାଯ୍ୟ କରନ୍ତି ଦୁଃସ୍ଥ-ଦୁଃଖୀ ଦେଖିଲେ–କିନ୍ତୁ ଆଲୋଚନା କରନ୍ତି ନାହିଁ ସେମାନଙ୍କ ସମ୍ବନ୍ଧରେ । ସେ ଖାଲି ମାନବିକତା ବୁଝନ୍ତି । କିନ୍ତୁ ଦେଶରେ କି ପ୍ରକାର ଅବସ୍ଥା ଆସିଲେ ଦୁଃଖୀ କେହି ରହିବେ ନାହିଁ–ସେ କଥା ଭାବିବାରେ ଆଗ୍ରହ ନାହିଁ ତାଙ୍କର । ହୁଏତ ସମାଜରେ ଦୁଃସ୍ଥ ବ୍ୟକ୍ତି ରହିବା ସେ ଚାହାନ୍ତି...ତାଙ୍କ ପରି ଉଦାର ଦାତାମାନେ ବଦାନ୍ୟତାର ସନ୍ତୋଷ ଲାଭ କରିବାପାଇଁ ! ରଘୁଭାଇଙ୍କ ଚିନ୍ତା ଆଉ କଥାରେ ମାନବିକତା ଥିଲେବି ଗଭୀରତା ନ ଥାଏ । ତେଣୁ କୌଣସି ସମସ୍ୟାର ମୌଳିକ ସମାଧାନ ସମ୍ବନ୍ଧରେ ତାଙ୍କ ସହ ଆଲୋଚନା କରିବାଇ ମୂର୍ଖତା । ଏଇ କେତେ ଦିନ ଭିତରେ ତାଙ୍କୁ ମୁଁ ବେଶ୍‌ ବୁଝି ନେଲେଣି ।

 

: କଲିକତାରେ ଆଉ ମନ ଲାଗୁନି କିରେ ? ବୋର୍‌ ହେଇ ଗଲୁଣି ?

 

: ନା ନା, ମୁଁ ଭାବୁଥିଲି ଦେଶର ଫିଉଚର୍‌ କଥା...

 

: କାହାର ଫିଉଚର୍‌ ?

 

: ସରି ! ...ଏଇ ମୋ’ ଫିଉଚର୍‌ ।

 

: ତୁ ତ ଚାହୁଁ ଡାକ୍ତରୀ ପଢ଼ିବାପାଇଁ । (ମେଟ୍ରିକ୍‌ ପାଶ କଲେ ମେଡ଼ିକାଲ୍‌ରେ ସିଟ୍‌ ମିଳୁଥିଲା ସେତେବେଳେ । କିଛିଦିନ ଆଗେ ଅଣ୍ଡର୍‌ମାଟ୍ରିକ୍‌ବି ଯାଉଥିଲେ ।)

 

ମଡ଼ା କଟା ପାଠପାଇଁ ଆଗ୍ରହ ନଥିଲା କାହାର । ପ୍ରଥମେ ବୁଲି ବୁଲି ଛାତ୍ର ଯୋଗାଡ଼ କରିବାକୁ ପଡ଼ୁଥିଲା । ଖ୍ରୀଷ୍ଟିଆନ୍‌ ଛଡ଼ା ଅନ୍ୟ ଧର୍ମର ବିଶେଷ କେହି ଯାଉ ନଥିଲେ । କିନ୍ତୁ ବର୍ତ୍ତମାନ ଆଗ୍ରହ ବଢ଼ିବାରୁ ଭିଡ଼ ହେଉଚି । ତେଣୁ ଏଇନେ ଆଉ ଖାଲି ମେଟ୍ରିକ୍‌ବି ନୁହେଁ...ଫିଜିଓଲୋଜୀ-ହାଇଜିନ୍‌ ଅପସ୍‌ନାଲ୍‌ ନେଇ ଫାଷ୍ଟ୍‌ ଡିଭିଜନ ହେଲେ ଯାଇ ପ୍ରଥମ ସୁଯୋଗ-। ସିଟ୍‌ ବଳିଲେ ଅନ୍ୟମାନଙ୍କ କଥା !

ତେବେ...ମୁଁ ଫିଜିଓଲୋଜୀ-ହାଇଜିନ୍‌ ନେଇଥିଲି ଏବଂ ଫାଷ୍ଟ ଡିଭିଜନ୍‌ ପାଇବାକୁ ଆଶା କରୁଥିଲି ମଧ୍ୟ ।)

କହିଲି : ଚାହୁଁଚି ଯେ; ହେଲେ ତ ! ପୁଣି କେଉଁଠି ପଢ଼େଇବାକୁ ଚାହିଁବେ କେଜାଣି... ? କଟକ କି ପାଟନା !

: କଟକ ନୁହେଁ କି ପାଟନା ନୁହେଁ; କଲିକତା । ମାନେ ଏଇଠି, ଆମ ଘରେ ରହି । ଏଠି...ସିଟ୍‌ ଯୋଗାଡ଼ କରିବା ଦାୟିତ୍ୱ ମୋର । ଆବେ, ତିନି ଜଣ ସେକେଣ୍ଡ୍‌ ଡିଭିଜନ୍‌ ଓଡ଼ିଆ ଫିଲାଙ୍କୁ ଭର୍ତ୍ତି କରେଇ ଦେଇଚି । ସେଇ ସାହେବ ଡକ୍ଟର ସାହେବ ଅଫିସର୍‌ମାନଙ୍କ ଘରକୁ ଆସନ୍ତି-। ଚିହ୍ନା ପରିଚୟ ଅଛି । ବିଲ୍‌ ପାଶ୍‌ କରେଇବା ପାଇଁ ଡକ୍‌ ଅଫିସର ସବୁ ବଡ଼ କର୍ତ୍ତା...ସେମାନଙ୍କୁ ଆଉ ସେମାନଙ୍କର ସେଇ ସାଙ୍ଗମାନଙ୍କୁ ନେଇ ଗ୍ରାଣ୍ଡ୍‌ ହୋଟେଲରେ ଖୁଆଇ, ପିଆଇ, ନଚାଇ ଖୁସ୍‌ କରିବାକୁ ପଡ଼େ ତ ! ଶଳା ଯାହା କହ, ଭାରି ଦିଲ୍‌ଦାରିଆ ଜାତି । ମୁହଁ ହରେଇବାକୁ ପଡ଼େନା...ଟିକିଏ ଖୋସାମତି କରି କହିଲେଇ ରାଜି । ଆଉ ହଁ...ଖାଲି ପାଠ ତ ପଢ଼ାନ୍ତିନି ସେଇ ଡାକ୍ତରମାନେ, ରୋଗୀ ଚିକିତ୍ସାବି କରନ୍ତି । ଆମର ଜଣେ ଫେଣ୍ଟର୍ କଲିକ୍‌ ବେମାରୀ ଭୋଗୁଥିଲା-। ବିଚରା ଗରିବ ଲୋକ । କହିଲା, ଚାକିରି ଛାଡ଼ି ଗାଁକୁ ପଳେଇବି । ଗାଳି ଦେଲି ତାକୁ-! ଆବେ ଶଳା, ଗାଁ ମାନେ ତ ଭଣ୍ଡାରୀ ପୋଖରୀ... । ଅପାଣ୍ଡବ ସେ ରାଜ୍ୟରେ ଠୁଣୁଠୁଣିକିଆବି ଦୁର୍ଲଭ-! କ’ଣ ମରିବୁ ଯାଇ ? ନେଇଗଲି ତାକୁ ମେଡ଼ିକାଲ୍‌ । ଚିଫ୍‌ ଡାକ୍ତର ମେକେଞ୍ଜିକୁ କହିଲି, ଭଲ କରିଦିଅ, ଯାହା ପଇସା ଲାଗିବ ମୋର । ...କଲା ଅପରେସନ୍‌ । ବିଲ୍‌ ମାଗିଲି । ପିଠି ଥାପୁଡ଼େଇ ବିଦା କରିଦେଲା । ଆରେ କି ଉଦାର ହୃଦୟ । ଖାଲି କ’ଣ ଆମେ ତାକୁ ଡାକି ଆଣିଲୁ ଏ ଦେଶକୁ-?

ଡାକି ଆଣିଲୁ ? ...ମୁଁ ହସି ପକାଇଲି ।

: ସେଇଆ ନୁହେଁ କ’ଣ ? ରଘୁଭାଇ କହିଲେ, ଇତିହାସଟା ମନ ଦେଇ ପଢ଼ୁଥିଲିରେ ! ଗପ ପଢ଼ିବା ପରି ମଜା ଲାଗୁଥିଲା । ଛାଡ଼ ! ଅଙ୍କଇ ହେଲା ଆତଙ୍କ ! ମଥା ମାଟି କରେ ବୋଲି ମାଥ୍‌ମେଟିକ୍‌ସ ନାମ ! ନ ହେଲେ ମୁଁ ପାଶ୍‌ କରି ନ ଥାନ୍ତି ମାଟ୍ରିକ୍‌ ? ‘ଶୁଭଙ୍କରୀ’ ହେଲା ତ ମୋପାଇଁ ଅଶୁଭ !!

ଦୁଇ ଜଣ ଖୁବ୍‌ ପ୍ରାଣ ଖୋଲି ହସି ନେଲୁ ।

ମାମୁଁ-ମାଈଁଙ୍କ ସାଙ୍ଗରେବି ସେଦିନ ସେହି କଥା ଆଲୋଚନା ହେଲା । କଥାଟା ରଘୁଭାଇ ପକେଇ ଦେଲେ । ଜୋର୍‌ ଦେଇ କହିଲେ, ଅଭି ଏଇଠି ପଢ଼ିବ ।

 

ମାଈଁ ତ ଖୁସି ହୋଇ ଉଠିଲେ । କହିଲେ : ଘରେ ପଢ଼ା ପିଲାଟାଏ ଥିଲେ ଘରର ଇଜ୍ଜତ ବଢ଼େ ! ପାଞ୍ଚ ଲୋକ ଆସିବେ; ଦେଖିବେ । କେଉଁଠି ପଢ଼ୁଚି ନା କଲେଜରେ !! ଆମ ଗାଁ ପଞ୍ଚୁଟିକିରେ କଲେଜ ପିଲା ଦେଖିଲେ ଲୋକେ ରୁଣ୍ଡ ହେଇ ଯାଆନ୍ତିଟି...ପିଲାଦିନେ ଦେଖିଚି !!!

 

: ବାପ-ଘରେ ଲୋକ ଆସିଲେ ଏଥର ଆଉ ସେମାନଙ୍କୁ ଟିକଟ କାଟି ଟ୍ରାମ୍‌ ବାସ୍‌ ଚଢ଼ି ପ୍ରେସିଡ଼େନ୍‌ସି ଯିବାକୁ ପଡ଼ିବନି; ଘରେ ରହିଚି, ଦେଖେଇ ଦବୁ । ...ରଘୁଭାଇ ହସି ହସି କହିଲେ...ହା’ରେ ବଣଭାଲୁ ମଫସଲିଆ ।

 

ପ୍ରତିବାଦ କଲି : ମାଆକୁ ଇମିତି କହନ୍ତି ।

 

: କଥାଟା କିନ୍ତୁ ଠିକ୍‌ । –ମାମୁଁ ସମର୍ଥନ କଲେ । –ଏଙ୍କ ଗାଁରୁ ଲୋକ ଆସି–ଏଠି ଚିଡ଼ିଆଖାନା ଦେଖିବା ପରି କଲେଜ ପିଲା ଦେଖିବାକୁ ଯାଆନ୍ତି । ବାପ-ଘର ଆଡ଼-ଦୀର୍ଘ ପଚିଶ କୋଶ ଭିତରେ ତ କାହା ମୁଣ୍ଡରେ ହଳଦି ଗୁଣ୍ଡା ପଡ଼ି ନାହିଁ !!

 

: ଆଉ ତମ କଟକ-ଗାଁ ଲୋକ କିମିତି ଆସି ଏଠି ହାଇକୋର୍ଟ ଦେଖୁଚନ୍ତି ? ଭା’ରି ଆସିଲେ ମୋ ବାପଘର ଗାଁକୁ ନିନ୍ଦିବାବାଲା !! ଧୂଳି-ଗୋଳିଆ, କେନାଲ କୂଳିଆ, କଟକତଳିଆଙ୍କର ଖାଲି ଫୁଟାଣି ଫୁଟାଣି ! କଲେଜ-ପଢ଼ୁଆ ପୁଅ ଗୋଟେ ଜନ୍ମ କଲନି, ଦେଖା ଯାଇ ଥାଆନ୍ତା ପାରିଲାପଣିଆ !! ଖାଲି ପଇସା; ପଇସା !!!

 

: ବୋଉ, ତୋ ବାପା ତ ମୋ ବାପାଙ୍କୁ ପଇସାବାଲା ଦେଖି ତୋତେ ବାହା କରେଇଲା-। ନାଇଁ ଗୋଟାଏ କଲେଜ ପଢ଼ୁଆ ସାଙ୍ଗରେ ? ରଘୁଭାଇ କହି ଉଠିଲେ ।

 

: କେଉଁଠି ଏତେ ପଇସା ଥିଲା ତୋ ବାପାର ? ସବୁ ମୋ ଭାଗ୍ୟରେ, ମୋ’ରି ଭାଗ୍ୟ-। ମୁଁ ଆସିବାରୁ ତମ ଘରେ ଲକ୍ଷ୍ମୀ ବସିଲେ ।

 

: ଦରକାର ନାହିଁ । ଉପର ତାଲାରେ ପେଚାଗୁଡ଼ା ଯାହା ଫଡ଼୍‌ ଫଡ଼୍‌ ହେଉଚନ୍ତି...

 

: ମାଈଁ ରଘୁଭାଇର ମୁହଁରେ ହାତ ଦିଅନ୍ତି... ! ଛି ଛି ଛି ଛି...ସେମିତି କହିବୁ ନାଇଁ ବାପା; ଲକ୍ଷ୍ମୀଙ୍କ ବାହନ ! ଲକ୍ଷ୍ମୀଙ୍କ ବାହନ !! ସରସ୍ୱତୀ ହେଲେ ନାଇଁ...ଲକ୍ଷ୍ମୀ ହେଲେ ବିଜେ କରିଚନ୍ତି ।

 

ଏଥର ହସ ରୋକି ନ ପାରି କହିଲି : କେତୋଟି ରାଜହଂସ ରଖନ୍ତୁ ମାଈଁ, ସରସ୍ୱତୀ ଆସି ଯିବେ ।

 

ରଘୁଭାଇ ମୋ ପିଠି ଥାପୁଡ଼େଇ ଦେଲେ । : ହଂସ ତ ତୁ ନିଜେ ।

 

କ୍ୟାଲେଣ୍ଡର୍‌ରେ ତାରିଖ ବଦଳେ ।

 

କ’ଣ ହେଲା, କାହିଁ ଅଗ୍ନିଦେବ ତ ଆସିଲେନି !

 

ହୁଏତ କିଛି ଅସୁବିଧାରେ ପଡ଼ିଚନ୍ତି । ତିନିସୁକିଆ ଷ୍ଟ୍ରୀଟ୍‌ ଘଟନା ପର ଠାରୁ ସନ୍ତ୍ରାସବାଦୀମାନଙ୍କର ଘାଟି ସବୁ ରେଡ଼୍‌ କରାହେଉଚି କି । କିଏ ଜାଣେ ଏମାନଙ୍କ ଭିତରୁ କେଉଁ ଛଦ୍ମ ନାମଧାରୀ ଅଗ୍ନିଦେବ ହେଇଥିବେ କି ନାହିଁ ।

 

ମୁଁ ତାଙ୍କ ଠିକଣା ଜାଣେ ନାହିଁ ।

 

କିନ୍ତୁ ମୋ ଠିକଣା ତାଙ୍କ ପାଖରେ ଅଛି । ତାଙ୍କ ଆଡ଼୍‌ଡ଼ାରେ !!

 

ମନରେ ଆଶଙ୍କା ଆସିଲା ହଠାତ । ଶେଷ ପର୍ଯ୍ୟନ୍ତ ଏଥିରେ ଜଡ଼ିତ ହେଇ ପଡ଼ିବିନି ତ-?

 

ଅନେକ ଠିକଣା ଭିତରୁ ମୋ ଠିକଣାଟି ପାଇ ପୁଲିସ ଯଦି ଭାବି ବସେ ମୁଁ ମଧ୍ୟ ସେମାନଙ୍କ ସହିତ ସମ୍ପୃକ୍ତ ।

 

ବିପଦାପନ୍ନ ହେବାକୁ କେହି ଚାହେଁ ନାହିଁ । ମୋତେ ବିବ୍ରତ କରିବାକୁ ଲାଗିଲା ବିପଦର ସମ୍ଭାବନା । ଠିକଣା ଦେଇ ଭୁଲ୍‌ କରି ପକାଇଚି ବୋଲି ମନସ୍ତାପ କଲି । ଅଗ୍ନିଦେବ ତ ଅଗ୍ନିକୁ ଳମ୍ପ ଦେଇଚନ୍ତି । କିନ୍ତୁ ମୋର ପାଠପଢ଼ା ଅଛି । ଡାକ୍ତର ହେବି ବିଲାତ ଯିବି...ଆହୁରି କେତେ କ’ଣ !!

 

ଅବଶ୍ୟ ସେତେବେଳେ ମୋ’ରି ବୟସର ବହୁ ତରୁଣବି ସନ୍ତ୍ରାସବାଦ ରାସ୍ତାରେ ଯାଇ ଆଣ୍ଡାମାନ୍‌ର ସେଲୁଲାର୍‌ ଜେଲ୍‌ରେ ଶଢ଼ୁଥିଲେ ।

 

ଦୁଃସ୍ୱପ୍ନ ପରି ଭୟାବହ ସେଲୁଲାର୍ !

 

ବନ୍ଦିମାନେ ପହଞ୍ଚିଲେ ସେଠାକାର ଇଂରେଜ ଜେଲର୍ କୁଆଡ଼େ ସ୍ୱାଗତ ଜଣାଇ କହୁଥିଲେ : ଦେଶପ୍ରେମୀ ସିଂହଗଣ, ଏଠି ତାହାହେଲେ ଶେଷରେ ଆସି ପହଞ୍ଚିଲ ?–ସେଲ୍‌ଗୁଡ଼ିକୁ ଦେଖେଇ କହୁଥିଲେ,–ଏଇସବୁ ଯନ୍ତାରେ ଆମେ ସିଂହମାନଙ୍କୁ ପୋଷା ମନାଉ ।

 

ନିର୍ଯାତିତ କୌଣସି ବନ୍ଦି ‘ଭଗବାନ୍‍’ ବୋଲି ଆର୍ତ୍ତନାଦ କରି, ଉଠିଲେ ସେ କୁଆଡ଼େ କହନ୍ତି; ଏଠି ମୋର ରାଜତ୍ୱ । କୋଡ଼ିଏବର୍ଷ ରହିଲିଣି; ଭଗବାନ୍‍ଙ୍କ ସାଙ୍ଗରେ କେବେ ଦେଖାସାକ୍ଷାତ ହେଇନି । ଏଠି ଭଗବାନ୍‍ ନାହାନ୍ତି; ତେଣୁ ତାଙ୍କୁ ଡାକିବା ବୃଥା ।

 

ଏ ସବୁ ଲୋକ-ମୁଖରେ ପ୍ରଚଳିତ ଥିଲା ।

 

ମନ ଭିତରେ ଆସିଲା ବିଦ୍ରୋହ-ଭାବ । ସେଲୁଲାର୍ ଜେଲ୍‍ରେ ପଚିଶଢ଼ି ମରିବାପାଇଁ ମୁଁ ପୃଥିବୀକୁ ଆସିନି । ମୁଁ ଆସିଚି ଭୋଗିବାପାଇଁ ନୁହେଁ; ଭୋଗ କରିବାପାଇଁ । ମଧ୍ୟବିତ୍ତ, ଅଭିଜାତ ପରିବାରର ସନ୍ତାନ ମୁଁ; ବ୍ୟକ୍ତିଗତ ଉନ୍ନତିହିଁ ହେବା ଉଚିତ ମୋ ଜୀବନର ଲକ୍ଷ୍ୟ । ଯାହା କଲେ ମୋ ବାପା-ମାଆ, ମୋ ବନ୍ଧୁବାନ୍ଧବ ମୋତେ ନେଇ ଗର୍ବ କରିବେ ! ବିଲାତ ଫେରନ୍ତା ! ବଡ଼ଲୋକ ! ବଡ଼ ଚାକିରି ! ବଡ଼ ବଙ୍ଗଳା ! ଷ୍ଟିଅରିଂ ହାତରେ ଚଳାଇବି ବିଂଶ ଶତାବ୍ଦୀର ଜୟ ରଥ-। ତା’ପରେ...ତା’ପରେ...ଆଖି ପାଏନା...କଳ୍ପନା ହାର ମାନେ !! ଅଗ୍ନିଦେବ ଆସିଲେ ମୁଁ ମନା କରିଦେବି । ଇମିତି କି ପୁଲିସରେବି ଧରେଇ ଦେବି !! ମୋର ଅଗ୍ନିଦେବଙ୍କୁ ଦରକାର ନାହିଁ କି ମାନବେନ୍ଦ୍ର ରାୟବି । ଦୁହେଁଯାକ ସମାନ । ଶୁଣିଚି ମାନବେନ୍ଦ୍ରବି ସ୍ତ୍ରୀ ପିଲାଙ୍କୁ ପରିତ୍ୟାଗ କରିଚନ୍ତି-। ଇଏ କି ଧରଣର ଦେଶ-ପ୍ରେମ ? କି ପ୍ରକାର ଦାୟିତ୍ୱହୀନତା ବିଂଶ ଶତାବ୍ଦୀର ଜଣେ ଜଣେ ବୁଦ୍ଧଦେବ !!! ବାହା ହେବେ, ପିତା ହେବେ, ସଂସାର ରସ ଆସ୍ୱାଦନ କରିବେ ! ତା’ପରେ ସାଂସାରିକ ଏକ୍‌ସପେରିମେଣ୍ଟର ମାଧ୍ୟମ ଏଇ ଜୀବଗୁଡ଼ିକୁ ପରିତ୍ୟାଗ କରି ‘ସତ୍ୟ’ ପଛରେ ଅନୁଧାବନ !! ମୂଳରୁ ପରିବାର ତିଆରି ନ କରିଥିଲେ ତ ହେଇ ଥାଆନ୍ତା !!! ଏଇସବୁ ଶୁଆ ମାରି ବଣି ପୋଷିବା ନୀତିରେ କି ଗୌରବ ଅଛି ମୁଁ ଜାଣେନା । ବାହା ହେବା ଆଗରୁ କ’ଣ ଚୁକ୍ତି କରିଥିଲେ ଏମାନେ ସ୍ତ୍ରୀ ସାଙ୍ଗରେ ଯେ ପରିବାର ପ୍ରତିପୋଷଣ ନ କରି ଦେଶର ଦାୟିତ୍ୱ ନେବେ ବୋଲି ?

 

ମୋ ବାପା-ମାଆ ମୋତେ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ାଉଚନ୍ତି ସେମାନଙ୍କ ଦାୟିତ୍ୱ ନେବାପାଇଁ, ଦେଶର ଦାୟିତ୍ୱ ନେବାପାଇଁ ନୁହେଁ । ଦେଶବାସୀ ମୋତେ ଚାନ୍ଦା କରି ଟଙ୍କା ଦେଉ ନାହାନ୍ତି ।

 

ଆଜି ଅଗ୍ନିଦେବ ମୋତେ ମାନବେନ୍ଦ୍ରଙ୍କ ପାଖକୁ ନେଇ ଅନୁପ୍ରେରିତ କରିବେ, ହିପ୍ନୋଟାଇଜ୍‌ କରାଇବେ, ବ୍ରେନ୍‌-ଓ୍ୱାସ୍‌ କରେଇବେ । ତା’ପରେ ଧୀରେ ଧୀରେ ମୋ ମନ ଉପରେ ପ୍ରଭାବ ବିସ୍ତାର କରି ମୋତେ ବ୍ୟବହାର କରିବେ ଉଦ୍ଦେଶ୍ୟମୂଳକ କାର୍ଯ୍ୟରେ !

 

ସେପରିଭାବେ ନିୟୋଜିତ ହେବାଭଳି ନିର୍ବୋଧ ମୁଁ ନୁହେଁ !

 

କମ୍ୟୁନିଜିମ୍‌ ।

 

କି ଆଶ୍ଚର୍ଯ୍ୟ ସମସ୍ତେ ସମାନ ହେଇଯିବେ ପୂର୍ବଜନ୍ମ କିଛି ନୁହେଁ, ପ୍ରାରବ୍ଧ କିଛି ନୁହେଁ । ଯୁଗଯୁଗ ଧରି ପ୍ରମାଣିତ ସତ୍ୟ ଧର୍ମ, କର୍ମ, ଆଧ୍ୟାତ୍ମବାଦ...ସବୁକିଛିକୁ ଅସ୍ୱୀକାର । ତାହାହେଲେ ସମସ୍ତଙ୍କ ଖାତାରେ ଅଗ୍ନିଦେବ କାହିଁକି ସମାନ ନମ୍ବର ଦେଉ ନଥିଲେ କ୍ଲାସ ଉଠା ପରୀକ୍ଷାବେଳେ-?

 

ଦେଖା ହେଲେଇ ଏହି ସବୁ ଯୁକ୍ତି ମୁଁ ତାଙ୍କ ଆଗରେ ରଖିବି । ଶିକ୍ଷକ ହେଲେ ବୋଲି ସମସ୍ତ କିଛି ମଥା ନଇଁ ଗ୍ରହଣ କରି ନେବିନି ।

 

କିନ୍ତୁ ନା, ଅଗ୍ନିଦେବ ଆସିଲେନି । ଜାଣି ପାରିଲିନି ମହାନଗରୀର ଜନ-ସମୁଦ୍ର ଭିତରେ କୁଆଡ଼େ ଉଭେଇ ଗଲେ ।

 

ଶେଷରେ ଅବଶ୍ୟ ଦିନେ...ତେବେ ସେ ଅନେକ ପରର କଥା ।

 

ଟେଲିଫୋନ୍‌ କରିଥିଲି ଲେକ୍‌ ଗାର୍ଡ଼େନ୍‌ସକୁ ।

 

ମେଡ଼ିକାଲ୍‍ର ‘ହାର୍ଟ’ ସାଇନ୍‌ ବୋର୍ଡ଼ ଲାଗିଥିବା ବିଭାଗରେ ନରପତି ସିଂହଙ୍କୁ ଦେଖିବା ଖବର ରଘୁଭାଇଙ୍କ ଠାରୁ ଶୁଣି ଚଞ୍ଚଳ ହେଇ ଉଠିଥିଲି । ଏ ପର୍ଯ୍ୟନ୍ତ ତାଙ୍କ ପାଖକୁ ମୁଁ ଯାଇନି । ଥିଏଟରରେ ଦେଖା ହେବା ପରଠାରୁ କେତେ ଦିନ ବିତି ଗଲାଣି ।

 

ଏକଜିଦିଆ ମଣିଷଟା ପାଇଁ ଅହେତୁକଭାବେ ଭାରି ସହାନୁଭୂତି ଆସେ ସବୁବେଳେ । କ’ଣ କ୍ଷତି ହୁଅନ୍ତା ଡ୍ରିଙ୍କ୍‌ କରିବା ଅଭ୍ୟାସ ଛାଡ଼ିଦେଲେ । କେତେ ଲୋକ ତ ପୁଣି ଛାଡ଼ୁଛନ୍ତି । ମୋ ବାପା ନିଜେ ଉଦାହରଣ । ମୁଁ ଛୋଟ ଥିବାବେଳେ ଖାଉଥିଲେ ।

 

ଦିନେ କହିଲି : ବାପା, ମୁଁ ପିଇବି ।

 

ମନା କଲେ ।

 

ଜିଦ୍‌ ଧରିଲି : ତମେ ପିଉଚ ଯେ ।

 

ଗାଳି ଦେଲେ । ତୁ ପିଲା ଲୋକ ।

 

ପଚାରିଥିଲି : ତାହାହେଲେ କ’ଣ ବଡ଼ ହେଲେ ପିଇବି ?

 

ବାପା ଚୁପ୍‌ ରହିଗଲେ ।

 

: ଉତ୍ତର ଦଉନ ! –ମାଆ ବ୍ୟଙ୍ଗ କରିଥିଲା–କୁହ, ‘‘ବଡ଼ ହବୁ, ଟଙ୍କା ରୋଜଗାର କରିବୁ, ମଦ ପିଇବୁ ।’’ ଆଜିଠାରୁ ତା’ର ଏମ୍ବିସନ ତିଆରି କରେଇ ଦିଅ ।

 

ବାପା ସିଙ୍କ୍ ଭିତରେ ବୋତଲଟା ଅଜାଡ଼ି ଦେଇ କହିଥିଲେ : ଏଇ ଦେଖ ମୁଁ ଛାଡ଼ି ଦେଲି । ବଡ଼ ହେଲେ ତୁ ବିଲାତ ଯିବୁ, ମୋ ଠାରୁ ବେଶି ଟଙ୍କା ରୋଜଗାର କରିବୁ–ଗାଡ଼ି କରିବୁ...କୋଠା କରିବୁ...କିନ୍ତୁ ମଦ ପିଇବୁ ନାଇଁ ।

 

ପାର୍ଟି-ଫାର୍ଟିରେ ଯୋଗ ଦେଇ ଅଭ୍ୟାସ ହୋଇ ଯାଇଥିଲା । ମାଆ କଥାରେ ଛାଡ଼ୁ ନଥିଲେ; ମୋ କଥାରେ ଛାଡ଼ି ଦେଲେ ।

 

ଏବେବି କହନ୍ତି, ତାଙ୍କର ମଦ ଛାଡ଼ିଦେବାଫଳରେ କିଛି କ୍ଷତି ହୋଇ ନଥିଲା । କିଛିଦିନ ମନ ଠିକ୍ ରହିଲାନି, ଦେହର ଓଜନ କମିଗଲା । ତା’ପରେ ପୁଣି ସବୁ ଠିକ୍‌ ।

 

ନରପତି ସିଂହଙ୍କ ସମସ୍ୟା ଅବଶ୍ୟ ଭିନ୍ନ । ଜଣକୁ ଭୁଲିବାପାଇଁ ତାଙ୍କର ଏଇ ମାଦକୀୟ ପ୍ରଚେଷ୍ଟା ।

 

କିନ୍ତୁ ପ୍ରେମିକାକୁ ଭୁଲିବା କ’ଣ ଏତେ ଦୁରୂହ ?

 

ମୁଁ ତ ପୁଣି ଅଞ୍ଜଳିକୁ ଭୁଲି ଯାଇ ପାରିଲି ।

 

ସାନ ଜେମା ଧରିଥିଲେ ଟେଲିଫୋନ ।

 

ପଚାରିଲି ନରପତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ।

 

କହିଲେ : ହଁ, ହାର୍ଟ ସ୍ପେସାଲିଷ୍ଟଙ୍କ ପାଖକୁ ନେଇଥିଲୁ ।

 

କିନ୍ତୁ ଚିକିତ୍ସା ଦୀର୍ଘ ଦିନ ଧରି ଚାଲିବ । ତାଙ୍କ ସ୍ୱାସ୍ଥ୍ୟ ବାହାରକୁ ଦେଖିବାକୁ ଯାହା ଇଣ୍ଟରନାଲି ତାହା ନୁହେଁ । ତମେ...ଦେଖିବାକୁ ଆସିବତ ! ଗାଡ଼ି ପଠେଇବି ।

 

: ଆଜି ଯିବି । ଏଡ଼୍ରେସ ନିଅନ୍ତୁ । ଥାର୍ଟିସେଭେନ ବି, କ୍ୟାମାକ ଷ୍ଟ୍ରୀଟ..., ଫ୍ରେଞ୍ଚ ଫାଇନ ଆର୍ଟସ କଲେଜ ପାଖରେ...

 

: ଓ ମାଈଁ...ଆରେ ମୁଁ ତମକୁ ନିଜେ ନେଇ ଆସିବି...

 

: ଦରକାର ନାଇଁ କଷ୍ଟକରି...

 

: ମୁଁ ଯେ ସେଇ କଲେଜରେ ପଢ଼ୁଚି । ଆଜି କଲେଜରେ ବାର୍ଷିକୋତ୍ସବ ଦିବସ । ସେଣ୍ଟ୍ରାଲ ହଲରେ ଛବିର ଉଦ୍‌ଘାଟନ କରିବେ ଗଭର୍ଣ୍ଣର । ସନ୍ଧ୍ୟା ପାଞ୍ଚଟାରେ । ତମେବି ଚାଲିଆସନା । ବର୍ତ୍ତମାନ ଏଇ ସାଢ଼େ ଦଶଟା ବାଜିଲା...ଜଷ୍ଟ କଲେଜ ବାହାରୁଚି । ନିମନ୍ତ୍ରଣ ପତ୍ର ପହଞ୍ଚି ପଠେଇ ଦେବି । ଆସିବ ନିଶ୍ଚୟ । ଦେଖିବ ଆମ ଛବି... । ଏକ୍‌ଜିବିସନ୍‌ରୁ ସାଙ୍ଗ ହେଲେ ଚାଲିଯିବା ।

 

: ଜାଣି ନଥିଲି ଆପଣ ଆର୍ଟିଷ୍ଟ ।

 

: ହଁ...ସେଇଭଳି । –ସେପାଖରୁ ଟିକିଏ ହସ । ତା’ପରେ ଜେମା ପଚାରିଲେ, ନିଜେ ଆସିବ ନା ଯାଇ ନେଇ ଆସିବି... ? ଏକ୍‌ଜିବିସନ୍‌ ନେଇ ଅବଶ୍ୟ ଖୁବ୍ ବ୍ୟସ୍ତ ମୁଁ । ତଥାପି ସାନ ଭାଇପାଇଁ...ମନେ ମନେ ତମକୁ ସାନ ଭାଇ କରି ପକେଇଚି...ସେଇଥିପାଇଁ ଏତେ ଶୀଘ୍ର ତମେ ବାହାରି ଗଲା–

ଆଚ୍ଛା ନିଜେ ଯାଇ ନେଇ ଆସିବି...

: ଆଦୌ ଦରକାର ନାହିଁ । କହୁଚି, ମୁଁ ଯିବି ।

: ଗାଡ଼ିଟା ତେବେ ପଠେଇ ଦେବି...

: ଏଇତ ପାଖରେ । ଦରକାର ନାହିଁ । ଯିବି ଠିକ୍‌ ।

: ପାଞ୍ଚଟା ପୂର୍ବରୁ ।

ପ୍ରସ୍ତୁତ ହେଇ ବାହାରିବା ଆଗରୁ କିନ୍ତୁ ଗାଡ଼ି ପହଞ୍ଚି ଯାଇଥିଲା ।

ବିରାଟ୍ ଗାଡ଼ି । ଉର୍ଦ୍ଦିପିନ୍ଧା ସୋଫାର୍ । ପଛରେ ଓ ଆଗରେ ଲାଲ ପ୍ଲେଟ ଉପରେ ଲେଖା–ରାୟଗଡ଼, ନମ୍ବର ଚଉଦ । ବନେଟ୍‌ରେ ରାଜକୀୟ ପତାକା ।

ଫ୍ରେଞ୍ଚ ଆର୍ଟସ କଲେଜ ପାଞ୍ଚ ମିନିଟର ବାଟ । ମୁଁ ନିଜେ ଯାଇ ପାରି ଥାଆନ୍ତି ।

ଯାହାହେଉ, ଗାଡ଼ି ତ ଆସି ଯାଇଚି । ବାହାରିଲି । ଘରେ କହିଥିଲି ଆଗରୁ ।

 

ବର୍ତ୍ତମାନ ରଘୁଭାଇ ନଥିଲେ କି ମାମୁଁବି । ଜରୁରି କାମରେ ଯାଇଥିଲେ କୁଆଡ଼େ ।

 

ମାଈଁଙ୍କୁ କହିଦେଇ ଆସିଲି ।

 

ଏମାନଙ୍କର ଏ ସବୁ....ଆର୍ଟଫାର୍ଟ ବିଷୟରେ କୌଣସି ଆଗ୍ରହ ନାହିଁ । ନିତାନ୍ତ ବ୍ୟବସାୟୀ ପରିବାର ।

 

କଲେଜର ସେଣ୍ଟ୍ରାଲ ହଲ ।

 

ବ୍ୟସ୍ତଭାବେ ଅନଙ୍ଗମଞ୍ଜରୀ କହିଲେ, ଆସ ଆସ, ତମପାଇଁ ସିଟ୍‌ ରଖିଚି ସାମନାରେ । ଗଭର୍ଣ୍ଣର ଆସିବା ବେଳ ହେଇ ଗଲାଣି ।

 

ବସିଲି ।

 

ଛାତ୍ରଛାତ୍ରୀ ଅନେକ ।

 

ସୁସଜ୍ଜିତ ସେଣ୍ଟ୍ରାଲ୍‌ ହଲ୍‌ ସେତେବେଳକୁ ଭରପୂର । କାହାରିକୁ ମୁଁ ଚିହ୍ନେ ନାହିଁ ।

 

ଅନଙ୍ଗମଞ୍ଜରୀ ଖାଲି ଥରେ ଆସି ପଚାରି ଦେଇ ଯାଇଥିଲେ : ବସିଚ ତ । ମୁଁ ଭାରି ବ୍ୟସ୍ତ ଅଛି । ଅନେକ ଦାୟିତ୍ୱ ପ୍ରିନ୍‌ସପାଲ୍‌ ଚାପି ଦେଇଛନ୍ତି ମୋ ଉପରେ । ଭି: ଆଇ: ପି: ମାନଙ୍କୁ ରିସିଭ୍‌ କରିବା, ପ୍ରୋଗ୍ରାମ୍‌ ଡିଷ୍ଟ୍ରିବିଉଟ୍‌ କରେଇବା, ଏଟ୍‌ସେଟ୍ରା...ଏଟ୍‌ସେଟ୍ରା...

 

କହୁ କହୁ ଚାଲିଗଲେ ।

 

ଚେଆର ସବୁ ନିମନ୍ତ୍ରଣ ପତ୍ରର କ୍ରମିକ ନମ୍ବର ଅନୁଯାୟୀ...ଫରାସୀ ପଦ୍ଧତି ।

 

ସାମନା ଧାଡ଼ିର କେତୋଟି ଚେଆର୍‌ ତେଣୁ ତଥାପି ଖାଲି ରହିଥାଏ । ଯେଉଁମାନେ ଆସିବା କଥା ଆସି ନାହାନ୍ତି ।

 

କିଛି ସମୟ ପରେ କ୍ୟାମେଲାଇଟ ପୋଷାକ ପରିହିତ ଜଣେ ଖ୍ରୀଷ୍ଟୀୟ ଧର୍ମାଯାଜକ ମୋ ସାମନା ଦେଇ ପାସ୍‌ କରିଗଲେ ହାତରେ କାର୍ଡ଼ ଧରି ଚେଆର ଖୋଜୁ ଖୋଜୁ ।

 

ତାଙ୍କ ପଛେ ପଛେ ଆହୁରି ଦୁଇଜଣ ଯାଜକ ।

 

ପୋଷାକରୁ ଜଣାପଡ଼ୁଥିଲା ପ୍ରଥମ ଜଣକ ଫାଦର୍‌, ଅନ୍ୟ ଦୁହେଁ ଫାଷ୍ଟର୍‌ ।

 

ସମସ୍ତେ ସେମାନଙ୍କୁ ଚାହିଁଲେ । ବିଦେଶୀ ପରି ଜଣା ପଡ଼ୁ ଥାଆନ୍ତି ।

 

ନିକଟବର୍ତ୍ତୀ କୌଣସି ଚର୍ଚ୍ଚର ହେଇଥିବେ ।

 

ସାମନା ଲାଇନ୍‌ର ଶେଷ ଅଂଶରେ କାନ୍ଥ ପାଖକୁ ଲାଗି ତିନୋଟି ଚେଆର୍‌ରେ ସେମାନେ ବସି ପଡ଼ିଲେ ।

 

ଗଭର୍ଣ୍ଣର ଭିତରକୁ ଆସିବାର ସ୍ୱତନ୍ତ୍ର ଏଣ୍ଟ୍ରାନ୍‌ସ ସେଇଠି ।

 

ସମୟ ଆସି ପାଞ୍ଚଟା ହେଲା ।

 

ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଚନ୍ତି ସମସ୍ତେ ।

 

ହଠାତ ମାଇକ୍‌ରେ ଏନାଉନ୍‌ସମେଣ୍ଟ : କେହି ହଲ୍‌ ହାବାରକୁ ଯିବାର ଚେଷ୍ଟା କରିବେନି । ସମସ୍ତଙ୍କ ‘ବଡ଼ ସର୍ଚ୍ଚ’ ହେବ ।

 

କହୁ କହୁ ମାଇକ୍‌ ବନ୍ଦ ହେଇଗଲା, ଅବରୁଦ୍ଧ ହଲ୍‌ର ଲାଇଟ୍‌ ଲିଭିଗଲା । ତା’ପରେ ଛୋଟ ଏକ ବିସ୍ଫୋରଣର ଶବ୍ଦ । ଘନ କୁହୁଡ଼ି ପରି ଧୂଆଁ ଖେଳିଗଲା ଚାରିଆଡ଼ । କିଏ କୁଆଡ଼େ ଧାଇଁବାକୁ ଲାଗିଲେ ।

 

ବାହାର ଫାଟକ ବନ୍ଦ କରି ଲୋକଙ୍କୁ ରୋକିବାର ଚେଷ୍ଟା ବ୍ୟର୍ଥ ହେଲା ।

 

ଅଧିକାଂଶ ଚାଲିଗଲେ ।

 

ହଲ୍‌ ବାହାରକୁ ଆସି ମୁଁ ଅନଙ୍ଗମଞ୍ଜରୀଙ୍କୁ ଖୋଜିବାକୁ ଲାଗିଲି । ଭାରି ବ୍ୟସ୍ତ ହେଇ ସେ ଲନ୍‌ ପାଖରେ ଠିଆ ହେଇ ପ୍ରିନ୍‌ସପାଲ୍‌ ପ୍ରଭୃତିଙ୍କ ସହ କ’ଣ ଆଲୋଚନା କରୁଥାଆନ୍ତି ।

 

ମୋତେ ଦେଖି ଡାକିଲେ । ତମକୁ ଖୋଜି ପାଇଲି ନାହିଁ ଅଭିଜିତ । ଭାବିଥିଲି, ତମେ ଚାଲିଗଲ ।

 

: ମୁଁ ତ ଆପଣଙ୍କୁ ଖୋଜୁଥିଲି ।

 

: କୁହ ନାଇଁ ଏ ସବୁ ଗଣ୍ଡଗୋଳ କଥା !! ତିନିଜଣ ଧର୍ମଯାଜକ ଆସିଥିଲେ । ସେଇମାନଙ୍କ ଚେଆର୍‌ ତଳୁ ବିସ୍ଫୋରକ ମିଳିଚି । ରେଜିଷ୍ଟର ଚେକ କରିବାରେ ଦେଖା ଯାଉଚି, କୌଣସି ପାଦ୍ରି-ଫାଦ୍ରିଙ୍କୁ ନିମନ୍ତ୍ରଣ ପତ୍ର ଇସୁ କରାହେଇନି । ସମସ୍ତେ ତ ସମ୍ମାନିତ ଅତିଥି, କିଏ ଏତେ କାର୍ଡ଼ ଖୋଲି ଗେଟ୍‌ ପାଖରେ ଦେଖୁଚି ! ପକେଟରୁ ଲଫାପା କାଢ଼ୁ କାଢ଼ୁ ସମସ୍ତଙ୍କୁ ରିସେପ୍‌ସନିଷ୍ଟ୍‍ମାନେ ଭିତରକୁ ପାଛୋଟି ନେଇଚନ୍ତି ।

 

ପ୍ରିନ୍‌ସପାଲ୍ ଅନ୍ୟମାନଙ୍କ ସାଙ୍ଗରେ ଆଲୋଚନା କରୁଥାଆନ୍ତି । ଭାରି ଉଦ୍‌ବିଗ୍ନ । ତାଙ୍କ ଇନ୍‌ଷ୍ଟିଚିଉଟ୍‌ ବଦନାମ ହେଇଯାଉଚି : ସେଇ ଧର୍ମଯାଜକ ତିନି ଜଣ ଯେପରି ‘ଆଶ୍ଚର୍ଯ୍ୟଜନକ’ ଭାବରେ ଉଭେଇ ଗଲେ ! ଗଭର୍ଣ୍ଣରଙ୍କ ଲାଇଫ ଉପରେ ଆଟେମ୍ପ୍‍ଟ ହେବାର ଅଛି ବୋଲି ଇଣ୍ଟେଲିଜେନ୍‌ସ ବାଲାବି ଏତେ ଡେରିରେ ଖବର ସଂଗ୍ରହ କରି...ଆଉ ଟିକିଏ ଆଗରୁ ଅନ୍ତତଃ...

 

ସୁଟ୍ ପରିହିତ ଜଣେ ଶ୍ୱେତାଙ୍ଗ ଯୁବକ ଆସି ପ୍ରିନି୍‌ସପାଲ୍‌ଙ୍କ ପାଖରେ ଠିଆ ହେଲେ । : କ୍ଷମା କରିବେ ମହାଶୟ ।

 

: କହନ୍ତୁ ।

 

: ଆର୍ଟ ଗ୍ୟାଲେରୀରେ ବୁଲି ବୁଲି ଏକ୍‌ଜିବିସନ୍‌ ଦେଖୁଥିଲି...

 

: ଏଇ ‘‘କେଅସ୍‌’’ ଭିତରେବି ! ଆପଣହିଁ ପ୍ରକୃତ...ସମଜଦାର !! –ପ୍ରିନିସ୍‌ପାଲ ହସିଲେ-। –ପରିଚୟ ?

 

: କର୍ଣ୍ଣେଲ୍‌ ବ୍ରିଷ୍ଟନ୍‌ । ପୋର୍ଟ ଉଇଲିୟମ...କରମର୍ଦନ । ...ଖୁବ୍‌ ଖୁସି ହେଲି ।

 

: ଗ୍ୟାଲେରୀରେ ଦୁଷ୍ମନ୍ତ-ଶକୁନ୍ତଳାଙ୍କ ଯେଉଁ ଛବିଟି ଅଛି, ତାହା ତଳେ ଆର୍ଟିଷ୍ଟଙ୍କ ନାମ ଲେଖା ହେଇଚି ଖାଲି ‘ଅନଙ୍ଗ’ ବୋଲି । ଛବିଟି ଅପୂର୍ବ । ସେଇ ଭଦ୍ରଲୋକ କିଏ ?

 

: ଭଦ୍ରଲୋକ ନୁହେଁ, ଭଦ୍ର ମହିଳା । ଏବଂ ସେ ଏଇ... ସାନ-ଜେମା ଅନଙ୍ଗମଞ୍ଜରୀ ଆଗେଇ ଯାଇଥିଲେ । କଂଗ୍ରାଚୁଲେଟ୍ କରିଥିଲେ ବ୍ରିଷ୍ଟନ । କହିଥିଲେ : ମୁଁ ସେଇ ଛବିଟାକୁ କିଣି ନେବାକୁ ଚାହେଁ ।

 

ହସିଥିଲେ ଅନଙ୍ଗମଞ୍ଜରୀ । : ଛାତ୍ରାବସ୍ଥାରେ ଛବି ବିକ୍ରି ନ କରିବା ଅନୁଷ୍ଠାନର ନିୟମ ।

 

: ତାହାହେଲେ ମୋତେ ଉପହାର ଦିଅନ୍ତୁ ।

 

ସେଇଟା କଲେଜର ସମ୍ପତ୍ତି । ଆଉ ଗୋଟିଏ ଆଙ୍କି ଦେଇପାରେ ।

 

: ଦେବେ ? ଠିକ୍‌ କହୁଚନ୍ତି । କେବେ...

 

: ଦେବି ନିଶ୍ଚୟ । କିନ୍ତୁ କେବେ କହି ପରିବିନି ।

 

: ଆପଣଙ୍କ ଏଡ଼୍ରେସ୍‌ ପାଇ ପାରେ ?

 

: ସେଭେନଟିନ୍‌ ଏ, ରାୟଗଡ଼ ହାଉସ୍‌, ଲେକ୍‌ ଗାର୍ଡ଼େନ୍‌ସ...

 

: ଟେଲିଫୋନ୍ କରି ମୋତେ ବିବ୍ରତ କରିବେନି ପ୍ଲିଜ । ଅନ୍ତତଃ ତିନି ଚାରି ମାସ ଭିତରେ ନୁହେଁ ।

 

: ବ୍ୟକ୍ତିଗତ ଭାବରେ ଆସିବି ।

 

: ନା । ରେସିଡ଼େନ୍‌ସ ଠିକଣାରେ କେବଳ ଲେଖି ପାରନ୍ତି । କିନ୍ତୁ ଲାଭ ନାହିଁ ବାରମ୍ବାର ରିମାଇଣ୍ଡ କରି ।

 

ହଁ ଏତେ କଡ଼ା ଅନଙ୍ଗମଞ୍ଜରୀ । କାହାରିକି ସହଜେ ପ୍ରଶ୍ରୟ ଦିଅନ୍ତି ନାହିଁ । ତାଙ୍କର ନିର୍ବନ୍ଧ ସରିଚି ଅନେକ ଆଗରୁ । କେବଳ ନିର୍ଦ୍ଦିଷ୍ଟ ବୟସ ଅତିକ୍ରମ କରିବାର ଅପେକ୍ଷା । ...ଜ୍ୟୋତିଷ କହିଚନ୍ତି, ସେହି ବୟସ ଅତିକ୍ରାନ୍ତ ହେବା ଆଗରୁ ବିବାହ ହେଲେ ବୈଧବ୍ୟର ସମ୍ଭାବନା ।

 

ନରପତି ସବୁ କିଛି ମୋତେ କହିଥିଲେ କଲିକତାରେ ଅନଙ୍ଗମଞ୍ଜରୀ ସମ୍ବନ୍ଧରେ ।

 

ରାଜ ଜ୍ୟୋତିଷ ନିର୍ଦ୍ଦେଶ ଦେଇଥିଲେ, ପଚିଶବର୍ଷ ବୟସ ଯାଏଁ ବିବାହ ଯେପରି ନ ହୁଏ । ତେଣୁ ଅଠରବର୍ଷ ବୟସରୁ ବସ୍ତର ଯୁବରାଜଙ୍କ ସହିତ ନିର୍ବନ୍ଧ କରାଇ ଦିଆ ହେଇଚି କେବଳ । ସେ ବି ଉଚ୍ଚ ଶିକ୍ଷାପାଇଁ ବିଲାତରେ । ସାନ-ଜେମା ନିଜେ ଜାଣନ୍ତି କି ପରିସ୍ଥିତିରେ ଶୈଶବରୁ ପୋଷ୍ୟାରୂପେ ଗୃହୀତା ହୋଇ ଆସିଥିଲେ ଏଠାକୁ । ...ନିଜ ବିଷୟରେ କେବେ କୌଣସି ବକ୍ତବ୍ୟ ପ୍ରକାଶ କରି ନାହାନ୍ତି ।

 

ନରପତି କିନ୍ତୁ ସ୍ୱୀକାର କରିଥିଲେ : ଭାରି ମୋତେ ସେ ଭଲ ପାଏ ଅଭିଜିତ । ଚିଠି ଲେଖିଥିଲା ଡାଡ଼ି ଏଇଠି ଆସି ରହିବେ ଆପଣ । ଏଇଠାରେ ଚିକିତ୍ସା ହେବ । ରାଜମାତାବି ଜୋର୍‌ କଲେ । ଚାଲି ଆସିଲି । ସାନ ଜେମା ଭାରି ଯତ୍ନ କିନ୍ତୁ ନେଉଛି ମୋର । ଅଥଚ କୌଣସି ନୈତିକ ଅଧିକାରଇ ମୋର ତା’ ଉପରେ ନାହିଁ । ତେବେ ମନ ଭିତରେ ବୋଧହୁଏ ତା’ର ଟିକିଏ ଅଭିମାନ ଅଛି ! ...କଲିକତା ତ ମଝିରେ ମଝିରେ ଆସେ ମୁଁ । ଥରେ ଦି’ ଥର କହିଚି, ଚାଲ ଚକ୍ରଧରପୁର ବୁଲି ଆସିବୁ । ନାହିଁ କରିଚି । ଏପରିଭାବେ ‘ନା’ କହିଚି ଯେ ମୋର ସାହସ ହେଇନି ଜୋର୍‌ କରିବାକୁ ।

 

ରାଜା କହନ୍ତି, ଜେମାର ବିବାହ ହେଇଗଲେ ଯାଇ ତାଙ୍କର କର୍ତ୍ତବ୍ୟ ଶେଷ । ପଚିଶବର୍ଷ ବୟସ ହେବା ପର୍ଯ୍ୟନ୍ତ ଯାହା କରିବ କରୁଥାଉ । ଏମ୍‌: ଏ: ପାଶ୍‌ କଲା । ବର୍ତ୍ତମାନ ଚିତ୍ରାଙ୍କନ ଶିଖୁଚି । ପିଲାଦିନୁ ଏଥିରେ ଆଗ୍ରହ ଥିଲା; ଶିଖୁ ।

 

ଜାଣିବାକୁ ଚାହିଁଲି ବସ୍ତର ଯୁବରାଜଙ୍କୁ ଅନଙ୍ଗମଞ୍ଜରୀ ଦେଖିଚନ୍ତି କି ।

 

ନିର୍ବନ୍ଧବେଳେ ଉଭୟ ଉଭୟଙ୍କୁ ଦେଖିଥିଲେ ବୋଲି ନରପତି କହିଥିଲେ । ପ୍ରଶଂସା କରିଥିଲେ ଯେ ତାଙ୍କର ଭାବୀ ଜାମାତା ସୁନ୍ଦର ବ୍ୟକ୍ତିତ୍ୱର ଅଧିକାରୀ ଏବଂ ବସ୍ତରବି ବଡ଼ ଷ୍ଟେଟ୍‌ । ଆଶା ପ୍ରକାଶ କରିଥିଲେ, ଜେମା ସୁଖୀ ହେବ ।

 

ନରପତି ସିଂହ ସବୁବେଳେ ମୋର ସଙ୍ଗ ଚାହୁଁଥିଲେ । ଡାକ୍ତର ପରାମର୍ଶ ଅନୁଯାୟୀ ତାଙ୍କୁ ବୁଲାବୁଲି କରିବା ବାରଣ । ମୋତେ ଅନୁରୋଧ କରୁଥିଲେ ବାରମ୍ବାର ଯିବାପାଇଁ ।

 

ମୋ ପ୍ରତି ରାଜମାତାଙ୍କର ଶ୍ରଦ୍ଧା ଆଉ ଅନଙ୍ଗମଞ୍ଜରୀଙ୍କ ସ୍ନେହ ମଧ୍ୟ ମୋତେ ସେଠାକୁ ଆକର୍ଷଣ କରୁଥିଲା ।

 

ଜେମା ମୋତେ ଡାକୁଥିଲେ ସହର ବୁଲି ଯିବାପାଇଁ । ବେଳେବେଳେ ନିଛାଟିଆ ରାସ୍ତାରେ ଡ୍ରାଇଭିଂ ଶିଖାଉ ଥିଲେ । ଡ୍ରାଇଭିଂ ତାଙ୍କର ‘ହବି’ ଥିଲା । ଅବଶ୍ୟ ଡ୍ରାଇଭର ସାଙ୍ଗରେ ଯାଉଥିଲା ସବୁବେଳେ । ପଛ ସିଟ୍‌ରେ ବସେ ଖାଲି । ଦୈବାତ ଯଦି ଗାଡ଼ି ଖରାପ ହୁଏ ସଜାଡ଼ିବା ଦାୟିତ୍ୱ ତା’ର । କେବଳ ଚଳାଇବା ଛଡ଼ା ସେଇ ବିରାଟ୍‍ ‘ଓଲ୍‍ଡ଼ସ୍ ମୋବାଇଲ୍‍’ ସମ୍ବନ୍ଧରେ ଅନ୍ୟ କିଛି ଜଣା ନଥିଲା ଜେମାଙ୍କୁ ।

 

ବଟାନିକାଲ୍‌ ଗାର୍ଡ଼େନ, ଆଉଟ୍‍ରାମ ଘାଟ, ଏପରିକି ବଜ୍‌ବଜ୍‌ ପର୍ଯ୍ୟନ୍ତ ଆମେ ଚାଲି ଯାଉଥିଲୁ ବେଳେବେଳେ ।

 

ଦିନେ ଏକ ଜ୍ୟୋତ୍ସ୍ନାଲୋକିତ ସନ୍ଧ୍ୟାରେ ଗରମ ଆବହାଉଆରୁ ରକ୍ଷା ପାଇବାପାଇଁ ଆମେ ଯାଇ ଗଙ୍ଗାକୂଳରେ ବସିଥିଲୁ ଦକ୍ଷିଣେଶ୍ୱର ଠାରେ । ଡ୍ରାଇଭର ରାସ୍ତା ଉପରେ ଗାଡ଼ି ପାର୍କ କରି ରଖିଥିଲା । ସେ ସମୟରେ ସେ ରାସ୍ତା ଏତେ ଜନ ହେଳି ନ ଥାଏ ବର୍ତ୍ତମାନ ପରି । ସେତେବେଳେ ସହର ସେଇ ଆଡ଼କୁ ଏତେଟା ବଢ଼ି ଯାଇଥିଲାନି । କ୍ରମବର୍ଦ୍ଧିତ ଜନସଂଖ୍ୟା ମୁଖବ୍ୟାଦାନ କରି ଏବେ ସେହି ସବୁ ଅଞ୍ଚଳର ଶାନ୍ତ ନିର୍ଜନତା ସରୀସୃପ ପରି ଗ୍ରାସ କରିବାକୁ ଆସୁଚି ।

 

ନରମ ଘାସର ଗାଲିଚା ଉପରେ ଆମେ ବସିଥିଲୁ ପାଖାପାଖି । ଗଙ୍ଗା ଭିତରେ ଗୋଟାଏ ଜାହାଜ ଯାଉଥାଏ । ତାହାର ବିଭିନ୍ନ ବର୍ଣ୍ଣ ଆଲୋକ ନଦୀ ସ୍ରୋତରେ ଶତଧା ପ୍ରତିବିମ୍ବତ-। ଜ୍ୟୋତ୍ସ୍ନାଲୋକିତ ଆକାଶରେ ତା’ ମାସ୍ତୁଲର ସିଲହଟ୍‌ । ନବମୀ ଜହ୍ନର ପ୍ରତିଫଳନ ତୀର-ଜଳରେ ଅସ୍ଥିରଭାବେ ଭାସୁଥିବା ପରି ଦିଶୁଥାଏ । ଢେଉର କମ୍ପନରେ ରହି ରହି ଧକା ଖାଉଥାଏ କୂଳରେ ।

 

ସୀକର ବାୟୁରେ ମୃଦୁ ହିଲ୍ଲୋଳରେ ଜେମାଙ୍କ ଆକାଶୀ ଶାଢ଼ିର ପଣତ ଉଡ଼ିଆସି ମୋ ଜାନୁ ଉପରେ ଖେଳେଇ ହେଇ ପଡ଼ିଗଲା । ଓଠ ମଝିରେ ହାରଟିକୁ ଆନମନାଭାବେ ଚାପି ଧରିଚନ୍ତି...ପଦକର ପଦ୍ମକାନ୍ତ ମଣିଟି ଅନାବୃତ କଳା ବ୍ଲାଉଜ୍ ଉପରକୁ ଝୁଲି ପଡ଼ି ଜ୍ୟୋତିଃ ବିକିରଣ କରି ଚାଲିଚି...ସେ ଚାହିଁ ରହିଚନ୍ତି ଆକାଶର ଚନ୍ଦ୍ରକୁ । ଆର୍ଟିଷ୍ଟମାନଙ୍କ ହାବଭାବଇ ବୋଧହୁଏ ଏଇ ପ୍ରକାର ! ସେମାନେ ଖାମ୍‍ଖିଆଲି ବୋଲି ଶୁଣିଥିଲି ଆଉ ପଢ଼ିଥିଲି । ଏବେ ସାନ୍ନିଧ୍ୟରେ ଜଣକୁ ପାଇଚି ।

 

ପଣତଟା ସେ ଉଠାଇ ନେଉ ନାହାନ୍ତି । ଅଥଚ ମୋତେ ଅସ୍ୱସ୍ତି ଲାଗୁଚି । କହି ପାରିବିନି କି ନିଜେବି ଉଠାଇ ପାରିବିନି । ଶେଷରେ କୌଣସି କିଛି କହି ତାଙ୍କ ଅନ୍ୟମନସ୍କତା ଭାଙ୍ଗିବାକୁ ଚେଷ୍ଟା କଲି ।

 

: ବେଶ୍‌ ଥଣ୍ଡା ଲାଗୁଚି ଏଠି । ସହରର ଗରମ ନାହିଁ ।

 

: ତାଙ୍କ କନ୍‌ସେଣ୍ଟ୍ରସନ୍‌ ଭାଙ୍ଗିଲାନି ।

 

: ପୁଣି କହିଲି : ମୋର ତ ଆଦୌ ଫେରିବାକୁ ଇଚ୍ଛା ହେଉନି ।

 

: ଜେମାଙ୍କ ଓଠ ସଞ୍ଚାଳନରେ ମନେ ହେଲା ସେ ମନେ ମନେ କୌଣସି ସଙ୍ଗୀତର ସ୍ୱର ସାଧନା କରୁଚନ୍ତି ।

ଏଥର ମୁଁ ଉଠାଇ ନେଲି ପଣତଟି । ଘେରାଇ ଦେଲି ତାଙ୍କ ବାହୁ ଆଉ ପିଠି ଉପରେ ।

 

ସେ ଫେରି ଚାହିଁଲେ ମୋ ଆଡ଼େ ।

 

ରାସ୍ତା ଉପରୁ କୂଳ ଆଡ଼କୁ ଆସ୍ତେ ଗଡ଼ି ଆସୁଥିବା ଗୋଟିଏ ଗାଡ଼ିର ଲାଇଟ୍ ପଡ଼ିଲା ଆମ ଉପରେ ।

 

ବିବ୍ରତ ଚାହାଣିରେ ଫେରି ଚାହିଁଲେ ଜେମା ।

 

ଲାଇଟ୍‌ ବନ୍ଦ ହେଇଗଲା । କିନ୍ତୁ ଗାଡ଼ିଟା ନିଃଶବ୍ଦରେ ଆସୁଥାଏ । ଟିକିଏ ଦୂରରେ ରୋକି ଗଲା । କ୍ୟାନ୍‌ଭାସ୍‌ ଢଙ୍କା ବେଢ଼ଙ୍ଗିଆ ଚଉଡ଼ା-ମୁହାଁ ଗାଡ଼ି ଭିତରୁ ହାତରେ କ୍ୟାପ୍‌ ଧରି ଇଉନିଫର୍ମ ପୋଷାକରେ ଓହ୍ଲାଇ ଆସିଲେ ଜଣେ ।

 

: କ୍ଷମା କରିବେ ପ୍ରିନ୍‌ସେସ୍‌ ।

 

: ହ୍ୱାଟ୍‌ ଡୁ ୟୁ ୱାଣ୍ଟ ? –ଜେମା ପଚାରିଲେ ଆଶ୍ଚର୍ଯ୍ୟ ହେଲାପରି । ତା’ପରେ, ଓ, ୟୁ...-! ମିଷ୍ଟର୍ ବ୍ରିଷ୍ଟନ୍...ଆଇ ସପୋଜ୍...ଅନଙ୍ଗମଞ୍ଜରୀ ଉଠି ଠିଆ ହେଲେ । ମୁଁ ବି ।

 

ଅତ୍ୟନ୍ତ ବିନୟର ସହିତ କର୍ଣ୍ଣେଲ କହିଲେ : ଗଲଫ୍‌ କ୍ଲବରୁ ଫେରୁଥିଲି । ଇଚ୍ଛା ହେଲା କିଛି ସମୟ ବସି ଯିବି ଗଙ୍ଗାକୂଳରେ । ଜାଣି ନଥିଲି...ଲାଇଟ୍‌ ପଡ଼ିଗଲା... ! କ୍ଷମା କରନ୍ତୁ ଆପଣ ଆଉ ଆପଣଙ୍କ ଫ୍ରେଣ୍ଡ୍... । ମୁଁ ବରଂ ଫେରି ଯାଉଚି ।

 

: କି ଆଶ୍ଚର୍ଯ୍ୟ । ଜେମା ପ୍ରତିବାଦ କଲେ, ଏଟା ତ ମୋ ‘ଟେରିଟରୀ’ ନୁହେଁ । ଆପଣ ବସି ପାରନ୍ତି ।

 

: ନା...ମାନେ ଆପଣମାନଙ୍କ ପ୍ରାଇଭେସିରେ–

 

: ପ୍ରାଇଭେସି କ’ଣ ? ହି ଇଜ୍‌ ଲାଇକ୍‌ ମାଇଁ ବ୍ରଦର୍‌ । ତା’ ଛଡ଼ା ଆମେ ତ ବର୍ତ୍ତମାନ ଯିବୁ ।

 

: ତାହାହେଲେ ବୁଝିବି, ମୁଁ ଆସିବାରୁ ଆପଣମାନେ ଚାଲି ଯାଉଚନ୍ତି ।

 

: ଆଦୌ ନୁହେଁ । ଚୌରଙ୍ଗୀରେ କାମ ଅଛି । ଏ ବିଟ୍‌ ଅଫ୍‌ ସପିଙ୍ଗ...

 

: ଆପଣ ମୋତେ ଭୁଲ୍ ବୁଝି ନାହାନ୍ତି ତ ?

 

: ଆଦୌ ନୁହେଁ । ଆଚ୍ଛା ଆମେ ଯାଉଛୁ ।

 

: ଟିକିଏ... ।

 

: କୁହନ୍ତୁ ।

 

: ଆପଣଙ୍କର ସେଇ ଛବିଟା ମୋତେ ଦୁଷ୍ମନ୍ତ-ଶକୁନ୍ତଳା ଉପାଖ୍ୟାନ ସମ୍ବନ୍ଧରେ ଆଗ୍ରହୀ କରାଇଚି । ସମଗ୍ର ବିଷୟଟି ଜାଣିବାକୁ ଚାହେଁ । ବହି କେଉଁଠି ପାଇବି ?

 

: ଆପଣ...ଟିକିଏ ଭାବି ଜେମା କହିଲେ...ବରଂ ଇମ୍ପିରିଏଲ୍‌ ଲାଇବ୍ରେରୀକୁ ଚାଲି ଯାଆନ୍ତୁ ।

 

: ଧନ୍ୟବାଦ । ମୁଁ ବର୍ତ୍ତମାନ ଯିବି । ଆଚ୍ଛା...ବିଦାୟ ନେବା ପୂର୍ବରୁ,...ମୋ ଅନୁରୋଧ ମନେ ଅଛିତ ?

 

ଗାଡ଼ି ଚୌରଙ୍ଗୀ ଆଡ଼କୁ ଚାଲିଥିଲା । ମୁଁ ହସି ପକାଇ କହିଲି: ପ୍ରଥମେ ଭାବିଲି ଭଦ୍ରଲୋକ ଆପଣଙ୍କୁ ଫଲୋ କରି ଆସିଚନ୍ତି ନା କ’ଣ ।

 

: ଆପଣ ନୁହେଁ ଅଭିଜିତ, ମୋତେ ତମେ ବୋଲି ଡାକିବ । ...ହଁ, ତାଙ୍କର ଓରିଏଣ୍ଟାଲ୍‌ ଆର୍ଟ, ଲିଟରେଚର୍‌ ସମ୍ବନ୍ଧରେ ଆଗ୍ରହ ଅଛି ଦେଖିଚି...ଜଣେ ମିଲୀଟାରୀ ମ୍ୟାନ୍‌ ହୋଇ ମଧ୍ୟ... । ଆଶ୍ଚର୍ଯ୍ୟ ବ୍ୟତିକ୍ରମ ।

 

ମୋର କଲିକତା ରହଣି କାଳ ପୂରି ଆସିଲା ।

 

ବାହାରି ଗଲା ପରୀକ୍ଷା ଫଳବି ।

 

ଫାଷ୍ଟ ଡିଭିଜନ୍‌ ପାଇଥିଲି ।

 

ସମସ୍ତଙ୍କ ଠାରୁ ବିଦାୟ ନେଇ ଫେରି ଆସିଲି ଚକ୍ରଧରପୁର ।

 

ଅଞ୍ଜଳି ସେ ପର୍ଯ୍ୟନ୍ତ ଯାଇ ନ ଥାଏ କଲିକତା । ତା’ ସ୍ୱାମୀ ଅଶୋକ ଚୌଧୁରୀଙ୍କ ଧାନବାଦ୍‍ରୁ ଗାର୍ଡ଼େନ୍‌ ରିଚ୍‌ ଟ୍ରାନ୍‌ସଫର ହେଇଚି । ସେଠି ଜଏନ୍‌ କରି ସେ ତାକୁ ନେବାପାଇଁ ଆସିଥିଲେ । କିନ୍ତୁ ଛୋଟରାୟ ସାହେବଙ୍କ ଟ୍ରାନସଫର ଅର୍ଡ଼ର ଏହା ଭିତରେ ଆସି ଯାଇଚି । ରିଲିଭର୍‌ ଛୁଟିରେ ଥିବାରୁ ଡେରି ହେଉଚି ଯାହା । ମାଡ଼୍ରାସ୍‌ରେ ପୋଷ୍ଟିଂ । ଏତେ ଦୂର ଚାଲିଯିବେ ! ଘନଘନ ଦେଖାସାକ୍ଷାତର ସୁଯୋଗ ଆଉ ରହିବନି । ତେଣୁ ଅଞ୍ଜଳି ଆଉ କିଛିଦିନ ବାପା-ମାଆଙ୍କ ପାଖରେ ରହି ଯିବାକୁ ଚାହେଁ । ...ଏଇସବୁ ମାଆ ଠାରୁ ଶୁଣିଲି । ମିସେସ ଛୋଟରାୟ ଡାକି ପଠେଇଲେ–ଗଲି ମଧ୍ୟ ଦେଖା କରିବାପାଇଁ ।

 

ପ୍ରଥମ ଥରପାଇଁ ଶାଢ଼ିରେ ଦେଖିଲି ଅଞ୍ଜଳିକୁ । ମଥାରେ ସିନ୍ଦୂର । ସେ ବଡ଼ ଦିଶୁଥିଲା-। ଶାଢ଼ି ସିନ୍ଦୂର ପିନ୍ଧିଲେଇ ଝିଅମାନେ କ’ଣ ହଠାତ ମହିଳାରେ ପରିଣତ ହେଇ ଯାଆନ୍ତି-!

 

‘‘କିମିତି ଦିଶୁଚି’’ ପଚାରିବାରୁ ଉତ୍ତରରେ ସାଇଆ ତାକୁ କହିଥିଲି ।

 

କିନ୍ତୁ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ହେଇଥିଲେବି ମୁହଁରେ ତା’ର ହସ ନଥିଲା ।

 

ପଚାରିଲି : ବର କେମିତି ?

 

ସେ ଫଟୋଟାଏ କାଢ଼ି ବଢ଼େଇ ଦେଲା ।

 

ଦେଖି ନେଇ କହିଲି : ବେଶ୍‌ ତ । ସୁନ୍ଦର ପର୍ସନାଲିଟି ! ନାଆଁଟାବି ଭଲ । ‘ଅଶୋକ’ ! ତମର କୌଣସି ଶୋକ ରହିବନି ।

 

: ଅଶୋକବାବୁଙ୍କ କଥା ଛାଡ଼ । ତମ କଥା କୁହ ।

 

: ମୋ କଥା ଆଉ କ’ଣ ? ହଁ ମାଆ ଠାରୁ ଶୁଣିଲି ତମେ ଥାର୍ଡ଼ ଡିଭିଜନ୍‌ ପାଇଚ ! ହାଓ ଇଟ୍‌ ଇଜ୍‌ ? ମୁଁ ତ ଅଧିକ କିଛି ଆଶା କରିଥିଲି ।

 

: ଛାଡ଼ ମୋ କଥା । ମାଉସୀ କହୁଥିଲେ, ତମେ ଡାକ୍ତରୀ ପଢ଼ୁଚ । କଲିକତାରୁ ଚିଠି ଦେଇଥିଲ...

 

: ହଁ...କିଛି ତ ଗୋଟାଏ କରିବାକୁ ହେବ ।

 

: କଲିକତାରେଇ ପଢ଼ିବାପାଇଁ ଠିକ୍‌ କଲ ?

 

: ସେଠି କେତେକ ସୁବିଧା ଅଛି । ହଷ୍ଟେଲ୍‌ରେ ସିଟ୍‌ ନ ମିଳିଲେ ମାମୁଁଙ୍କ ଘରେ ରହିପାରିବି । ତା’ ଛଡ଼ା କଟକ ବା ପାଟନା ଅପେକ୍ଷା କଲିକତା ଚକ୍ରଧରପୁରକୁ ପାଖ । ଆସି ପାରିବି ବାପାବି ଯାଇ ପାରିବେ ଅନ୍‌ ଡ୍ୟୁଟି...ଟୁର୍‌ ଫୁର୍‌ ଥାଏ ତ । ଅବଶ୍ୟ ଯଦିନା କୁଆଡ଼େ ଦୂରକୁ ଟ୍ରାନ୍‌ସଫର୍‌ ହେଇ ନ ଯାଏ ତାଙ୍କର ।

 

: ରେଲ୍‍ୱେ ସର୍ଭିସ୍‌ରେ କ’ଣ ଠିକ୍‌ଠିକଣା ଅଛି ?

 

: ଆଚ୍ଛା କୁହତ ତମେ ଆଗଭଳି ଚିଅରଫୁଲ୍ ନୁହ କାହିଁକି ? ନାଓ ୟୁ ଆର୍‌ ମେରେଡ଼୍‌ । ଆର୍‌ ୟୁ ନଟ୍‌ ହେପ୍‌ପୀ ।

 

: କ’ଣ ଶୁଣିଲେ ଖୁସି ହେବ ?

 

: କ’ଣ ଶୁଣିଲେ ଖୁସି ହେବି ବୋଲି ଭାବୁଚ ?

 

: ମୁଁ ଦୁଃଖୀ ହେଇଚି ଜାଣିଲେ ।

 

: ମୋତେ ଚିହ୍ନିବାକୁ ଏବେବି ତମର ବାକି ଅଛି ଅଞ୍ଜଳି ।

 

: ତଥାପି ସମୁଦ୍ର ପରି ଗଭୀର, ହ୍ରଦ ପରି ରହସ୍ୟମୟ ମଣିଷର ମନ ।

 

: ତମେ କେବଳ ମୋର ସ୍ନେହାସ୍ପଦା ଆଉ ମୁଁ ତମର ଶୁଭାକାଂକ୍ଷୀ । ଆମ ଭିତରେ ସମ୍ପର୍କ କେବଳ ଏତିକି ।

 

: ବିରକ୍ତ ହୁଅ ନାଇଁ ଅଭିଜିତ । ହୁଏତ ମୁଁ ତମ ଦୁର୍ବଳତା ଧରି ପକେଇଚି । ଧରା ପଡ଼ିଗଲେ ରାଗ ଆସିବା ସ୍ୱାଭାବିକ ।

 

: ନିର୍ବୋଧର ସ୍ୱର୍ଗରେ ରହିଚି । ମୋର କୌଣସି ଦୁର୍ବଳତା କେବେ ନଥିଲା କି ନାହିଁ ।

 

: ଆଜି ଏ କଥା କହୁଚ । କିନ୍ତୁ..., ଛାଡ଼ । ଆଚ୍ଛା ମୋ ମେରେଜରେ ତ ଆସିଲନି..., କଲିକତାରେ ଏତେ ଦିନ କ’ଣ କରୁଥିଲ ? ମୁଁ ଖୁବ୍‌ ଅପେକ୍ଷା କରୁଥିଲି... ।

 

: ଜନ୍‌ ଚାର୍ଣ୍ଣକଙ୍କ କଳ୍ପନାର ରୂପାୟନ ଦେଖୁଥିଲି । ପ୍ରଥମ ଥରପାଇଁ ଗଲି ଏତେ ବଡ଼ ସହରକୁ । ଅନେକ କିଛି ଦର୍ଶନୀୟ ସେଠି । ତମେ ତ ଯାଉଚ ଦେଖିବ ।

 

: ବମ୍ବେ ଯିଏ ଦେଖିଚି ତା’ପାଇଁ ଅନ୍ୟ ସହର କିଛି ନୁହେଁ...।

 

: ତଥାପି ଗୋଟିକ ଠାରୁ ଅନ୍ୟଟି ତ ଭିନ୍ନ ! କେବେ ଯାଉଚ ତମେ ।

 

: ଜାଣେନା । ମୋର ଇଚ୍ଛା, ବାପା-ମାଆଙ୍କ ସାଙ୍ଗରେ ମାଡ଼୍ରାସ ଚାଲିଯିବି ।

 

: ତା’ ମାନେ ? କଲିକତା ସହରରେ ମିଷ୍ଟରଙ୍କୁ ଏକା ଛାଡ଼ିବାକୁ ତମର ଡର ଲାଗୁନି ? ଖୁବ୍‌ ଶୀଘ୍ର ଏତେ ବେଶି ବିଶ୍ୱାସ କରିବା ଭଲ ନୁହେଁଟି ! ଅନ୍ୟ କୌଣସି ଝିଅ ଯଦି ଭଲ ପାଇ ବସେ ପରିଣତି କଥା ଭାବିଚ !

 

: ପରିଣତି ଶୂନ୍ୟ ।

 

: ତମ କଥା ସବୁ ମୋତେ କ୍ରସୱାର୍ଡ଼ ପଜ୍ଲ ପରି ଲାଗୁଛି ଅଞ୍ଜଳି ।

 

: ଜୀବନଟା ଗୋଟାଏ ଲଟେରୀ, ଗୋଟାଏ ବିରାଟ୍ କ୍ରସୱାର୍ଡ଼ ପଜ୍ଲ ।

 

: ଏୟ...ମୋର ସନ୍ଦେହ ହେଲାଣି ! କିଛି ଝଗଡ଼ା ହେଇଚି ନିଶ୍ଚୟ ଅଶୋକବାବୁଙ୍କ ସାଙ୍ଗରେ । ଏତେ ଶୀଘ୍ର ଇଏସବୁ କ’ଣ ? ସଂସାରଟା ସ୍କୁଲ ନୁହେଁ, ମେରେଡ଼୍‌ ଲାଇପ୍‌ଟା ପିଲା ଖେଳ ନୁହେଁ ।

 

: କିଛି ନ ବୁଝି ଖାଲି ଉପଦେଶ !

 

: ଖୁବ୍‌ ବୁଝିଲିଣି । ତମେ କଳି କରିଚ ତାଙ୍କ ସାଙ୍ଗରେ...

 

: ତାଙ୍କର ମେରେଜ୍‌ କରିବା ଉଚିତ ନଥିଲା ।

 

: ଏ ତ ଚରିତ୍ର ଉପରେ କଟାକ୍ଷପାତ ।

 

: ସେ ଚରିତ୍ରହୀନ ହେଇଥିଲେ ବରଂ ମୁଁ ସୁଖୀ ହେଇ ଥାଆନ୍ତି ।

 

: ତମେ କ’ଣ କହିବାକୁ ଚାହଁ ଅଞ୍ଜଳି ?

 

: ଅଭିଜିତ, ଉଇ ଡୁ ନଟ୍‌ ଅନ୍‌ ଓୟେଲ୍‌ ।

 

: ଫଟୋ ଦେଖିତ ମନେ ହେଉଚି...ଫେସ୍‌ ଇଜ୍‌ ଦି ମିରର୍‌ ଅଫ୍‌ ମ୍ୟାନ୍‌...ଅଶୋକବାବୁ ମଣିଷ ହିସାବରେ ବେଶ୍‌... ।

 

: ହଁ, ମଣିଷ ହିସାବରେ । କିନ୍ତୁ...

 

: କିନ୍ତୁ... ?

 

: କିନ୍ତୁ ପୁରୁଷ ହିସାବରେ ନୁହେଁ ।

 

: ମୋତେ ‘ଶକ୍‌’ ଖାଇଲା ପରି ଲାଗିଲା ।

 

: ହ୍ୱାଟ୍‌ ଡୁ ୟୁ ମିନ୍‌ ?

 

: ୟୁ ଆର୍‌ ଏନ୍‌ ଇଡ଼ିୟଟ୍‌ !

 

ମୁଁ ଜଳଜଳ ହୋଇ ତା’ ମୁହଁକୁ ଅନେଇ ରହିଲି ।

 

ତା’ କଳା ଭଅଁର ଆଖିରୁ ଝରି ପଡ଼ୁଥିଲା ଲୁହ । ଖୁବ୍‌ କଷ୍ଟରେ ସେ ନିଜର କୋହ ଚାପି ରଖି କହିଲା : ମୁଁ ହାରିଗଲି । ଆଇ ଏମ୍‌ ଲ’ଷ୍ଟ ଅଭିଜିତ । କା’ଷ୍ଟ ଏୱେ...ଏଣ୍ଡ୍‌ ଲ’ଷ୍ଟ ।

 

ନୀରବତା ଭିତରେ ବିତିଗଲା କିଛିକ୍ଷଣ । ଏ ଭଳି କିଛି ଶୁଣିବାକୁ ଆଶା କରି ନଥିଲି । କିନ୍ତୁ ତଥାପି ମୋତେ କିଛି କହିବାକୁ ହେବ । ଏଇ ପରିସ୍ଥିତିରେ ସାନ୍ତ୍ୱନା ଦେବାହିଁ କର୍ତ୍ତବ୍ୟ । ମାତ୍ର କ’ଣ ବା କହିବି ?

 

ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲି...ତମେ ତାଙ୍କୁ ଚିକିତ୍ସା କରାଅ । କୌଣସି ସ୍ପେସାଲିଷ୍ଟ ହୁଏତ...

 

: ତାଙ୍କ ଜୀବନରେ ମୁଁ ପ୍ରଥମ ନାରୀ ନୁହେଁ । ପ୍ରାକ୍‌ବୈବାହିକ ପ୍ରଣୟର ଦୈହିକ ଅସାଫଲ୍ୟ ତାଙ୍କୁ ସ୍ପେସାଲିଷ୍ଟ ପାଖକୁ ଯିବାପାଇଁ ବାଧ୍ୟ କରିଥିଲା । ଚିକିତ୍ସକ ତାଙ୍କୁ ଆଶାର ବାଣୀ ଶୁଣାଇଥିଲେ...କହିଥିଲେ ନିର୍ଭୟରେ ବିବାହ କରିବାପାଇଁ । କିନ୍ତୁ...ଠକି ଯାଇଚନ୍ତି !

 

: ସ୍ୟାଡ଼ ! ...ତଥାପି ଆହୁରି ଅଧିକ ଚେଷ୍ଟା କରିବା ଉଚିତ । ତମେ କଲିକତା ଯାଅ । ସେଠି ବଡ଼ବଡ଼ ଚିକିତ୍ସକ ଅଛନ୍ତି ।

 

: ଆଉ ବିଶ୍ୱାସ ଆସୁନି ।

 

: ଏତେ ଶୀଘ୍ର ଭାଙ୍ଗିପଡ଼ିବା ଉଚିତ ନୁହେଁ ଅଞ୍ଜଳି । ମନରେ ଆଶା ରଖ, ବିଶ୍ୱାସ ରଖ-

 

: କିନ୍ତୁ ଆଉ କାହାକୁ ଦେଖାଇବା ପାଇଁ କହିଲେ ସେ ଯେ ବିରକ୍ତ ହେଉଚନ୍ତି । ତାଙ୍କ ଆତ୍ମ ସମ୍ମାନରେ ବାଧା ଆସୁଚି । କହୁଚନ୍ତି ଅଯୌକ୍ତିକ କଥା ସବୁ । ଦେହ ବିଷୟରେ ଏତେ ପର୍ଟିକୁଲାର ହେବା କୁଆଡ଼େ ଉଚିତ ନୁହେଁ ।

 

: ପରିସ୍ଥିତିରେ ପଡ଼ିଲେ ମଣିଷ ସେଇପରି ହୁଏ ।

 

: ମୁଁ ତ କହୁଚି ତାଙ୍କୁ–ଡାଇଭୋର୍ସ ହେଇଯାଉ...

 

: ଏତେ ଦୂର ପର୍ଯ୍ୟନ୍ତ କଥା ଚାଲିଯାଇଚି ! ଛି...ଛି... !! ତମେ ଯେ କ’ଣ !!! ଏପରି...ତାଙ୍କୁ କହି ପାରିଲ କେମିତି ? ତମର କିଛି ରୋଗ ବା ଅକ୍ଷମତା ପାଇଁ ସେ ଯଦି ତମକୁ ସେଇଭଳି କହନ୍ତେ...

 

: ରାଜି ହେଇ ଯାଆନ୍ତି । ଚାପି ବସନ୍ତି ନାହିଁ ଗୋଟାଏ ସୁସ୍ଥ, ସବଳ ମଣିଷ ଜୀବନକୁ ଦୁର୍ବିଷହ କରିବାପାଇଁ । ଡାଇଭୋର୍ସକୁ ତାଙ୍କର ଭାରି ଭୟ । ମାନହାନି ହେବ ! ଧମକ ଦେଉଚନ୍ତି ମୋତେ ଗୁଳି କରି ଦେବେ ।

 

: ଛି...ଛି... । ବାହାଘରର ଏଇ ଅଳ୍ପ କେତେଟା ଦିନ ଭିତରେ...କ’ଣ ଚାଲିଚି ଏ ସବୁ !!

 

: ଉପଦେଶ ଦେବା ଖୁବ୍‌ ସହଜ ଅଭିଜିତ ।

 

: ମୋର ଆଉ କିଛି କହିବାର ନଥିଲା । ଅଞ୍ଜଳି ଜୀବନରେ ଇମିତି ଗୋଟାଏ ବିପର୍ଯ୍ୟୟ ହେଇଯିବ ଏହା ଥିଲା ମୋର କଳ୍ପନାତୀତ । ଯେତେ ଦିନ ଚକ୍ରଧରପୁରରେ ଥିଲି ତା’ ସାଙ୍ଗରେ ଦେଖାସାକ୍ଷାତ ହେଉଥିଲେବି ଆଉ ବିଶେଷ କିଛି କିଛି କଥାବାର୍ତ୍ତା ହେଉ ନଥିଲା ।

 

ମୋର ମେଡ଼ିକାଲ୍‌ରେ ଏଡ଼୍‌ମିଶନ୍‌ ନେବା କଥା ଠିକ୍‌ଠାକ୍‌ କିନ୍ତୁ ଘରେ ରହିବା କଥାରେ ବାପା ଅରାଜି । ମେଡ଼ିକାଲ୍‌ ସେଠୁ ଅନେକ ଦୂର । ପାଠ ପଢ଼ିବାବେଳେବି ତ ରାତି ଡ୍ୟୁଟି ଅଛି । ତେଣୁ ଡାକ୍ତରୀ ଛାତ୍ର ପକ୍ଷରେ ହଷ୍ଟେଲରେ ରହିବାହିଁ ସୁବିଧାଜନକ । ମାତ୍ର ଗୋଟିଏ ଅସୁବିଧା କଲିକତାରେ ଚିରାଚରିତ । ହଷ୍ଟେଲରେ ସିଟ୍‌ ମିଳିବାହିଁ ଭାଗ୍ୟର କଥା । ସିଟ୍‌ ଆଗେ ମିଳିଲେ ତ !

 

ଯିବା ଦିନ ଅଞ୍ଜଳିକୁ ଦେଖା କରିବାପାଇଁ ଗଲି । ଅଶୋକବାବୁ ଆସି ପହଞ୍ଚିଚନ୍ତି । ଭଦ୍ର, ମିଷ୍ଟାଳାପୀ, ସୁପୁରୁଷ । କହିଲେ, ଆମେ ମଧ୍ୟ ଯାଉଛୁ । ଏକା ସାଙ୍ଗରେ ଯିବା କ୍ୱାଟର ପାଇଗଲି । ଆଉ ବାବା (ଛୋଟରାୟ)ଙ୍କ ରିଲିଭର୍‌ବି ତ ଶୀଘ୍ର ଆସି ଯାଉଚନ୍ତି । ଅଞ୍ଜଳି ଆଉ ରହିବ କାହିଁକି ।

 

ଏକା କମ୍ପାର୍ଟମେଣ୍ଟରେ ରାତିଟା କଟେଇ ସକାଳେ ଯାଇ ହାଓଡ଼ାରେ ଓହ୍ଲେଇଲୁ ।

 

ଜୋର୍ କଲେ ଅଶୋକବାବୁ କ୍ୱାଟରକୁ ଯିବାପାଇଁ ।

 

ଗାର୍ଡ଼େନ୍‌ରିଚ୍‌ରେ ବେଶ୍‌ ବଡ଼ ବାଂଲୋ ଟାଇପ୍‌ କ୍ୱାଟର । ବଗିଚା..., ଲନ୍‌...,ଘର...ଭିତରର ଡିସ୍‌ଟେମ୍ପର୍‌ କରା କାନ୍ଥରୁ ପୂର୍ବ ଅଧିବାସୀଙ୍କ ଉନ୍ନତ ରୁଚି ପ୍ରମାଣିତ । ‘କିଏ ଥିଲେ ଆଗେ’ ପଚାରିବାର କୌତୁହଳ ସମ୍ବରଣ କରି ପାରିଲିନି ।

 

ଅଶୋକବାବୁଙ୍କ ଠାରୁ ଶୁଣିଲି ଯେ ଇଂରେଜ ଜଣେ ଥିଲେ । ଏଇ ପୋଷ୍ଟରେ । ଅବିବାହିତ ଥିଲେବି କ୍ୱାଟରକୁ ସଜାଇ ଥିଲେ ରୁଚି ଅନୁଯାୟୀ । ଜାଣି ନଥିଲେ ଏଠି ରହିବାର ଅଳ୍ପ ଦିନ ପରେ ଅରିଜିନାଲ୍‌ ପୋଷ୍ଟକୁ ଫେରି ଯିବାକୁ ପଡ଼ିବ ।

 

ଅରିଜିନାଲ୍‌ ପୋଷ୍ଟର ଅର୍ଥ ପୁଲିସ ଡିପାର୍ଟମେଣ୍ଟ । ଡି: ଏସ୍‌: ପି: ଅଶୋକବାବୁ ମଧ୍ୟ ସେହିପରି ଡେପୁଟେସନ୍‌ରେ ରେଲ୍‍ୱେକୁ ଆସିଚନ୍ତି ।

 

ସେ ଦୀନଟାବି ତାଙ୍କର ଛୁଟି ତାଲିକାରେ ଥିଲା । ତଥାପି ସେ ଜଏନ୍‌ କରିବାକୁ ଚାହିଁଲେ । କହିଲେ : ତମେ ତ ଅଛ, ଗପିବ ଅଞ୍ଜଳି ସାଙ୍ଗରେ । ଗୋଟିଏ ଦିନ କ୍ୟାନ୍‍ସେଲ୍‌ କରିଦିଏ-ବରଂ ହାତରେ ଥିବ । ସବୁ ଛୁଟି ତ ପ୍ରାୟ ଶେଷ କରି ବସିଚି ।

 

ଅର୍ଡ଼ରଲି ପିଅନଦ୍ୱାରା ରେଲ୍‌ୱେ ରେସ୍ତୋରାରୁ ବ୍ରେକ୍‌ଫାଷ୍ଟ ମଗାଇ ଅଣା ହୋଇଥିଲା ।

 

କିନ୍ତୁ ଟେବୁଲକୁ ଆସିବାପାଇଁ ବେଶ୍‌ ଡେରି ହେଲା ଅଶୋକବାବୁଙ୍କର । ସ୍ନାନ ପରେ ଅଧ-ଘଣ୍ଟାଏ ଠାକୁର ପୂଜା ସାରି ଇଉନିଫର୍ମ ଡ୍ରେସ୍‌ ପିନ୍ଧି ସେ ବ୍ରେକ୍‌ଫାଷ୍ଟକୁ ଆସିଲେ ।

 

ଅଞ୍ଜଳି ସାଙ୍ଗରେ ମୁଁ ସେତେବେଳେ କଥାବାର୍ତ୍ତା କରୁଥିଲି । ମେଡ଼ିକାଲ ପଢ଼ା ବିଷୟରେ ଆଲୋଚନା ହେଉଥିଲା । ସେ ବି ଇଚ୍ଛା ପ୍ରକାଶ କରୁଥିଲା, କିଛି ହେଲେ ପଢ଼ନ୍ତା । ଘରୋଇଭାବେ ପଢ଼ି ଇଣ୍ଟରମିଡ଼ିଏଟ ପରୀକ୍ଷା ଦେଇ ପାରନ୍ତା ବୋଲି ମୁଁ ସାଜେଷ୍ଟ କରୁଥିଲି ।

 

ଅଶୋକବାବୁ ଶୁଣି ପାରିଥିଲେ । କହିଲେ : ଠିକ୍‌ ତ ସେ କହୁଚନ୍ତି । ଦିଅନା ପରୀକ୍ଷା ପ୍ରାଇଭେଟ୍‌ଲି ।

 

ସେ ଅଫିସ ଗଲେ ।

 

ବଜାର କିରିବାପାଇଁ ଚାଲି ଯାଇଥିଲା ଅର୍ଡ଼ର୍‌ଲି ।

 

ଅଞ୍ଜଳି ଆରମ୍ଭ କଲା : ଆସିବାପାଇଁ ଇଚ୍ଛା ନଥିଲା ଅଭିଜିତ...ତଥାପି ଆସିଲି ।

 

ମୁଁ ସେ ପ୍ରସଙ୍ଗ ଏଡ଼େଇବାକୁ ଚାହୁଁଥିଲି । କହିଲି ତମେ ପଢ଼ାପଢ଼ି କର, କିଛି ଗୋଟାଏ ଏନ୍‌ଗେଜ୍‌ମେଣ୍ଟ ନେଇ ରୁହ । ବୈବାହିକ-ଜୀବନ ଛଡ଼ା ମଣିଷର ଅନ୍ୟ ଜୀବନବି ଅଛି । ସାହିତ୍ୟିକ-ଜୀବନ, ରାଜନୈତିକ-ଜୀବନ...ପ୍ରଭୃତିରେ ସଫଳ ପୃଥିବୀର ବହୁ ବିଶିଷ୍ଟ ଲୋକଙ୍କୁ ବୈବାହିକ-ଜୀବନ ସମ୍ପୂର୍ଣ୍ଣ ଅସଫଳ ।

 

ସେ ପ୍ରତିବାଦ କରି କହିଥିଲେ : ବିବାହଟା ଖେଳ ନୁହେଁ କି ମଣିଷ ଖେଳଣା ନୁହେଁ । ସାହିତ୍ୟ ରାଜନୀତି...ବୃତ୍ତି ହେଇପାରେ...କିନ୍ତୁ ପ୍ରବୃତ୍ତି ଚିରଦିନ ବୃତ୍ତି ଠାରୁ ବଡ଼ ।

 

ସେ ଦିନ ଉପର ବେଳା ଚାଲି ଆସିଥିଲି ମାମୁଁଙ୍କ ଘରକୁ । ତିନି ଚାରି ଦିନ ପରେ ଏଡ଼୍‌ମିଶନ ନେଲି । ମାସକ ପରେ ସିଟ୍‌ ମିଳିଗଲା ହଷ୍ଟେଲ୍‍ରେ ।

 

ମେଡ଼ିକାଲ୍‌ ପାଠ ଆଉ ଅନ୍ୟ ପଢ଼ା ଭିତରେ ତଫାତ ହେଉଛି ଖେଳ, ପ୍ରେମ ବା ରାଜନୀତି...ସବୁ କିଛି ଚାଲିଥିବ ଆଉ ତା’ ସାଙ୍ଗରେ ପଢ଼ାବି...ଏଇଟା ଆର୍ଟସ ସାଇନ୍‌ସ ଲାଇନ୍‍ରେ ସମ୍ଭବ ହେଇପାରେ–କିନ୍ତୁ ମେଡ଼ିକାଲ ଲାଇନ୍‍ରେ ଅନ୍ତତଃ ସମ୍ଭବ ନୁହେଁ । କେତୋଟି ପ୍ରଶ୍ନ ଛାଡ଼ି, ଆଉ କେତୋଟିର ଉତ୍ତର ଲେଖି ପାସ୍‌ କରି ହେବନି । ଡାକ୍ତର ଯଦି ହେବାପାଇଁ ଚାହଁ ପୂରାପୂରି ଏଇଥିରେ ମନ ଦିଅ । ନଚେତ ରୋଗୀର ଜୀବନ-ମରଣର ଦାୟିତ୍ୱ ତୁମକୁ ଦିଆଯାଇପାରେନା ।

 

ପ୍ରଫେସର ଓନିଲ୍‌ ସାହେବଙ୍କର ଏଇ ଚେତାବନୀ ମାନୁ ନଥିଲେ ଯେଉଁମାନେ, ନିଜେ ଦେଖିଚି ସେମାନଙ୍କ ଅବସ୍ଥା ।

 

ତେବେ ଖେଳ ଆଉ ରାଜନୀତିକୁ ବାଇପାସ କରି ହେଲେବି ପ୍ରେମକୁ....କରି ପାରନ୍ତି ନାହିଁ ସମସ୍ତେ । ଧର କଲେଜ ଡେ’ ଛାତ୍ର-ଛାତ୍ରୀ ମିଶି ଅଭିନୟ କଲେ ଦୁଷ୍ମନ୍ତ-ଶକୁନ୍ତଳା ବା କଚ-ଦେବଯାନୀ । ନାଟକ ଶେଷ ପରେବି ଇମୋସନ ଗଲାନି ମନରୁ । ହଷ୍ଟେଲ କମନ୍‌ ରୁମ୍‌ ବାରଣ୍ଡାରେ, ବୋଟାନିକାଲ ଗାର୍ଡ଼େନ ବା କଫି ହାଉସରେ ଦେଖାଗଲା କିଛିଦିନ ନାୟକ-ନାୟିକାଙ୍କ ବିଶ୍ରମ୍ଭାଳାପ କରୁଥିବାର । ପରିଣତି ଅଧିକାଂଶ କ୍ଷେତ୍ରରେ ନାୟକର ଫେଲ ହୋଇ ପଡ଼ି ରହିବା ଏବଂ ନାୟିକାର ପାସ୍‌ କରି ବାହାରି ଯିବାରେ ଶେଷ ହେଇଥାଏ । ପୁଅମାନେଇ ଦେଖାଯାଏ ଝିଅମାନଙ୍କ ଅପେକ୍ଷା ଅଧିକ ଇମୋସନାଲ୍‌ । ବ୍ୟାଲାନ୍‌ସ ରଖି ପାରନ୍ତିନି ।

 

ବାଜେ କଥାରେ ମନ ନ ଦେଇ ନିଜକୁ ବହିର୍ଜଗତ୍ ଠାରୁ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ କରି ନେଇ...ସମସ୍ତ ଅଭିନିବେଶ ମୁଁ କେବଳ ଚିକିତ୍ସା ବିଦ୍ୟାକୁ ଦେଇଥାଏ । ମୋତେ ପାସ୍‌ କରିବାକୁ ପଡ଼ିବ । ବାପାଙ୍କର ଇଚ୍ଛା ମୋତେ ବିଲାତ ପଠେଇବେ । ଅନେକ ଏମ୍ବିସନ ମୋ ମନରେ ।

 

ମୋର ବୟସ ବଢ଼ିଚି ।

 

ମୋର ଅନେକ ପରିବର୍ତ୍ତନ ହେଇଚି । କିଛିଟା ଆତ୍ମ କେନ୍ଦ୍ରିକ ହେଇ ଉଠିଚି ମୁଁ । କିଛିଟା ସ୍ୱାର୍ଥପରବି ହୁଏତ !

 

ସ୍କୁଲରୁ ଆସି କଲେଜରେ ପାଦ ଦେଲେ ଅନେକଙ୍କର ଏପରି ପରିବର୍ତ୍ତନ ହୁଏ ।

 

ତା’ରି ଭିତରେବି କେବେ କିମିତି ଯେ ଲେକ୍‌ ଗାର୍ଡ଼େନସ ଗାର୍ଡ଼େନ୍‌ରିଚ ବା କ୍ୟାମାକ୍‌ ଷ୍ଟ୍ରୀଟ୍‌ ଯାଉ ନଥିଲି ୟା’ ନୁହେଁ । କିନ୍ତୁ ଖୁବ୍‌ କମ୍ ।

 

ବାପାଙ୍କର ଏହା ଭିତରେ ଟ୍ରାନ୍‌ସଫର ହେଇ ଯାଇଚି ରାୟପୁର । ଦୁଇବର୍ଷ ଭିତରେ ଥରେ କେବଳ ଯାଇଥିଲି ସେଠିକି । ବ୍ୟାରେନ୍‌ ଲ୍ୟାଣ୍ଡ । କିଛି ଭଲ ଲାଗିଲାନି । ଖାଲି ବାପା-ମାଆ ଅଛନ୍ତି ବୋଲି ସେଠି ଯାଇ କିଛିଦିନ କଟେଇ ଆସିବା କଥା । ଟୁରରେ ଆସିବାବେଳେ ଦୁଇ ଥର ମାଆଙ୍କୁ ନେଇ ବାପା ବରଂ ଆସି କଲିକତାରେ ରହି ଯାଇଚନ୍ତି । ଖୁସି ହେଇଚନ୍ତି ପଢ଼ାପଢ଼ିରେ ମୋର ଅଭିନିବେଶ ଦେଖି । ଉପରେ ଅବଶ୍ୟ ଥଟ୍ଟା କରି କହନ୍ତି, ମୁଁ କୁଆଡ଼େ ଗ୍ରନ୍ଥକୀଟ ହେଇ ଯାଇଚି !

 

ନିର୍ଦ୍ଦିଷ୍ଟ ବୟସରେ ପାଦ ଦେବା ପରେ ପୁତ୍ର ସହିତ ମିତ୍ର ପରି ଆଚରଣ କରିବାପାଇଁ ସଂସ୍କୃତରେ ଯେଉଁ ଶ୍ଳୋକ ଅଛି...ମୁଁ କଲେଜରେ ପଢ଼ିବା ପରେ ବାପା ତାହାର ତାତ୍ପର୍ଯ୍ୟ ଅନୁଭବ କରୁଥିବା ପରି ମନେ ହେଲା ।

 

ଥଣ୍ଡାଟା ସେ ଦିନ ବେଶ୍‌ ପଡ଼ିଥାଏ । ପ୍ରଫେସର ମିସେସ୍ ଇସାବେଲା ମୋତେ ଡ୍ୟୁଟି ଦେଇଥାନ୍ତି ଗାଇନିକ୍‌ ଓ୍ୱାର୍ଡ଼ରେ । ସନ୍ଧ୍ୟା ଉତ୍ତୀର୍ଣ୍ଣ ହେଇ ଯାଇଚି । ଅନ୍ୟ କେହି ନାହାନ୍ତି । ଇଚ୍ଛା ହେଲା କଫି ଖାଇବାପାଇଁ । ବେଲ୍‌ ଟିପି ବେହେରାକୁ ଡାକିଲି । ସେ ଆସି ଠିଆ ହେଲା ସଲାମ ଦେଇ ।

 

: ରାସ୍ତା ସାମନା ଡାହାଣ ପଟ ଗଳିରେ ଦେଖିଚ ସେଇ ଯେଉଁ ରେସ୍ତୋରାଁ...କଫି କ୍ଲବ୍‌...

 

ଶୁଣି ପାରିଲେ ଷ୍ଟାଫ୍‌ ସିଷ୍ଟର ଲତିକା ବାନାର୍ଜୀ । : କଫି ଖାଇବେ ତ ? ମୁଁ ତିଆରି କରିବି ଯେ ବର୍ତ୍ତମାନ । ଦରକାର ନାହିଁ ବାହାରୁ ଆଣିବା ।

 

ଟଙ୍କାଟିଏ ବଢ଼େଇ ଦେଇ ବେହେରାକୁ କହିଲି ସିଗାରେଟ ଆଣିବାପାଇଁ ।

 

ଏହି ମହିଳାଙ୍କ ସାଙ୍ଗରେ ମୋର ଆଜି ପ୍ରଥମ ଥର ଡ୍ୟୁଟି ପଡ଼ିଚି । ବୟସ...ଠିକ୍ କହି ହେବନି... । କୋଡ଼ିଏରୁ ଚାଲିଶ ଭିତରେ ସ୍ତ୍ରୀମାନଙ୍କ ବୟସର ସଠିକ୍‌ ମାଇଲ ଖୁଣ୍ଟି ଅନୁମାନ କରି ହୁଏନା । ତେବେ ମୁଁ ତାଙ୍କୁ ‘ଦିଦି’ ଡାକି ପାରେ । କହିଲି : ମୋତେ କଫି ଦେଲେ ମୁଁ କିନ୍ତୁ ଆପଣଙ୍କୁ ‘ଦିଦି’ ବୋଲି ଡାକିବି । ସେ ହସିଲେ । ହିଟର୍‌ ‘ଅନ୍‌’ କରି ଆଲମିରାରୁ ସରଞ୍ଜାମ କାଢ଼ୁ ଥାଆନ୍ତି ଡ୍ୟୁଟି ରୁମ୍‌ର ଗୋଟାଏ ସାଇଡ଼୍‌ରେ ମୋ ଆଡ଼କୁ ନ ଚାହିଁ କହିଲେ : ଆପଣ ଡକ୍ଟର... । ଜଣେ ଷ୍ଟାଫ୍‌ ସିଷ୍ଟର ‘ତମେ’ ବୋଲି ଡାକିଲେ ଇନ୍‌ସଲଟ୍‌ ହେବ ନାଇଁ । ଅଫିସିଆଲ୍‌ ଡିସିପ୍ଲିନ୍‌ବି ତ ଅଛି ।

 

: ଡକ୍ଟର ହେଇ ନାଇଁ ଏ ପର୍ଯ୍ୟନ୍ତ ।

 

: ତଥାପି ଦିନେ ତ ହେବେ । କିନ୍ତୁ ଆମେ ଯାହାକୁ ସେଇଆ ହେଇ ପଡ଼ି ରହିଥିବୁ ଚିରଦିନ ।

 

ଲତିକା ବାନାର୍ଜୀ ଅବଶ୍ୟ କିଛି ଭୁଲ୍ କହି ନଥିଲେ । ମେଡ଼ିକାଲ୍‌ ଡିପାର୍ଟମେଣ୍ଟଟାଇ ଏଇଆ । ଭବିଷ୍ୟତ୍ କହିଲେ କେବଳ ଡକ୍ଟରମାନଙ୍କର ଅଛି । ସେଇମାନେ ପ୍ରମୋଶନ୍‌ ପାଇ ଉପରକୁ ଉଠନ୍ତି । ବାକି ସମସ୍ତେ ଯାହା ସେଇଆ । ଅଥଚ ପୁଲିସ ବିଭାଗରେ କନେଷ୍ଟବଳ ଉଠି ଉଠି ଏସ୍‌: ପି: ହୁଏ, ରେଭିନ୍ୟୁରେ କିରାଣି ଉଠି ଉଠି ସବ୍‌ଡ଼େପୁଟି ହୁଏ, ଜଙ୍ଗଲରେ ଫରେଷ୍ଟର କନ୍‌ଜରଭେଟରରେ ରିଟାୟାର କରିପାରେ । ମେଡ଼ିକାଲରେ ଦକ୍ଷତା କିଛି ନୁହେଁ–କ୍ୱାଲିଫିକେସନ୍‌ଟାଇ ସବୁ କିଛି ।

 

: କହିଲି ଛାଡ଼ନ୍ତୁ ସେ କଥା । ଆପଣଙ୍କୁ ମୁଁ ଦିଦି ବୋଲି ଡାକିବି । ଡ୍ୟୁଟି ଟାଇମ୍‌ରେ ଘର ତିଆରି କଫି ପରି କଫି ତ ମିଳିବ !

 

: ଘର ! –କେଟିଲିରୁ କପ୍‌କୁ ପାଣି ଢାଳୁ ଢାଳୁ ପ୍ରଶ୍ନବାଚକ ଆଖିରେ ଫେରି ଚାହିଁଲେ ଲତିକାଦି । –ତମେ କ’ଣ ମ୍ୟାରେଡ଼୍ ?

 

ସେତେବେଳେ ମେଡ଼ିକାଲ୍‌ରେ ବହୁ ବିବାହିତ ପିଲା ପଢ଼ୁଥିଲେ । ମେଡ଼ିକାଲ୍‌ ପଢ଼ାର ଖର୍ଚ୍ଚ ଯୋଗାଇବା ସର୍ତ୍ତରେ ବହୁ କନ୍ୟାଦାୟଗ୍ରସ୍ତଙ୍କୁ ଯୁବକମାନେ ଉଦ୍ଧାର କରୁଥିଲେ । ସେ ସମୟରେ ।

 

: ଘର ମାନେ ତ ଖାଲି ସ୍ତ୍ରୀ ନୁହେଁ ।

 

: ତା’ ଠିକ୍‌ ।

 

ଦୁଇଟି କପ କଫି ଆଣି ଟେବୁଲ ଉପରେ ରଖିଲେ ସେ । ବସିଲେ ଚେଆର୍‌ଟା ଟାଣି ନେଇ । ଦେଖ ତ ଚିନି ଠିକ୍ ହେଇଚି କି ?

 

: ଚମତ୍କାର । ଓଠରେ ଲଗାଇ କହିଲି; ...ଏକ୍‌ଜାକ୍ଟଲି ଯେତିକି ଦରକାର...

 

ଲତିକାଦି ଖୁସି ହେଲେ ।

 

ମୁହଁ ଶୁଖାଇ କହିଲି; କିନ୍ତୁ ଦୁଃଖ, ସବୁବେଳେ କ’ଣ ଏପରି କଫି ପାଇବି ?

 

: କ୍ୱାଟରକୁ ଆସିଲେ ନିଶ୍ଚୟ ପାଇବ ।

 

ଏତିକିବେଳେ ବେହେରା ବ୍ୟସ୍ତଭାବେ ଆସି ପହଞ୍ଚିଲା ।

 

: ସୁଇସାଇଡ଼୍‌ କେସ ସାର୍‌ । ଫିମେଲ୍‌ ପେସେଣ୍ଟ ।

 

: କାହିଁ, କେଉଁଠି ?

 

: ଆମ୍ବୁଲାନ୍‌ସରେ ।

 

: ଶୀଘ୍ର ନେଇ ଆସ ।

 

ମୁଁ ବ୍ୟସ୍ତ ହେଇ ପଡ଼ିଲି । ଲତିକାଦି, ଡକ୍ଟର ନାହାନ୍ତି । ଫୋନ୍‌ କରିବାକୁ ହେବ ।

 

ସେ ଫୋନ ଧରିଲେ ।

 

ବାହାରକୁ ଆସି ଦେଖେତ ଷ୍ଟ୍ରେଚର୍‌ରେ ଅଣା ହେଉଚି ଜଣେ ମହିଳାକୁ ।

 

ପାଖକୁ ଯାଇ ଚମକି ଉଠିଲି । ଇଏତ ଅଞ୍ଜଳି ।

 

ବାରଣ୍ଡାରେ ଠିଆ ହେଇ ରହିଥିଲେ ଅଶୋକ ଚୌଧୁରୀ । ସ୍ତମ୍ଭ ପରି ଅବିଚଳ । ମୁହଁ ଭାବଲେଶ ବିହୀନ । ମୁଁ ଆଶ୍ଚର୍ଯ୍ୟ ହେଇ ଗଲି ତାଙ୍କର ଏ ପ୍ରକାର ଏଟିଚିଉଟ୍ ଦେଖି । ବାହାରର ଜଣେ ଦର୍ଶକ ପରି ଦୂରେଇ ଠିଆ ହେଇ ରହିଛନ୍ତି । ଯେପରିକି ସେ ପେସେଣ୍ଟର କେହି ନୁହନ୍ତି ।

 

ତାଙ୍କୁ ଚାହିଁ ପଚାରିଲି; ବଟ୍‌ ହାଓ ଇଟ୍‌ ହାପେନ୍‌ଡ଼୍‌ ?

 

: ପ୍ରଥମେ ଦେଖ ସେ ବଞ୍ଚିଛି କି ନାହିଁ ! ...ଅଶୋକ ଚୌଧୁରୀଙ୍କ ଗଳା ବରଫ ଭଳି ଥଣ୍ଡା ।

 

ମିସେସ୍‌ ଇସାବେଲା ନଥିଲେ । ଡକ୍ଟର ମହାଲାନବିଶ୍‌ ଆସି ପଚାରିଗଲେ ମୋତେ ପ୍ରଶ୍ନ ପରେ ପ୍ରଶ୍ନ । ଉତ୍ତର ତାଙ୍କୁ ଖୁସି କରିଥିଲା । : ଭଲ କରିଛ । ଭୋମିଟ୍ ତ କରେଇ ଦେଇଚ; ସେନ୍‌ସ ଫେରିବା ଯାଏଁ ଅକ୍‍ସିଜେନ୍ ଦେଉ ଥାଅ । ବିପଦ କଟି ଯାଇଚି । ଦରକାର ହେଲେ ଫୋନ କରିବ । ମୁଁ ସାରା ରାତି ସର୍ଜିକାଲରେ ଅଛି ।

 

ଅଶୋକ ମୋ ଆଡ଼କୁ ଚାହିଁଲା ।

 

ଅଞ୍ଜଳିର ଜିଦ୍ ସେ ଡାଇଭୋର୍ସ ଚାହେଁ ।...

 

ଏଇ ଘଟନାକୁ କେନ୍ଦ୍ର କରି କଳହ ।

 

ଡ୍ୟୁଟିରୁ ଫେରି ଆସି ଅଶୋକ ଦେଖନ୍ତି, ଶୋଇବା ଘରେ ସେ ଅନ୍‌କନ୍‌ସିଅସ୍ । ପାଖରେ ନିଦ ବଟିକାର ଶୂନ୍ୟ ଡବା ।

 

ମୋ ଆଗରେ ଅଶୋକ ସ୍ୱୀକାର କଲେ : ମୁଁ ତାଙ୍କୁ ଦାମ୍ପଦ୍ୟ ସୁଖ ଦେବାକୁ ଅସମର୍ଥ ଅଭିଜିତ । କିନ୍ତୁ ମୁଁ ତାକୁ ଭଲ ପାଏ ଆଉ ସେଥିପାଇଁ ଡାଇଭୋର୍ସ କରିବାକୁ ଚାହେଁନା । ତା’ ଛଡ଼ା ମୋ ନିଜର ପ୍ରେଷ୍ଟିଜ ଅଛି । ମୋ ସ୍ତ୍ରୀ ପୁଣି ଆଉ କାହାକୁ ବାହା ହେବ; ଇମ୍ପସିବ୍‍ଲ !! ମୁଁ ତାକୁ ନିଜର କରି ରଖିବାକୁ ଚାହେଁ... । ନଚେତ,... ବରଂ ସେ ମରି ଯାଉ !!!

 

ଅଞ୍ଜଳିର ସେନ୍‌ସ ଆସିଲାନି ।

 

ହାଉସ୍‌ ସର୍ଜନ ସୁଜିତ୍‌ ଚାଟାର୍ଜୀ ରାତି ବାରଟାବେଳେ ଆସି ମୋ ଠାରୁ ଦାୟିତ୍ୱ ନେବାବେଳେ କହିଲେ : ଏପରି କେସ୍‍ରେ ବେଳେବେଳେ ଦଶ ପନ୍ଦର ଦିନ ଲାଗେ ସେନ୍‌ସ ଆସିବାକୁ । ଅବଶ୍ୟ ଭୟର କିଛି କାରଣ ନାହିଁ । ଅକ୍‍ସିଜେନ୍ ସେଇଭଳିଆ ଦିଆହେଉଥିବ ।

 

ହଷ୍ଟେଲକୁ ଫେରି ଶୋଇ ପାରିଲି ନାହିଁ ସେଦିନ । ଆଉ ଟିକିଏ ଡେରି ହୋଇଥିଲେ କ’ଣ ଅଞ୍ଜଳି ବଞ୍ଚି ଥାଆନ୍ତା ! ରେଳବାଇ ଆମ୍ବୁଲାନ୍ସରେ ଅଶୋକ ତାକୁ ସାଙ୍ଗେ ସାଙ୍ଗେ ନେଇ ଆସି ନଥିଲେ ଏତେବେଳକୁ ହୁଏତ ଜୀବନାନ୍ତ ଘଟି ଥାଆନ୍ତା ତା’ର । ଆଉ ଝିଅଟାର ବାସ୍ତବିକ କି ଯେ ଜିଦ୍ । ସେ ଡାଇଭୋର୍ସ ଚାହେଁ । ସେଥିପାଇଁ କୋଟ୍‍-କଚେରି ରହିଚି । ସୁଇସାଇଡ଼ରେ କ’ଣ ସମାଧାନ ହେବ ?

 

ସେନ୍‌ସ ତ ନିଶ୍ଚୟ ଆସିବ । –ବିପଦ ଆଉ ନାହିଁ... ଯାହା ମନେ ହେଉଚି ! କିନ୍ତୁ ତା’ପରେ !! ବାସ୍ତବିକ, ମୃତ୍ୟୁ ଭିନ୍ନ ଏ ସମସ୍ୟାର ସମାଧାନ କେଉଁଠି ? ହୁଏତ ଅଶୋକ ନଚେତ ଅଞ୍ଜଳି... ଉଭୟଙ୍କ ଭିତରୁ ଜଣକର ମୃତ୍ୟୁ ଯେପରି ପରିସ୍ଥିତି ଦୃଷ୍ଟିରୁ ନିହାତି ଜରୁରି ।

 

ପର ଦିନଟାବି ସେଇପରି କଟିଲା ।

 

ସନ୍ଧ୍ୟାବେଳେ ଫୋନ୍ ପାଇଲି ରାଜାଙ୍କ ଠାରୁ । ପଚାରିଲେ : ବହୁଦିନ ହେଲା କାହିଁକି ଆସିନାହିଁ; ଆଜି ଯେପରି ଆସେ ।

 

ରାଜକୀୟ ଗାଡ଼ି ଚାଲିଥିଲା ଜନଗହଳି ରାସ୍ତା ଦେଇ । ...କ୍ୟାମାକ୍ ଷ୍ଟ୍ରୀଟ୍‌... କଲେଜ ରୋଡ଼...ଆର୍ମହର୍ଷ୍ଟ ଷ୍ଟ୍ରୀଟ୍‌... ।

 

କେତେ ଶୀଘ୍ର ଲୋକ ଗାର୍ଡ଼େନ୍‌ସ ଆସିଗଲା । ଜାଣି ପାରିନି ଭାବନାରେ ତନ୍ମୟ ଥିବାରୁ ।

 

ହଁ, ମୁଁ କେବଳ ଅଞ୍ଜଳି କଥା ଭାବୁଥିଲି ।

 

ଏଇ ପରିସ୍ଥିତିରୁ ତାକୁ କ’ଣ ଉଦ୍ଧାର କରାଯାଇପାରେନା ?

 

ସେଇ କକ୍ଷର ଝରକାରେ ଦିଶୁଥିଲା ଲୋକ ଗାର୍ଡ଼େନ୍‌ସର ସୁରମ୍ୟ ସବୁଜ ବନ ବିଥି । ବୈଦ୍ୟୁତିକ ଆଲୋକର ଝଲକରେ ସିଆର କଟା ସବୁଜ ଲନ୍‌ ।

 

ରାଜା ସାହେବ ବସିଥିଲେ ଡିଭାନ୍‍ରେ ଆଉଜି । ଆଉ ମୁଁ ସୋଫା ଉପରେ ।

 

: ନା, ମୋତେ ଲୁଚାଅ ନାହିଁ ଅଭିଜିତ । ସତ କହୁଚି ଅଞ୍ଜଳିକୁ କେବେ ଭଲ ପାଇ ନଥିଲ ? ଓୟେଲ୍‌, ଆଇ ଏମ୍ ଏ ଗୁଡ଼ ଫେସ୍-ରିଡ଼ର୍ ! ମୁଁ ପ୍ରଥମରୁଇ ଅନୁମାନ କରିଥିଲି...

 

: ସାର୍‌, ଦେଆର୍‌ ଆର୍ ମୋର ଥିଙ୍ଗସ୍ ଇନ୍ ହେବେନ୍ ଏଣ୍ଡ୍‌ ଆର୍ଥ !

 

: ରଖ ତମ ହାମଲେଟ୍‌ । ତମେ ନିଶ୍ଚୟ ତାକୁ ଭଲ ପାଅ କିନ୍ତୁ ଭୀରୁ କାପୁରୁଷ ତମେ; ସାହସ ନାହିଁ । ତମର ପଜେସିଭ ସ୍ପିରିଟ୍‌ ନାହିଁ । ଗୋଟାଏ ନପୁଂସକ ତାକୁ ପଜେସ୍ କରି ପାରୁଚି; ଅଥଚ ତମେ ପ୍ରତି ମୁହୂର୍ତ୍ତରେ ପରାଜୟ ବରଣ କରି ଚାଲିଚ । ତା’ ଅପେକ୍ଷା ନିଅ ଏ ବନ୍ଧୁକ, ଆଉ ଗୁଳି କର ନିଜକୁ ।

: ଆପଣ ବୁଝି ନାହାନ୍ତି ସାର୍ । ମୋର ଆଦୌ ଦୁର୍ବଳତା ନାହିଁ ତା’ ପ୍ରତି । ସାଙ୍ଗ ହେଇ ପଢ଼ୁଥିଲୁ । ବେଶ୍‌ ସେତିକି ।

 

କେବଳ ମାନବିକତା ସହାନୁଭୂତି । କାଲି ରାତିରେ ମୁଁ ଶୋଇ ପାରିନି, ଆଜି ହସ୍‌ପିଟାଲରେ କିଛି କାମ କରି ପାରିଲିନି, ପଢ଼ାରେବି କନ୍‌ସେଣ୍ଟ୍ରେସନ୍ ରହୁନି; ଆଇ ଏମ୍ ମେଣ୍ଟାଲ୍‌ ଟର୍ଚ୍ଚର୍‌ଡ଼ !!

 

ଢକଢକ କରି ଅବଶିଷ୍ଟ ଜିନ୍‍ତକ ପିଇ ଗ୍ଲାସ୍‌ଟାକୁ ନିଃଶେଷ କରି ଦେଲେ ରାଜା ସାହେବ ।

 

: ହିପୋକ୍ରାଏଟ୍‌ ! ଭଲ ପାଇବ, ଅଥଚ ସ୍ୱୀକାର କରିବାକୁ ସାହସ ନାହିଁ । ‘ମାନବିକତା’ ସମ୍ବେଦନଶୀଳତା, ‘ସହାନୁଭୂତି’....ଖାଲି ଏଇସବୁ ବଛା ବଛା ଶବ୍ଦ । ସାହସ ଯଦି ଅଛି, ଅଶୋକ ଚୌଧୁରୀଙ୍କୁ ବାଟରୁ ହଟେଇ ଦେଇ ପଜେସ କର ଅଞ୍ଜଳିକୁ ।

 

: କ’ଣ ଯେ ଆପଣ କହୁଛନ୍ତି ! ଏ ପର୍ଯ୍ୟନ୍ତ ମୁଁ ଡାକ୍ତରୀ ପାସ୍ କରିନି... ନିଜ ଗୋଡ଼ରେ ଠିଆ ହେଇନି... କ’ଣ କରିବି ଅଞ୍ଜଳିକୁ ଆଣି...

 

: ମୁଁ ଅଛି କାହିଁକି... ଆଉ କାହିଁକି ଅଛି ମୋ ପ୍ରାସାଦଟା ଅଭିଜିତ ?

 

କିନ୍ତୁ ମୁଁ ଯେ ତାକୁ ପଜେସ୍ କରିବାକୁ ଚାହେଁନା ।

 

ଟେବୁଲ ଉପରେ ଜୋର୍‍ରେ ବାଡ଼େଇ ଦେଲେ ନରପତି ଅଧା ଜିନ୍-ଭରା ବୋତଲଟା-। : ଚାହଁ, ଚାହଁ.... ! ହଜାର ବାର ଚାହଁ !!

 

କିନ୍ତୁ ସାହସ ନାହିଁ । ତମମାନଙ୍କର ସାହସ ଅଭାବ । ଭିତରେ କ୍ଷୁଧା ଆଉ ବାହାରେ ଅକ୍ଷୁଧାର ଆସ୍ଫାଳନ ବୋଧହୁଏ ଏଇ ଯୁଗର ଯୁଗ-ଧର୍ମ । ଆମ ସମୟରେ ଏ ସବୁ ନଥିଲା । ଉଇ ଓୟାର୍ ପଜେସିଭ୍ ।

 

: କାହିଁକି ତାହାହେଲେ ଆପଣ ସୋନିଆକୁ ପଜେସ୍ କରି ପାରିଲେନି ? ପୃଥିବୀ ରସାତଳକୁ ଯାଇ ଥାଆନ୍ତା,... ଆକାଶ ଖସି ପଡ଼ି ଥାଆନ୍ତା..., ଅର୍ଜୁନ ସିଂହ ଅସନ୍ତୁଷ୍ଟ ହୋଇ ଥାଆନ୍ତେ..., ଯାହା ହେବାର ହେଇ ଯାଇ ଥାଆନ୍ତା–କେଆର୍ କରି ନ ଥାନ୍ତେ ।

 

: ଆହା...ତମେ ରାଗି ଯାଉଚ ଅଭିଜିତ ! ଆରେ... ଦେଟ୍‌ ଇଜ୍ ଦି’ ଗ୍ରେଟେଷ୍ଟ ଫେଲିଓର୍ ଅଫ୍‌ ମାଇଁ ଲାଇଫ୍‌ । ସେଇଟା ମୋ ଜୀବନର ବଡ଼ ପରାଜୟ ଭାଇ !! ସେଇ ଜ୍ୱାଳାକୁ ଭୁଲିବାପାଇଁ ତ...

 

: ତାହାହେଲେ ସ୍ୱୀକାର କରୁଛନ୍ତି, ମଣିଷ ସବୁବେଳେ ପଜେସିଭ୍ ହେଇ ପାରେନା । ମୋତେ ତାହାହେଲେ ଆପଣ କେମିତି ଏଡ଼୍‌ଭାଇସ୍‌ ଦେଉଛନ୍ତି...

 

: କାରଣ ମୁଁ ତମରି ଭିତରେ ମୋର ଯୌବନ ଫେରି ପାଇବାକୁ ଚାହେଁ । ମୋର ସତ୍ତା ମୁଁ ଆବିଷ୍କାର କରିବାକୁ ଚାହେଁ ତମ ଭିତରେ । ଆଜି ତମ ପରିସ୍ଥିତିରେ ପଡ଼ିଥିଲେ ମୁଁ ଯାହା କରି ଥାଆନ୍ତି, ତମେ କରି ପାରିବନି ସେଇଆ କରି ଅଭିଜିତ ?

 

ମୋ ଦି’ କାନ୍ଧକୁ ଝାଙ୍କି ଦେଲେ ନରପତି ସିଂହ ।

 

ଫେରି ଆସିଲି ହଷ୍ଟେଲକୁ ।

 

ନରପତି ବୁଝି ନାହାନ୍ତି ମୋ କଥା । ଖାଲି ନିଜ କଥା ଶୁଣେଇ ଚାଲିଚନ୍ତି । ସୋନିଆ ସାଙ୍ଗରେ ତାଙ୍କ ସମ୍ପର୍କ ଯାହା ମୋ ସାଙ୍ଗରେ ଅଞ୍ଜଳିର ସମ୍ପର୍କ ସେଇଆ ନୁହେଁ । କେବଳ ମାନବିକତା ଭିନ୍ନ ଅନ୍ୟ କିଛି ଅଞ୍ଜଳି ପ୍ରତି ମୋ ମନରେ ନାହିଁ । ପଜେସ୍ କରିବା ଇଚ୍ଛା ଥାଉ ନ ଥାଉ କ’ଣ ଜିଦ୍‍ରେ ମୋତେ ତାଙ୍କପାଇଁ ପଜେସିଭ ହେବାକୁ ପଡ଼ିବ ? ପଜେସିଭ ଯଦି ହେବାକୁ ପଡ଼େ ପୃଥିବୀର ଧନ, ଖ୍ୟାତି, ସମ୍ମାନ ଅନେକ କିଛି ଅଛି ପଜେସ କରିବାପାଇଁ... ସେଥିପାଇଁ ହୁଏତ ମୁଁ ଚେଷ୍ଟା କରିପାରେ । ନାରୀ କ’ଣ ସବୁ କିଛି ? ଏଇ ଫିଉଡ଼ାଲମାନେ ଅନ୍ୟ କିଛି ବୁଝନ୍ତିନି । ହାମ୍‌ଲେଟର ବନ୍ଧୁମାନେ ବୁଝି ନଥିଲେ–ଆଜି ନରପତି ସିଂହବି ବୁଝୁ ନାହାନ୍ତି । ଜଣେ ଝିଅ ପ୍ରତି ସହାନୁଭୂତି ଦେଖେଇବା ମାନେ କ’ଣ ତାକୁ ପ୍ରେମ କରିବା ? ଏମାନେ ବୋଧହୁଏ ନାରୀ-ପୁରୁଷ ସମ୍ପର୍କର ସେଇ ଗୋଟିଏ ମାତ୍ର ଆଦିମ ଅର୍ଥ ବୁଝନ୍ତି ।

 

ଅତ୍ୟାଚାରିତକୁ ଦେଖିଲେ ଜଣେ ସମ୍ବେଦନଶୀଳ ମଣିଷ ମନରେ ଯେଉଁ ସହାନୁଭୂତି ଆସେ ତାହାର ଜ୍ୱାଳା, ଯନ୍ତ୍ରଣାବି କିନ୍ତୁ କିଛି କମ୍ ନୁହେଁ । ପ୍ରେମାସ୍ପଦକୁ ଅତ୍ୟାଚାର ଜର୍ଜରିତ ଦେଖିଲେ ପ୍ରେମିକ କେତେ ଜ୍ୱାଳା ଅନୁଭୂବ କରୁଥିବ ଜାଣେନା–ତେବେ ପ୍ରେମିକ ନ ହୋଇ ମଧ୍ୟ ମୁଁ କିଛି କମ୍ ଜଳୁ ନଥିଲି ।

 

ଏଇ କେସ୍‍ରେ ଅଞ୍ଜଳି ନ ହୋଇ ଆଉ କେହି ହେଇଥିଲେ ହୁଏତ ଏତେଟା ଅନୁଭବ କରୁ ନ ଥାଆନ୍ତି–କରୁଚି ସେ କେବଳ ମୋର ପରିଚିତା ଆଉ ସହପାଠିନୀ ବୋଲି ।

 

ସମୁଦ୍ର ପରି ଗଭୀର, ହ୍ରଦ ପରି ରହସ୍ୟମୟ ମଣିଷର ମନ ବୋଲି ସେଇ ଦିନେ କହିଥିଲା ।

 

ମାନସିକ ବିଭାଗର ଡକ୍ଟର ଖ୍ରୀଷ୍ଟୋଫର୍ ମଧ୍ୟ କହନ୍ତି –Mind is a Pandora-Box ! It opens; all evils come out !!

 

କିନ୍ତୁ ମୁଁ ଖୁବ୍ ଆତ୍ମ-ସମୀକ୍ଷା କରି, ମନର ତଳିତଳାନ୍ତକୁ ଅନେକ ଘାଣ୍ଟିଚକଟି,–ସେଇ ରାତିଟା ସାରା ବିଛଣାରେ ବିନା ନିଦରେ କଟାଇବି ନିଜ ଭିତରେ ଅଞ୍ଜଳି ପ୍ରତି କେଉଁଠି ହେଲେ ତଥାକଥିତ ‘ପ୍ରେମ ଭାବର’ ଲୁକ୍କାୟିତ କଣିକା ଟିଏ ମଧ୍ୟ ଆବିଷ୍କାର କରି ପାରିଲି ନାହିଁ ।

 

ଦୁଇ ରାତିର ଅନିଦ୍ରା ପରେ ସେ ଦିନ ବେଶ୍‌ ଅସ୍ୱସ୍ତି ଲାଗୁଥାଏ । କଲେଜବି ଛୁଟି ଥିଲା କୌଣସି ଏକ ଉପଲକ୍ଷ୍ୟରେ । ସାରା ଦିନ ଶୋଇବାକୁ ଚେଷ୍ଟା କଲି । ସାମାନ୍ୟ ନିଦ ହେଇଥିଲା । ଉପରବେଳା ଗଲି ଲତିକାଦିଙ୍କ କ୍ୱାଟରକୁ ।

 

ମୋତେ ଦେଖି ଅବାକ ହେଇଗଲେ । ଡକ୍ଟର ଷ୍ଟୁଡ଼େଣ୍ଟ ଷ୍ଟାଫ୍‌ ସିଷ୍ଟରଙ୍କ ସାଙ୍ଗରେ ଏତେଟା ଅନ୍ତରଙ୍ଗ ହୁଅନ୍ତି ନାହିଁ । କ୍ୱାଟରକୁ ଆସିବ ତ ଆହୁରି ବ୍ୟତିକ୍ରମ ।

 

ଲତିକାଦି ଖୁସି ହେଇ ପଚାରିଲା : ଆସିଲ ?

 

: ଚା’ମୃତ ପାନ କରିବାପାଇଁ ।

 

: ଖାଲି କ’ଣ ଅମୃତ ?

 

: ଆହୁରି ଯେତେ ଯାହା ଦେଇପାର ।

 

ମୋତେ ଆପ୍ୟାୟନ କରି ବସାଇଲେ । ବେଶ୍‌ ସୁନ୍ଦର ପରିଚ୍ଛନ୍ନ କ୍ୱାଟରଟି । ଆଜି ଡ୍ୟୁଟି ନାହିଁ । ତେଣୁ ଲୁଗାପଟା ସବୁ ସଫା କରି ତାରରେ ଟାଙ୍ଗି ଝୁଲାଇଛନ୍ତି ଅଗଣାରେ ଶୁଖାଇବା ପାଇଁ-। କାନ୍ଥମାନଙ୍କରେ ଯିଶୁଖ୍ରୀଷ୍ଟଙ୍କ ବିଭିନ୍ନ ପରିସ୍ଥିତିର ଫଟୋ । କେଉଁଠି ସେ କ୍ରୁଶ-ବିଦ୍ଧ, କେଉଁଠି ନିଜର ମୃତ୍ୟୁ-ଯନ୍ତ୍ର କ୍ରୁସଟିକୁ ନିଜେ ବହନ କରି ନେଇ ଚାଲିଚନ୍ତି, କେଉଁଠି ପାହାଡ଼ ଉପରେ ଠିଆ ହୋଇ ବାଣୀ ପ୍ରଚାର କରି ଚାଲିଛନ୍ତି, ଜ୍ୟୋତିର୍ମୟ ଏକ ଶିଶୁରୂପେ ସେ ଆତ୍ମପ୍ରକାଶ କରିଚନ୍ତି କେଉଁ ଛବିରେ କୁମାରୀ ମାତା ମେରୀଙ୍କ କୋଳ ଉଜ୍ଜ୍ୱଳ କରି ଅପରିଚ୍ଛନ୍ନ ଅସ୍ତାବଲ ଭିତରେ...-

 

ଜାଣିଥିଲି ଲତିକାଦି ଖ୍ରୀଷ୍ଟାନ୍ ଅବିବାହିତା । ଥିଲା କେବଳ ସାନ ଭଉଣୀଟିଏ । ଗତ ଇଷ୍ଟର ଛୁଟିରେ ଯାଇ ସାଓତାଲ ପ୍ରଗନାରେ ତା’ର ବିବାହ କରାଇ ଦେଇ ଆସିଛନ୍ତି ।

 

ଟେବୁଲ ଉପରେ ଉଭୟଙ୍କ ଫଟୋ ଦେଖିଲି ।

 

ସ୍ୱାଭାବିକ ସାଦୃଶ୍ୟ ।

 

କେକ୍, ବିସ୍କୁଟ୍‌, ମିକ୍‍ସଚର୍ ଆଉ କଫି ଆଣି ଟେବୁଲ ଉପରେ ଥୋଇଲେ ଲତିକାଦି ।

 

: ତମେ କିନ୍ତୁ ଏଇ ଦି’ ଦିନ ଭିତରେ ଶୁଖି ଯାଇଛ ଅଭିଜିତ ।

 

: କାରଣ ଅଞ୍ଜଳି ସମ୍ବନ୍ଧରେ ମୋର ଯେତିକି ଭାବିବା ଉଚିତ, ତା’ ଠାରୁ ବୋଧହୁଏ ଖୁବ୍ ବେଶି ଭାବୁଚି ବୋଲି ।

 

: ଭାବିବା ସ୍ୱାଭାବିକ । ସେ ଦିନେ ତମର ସହପାଠିନୀ ଥିଲା...

 

କହିବାକୁ ଇଚ୍ଛା ହେଲା ଅଞ୍ଜଳି ମୋର ଦିନେ ସବୁ କିଛି ଥିଲା ଲତିକାଦି, କିନ୍ତୁ ଆଜି ଆଉ କିଛି ନୁହେଁ ।

 

ସେ ଟିକିଏ ରହି କହିଲେ : ଅଶୋକବାବୁଙ୍କ ସ୍ୱୀକାରୋକ୍ତି ସେ ଦିନ ମୁଁ କିନ୍ତୁ ଶୁଣି ନେଇଚି । ଠିକ୍ ଝରକା ଆରପାଖରେ ଥିଲି । ମୋର ତ ମନେ ହୁଏ... ସାମାନ୍ୟତମ ମାନବିକତା ଥିଲେ... ଭଦ୍ରଲୋକଙ୍କର ଉଚିତ ସ୍ତ୍ରୀକୁ ଡାଇଭୋର୍ସ କରିଦେବା । ତମେ କ’ଣ ଭାବୁଚ ?

 

ଅନ୍ୟମନସ୍କଭାବେ ଭାବିଲି ! ହୁଁ... । ମୁଁ ବି ସେଇଆ ଭାବୁଚି... ।

 

: କ’ଣ ଭାବୁଚ ? ତେବେ ତାକୁ ଗ୍ରହଣ କରିବ କିଏ ?

 

: ଉଁ...? ହୁଁ... ।

 

: କାହିଁକି ? ତମେ !

 

ସମ୍ବିତ ଫେରି ପାଇଲି । : ଏଁ... । କ’ଣ କହିଲ ? ମୁଁ ?

 

: ନିଶ୍ଚୟ ।

 

: ଧେତ୍ ! କ’ଣ ଯେ ତମେ କୁହ !! ମୁଁ ହସିଲି ।

 

: ଧେତ୍ ମାନେ । କ୍ଷତି କ’ଣ ସେଥିରେ ?

 

ସ୍ୱଗତୋକ୍ତି କଲାପରି କହିଲି : ଅଲ୍‌ ବାଡ଼ସ୍‌ ଅଫ୍‌ ସେମ୍ ଫିଦର । ତମେ, ରାଜା... ସମସ୍ତେ ।

 

: ରାଜା ?

 

: ସେଇ ଯେ ସେଦିନ ଫୋନ୍‌ କରୁଥିଲେ । ନରପତି ସିଂହ । ଚକ୍ରଧରପୁର ରାଜା...

 

: ସେ ବି ତାହାହେଲେ କହୁଥିଲେ ?

 

: ଯେହେତୁ ମୁଁ ତା’ ପ୍ରତି ସହାନୁଭୂତି ଦେଖାଉଚି, ମୋତେଇ ତାକୁ ଉଦ୍ଧାର କରିବାକୁ ହେବ !!!

 

: ସହାନୁଭୂତି ଦେଖେଇବା ବଡ଼କଥା ନୁହେଁ ଅଭିଜିତ ଉଦ୍ଧାର କରିବାଟା ବଡ଼କଥା ।

 

ଲତିକାଦି ସେଇ ଫଟୋଟିକୁ ଚାହିଁ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ ଯେଉଁଥିରେ ସେ ଆଉ ତାଙ୍କ ସାନ ଭଉଣୀ ପରସ୍ପରକୁ ଚାହିଁ ହସୁଚନ୍ତି ।

 

ପଚାରିଲି : ହଠାତ ଇମିତି ଗମ୍ଭୀର ହେଇଗଲ ଯେ !

 

: ତମକୁ ଭାରି ଆପଣାର ମନେ ହେଉଚି ଅଭିଜିତ... ଠିକ୍ ନିଜର ସାନ ଭାଇ ପରି । ତମ ମୁହଁରେ ପ୍ରଥମ ଥର ଦିଦି ଡାକ... ଜଣେ ନିଜ ଲୋକ ମୁହଁରୁ...

 

: କାହିଁକି, ତମର ସେଇ ସାନ ଭଉଣୀ...

 

: ସେ ମୋର ସାନ ଭଉଣୀ ନଥିଲା ଅଭିଜିତ । ଯେଉଁ ଡାକରେ ସେ ମୋତେ ଡାକିବା କଥା, ସେଇ ଡାକରେ ଡାକିବାକୁ ମୁଁ ତାକୁ ଚିରଦିନ ପାଇଁ ବଞ୍ଚିତ କରି ଦେଲି ।

 

ଲତିକା ବାନାର୍ଜୀଙ୍କ ଦୁଇ ଆଖିରେ ଲୁହ ଉଛୁଳି ଉଠିଲା ।

 

: ତା’ ମାନେ ? ... ମୁଁ ହତବାକ୍ ହେଇ ଚାହିଁ ରହିଲି ତାଙ୍କ ମୁହଁକୁ ।

 

: ମୁଁ ଥିଲି ତା’ର ଜନ୍ମଦାତ୍ରୀ ।

 

: କିନ୍ତୁ କିପରି ? ତମେ ତ ଅବିବାହିତା ।

 

: କୁନ୍ତୀ ଆଉ ମେରୀବି ଅବିବାହିତ ଥିଲେ ଅଭିଜିତ ।

 

ନୀରବ ହେଇଗଲି । ଚାହିଁ ରହିଲି ଫଟୋକୁ । ଝିଅଟା ଜାଣି ପାରିଲାନି ଯାହାକୁ ଭଉଣୀ ବୋଲି ଡାକୁଚି ସେଇ ତା’ର ମାଆ । ମୁହଁରୁ ମୋର ବାହାରି ପଡ଼ିଲା : ଅବିବାହିତ ମାଆ ହେଲେଇ ଏ ସମାଜ ଆର୍ତ୍ତନାଦ କରି ଉଠେ ।

 

: କୌଣସି କ୍ଷେତ୍ରରେ ବିବାହିତା ମାତୃତ୍ୱ ଲାଭ କଲେବି ବିପର୍ଯ୍ୟୟ ସୃଷ୍ଟି ହୁଏ !

 

: ମାନେ ?

 

: ଅଞ୍ଜଳି ଠିକ୍ ସେଇଆ ହବାକୁ ଯାଇଚି ।

 

: ତମେ କ’ଣ କହୁଚ ଲତିକାଦି ?

 

: ଠିକ୍‌ କହୁଚି ଭାଇ । ଅଞ୍ଜଳିର ସଂଜ୍ଞା ଫେରି ଆସିଚି । ଯାଅ ତାକୁ ପଚାରିବ ।

 

: ସେ କ’ଣ କହିଲା କି ତମ ପାଖରେ ?

 

: ନା ମୁଁ ତାକୁ କିଛି ପଚାରିନି । କିନ୍ତୁ ମିସେସ୍ ଇସାବେଲା ଡିଟେକ୍‍ଟ କରି ସାରିଚନ୍ତି ! ସେ ସଂଜ୍ଞାହୀନ ଥିଲାବେଳେଇ...

 

: ଏଁ...

 

: ମୋତେ କହିଲେ ।

 

: କହିଲେ ?

 

: କହିଲେ ମୋର ମନେ ହେଉଚି ସିଷ୍ଟର, ଏଇ ଭଦ୍ରମହିଳା ପ୍ରେଗ୍‌ନେଣ୍ଟ ।

 

: ତମେ...

 

: କହିଚି !

 

: କ’ଣ କହିଲେ ସେ ?

 

: କହିଲେ ‘ପେସେଣ୍ଟ୍ ଯେତେ ଶୀଘ୍ର ଏଠୁ ଡିସ୍‌ଚାର୍ଯ ହେଇଯାଏ ଭଲ ! ନୂଆ ପ୍ରୋବ୍ଲେମ୍‌ ସୃଷ୍ଟି ହେବ । ଆମର ସାଇଲେଣ୍ଟ୍ ରହିବା ଉଚିତ !’’

 

: କିନ୍ତୁ ଅଞ୍ଜଳି କ’ଣ ନିଜେ ଜାଣି ନଥିବ ଏ କଥା ?

 

: ହୁଏତ ଜାଣେ; ଆଉ ସେଇଥିପାଇଁ ସୁଇସାଇଡ଼୍‌ ଆଟେମ୍ପେଟ୍ କରିଚି...

 

: କ’ଣ କହୁଚି ସେ ସେନ୍‌ସ ଆସିବା ପରେ ?

 

: କାନ୍ଦୁଚି । ପଚାରୁଚି : ମୋତେ ବଞ୍ଚାଇଲ କାହିଁକି ?

 

: ଅଶୋକ ଚୌଧୁରୀ ?

 

: ରେଳ ଲାଇନ୍‍ରେ ଅନ୍ତର୍ଘାତୀ କାର୍ଯ୍ୟ ବଢ଼ିଥିବାରୁ ଡ୍ୟୁଟିରେ ସେ ବର୍ତ୍ତମାନ ରାଣୀଗଞ୍ଜରେ । ଫୋନ କରି ଖବର ଦେଇଥିଲେ, ତାଙ୍କ ସ୍ତ୍ରୀ କଥା ବୁଝାବୁଝି କରିବାକୁ ।

 

: ସେନ୍‌ସ ଆସିବା କଥା ଜାଣନ୍ତି ?

 

: ନା । ହୁଏତ... ସେନ୍‌ସ ଆସିବା ସେ ଚାହାନ୍ତିବି ନାହିଁ । ଅଞ୍ଜଳିକୁ ନର୍ସିଂହୋମରେ ରଖା ହେଇଥିଲା ।

 

ଯାଇ ପଚାରିଲି ଡ୍ୟୁଟିରେ ଥିବା ଆଙ୍ଗ୍ଳୋଇଣ୍ଡିଆନ୍ ସିଷ୍ଟରଙ୍କୁ ।

 

କହିଲେ : ସି ଇଜ୍ କମ୍ପଲେନିଂ ପେନ୍‌ ଇନ୍‌ ଚେଷ୍ଟ । ଇଞ୍ଜେକ୍‍ସନ୍ ଦିଆ ହେଇଚି । ବର୍ତ୍ତମାନ ଅବସ୍ଥା ଟିକିଏ ଭଲ । କିନ୍ତୁ ପ୍ରାୟ ସେ ସବୁବେଳେ କାନ୍ଦୁଚନ୍ତି ।

 

ଅଞ୍ଜଳି ସାଙ୍ଗରେ ମୋର ସମ୍ପର୍କ ଯାହା ହେଉନା କାହିଁକି ସେ ଏଠି ରୋଗିଣୀ, ଆଉ ମୁଁ ଜଣେ ମେଡ଼ିକାଲ୍ ଷ୍ଟୁଡ଼େଣ୍ଟ । ସେ କେଉଁ ଅବସ୍ଥାରେ ଥିବ ! ଖବର ଦେଇ ଭିତରକୁ ଯିବା ଉଚିତ । ନର୍ସିଂହୋମରେ ଡିସିପ୍ଲିନ୍ ଭାରି କଡ଼ା ।

 

ତେଣୁ ଭିତରକୁ ଯିବା ପୂର୍ବରୁ ଖବର ଦେବାପାଇଁ ସିଷ୍ଟରଙ୍କୁ କହିଲି ।

 

ସିଷ୍ଟର ଭିତରକୁ ଗଲେ ।

 

ମୁଁ ଅପେକ୍ଷା କରି ଠିଆ ହେଲି । ସିଗାରେଟ୍‌ ଧରେଇ ଭାବିବାକୁ ଲାଗିଲି ନୂତନ ପରିସ୍ଥିତି ସମ୍ବନ୍ଧରେ । ଦୋଷ ଅବଶ୍ୟ ଅଞ୍ଜଳିକୁ ଦିଆଯାଇପାରେନା । କିଏ ସେଇ ଅବାଞ୍ଛିତ ସନ୍ତାନର ପିତା ତା’ ଜାଣିବାକୁବି ମୋର ଆଗ୍ରହ ନାହିଁ । କିନ୍ତୁ ଅଶୋକ ଚୌଧୁରୀ ଫେରି ଆସି ଯେତେବେଳେ ଜାଣିବେ, କ’ଣ ହେବ ତାଙ୍କର ପ୍ରତିକ୍ରିୟା !!

 

ସିଷ୍ଟର ଫେରି ଆସିଲେ । ସଂତର୍ପଣରେ କହିଲେ : ମିଷ୍ଟର ମହାପାତ୍ର, ପେସେଣ୍ଟ କହୁଚି ‘‘ମୁଁ ତାଙ୍କୁ ମୁହଁ ଦେଖାଇ ପରିବିନି !’’

 

ଧୈର୍ଯ୍ୟ ହରାଇ ପାଟି କରି ଉଠିଲି : ଦେଖା ନ କଲେ ବିପଦ ତାଙ୍କର, ମୋର ନୁହେଁ । ପଚାରନ୍ତୁ ଆଉ ଥରେ ।

 

: ସେ’ ତ ଆଦୌ ରାଜି ନୁହେଁ ।

 

: ବେଶ୍‌... । ଫେରି ଆସୁଥିଲି । ବାଜି ଉଠିଲା କଲିଂ ବେଲ୍‌ ।

 

: ଟିକିଏ ରୁହନ୍ତୁ ।

 

: ସିଷ୍ଟର ଭିତରୁ ଯାଇ ସାଙ୍ଗେ ସାଙ୍ଗେ ଫେରି ଆସିଲେ ଏଥର : ମିସେସ୍ ଚୌଧୁରୀ ଡାକୁଚନ୍ତି ।

 

: ଅଶୋକ ଖାଲି ମତେ ଉତ୍ତପ୍ତ କରୁଥିଲେ ଅଭିଜିତ, କିନ୍ତୁ ପ୍ରଶମିତ କରିବାର ସାମର୍ଥ୍ୟ ତାଙ୍କର ନଥିଲା । ରାତି ପରେ ରାତି ମୋର ତକିଆରେ ମୁଣ୍ଡ ଗୁଞ୍ଜି କାନ୍ଦିବାରେ ବିତିଚି... ସେ ଚାହିଁ ଚାହିଁ ଖାଲି ଦେଖିଚନ୍ତି ଅସହାୟ ଆଖିରେ । ସବୁ କଥା ତମକୁ କହିବାକୁ ଚାହୁଁଚି... ତମେ ଶୁଣିବାକୁ ଚାହଁ କି ନାହିଁ ଜାଣେନା...ମନରେ ଘୃଣା ଆସୁଥିବ ମୋ ପ୍ରତି...

 

: ମୁଁ ଡକ୍ଟର ଅଞ୍ଜଳି । ମୋ ଆଖିରେ... ଏଥିରେ ଘୃଣାର କିଛି ନାହିଁ ।

 

: ତା’ପରର ଅଧ୍ୟାୟ ଖୁବ୍‌ ଜଘନ୍ୟ । ଶେଷ ପର୍ଯ୍ୟନ୍ତ ମୋତେ ଆତ୍ମସମର୍ପଣ କରିବାକୁ ପଡ଼େ ଘରର... ଅର୍ଡ଼ର୍‌ଲି ପିଅନ ପାଖରେ !

 

: ତମେ କ’ଣ କହୁଚ । ତମ ପକ୍ଷରେ ଏହା କିପରି ସମ୍ଭବ ?

 

: କ୍ଷୁଧାର ତାଡ଼ନାରେ ମଣିଷ ଯଦି ମଣିଷର ମାଂସ ଖାଇବା ସମ୍ଭବ....

 

: ପ୍ରବୃତ୍ତି କ’ଣ ଏତେ ନିର୍ମମ ହେଇପାରେ ? ...କିନ୍ତୁ...ସେଇ ଲୋକଟା ସାହସ କରି ପାରିଲା କିପରି ?

 

: ରାତି ଡ୍ୟୁଟିରେ ଅଶୋକ ଯେତେବେଳେ ହେଡ଼୍‌କ୍ୱାଟର୍‌ ଠାରୁ ଦୂରରେ, ତାକୁ ପାଦ ଟିପିବାପାଇଁ ଡାକିଲି । ଗରମ ପଡ଼ିଥିଲା; ଆସ୍ତେ ଆସ୍ତେ ଘୂରୁଥିବା ଫ୍ୟାନ ତଳେ ମୁଁ ଶୋଇଥିଲି ଖାଲି ଶାୟା ଆଉ ବ୍ଲାଉଜ୍ ପିନ୍ଧି । ସେ ପାଦ ଟିପି ଦେବାପରେ ତାକୁ ହାତ ଟିପିବାକୁ କହିଲି । ...ସେତେବେଳକୁ ମୁଁ ଉତ୍ତପ୍ତ ହୋଇ ଉଠିଚି; ଆଉ ସେ ହୁଏତ ସେ ମଧ୍ୟ । ଛାତି ଭିତରେ ଅସହ୍ୟ ଏକ ପ୍ରଦାହ : ସ୍ପ୍ରେନ୍ ହେଉଚି ଛାତିରେ, ଅମୃତାଞ୍ଜନ ଘଷିଦେ । ଏଥିପାଇଁ ସେ ଯେପରି ଅପେକ୍ଷା କରି ରହିଥିଲା । ପଚାରିଲା, ବ୍ଲାଉଜ୍‌ ଥିବ ? ...ଖୋଲି ଦେବାକୁ କହିଲି । ...ଅନ୍ଧାର ଭିତରେ ସେ ବୋତାମ ଫିଟେଇଲା... । ଗୋଟିଏ.... । ବିବେକ ଚିତ୍କାର କରି ଉଠିଲା । ଦୁଇଟି... !! ସଂସ୍କାର ପ୍ରତିବାଦ କଲା । ତୃତୀୟ... !!! ପ୍ରବୃତ୍ତି ଆସି ସଂସ୍କାର ଆଉ ବିବେକର ଗଳା ଟିପି ଧରିଲା ।

 

: ଥାଉ ଥାଉ ଅଞ୍ଜଳି, ମୁଁ ଆଉ ଶୁଣିବାକୁ ଚାହେଁନା ।

 

: ସେହି ଦିନଠୁ ମୋର ଯେଉଁ ଅଭାବ ପୂରଣ କରି ପାରୁ ନଥିଲେ ତାହାର ପରିପୂରକ ହେଲା ସେଇ....

 

: କିନ୍ତୁ ବର୍ତ୍ତମାନ କରାଯିବ କ’ଣ ? ଅଶୋକଙ୍କ ଅଜ୍ଞାତସାରରେ ଏବୋରସନ୍ ତ ସମ୍ଭବ ନୁହେଁ । ପରିଣାମ ତ ଚିନ୍ତା କଲ ନାହିଁ... ଜନ୍ମ-ନିରୋଧର ଉପାୟ... ମାନେ...ତମେ ଭାବି ଦେଖିଲନି... ବର୍ତ୍ତମାନ କ’ଣ କରାଯିବ...ସମାଧାନ ହେଇଥିଲେ...

 

: ଯେତେବେଳେ ଜାଣି ପାରିଲି, ଆଉ ଏମ୍ ଏକ୍‍ସପେକ୍‍ଟିଙ୍ଗ୍‌... କହିଥିଲ ସେଇ ଲୋକଟାକୁ । ସେ ପୂର୍ବବଙ୍ଗୀୟ ମୁସଲମାନ; ମୟମନସିଂରେ ତା’ ଘର । ସେ ଦେଲା ବିଚିତ୍ର ପ୍ରସ୍ତାବ–କମ୍ ସାହସ ନୁହେଁ–‘‘ଗହଣା ପତ୍ର, ଟଙ୍କା କଉଡ଼ି ନେଇ ତା’ ସାଙ୍ଗରେ ମୁଁ ଚାଲିଯିବି’’.... ଗାଁରେ ତା’ର ଜମିବାଡ଼ି ଅଛି...ମୁସଲମାନ ନାମ ଧରି ବୁର୍ଖା ପିନ୍ଧି, ତା’ ପ୍ରଥମ ସ୍ତ୍ରୀର ସ-ପତ୍ନୀ ହେଇ ରହିବି... ସେଇ ଜଳ-ଜଙ୍ଗଲ ପରିବୃତ୍ତ ସୁଦୂର ଗଣ୍ଡ-ଗ୍ରାମ ଅଞ୍ଚଳରେ କେହି ମୋର ପ୍ରକୃତ ପରିଚୟ ଜାଣି ପାରିବେ ନାହିଁ !!!

 

: ସେଇ ସ୍କାଉଣ୍ଡ୍ରେଲଟାକୁ ମୁଁ ଗଳା ଟିପି ମାରନ୍ତି ! କିନ୍ତୁ... ମନେହୁଏ ଆଉ ସେ କ୍ୱାରଟରେ ନଥିବ ହୁଏତ ସହର ଛାଡ଼ି, ଚାକିରିର ମାୟା ପରିତ୍ୟାଗ କରି ବଦମାସଟା ପଳେଇ ଯିବଣି କୁଆଡ଼େ ।

 

: ନା ଅଭିଜିତ । ଯିବାର ଥିଲେ ଯେଉଁଦିନ ତାକୁ କହିଥିଲି... ଆଇ ଏକ୍ ଏକ୍‍ସପେକ୍‍ଟିଂ... ସେହିଦିନ ପଳାଇ ଥାଆନ୍ତା । ସେ ଜାଣେ, ସମ୍ଭ୍ରାନ୍ତ ପରିବାରର ମାନମର୍ଯ୍ୟାଦାକୁ କେତେ ଭୟ । ବରଂ ସେ ବ୍ଲାକ୍‌ମେଲ କରିପାରେ, କିନ୍ତୁ ପଳାଇ ଯିବାର ପ୍ରଶ୍ନ ଉଠୁନି; ଘରେ ଥିବ ।

 

: ବ୍ଲଡ଼ି ସ୍ୱାଇନ୍‌ ।

 

: ତା’ ପ୍ରସ୍ତାବ ଶୁଣିବା ପରେ ନିଷ୍ପତି କଲି ସୁଇସାଇଡ଼୍‌ କରିବି । ସେଇ ମୋ ଅସାବଧାନତାର ଶାସ୍ତି । ତା’ପରେ ନିଜେ ଇଚ୍ଛା କରି ଅଶୋକ ସାଙ୍ଗରେ ନୂଆ କରି କଳି ଲଗାଇ ଦେଇ...ମାନେ ସେ ଯେପରି...

 

: ଛାଡ଼ ସେ କଥା । ସୁଇସାଇଡ଼୍‌ ତ ହେଲାନି... କୌଣସି ପ୍ରକାରେ ବଞ୍ଚେଇ ଦେଇଛନ୍ତି ଭଗବାନ୍‍... ତାଙ୍କୁ ଧନ୍ୟବାଦ ଦିଅ ।

 

: ଧନ୍ୟବାଦ ନୁହେଁ ଅଭିଶାପ ଦେବି ଅଭିଜିତ ।

 

: ଛି ଅଞ୍ଜଳି ।

 

: ମୋତେ ଇମିତି କିଛି ଦେଇ ପାରିବନି.... ପୋଟାସିଅମ୍ ସାଇନାଇଡ଼୍ ବା ସେଇଭଳିଆ କିଛି...

 

: ଅସମ୍ଭବ । ତମେ କ’ଣ ଶେଷ ପର୍ଯ୍ୟନ୍ତ ମୋତେ...

 

: ନା ନା... ମୁଁ କାହାର କିଛି କ୍ଷତି କରିବାକୁ ଚାହେଁନା । –ସେ ଭୋ ଭୋ ହେଇ କାନ୍ଦିବାକୁ ଉଠିଲା.. । ମୋ ରାସ୍ତା ମୁଁ ନିଜେ ଠିକ୍ କରିନେବି ।

 

: କ’ଣ ତମ ରାସ୍ତା ତମେ ନିଜେ ଠିକ୍‌ କରି ନେବ ।

 

: ରାତି ଅନ୍ଧାରରେ ଏଇ ହସ୍‌ପିଟାଲ ଛାଡ଼ି ଚାଲିଯିବି...

 

: କିନ୍ତୁ କୁଆଡ଼େ ?

 

: ବିରାଟ୍ ଏଇ ପୃଥିବୀ ।

 

: ଭୟଙ୍କରବି । ଅରଣ୍ୟ ଆଉ ଏ ମହାନଗରୀ ଭିତରେ ତଫାତ କିଛି ନାହିଁ । ପୃଥିବୀର ବିରାଟତ୍ୱ ଅନୁଭବ କରିବାପାଇଁ ରାତିର ଅନ୍ଧାରରେ ପ୍ରଥମେ ଏଇ ସହରର ତ୍ରିସୀମା ଅତିକ୍ରମ କରୁ କରୁ...

 

: ତମେ ମୋପାଇଁ କିଛି କରି ପାରିବନି ଅଭିଜିତ ?

 

: ବର୍ତ୍ତମାନ ଯେ ଅନେକ ଡେରି ହେଇ ଯାଇଚି !!

 

ମୁଁ ଚାହେଁ, ଅଶୋକ କବଳରୁ ରକ୍ଷା ପାଇବାପାଇଁ ।

 

: କିନ୍ତୁ କିପରି ?

 

: ମୁଁ ବି ଠିକ୍ ସେଇଆ ଭାବୁଚି ।

 

: କୌଣସି ସମାଧାନ ମୋ ମଥାକୁ ଆସୁନି ।

 

: ଜାଣେ, ତମ ଉପରେ ମୋର କୌଣସି ଅଧିକାର ନାହିଁ ଅଭିଜିତ । କିନ୍ତୁ ତଥାପି, ଦିନେ ତମେ ମୋତେ ଭଲ ପାଉଥିଲ...

 

: ଆଜି ପୁଣି ଆଉ ସେ କଥା କାହିଁକି ଅଞ୍ଜଳି ।

 

: ମୋର ଅନୁରୋଧ, ତମେ ମୋତେ ବଞ୍ଚାଅ । କୌଣସି ପ୍ରକାରେ ମୋର ଏବୋର୍‌ସନ୍‌ କରାଇ ଦିଅ ।

 

ମନଟାକୁ ବଦଳେଇବା ପାଇଁ ଚାଲିଗଲି ଲେକ୍ ଗାର୍ଡ଼େନ୍‍ସ ଆଡ଼େ ।

 

ରାଜମାତା ଆଉ ଅନଙ୍ଗମଞ୍ଜରୀ ନଥିଲେ ।

 

ସିଧା ରାଜାଙ୍କ କାମରାକୁ ଉଠିଗଲି । ସେ କ’ଣ ଗୋଟାଏ ବହି ପଢ଼ୁଥିଲେ ବସି ବସି ।

 

ମୋତେ ଦେଖି କହିଲେ; ଆସ ଆସ ଅଭିଜିତ । ମୟୂରଭଞ୍ଜ ମହାରାଣୀ ଅସୁସ୍ଥ । ତାଙ୍କର ଅପରେସନ୍ ହେଇଚି । ମୋତେ ତ ମୁଭ୍ କରିବାକୁ ମନା । ଅନଙ୍ଗ ଆଉ ରାଜମାତା ଯାଇଚନ୍ତି ଦେଖା କରି ଆସିବାପାଇଁ । ଆମର ଆତ୍ମୀୟ ମୟୂରଭଞ୍ଜ ପରିବାର ।

 

ପଚାରିଲି : କିମିତି ଅଛି ଆପଣଙ୍କ ଦେହ ।

 

: ଆଗ ଅପେକ୍ଷା ଭଲ । ଚେଷ୍ଟ୍‌ ପେନ୍ କମିଛି । ଆଉ ଡ୍ରିଙ୍କ୍‌ଟାବି ମୁଁ କମେଇ ଦେଇଚି ଖୁବ୍‌ ।

 

: ଭଲ କରିଚନ୍ତି । ବହି ପଢ଼ନ୍ତୁ... ବେଷ୍ଟ ଏନ୍‌ଗେଜ୍‌ମେଣ୍ଟ ।

 

: ହଁ, ଏଇଟା ପଢ଼ୁଥିଲି । ସିପାହି-ବିଦ୍ରୋହର ଇତିହାସ ।

 

: ଏ ସବୁ ନ ପଢ଼ି ବରଂ ଗଳ୍ପ ଉପନ୍ୟାସ ପଢ଼ିଲେ ଭଲ ।

 

: ଆରେ ଇତିହାସରେ ତ ସବୁ ରହିଛି । ଗଳ୍ପ, ଉପନ୍ୟାସରେ ଯାହା ଅଛି, ଇତିହାସରେବି ସେଇସବୁ... ରହିଚି । ସିଏ ଫିକସନ୍, ଇଏ ଫ୍ୟାକ୍‍ଟ ।

: ଆପଣ କିଛି ଇନ୍ ଡୋର୍ ଗେମ୍ ଖେଳୁ ନାହାନ୍ତି ।

: ମୋତେ ପିଲା ମନେ କରିଚ ?

: ନା...ମାନେ...ଅସୁସ୍ଥ ଅବସ୍ଥାରେ...

: ଛାଡ଼ ସେ କଥା । ଅଞ୍ଜଳି ଖବର କ’ଣ କୁହ । ତା’ କଥା ବହୁତ ଭାବୁଥିଲି ୟା’ ଭିତରେ । ବିଚାରୀ ! କ’ଣ ମନେ ହେଉଚି, ସେନ୍‌ସ ଫେରିବ ।

: ଫେରିଚି ।

: ଆଃ.... ଭଗବାନ୍‍ ବଞ୍ଚେଇ ଦେଲେ !!

: ରିଲିଭ୍ ହେଇ ଗଲାଣି ?

: ଇଚ୍ଛା ହଉଚି ଥରେ ଯାଇ ଦେଖି ଆସିବାକୁ । କିନ୍ତୁ ମୋତେ ତ....

: ନା, ଆପଣଙ୍କ ପକ୍ଷରେ କୁଆଡ଼େ ଯିବା ଉଚିତ ନୁହେଁ ।

: ତା’ ସାଙ୍ଗରେ ଦେଖା କରୁଚ ? କ’ଣ ଆଉ କହୁଚି ସେ ?

 

ସବୁ କଥା ଖୋଲି କହିବାକୁ ସଙ୍କୋଚ ଆସିଲା । ପ୍ରସଙ୍ଗ ଏଡ଼ାଇବା ପାଇଁ କହିଲି : କ’ଣ ଆଉ କହିବି ।

 

: କିନ୍ତୁ ମୁଁ ହେଇଥିଲେ ଅଞ୍ଜଳିକୁ ଉଦ୍ଧାର କରନ୍ତି । ତମେ ଯେ ସେ ଦିନ ସୋନିଆ ଉଦାହରଣ ଦେଲ; କେବଳ ବାପାଙ୍କ ଇଚ୍ଛାକୁ ଜଗି...

 

: ମୋ ବାପାବି ନିଶ୍ଚୟ ଏ ବ୍ୟାପାରରେ ରାଜି ହେବେ ନାହିଁ ।

 

: ତା’ ଠିକ୍ । କିନ୍ତୁ ଠିକ୍ ଏଇଭଳି ଘଟନା ଆମ ପରିବାରରେ ଘଟିବାକୁ ଯାଉଛି–ଆଉ ମୁଁ ସେଥିରେ ବାଧା ଦେବାକୁ ଚାହୁଁନି ।

 

: କି ପ୍ରକାର ଘଟନା ।

 

: ମୁଁ ଚାହିଁଥିଲି ଇଂରେଜ ଝିଅ ବାହା ହେବାପାଇଁ; ଜେମାବି ଠିକ୍ ସେଇଆ ଅଡ଼ି ବସିଚି-

 

: ମାନେ ! ...ମୁଁ ଚମକି ଉଠିଲି ।

 

: କର୍ଣ୍ଣେଲ୍ ବ୍ରିଷ୍ଟନ୍ ବୋଲି ଫୋର୍ଟ ଉଇଲିୟମ୍ ଜଣେ ସାମରିକ ଅଫିସର, ଆର୍ଟ ଏକ୍‌ଜିବିସନ୍‍ରେ ତା’ ସାଙ୍ଗରେ ଜେମାର ପରିଚୟ, ଛବି ସମ୍ବନ୍ଧରେ ତାହାର କୁଆଡ଼େ ଭୀଷଣ ଆଗ୍ରହ... ! ଜେମା କହେ ଶାଖା-ପ୍ରଶାଖା ସୂତ୍ରରେ ସେ ବି ତ ବିଲାତ ରାଜବଂଶୀୟ ।

 

: ଆପଣ ସମ୍ମତି ଦେଇଚନ୍ତି ।

 

: ଚାହୁଁନି ବାଧା ଦେବାକୁ । ସାଧ୍ୟ ନାହିଁ ।

 

ଆଶ୍ଚର୍ଯ୍ୟ ରମଣୀ ମନ । ମୁଁ ଯାହା ଲକ୍ଷ୍ୟ କରିଥିଲି, ଜେମାଙ୍କର କୌଣସି ଆଗ୍ରହ ତା’ ପ୍ରତି ଥିଲାନି । ଉଭୟ ପୁଣି କେମିତି ଘନିଷ୍ଠ ହେଇଗଲେ !!

 

ତଥାପି ପଚାରିଲି : କିନ୍ତୁ ବସ୍ତର ସହିତ ନିର୍ବନ୍ଧ ?

 

: ଜେମା କହୁଛି, ‘ଭାଙ୍ଗିଦିଅ’ ।

 

: ନରପତିଙ୍କ ମୁହଁରେ ଦୁଃଖର ହସ ।

 

ଏଣେ ହୃଦ୍‌ରୋଗରେ ଆକ୍ରାନ୍ତ, ପୁଣି ଅନିଚ୍ଛା ସତ୍ତ୍ୱେ ଜେମାକୁ ବାଧା ଦେଇ ନ ପାରିବାର ଅବଦମିତ ମାନସିକ ଅଶାନ୍ତି... ଯାହା ଚେଷ୍ଟା କରୁଚନ୍ତି ଲୁଚାଇ ରଖିବାକୁ...ସବୁ ସେଇ ହସ ଭିତରେ ପରିସ୍ଫୁଟ । ରାଜା ସାହେବଙ୍କ ପ୍ରତି ଦୟା ଆସିଲା ମନରେ ମୋର ।

 

କହିଲେ : ଆଜି ମୋତେ ଦେଖା କରିବାପାଇଁ ଫୋର୍ଟ ଉଇଲିୟମ୍‍ରୁ ବ୍ରିଷ୍ଟନ୍ ଫୋନ୍ କରିଥିଲା । ଆସିବାପାଇଁ କହିଲି । ଉପାୟ କ’ଣ ? ରାଜମାତାଙ୍କ ପାଖରେ ଜେମା ଜିଦ୍ ଧରୁଚି !

 

ତଳେ ହର୍ଣ୍ଣ ଶୁଭିଲା ।

 

ଉଦ୍ୟାନ-ସଂଲଗ୍ନ ସେଇ କକ୍ଷର ଝରକା ଦେଇ ଦିଶିଲା...ଫାଟକରୁ ପୋର୍ଟିକୋ ଆଡ଼କୁ ମିଲିଟାରୀ ଗାଡ଼ିଟିଏ ଆସୁଚି ।

 

ସେଇ ଆଡ଼କୁ ସ୍ଥିର ଆଖିରେ ଚାହିଁ ନରପତି କହିଲେ : ବ୍ରିଷ୍ଟନ୍ ବୋଧହୁଏ ଆସିଗଲା । କିନ୍ତୁ ଜେମା ଆଉ ରାଜମାତା ତ ଫେରିଲେନି । ତମେ ଯାଇ ତାକୁ ନେଇ ଆସ ତ ଅଭିଜିତ ।

 

: ତମ ସମ୍ବନ୍ଧରେ ସବୁ କିଛି ଜାଣି ପାରେ ବ୍ରିଷ୍ଟନ୍ ?

 

: ନିଶ୍ଚୟ ସାର୍, ପଚାରି ପାରନ୍ତି... ଯାହା ଆପଣଙ୍କ ଇଚ୍ଛା ।

 

: ତମର ଭାଇସ୍‍ରାୟ କମିଶନ୍ ।

 

: ସ୍ୟାଣ୍ଡ୍‌ ହର୍ଷ୍ଟରେ ଟ୍ରେନିଂ ନେଇଚି ମୁଁ । କିଙ୍ଗସ୍ କମିଶନ୍ ।

 

: ଆଉ କେଉଁଠି ପୋଷ୍ଟେଡ଼୍‌ ହେଇଥିଲା ।

 

: ପ୍ରଥମ ପୋଷ୍ଟିଂ ତ ଇଣ୍ଡିଆରେ । କ୍ୱେଟାରେ ଥିଲି; ଦିଲ୍ଲୀ, ଝାନ୍‌ସି, ମାଡ଼୍ରାସ୍‍ର ପୋର୍ଟ ସେଣ୍ଟ ଜର୍ଜ; ତା’ପରେ ଏଇଠି ।

 

: ବ୍ରିଷ୍ଟନ୍, ଭାରତବର୍ଷ କେମିତି ଲାଗୁଚି ତମକୁ ?

 

: ସାର୍, ଆମର ଲର୍ଡ଼ ଫ୍ୟାମିଲି । ଇନ୍‌ଫ୍ଲୁଏନ୍‍ସ ଅଛି । ଅନ୍ୟ କଲୋନୀ–କାନାଡ଼ା, ଅଷ୍ଟ୍ରେଲିଆ କିମ୍ବା ସିଲୋନରେ ନିଜର ପୋଷ୍ଟିଂଟା କରେଇ ନେଇ ପାରି ଥାଆନ୍ତି । କେତେକ ପୁଣି ଚାହାନ୍ତି ଖୁବ୍ ଅନୁନ୍ନତ ଅଞ୍ଚଳରେ ପୋଷ୍ଟେଡ଼୍‌ ହେବାପାଇଁ; ଅଧିକ ବ୍ୟକ୍ତିତ୍ୱ ଦେଖାଇ ପାରିବେ । ସେ ପରି ମନୋବୃତ୍ତି ଥିଲେ ମୁଁ ବୋର୍ଣ୍ଣିଓ ବା ଆଫ୍ରିକାର ରୋଡ଼େସିଆକୁ ଅପ୍‌ସନ ଦେଇ ପାରି ଥାଆନ୍ତି । କିନ୍ତୁ ଭାରତକୁ ମୁଁ ଭଲ ପାଇ ଆସିଚି, ତେଣୁ ସେଇଥିପାଇଁ ନିଜେ ଚେଷ୍ଟା କରି... ଆସିଲି-

 

: ଭାରତକୁ ତମେ ଭଲ ପାଇଥିଲ... କାହିଁକି ?

 

: ଜାଣିଥିଲି, ଶୁଣିଥିଲି, ପଢ଼ିଥିଲି କେତେ ସୁନ୍ଦର ଏଇ ଦେଶ ।

 

: ଆସିବା ପରେ ?

 

: ସୁନ୍ଦର ଆହୁରି ମନେ ହେଲା । ହିମାଳୟ ଠାରୁ କୁମାରିକା ଯାଏଁ ଅନେକ ସ୍ଥାନ ଦେଖିଲିଣି । ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ । ଅରଣ୍ୟର ସୁନ୍ଦର ପ୍ରାଣୀଗୁଡ଼ିକୁ ଦେଖିଲେ ଶିକାର କରିବାକୁ ଇଚ୍ଛା ହୁଏନା । ଏଠାକାର ହରିଣ, ଏଠାକାର ମୟୂର... ପୃଥିବୀର ଅନ୍‌କମ୍ପେୟାରେବ୍ଲ !

 

: ଏଣ୍ଡ୍‌ ଇଣ୍ଡିଏନ୍‌ସ ?

 

: ନାଇସ୍ ପିପଲ୍‌ । ପାଶ୍ଚାତ୍ୟ ଯେତେବେଳେ ବସ୍ତୁଗତ ଉନ୍ନତିପାଇଁ ଷ୍ଟ୍ରଗଲ୍‌ କରି ଚାଲିଲା...ଏମାନେ ଷ୍ଟ୍ରଗଲ୍ କରି ଚାଲିଲେ ନିଜର ଆଧ୍ୟାତ୍ମିକ ଉନ୍ନତିପାଇଁ । ଫଳରେ ଆମେ ଉନ୍ନତି କଲୁ ବସ୍ତୁବାଦରେ, ଭାରତୀୟମାନେ ନୈତିକତାରେ । ଡିଫରେନ୍‍ସ କେବଳ ଏଇଠି । ....ସାର୍, ଆପଣ ଓୟେଷ୍ଟ୍ ଲେଣ୍ଡ୍ ପଢ଼ିଥିବେ...

 

ସମ୍ମତି ସୂଚକ ଶିରଶ୍ଚାଳନ କଲେ ନରପତି ।

 

: ପାଶ୍ଚାତ୍ୟରେ ଭଙ୍ଗୁର ବସ୍ତୁବାଦର କି ଶୋଚନୀୟ ଅବକ୍ଷୟ ଚିତ୍ରଣ କରିଛନ୍ତି ଏଲିୟଟ୍‌-! ମିଲିଟାରୀ ମ୍ୟାନ ହେଲେବି ଆର୍ଟ ଲିଟରେଚର... ମୋର ପ୍ରିୟ ।

 

: ତାହାହେଲେ ବ୍ରିଷ୍ଟନ୍ ତମେ ଅଧ୍ୟାପକ ହେଲ ନାହିଁ କାହିଁକି ?

 

: ସାର୍‌ ସାମରିକତାକୁ ପ୍ରଫେସନ ଭାବରେ ଗ୍ରହଣ କରିବାବି ଟ୍ରେଡ଼ିସନ୍‌ ହେଇଗଲା ତିନିପୁରୁଷ ଧରି ।

 

: ସୋ ଇଉ ଆର୍ ଥାର୍ଡ଼ ଅଫ୍‌ ଇୟୋର୍ ଜେନେରେସନ୍ ଟୁ ସର୍ଭ ଇନ୍ ଇଣ୍ଡିଆ ।

 

: ବାପା ଥିଲେ ଭାଇସ୍‌ରାୟଙ୍କ ମିଲିଟାରୀ ସେକ୍ରେଟାରୀ ସେତେବେଳେ ଭାରତର ରାଜଧାନୀ ଏଇ କଲିକତାରେ ଥିଲା । ଆଉ ତାଙ୍କ ବାପା ଇଷ୍ଟ-ଇଣ୍ଡିଆ ରେଜିମେଣ୍ଟରେ ଥିଲେ ଅଫିସର୍ କମାଣ୍ଡିଂ । ସିପାହି-ବିଦ୍ରୋହ ସମୟରେ ବିଶେଷ ସାହସିକତା ପ୍ରଦର୍ଶନ କରିଥିବା ଯୋଗୁଁ ତାଙ୍କୁ ସାର୍ ଉପାଧି ଦିଆଯାଇଥିଲା ।

 

: ତମ ଗ୍ରେଣ୍ଡ୍‌ ଫାଦରଙ୍କ ନାମ ?

 

: କର୍ଣ୍ଣେଲ୍ ଉଇଲିୟମ୍ ଫଷ୍ଟାର ।

 

: ଆଃ... !!! ....ଛାତିରେ ହାତ ରଖି ସୋଫା ଉପରେ ଆଉଜି ପଡ଼ିଲେ ରାଜା ସାହେବ-

 

ମୁଁ ତାଙ୍କୁ ଧରି ପକେଇଲି ।

 

ନର୍ସିଂହୋମ୍ !

 

ଦେହର ହାଇ ଟେମ୍ପେରେଚର ନେଇ ପ୍ରଳାପ କରୁଥିଲେ ରାଜା ନରପତି ସିଂହ–ଅଭିଜିତ, କର୍ଣ୍ଣେଲ୍ ଫଷ୍ଟାର, ଯାହାର ଚିତ୍ରପଟକୁ ମୁଁ ଗୁଳିକରି ଉଡ଼େଇ ଦେବାକୁ ଚାହୁଁଥିଲି... ବାଧା ଦେଇଥିଲ ତୁମେ... ଟିକିଏ ମନେ ପକେଇବାକୁ ଚେଷ୍ଟା କରିବ ତା’ ମୁହଁଟା ! ସାଦୃଶ୍ୟ ନାହିଁ ବ୍ରିଷ୍ଟନ୍‌ର ମୁହଁ ସାଙ୍ଗରେ ? ଇତିହାସର ଏ କି ଉପହାସ, ଏ କି ଟ୍ରାଜେଡ଼ି । କର୍ଣ୍ଣେଲ୍ ଫଷ୍ଟାର୍‌ର ରକ୍ତ ଯାହା ଦେହରେ ପ୍ରବାହିତ... ଉଃ... ମୋ ମାଆ ସିଂହାସିନୀକୁ ସେ ଧର୍ଷଣ କରିବାକୁ ଚାହିଁଥିଲା ଅଭିଜିତ....

 

ମୁଁ ଅନେକ ବୁଝାଇଥିଲି ଜେମାଙ୍କୁ, କିନ୍ତୁ ଫଳ କିଛି ହେଲାନି ।

 

ପରଦିନ ରାଜା ଅପେକ୍ଷାକୃତ ସୁସ୍ଥ ବୋଧ କରୁଥିଲେ ।

 

ଅନଙ୍ଗମଞ୍ଜରୀଙ୍କୁ ପାଖକୁ ଡାକି କହିଲେ : ତୋ ଉପରେ କୌଣସି ଅଧିକାର ମୋର ନାହିଁ । ତୋ ପ୍ରତି କୌଣସି ଅଭିଯୋଗବି ନାହିଁ ମୋର । ରାଜ ଜ୍ୟୋତିଷ ବୋଧହୁଏ ଠିକ୍‌ କହିଥିଲେ ମାଆ–ତୁ ଆସିଥିଲୁ ଏଇ ବଂଶପାଇଁ ଏକ ଅଶୁଭ ସଙ୍କେତ ନେଇ–ନା ନା ଏଥିପାଇଁ ମୁଁ ତୋତେ ଦାୟୀ କରୁନି... ! ସବୁ ଭାଗ୍ୟ...ଭାଗ୍ୟ !! କର୍ଣ୍ଣେଲ୍ ଫଷ୍ଟାର୍‍ର ପ୍ରେତାତ୍ମା ଯେପରିକି ଏଇ ବଂଶ ପଛରେ ମୁଖ-ବ୍ୟାଦାନ କରି ଧାଇଁଚି ।

 

: ବାପା, ସାରା ଜୀବନ ଅତୀତ ଇତିହାସକୁ ଆବୋରି ଧରି ଆପଣ ନିଜେ ମଧ୍ୟ ସୁଖୀ ହେଇ ପାରିଲେନି ! ମୃଦୁ ଅଥଚ ଦୃଢ଼ ସ୍ୱରରେ ଜେମା କହି ଚାଲିଲେ,–ଫଷ୍ଟାର୍‌ର ଅପକର୍ମ ପାଇଁ ତା’ର ବଂଶଧର ହେବେ ଦାୟୀ ? ସ୍ନେହ କିଛି ନୁହେଁ,–ଖାଲି ଇତିହାସ... ଇତିହାସ... ! ରାଜନୀତି...-!!

 

: ଜେମା ତୁ ଭୁଲି ଯାଉଚୁ, ତୋ ଦେହରେ କେଉଁ ରକ୍ତ ପ୍ରବାହିତ ।

 

: ଖାଲି ରକ୍ତ ଆଉ ରକ୍ତ । ତମ ଇତିହାସ ଆଉ ରାଜନୀତି ମଣିଷ ରକ୍ତରେ ରଞ୍ଜିତ । କିନ୍ତୁ ମୁଁ ଶିଳ୍ପୀ । ମୋର ତୂଳି ମୁନ ରକ୍ତର ରଙ୍ଗ ଖୋଜେ ନୂଆ ସକାଳର ଚିତ୍ରପଟରେ ନୂତନ ଆକାଶକୁ ରଞ୍ଜିତ କରିବାପାଇଁ... ଯେଉଁଠାରେ ନବୀନ ସୂର୍ଯ୍ୟୋଦୟର ଅଭିଜ୍ଞାନ ! ଦୁର୍ଲଙ୍ଘ୍ୟ ପର୍ବତ ପରି ତମର ଇତିହାସ ଆଉ ରାଜନୀତି ଦେଶ ଦେଶ, ଜାତି ଜାତି, ମଣିଷ ମଣିଷ ଭିତରେ ବିଭାଜନ ସଙ୍କେତର ପାଚେରି ସୃଷ୍ଟି କରି ଠିଆ ହେଲାବେଳେ ମୋର ଶିଳ୍ପ ସମୁଦ୍ର ପରି ଉଦାର ହୋଇ ପ୍ରତି ଦେଶର ଅନ୍ତର ଛୁଏଁ.... ।

 

ନରପତି ସିଂହଙ୍କ ଆଖି ଦି’ଟା ମଉଳି ଯାଇଥିଲା ।

 

ଊଣେଇଶ ଶହ ପଚିଶର ସାମ୍ପ୍ରଦାୟିକ ଦଙ୍ଗା...ଯାହା ଆଜି ଇତିହାସର ରକ୍ତାକ୍ଷରରେ ଲିପିବଦ୍ଧ...ହଠାତ କିପରିଭାବେ କେଉଁଠୁ ଆରମ୍ଭ ହେଲା ଜଣା ପଡ଼ି ନଥିଲା କାହାକୁ ।

ନରପତି ସିଂହଙ୍କ ପାଖରେ ନର୍ସିଂହୋମ୍‍ରେ ବସିଥିଲି ରାତି ଦଶଟା ଯାଏଁ ।

ହଷ୍ଟେଲକୁ ଫେରିବା ବାଟରେ ଦେଖିଲି ମିଲିଟାରୀ ଗାଡ଼ିର ପଇଁତରା । ଲୋକେ କିଏ କୁଆଡ଼େ ପଳାଇଛନ୍ତି ।

ଦଙ୍ଗା ଆରମ୍ଭ ହେଇଗଲା ବୋଲି ପାଟି ଗୋଳ ଶୁଭୁଛି ।

ପାଖ ଦୋକାନରୁ ସିଗାରେଟ୍‌ ନେଲି ।

ପରିଚିତ ଓଡ଼ିଆ ଦୋକାନୀ । ତରତରରେ ଝାମ୍ପି ବନ୍ଦ କରି କହିଲା : ଦୋକାନ ସବୁ ବନ୍ଦ ହେଇ ଯାଉଛି, ମୁଁ ବି ଯାଏଁ... । ହିନ୍ଦୁ ମୁସଲମାନ ହଣାକଟା ହେଇ କେଉଁଠି ଯେ କେତେ ମଲେଣି !! ଏ ଖରାପ ଯାଗା ଛାଡ଼ି ଏଥର ଓଡ଼ିଶା ପଳେଇବା କଥା !!!

କିଛି ଖବର ତା’ ଠାରୁ ମିଳିଲାନି । ଏତେ ବଡ଼ ବିରାଟ୍ ସହର । କେଉଁ ଏରିଆରେ ଆରମ୍ଭ ହେଇଚି କିଏ ଜାଣେ ! ଭୟ ଆସିଲା ମନରେ ହଷ୍ଟେଲ ପର୍ଯ୍ୟନ୍ତ ଅଧ ମାଇଲିଏ ରାସ୍ତା ଯାଇ ପାରିବି ତ ? କିନ୍ତୁ ଏଇ ଅଞ୍ଚଳଟା ଆଙ୍ଗ୍ଳୋ-ଇଣ୍ଡିଆନ୍ ପଡ଼ା କିଛି ଚାଇନିଜ୍‌ବି ଅଛନ୍ତି । ଯେଉଁ ଦୁଇ ସମ୍ପ୍ରଦାୟ ଭିତରେ ଦଙ୍ଗା ସେମାନେ ନିତାନ୍ତ ସଂଖ୍ୟାଲଘୁ ।

ହଷ୍ଟେଲ ଯାଇ ପହଞ୍ଚି ଗଲି ନିରାପଦରେ ।

 

ଆସି ଶୁଣିଲି, ଯେଉଁ ଅଳ୍ପ କେତେ ଜଣ ମୁସଲମାନ ଛାତ୍ର ବୋର୍ଡ଼ର ଥିଲେ ନିରାପତ୍ତା ଦୃଷ୍ଟିରୁ ସେମାନଙ୍କୁ ମିଲିଟାରୀ ପହରାରେ ହଷ୍ଟେଲରୁ କାଢ଼ି ନିଆ ହୋଇଛି ।

 

କେଉଁଠିକି ନିଆଗଲା ସେ ଖବର ରଖୁଚି କିଏ, ସମସ୍ତେ ଆତ୍ମରକ୍ଷା ଚିନ୍ତାରେ ବ୍ୟାକୁଳ ।

 

ଡାଇନିଂ ରୁମରେ ଅଛି, ପିଅନ ଆସି ଖବର ଦେଲା ଟେଲିଫୋନରେ କିଏ ଡାକୁଛି । ଖାଇବା ବଢ଼ା ହୋଇ ନ ଥାଏ; ଉଠିଗଲି ।

 

ରଘୁଭାଇ ।

 

ବହୁଦିନ ହେଲା ଯାଇନି ତଥାପି ମୋ ପ୍ରତି ଶ୍ରଦ୍ଧା ସେମାନଙ୍କର । ମୋପାଇଁ କେତେ ଚିନ୍ତା ! ରଘୁଭାଇ କହିଲେ; ସେଠି ତାଙ୍କ ଅଞ୍ଚଳରେ ଖୁବ୍‌ ଜୋର୍ ଗଣ୍ଡଗୋଳ ଚାଲିଚି । ମେଡ଼ିକାଲ ଏରିଆର ଖବର ପଚାରିଲେ । ଭୟରେ କୌଣସି କାରଣ ନାହିଁ ବୋଲି ଆଶ୍ୱାସନା ଦେଲି ।

 

ଖିଆପିଆ ସରିଲା । କିନ୍ତୁ କାହାର ଆଖିରେ ନିଦ ନାହିଁ । ବାରଣ୍ଡାରେ ଜମା ହେଇ ମେଳା ମେଳା ଆଲୋଚନା । ସମସ୍ତଙ୍କର ଇଚ୍ଛା ଘରକୁ ପଳାଇବା ପାଇଁ । ସହର ଭିତରେ ଯେଉଁମାନଙ୍କ ଘର ସେମାନେ ତ ଚାଲି ଯାଇ ସାରିଲେଣି ।

 

ବାକିମାନଙ୍କ ପାଇଁ କର୍ତ୍ତୃପକ୍ଷଙ୍କ ନିଷେଧାଦେଶ ଜାରି ହେଇ ସାରିଚି । ହଷ୍ଟେଲ ଫାଟକରେ ଅବଶ୍ୟ ମିଲିଟାରୀ ପହରାର ବ୍ୟବସ୍ଥା ହେଇ ସାରିଲାଣି । ତଥାପି ସମସ୍ତେ ବିପଦ ଭିତରେ ରହିବା ପରି ଅନୁଭବ କରୁଥିଲେ ।

 

ପୁଣି ରଘୁଭାଇଙ୍କ ଟେଲିଫୋନ ।

 

: କିଛି ବିପଦ ଆପଦ ପଡ଼ିଲେ ମୋତେ ରିଂ କରିବୁରେ ଅଭି ! ଭୟ କରିବୁନି ।

 

କର୍ତ୍ତୃପକ୍ଷଙ୍କ ଆଦେଶ କଥା ତାଙ୍କୁ କହି ଦେଲି । ହଷ୍ଟେଲ ସାମନାରେ ମିଲିଟାରୀ ପହରା କଥାବି ।

 

ପୁଣି ଆସିଲି ବାରଣ୍ଡାକୁ ।

 

ଆଗରେ ଆଲୋକିତ ରାଜପଥ ।

 

ସୁପ୍ତ ସହର ।

 

ବେଳେବେଳେ ଅନେକ ଦୂରରୁ କେଉଁଠି କୋଳାହଳ ଶୁଭୁଚି... ଆଉ ମଝିରେ ମଝିରେ ବନ୍ଧୁକର ଆବାଜବି ।

 

ଅଳ୍ପ ସମୟରେ କେତେ ଜଣଙ୍କ ନାମ ତାଲିକା ନେଇ ମିଲିଟାରୀ ଗାଡ଼ିରେ ଆସି ପହଞ୍ଚିଲେ ପ୍ରଫେସର ହାଜରା । କହିଲେ : ମୃତାହତ ମଣିଷରେ ଭରି ଗଲାଣି ହସ୍‌ପିଟାଲ । ଆସ ତମେମାନେ । ଇଏ ସେବା କରିବାର ଏକ ସୁଯୋଗ ।

 

‘ସୁଯୋଗ’ କଥାଟାରେ ହସି ଉଠିଲେ କେତେକ । ବଡ଼ ଆମୋଦ ପ୍ରିୟ ଲୋକ ଡକ୍ଟର ହାଜରା । ଆଜି କିନ୍ତୁ ‘ସରି’ କହି ସଂଶୋଧନ କରିନେଲେ ନିଜକୁ ଗମ୍ଭୀର ମୁହଁରେ । କହିଲେ, ଆସ ଦେଖିବ, ହସ୍‍ପିଟାଲ୍‌ କମ୍ପାଉଣ୍ଡରେ ଯୁଦ୍ଧକାଳୀନ ଦୃଶ୍ୟ । ପେସେଣ୍ଟମାନଙ୍କୁ ତମ୍ବୁ ପକାଇ ରଖା ହେଇଚି । ଆଲୁଅ ନାହିଁ, ସେମାନଙ୍କ ପାଇଁ । ବାରଣ୍ଡାରେ... ଆଉ ଖୋଲା ଛାତ ତଳେବି ବିନା ବିଛଣାରେ କେତେ ପଡ଼ିଛନ୍ତି । ମିଲିଟାରୀକୁ ଖବର ଦିଆହୋଇଛି ଆହୁରି କମ୍ବଳ ଯୋଗାଇବା ପାଇଁ, ଆହୁରି ତମ୍ବୁ ପଠାଇବା ପାଇଁ ।...

 

ନାମ ତାଲିକା ଅନୁଯାୟୀ ଦଳକୁଦଳ ସମସ୍ତେ ଯିବା କଥା । ପ୍ରଥମ ତାଲିକାରେ ମୋ ନାଆଁ ।

 

ମିଲିଟାରୀ ଗାଡ଼ି ଓହ୍ଲାଇ ଦେଲା ସର୍ଜିକାଲ ୱାର୍ଡ଼ର ଫାଟକ ପାଖରେ ।

 

ରାତି ସେତେବେଳକୁ ପ୍ରାୟ ଦୁଇଟା !

 

ୱାର୍ଡ଼ ସଂଲଗ୍ନ ରେଷ୍ଟ ରୁମରେ କ୍ଳାନ୍ତ ହେଇ ବସି କଫି କପେ ପିଇ ସିଗାରେଟ ଧରେଇଚି ।

 

ବର୍ମା-ଚୁରୁଟ ମୁହଁରେ ପଶି ଆସିଲେ ଜଣେ ମିଲିଟାରୀ ଅଫିସର୍‌ । ଜିଜ୍ଞାସୁ ଆଖିରେ ଅନାଇଲି । ପୁଣି ନୂଆ ଅଫିସର୍‌ କିଛି ଅଣା ହେଲା ନା କ’ଣ ?

 

ଚୁରୁଟ ମୁହଁରେ ଚାପାହସ !

 

ଏ ଯେ ଅଗ୍ନିଦେବ ଶର୍ମା !!

 

ମୋତେ ଅବାକ କରି ସେ ବସି ପଡ଼ିଲେ ଚେଆରଟା ଟାଣି ନେଇ ।

 

ହାତ ବଢ଼ାଇ ଦେଲେ ହାଣ୍ଡ୍‌ ସେକ୍ କରିବାପାଇଁ ।

 

: ଆପଣ... ! ଏ ଡ୍ରେସ୍‌ !!

 

: ଆର୍ଟ ଏକ୍‌ଜିବିସନ୍‌ରେ ବୋମା ଫୁଟିବା ଦିନ ଖ୍ରୀଷ୍ଟୀୟ ଧର୍ମଯାଜକର ପୋଷାକରେବି ଥିଲି । କିନ୍ତୁ ଆଉ ସମୟ ନାହିଁ । ଖୁବ୍ ଜରୁରି ! ଇନ୍‌ଟେନ୍‌ସିଭ ଥେରାପି ୱାର୍ଡ଼ର ଦାୟିତ୍ୱରେ ନା ତମେ ବର୍ତ୍ତମାନ ।

 

: ଡକ୍ଟର ହାଜରା ମୋତେ ଦାୟିତ୍ୱ ଦେଇଯାଇଛନ୍ତି ଘଣ୍ଟାକପାଇଁ । କ୍ୱାଟରକୁ ଯାଇଚନ୍ତି; ଫେରିବା ଯାଏଁ....

 

: କିନ୍ତୁ ୟା’ରି ଭିତରେ କାମ ଶେଷ କରିବାକୁ ହେବ ।

 

: କ’ଣ କାମ ? ସେଠି ତ ଜଣେ ବୋଲି ପେସେଣ୍ଟ । ଛୋଟ ୱାର୍ଡ଼, ତିନୋଟି ବେଡ଼୍‌ ମାତ୍ର ! ନିତାନ୍ତ...

 

: ଜାଣ ସେଇ ପେସେଣ୍ଟ କିଏ ?

 

: ଜାଣେନା, ତେବେ ତା’ର ସେନ୍‌ସ ଆସିନି । ସେଇଆ ତ ଅନ୍ତତଃ କହି ଦେଇ ଚାଲିଗଲେ ଡକ୍ଟର ହାଜରା । କାହାର ବର୍ତ୍ତମାନ ସମୟ କାହିଁ ବ୍ୟକ୍ତି-ବିଶେଷ କଥା ବୁଝିବାକୁ ।

 

: କିନ୍ତୁ ସେ ଜଣେ ବିଶେଷ-ବ୍ୟକ୍ତି ।

 

: ବିଶେଷ ବ୍ୟକ୍ତି ? ଅବଶ୍ୟ ସେ ୱାର୍ଡ଼ ତ ଭି: ଆଇ: ପି:ଙ୍କ ପାଇଁ ।

 

: ଆମରି ଗ୍ୟାଙ୍ଗ୍‍ର ଲୋକ । ରେଳ ଲାଇନ୍‌ ଉଡ଼ାଇବାକୁ ଯାଇ ବିସ୍ଫୋରଣରେ ଆହତ ହେଇଚି । ଇନ୍‌ଟେନ୍‌ସନାଲି ତାକୁ ରଖା ହେଇଚି ସେଇଠି !!

 

: ଇଜ ଇଟ୍‌ !

 

: ରେଲ୍‍ୱେ ନିରାପତ୍ତା ବାହିନୀର ମୁଖ୍ୟ ମିଷ୍ଟର୍‌ ଚୌଧୁରୀ ଜଗି ବସିଛନ୍ତି ବାହାରେ । ସେନ୍‌ସ ଆସିଲେଇ ଜମାନବନ୍ଦୀ ନେବେ ।

 

ଜମାନବନ୍ଦୀ ନେବେ ! କିନ୍ତୁ ତାଙ୍କ ସ୍ତ୍ରୀ ତେଣେ ଅସୁସ୍ଥ...

 

: ସ୍ତ୍ରୀ ଅସୁସ୍ଥ ? ଛାଡ଼; ଆଗେ ରାଜକାର୍ଯ୍ୟ !! ସ୍ତ୍ରୀ ଅନେକ ମିଳିବେ...

 

: ହେଇପାରେ... ଇଂରେଜଙ୍କ ନିମକ ସଚା ପ୍ରଭୁ ଭକ୍ତଙ୍କ ପାଇଁ...

 

: ସେ ଯଦି ସବୁକିଛି କହିଦିଏ... ଆମମାନଙ୍କର କାହାରି ରକ୍ଷା ନାହିଁ । ଆମର ସବୁ ଗୁପ୍ତ-ଘାଟି, ଅସ୍ତ୍ରାଗାର, ଆମର ସବୁ ପ୍ଲାନ ଆଉ ପ୍ରୋଗ୍ରାମ...

 

: କିନ୍ତୁ ଉପାୟ କ’ଣ ? ନିୟମ ଅନୁସାରେ ଇନ୍‌ଟେନ୍‍ସିଭ ଥେରାପି ୱାର୍ଡ଼ ଭିତରକୁ ଡକ୍ଟର ଆଉ ନର୍ସ ଛଡ଼ା ଅନ୍ୟ କାହାରି ପ୍ରବେଶ ନିଷିଦ୍ଧ । ତେଣୁ ଅଶୋକବାବୁ ହୁଏତ ବିଶେଷ ଆଦେଶ ଆଣିଥିବେ...

 

: ନା ନା, ମୁଁ ଅଶୋକବାବୁଙ୍କୁ ରୋକିବାକୁ କହୁନି । ସେଇ ପେସେଣ୍ଟଟାର ମୁହଁ ବନ୍ଦ କରି ଦେବାକୁ ।

 

: ଛି, ଛି ! ତା’ କିପରି ସମ୍ଭବ ? ମୁଁ ଡାକ୍ତର । ମୋ କାମ ପେସେଣ୍ଟକୁ ବଞ୍ଚାଇବା; ମାରି ଦେବା ନୁହେଁ ।

 

: ସଂସ୍କୃତରେ ଗୋଟାଏ ଶ୍ଳୋକ ଅଛି ଅଭିଜିତ,–ରାଜ୍ୟକୁ ରକ୍ଷା କରିବାପାଇଁ ଏକ ଗ୍ରାମକୁ...ଗ୍ରାମକୁ ରକ୍ଷା କରିବାପାଇଁ ଏକ ଗୃହକୁ, ଗୃହକୁ ରକ୍ଷା କରିବାପାଇଁ ଏକ ବ୍ୟକ୍ତିକୁ ସେକ୍ରିଫାଇସ୍‌ କରି ଦିଆଯାଇପାରେ ! ଆଉ ଇଏ ତ ଗୋଟାଏ ଦଳକୁ ବଞ୍ଚାଇବାର ଚେଷ୍ଟା, ଏକ ମହାନ୍ ଆଦର୍ଶବାଦକୁ ବଞ୍ଚାଇବାର ପ୍ରଚେଷ୍ଟା !!

 

ଟେଲିଫୋନ୍‌ ବାଜି ଉଠିଲା ।

 

ଡକ୍ଟର ହାଜରାଙ୍କ ଗଳା । ମୋତେ କହିଲେ, ସାରା ଦିନ ଖଟି ଖଟି ଭାରି ଅଫ୍‌ସେଟ ଫିଲ୍‌ କରୁଛନ୍ତି । ଯଦି ନିତାନ୍ତ ଦରକାର ପଡ଼େ ତାଙ୍କୁ ଡାକିବାପାଇଁ କୁଣ୍ଠିତ ନ ହୁଏ ଯେପରି । କିନ୍ତୁ ବର୍ତ୍ତମାନ ସେ ଟିକିଏ ଶୋଇବେ ।

 

ଅଗ୍ନିଦେବଙ୍କୁ କହିଲି : ଆପାତତଃ ୱାର୍ଡ଼ ଦାୟିତ୍ୱରେ ମୁଁ । ଟିକିଏ ରାଉଣ୍ଡ ମାରି ଆସେ ।

 

: ଇନ୍‌ଟେନ୍‌ସିଭ ଥେରାପିକୁ ଯିବ ?

 

: ଯିବି ।

 

: ମୁଁ ତାହାହେଲେ ଏଇଠି ଅପେକ୍ଷା କରି ବସିଚି ।

 

ଇନ୍‌ଟେନ୍‍ସିଭ୍‌ ଥେରାପି ୱାର୍ଡ଼ଟା ନୂଆ ଖୋଲା ହେଇଚି । କନଷ୍ଟ୍ରକ୍‌ସନ୍‌ କାମ ପୂରା ସରିନି । ସେଇ ଇନ୍‌ କମ୍ପ୍ଲିଟ୍‌ ଘରଟାରେ ତିନୋଟି ବେଡ଼୍‌ ପଡ଼ିଥାଏ । ଅନ୍ୟ ୱାର୍ଡ଼ ସାଙ୍ଗରେ ତାହାର ସମ୍ପର୍କ କିଛି ନାହିଁ । ଟି. ବି. ୱାର୍ଡ଼ ପାଖକୁ ଏହାର ଅବସ୍ଥିତି ।

 

ସେଠାକୁ ଯାଇ ଦେଖିଲି, ବାହାର ବାରଣ୍ଡାରେ ସୋଫା ଉପରେ ବସି ରହିଛନ୍ତି ପୂରା ଡ୍ରେସ୍‌ରେ ଅଶୋକ ଚୌଧୁରୀ । ସିଗାରେଟ୍‌ ଟାଣୁଥିଲେ । ମୋତେ ଦେଖି କହିଲେ : ଆରେ ଅଭିଜିତ, ତମେ ଯେ !

 

: ହଁ, ମୁଁ ଦାୟିତ୍ୱରେ ଅଛି । ଆପଣ... ଅଞ୍ଜଳିକୁ... ମାନେ ତା’ ସେନ୍‌ସ ଫେରିଚି... ଯାଇ ଦେଖିଲେଣି ?

: ବଞ୍ଚିଗଲା ? ସେ ଠିଆ ହେଇ ପଡ଼ିଲେ । : କୁହ ନାଇ ଭାଇ, ଏଇ ଟେରରିଷ୍ଟ୍‍ମାନଙ୍କ କବଳରେ ପଡ଼ି ମଣିଷର ଖାଇବା ଶୋଇବା ନଷ୍ଟ ହେଇ ଗଲାଣି । ପରେ ଯାଇ ଦେଖିବି ଅଞ୍ଜଳିକୁ-। ଆଗେ ମୋ ଚାକିରି... । ଏଇ ଟେରରିଷ୍ଟଟା ଉପରେ... ଅନେକ କିଛି ନିର୍ଭର କରୁଚି...

: କିନ୍ତୁ ଏଠି... ଟେରରିଷ୍ଟ...

: ତମେ ଜଷ୍ଟ ଚାର୍ଜରେ ଅଛ । ତମପାଇଁ... ଏଇ ବିରାଟ୍ ବିଶୃଙ୍ଖଳା ଭିତରେ ସେ କେବଳ ଜଣେ ‘‘ପେସେଣ୍ଟ’’ ମାତ୍ର । କିନ୍ତୁ ୟା’ ମୁଣ୍ଡ ଉପରେ ଅଛି କୋଡ଼ିଏ ହଜାର ଟଙ୍କାର ପୁରସ୍କାର ଘୋଷଣା; ଏବଂ ମୋ ଚାକିରି, ପ୍ରମୋଶନ, ସରକାରୀ ଖେତାବ୍...

: କେଜାଣି ! –ସହଜଭାବେ କହିଲି–ଯାଏଁ ଦେଖି ଆସେ ।

: ହଁ ହଁ ଦେଖତ ସେନ୍‌ସ ଆସିଚି କି ନାହିଁ !

କାଚ ଦରଜା ଠେଲି ଚାଲି ଗଲି ଭିତରକୁ ।

ରେଡ଼୍‌ ଲାଇଟ୍‌ ଜଳୁଚି ଷ୍ଟାଫ୍‌ ରୁମ୍‌ ବାହାରେ । ଯାହାର ଅର୍ଥ ଶୋଇ ପଡ଼ିଚନ୍ତି ସିଷ୍ଟର । ଦରଜା ଖୋଲି ଥେରାପି ଭିତରକୁ ଗଲି । ଗୌର-ବର୍ଣ୍ଣର ଯୁବକ ଜଣେ ଆଖି ବୁଜି ଶୋଇଚି । ଗଳା ପର୍ଯ୍ୟନ୍ତ କମ୍ବଳ ଢଙ୍କା । ମଥାରେ ବ୍ୟାଣ୍ଡେଜ୍ । ନାକରେ ଲାଗିଚି ଅକ୍‍ସିଜେନ୍‍ର ନଳୀ ।

 

ପଲ୍‌ସ ଦେଖିଲି ।

 

ଷ୍ଟେଥୋ ଲଗେଇଲି ଛାତିରେ ।

 

ଅନ୍ୟ ସବୁ ୱାର୍ଡ଼ ଘୂରି ସାରି ଆସିଚି । ଏଇଠୁ ଫେରି ଯିବା କଥା । ପେସେଣ୍ଟର ଅବସ୍ଥା ଦେଖି ମନେ ହେଉଚି, ଇମିଡ଼ିଏଟ୍‌ ଡେଞ୍ଜର କିଛି ନାହିଁ । ଷ୍ଟାଫ୍‌ ସିଷ୍ଟରଙ୍କୁ ଉଠାଇବାବି ଅନାବଶ୍ୟକ-

 

ଦରଜା ଖୋଲିବାକୁ ଯାଉଥିଲି । କ’ଣ ଭାବି ପଛେଇ ଆସିଲି ପୁଣି ।

 

ଯୁବକଟିର ସେନ୍‌ସ ଯଦି ଆସିଯାଏ ? ଆସିଗଲେ କ’ଣ ବା କରିବି ?

 

ମୋ ମନ ଭିତରେ ସଂଘର୍ଷ । ଅଗ୍ନିଦେବ କହୁଛନ୍ତି–ମାରି ଦିଅ । ବିବେକ କହୁଚି–ବଞ୍ଚାଇ ରଖ ।

 

ସୁସ୍ଥ ଥିଲେବି ପଳାଇ ଯାଇ ପାରନ୍ତାନି । ସାରା ମେଡ଼ିକାଲଟା ବର୍ତ୍ତମାନ ଗୋଟାଏ ମିଲିଟାରୀ ଛାଉଣୀ !!

 

ତାହାହେଲେ... କ’ଣ ମୁଁ କରିବି ? ହ୍ୱାଟ୍‌ କେନ୍‌ ଆଇ ଡ଼ୁ !

 

ବରଂ ଏଇଠି ବିଶ୍ରାମ ନିଏ ।

 

ସେନ୍‌ସ ଆସିଲେ ପୁଣି ସାନ୍‍ସଲେସ୍ କରିଦେବି । ସେ ଉପାୟ ମୋତେ ଜଣା । ଅନ୍ତତଃ ଡାକ୍ତର ହାଜରା ନ ଆସିବା ଯାଏଁ ମୁଁ ଜମାନବନ୍ଦୀ ନିଆଇ ଦେବିନି ।

 

ବାହାରକୁ ଆସି କହିଲି ଅଶୋକ ଚୌଧୁରୀଙ୍କୁ, କାହିଁକି ଅକାରଣେ ବସିଛନ୍ତି ଆପଣ ? ପେସେଣ୍ଟର ସେନ୍‌ସ ଆସିବା କଥା ଛାଡ଼ନ୍ତୁ ।

 

: ଏଁ ! ମରିଗଲା ନା କ’ଣ ? କିନ୍ତୁ ମୋ ଫିଉଚର ପ୍ରୋସ୍ପେକ୍‍ଟ ଯେ ଏହା ଉପରେ ନିର୍ଭର କରୁଥିଲା !!!

 

: ଆପଣ ବରଂ ଯାଇ ଅଞ୍ଜଳି ପାଖରେ ରୁହନ୍ତୁ । ଅବସ୍ଥା ତା’ର ଭଲ ନାହିଁ ।

 

: ପେସେଣ୍ଟକୁ ଜଗି ଜଗି ବସିଚି । ଏଟା ମୋର କର୍ତ୍ତବ୍ୟ ଅଭିଜିତ । ଏଇସବୁ ଟେରରିଷ୍ଟମାନଙ୍କ କଥା ତମେ ଜାଣ ନାହିଁ । ଏଇ ଇନ୍‍ଟେନ୍‌ସିଭ୍‌ ଥେରାପିର ଚାରିପଟେ ସାଦା ପୋଷାକ ପୁଲିସବି ପୋଷ୍ଟେଡ଼୍‌ ହେଇଚନ୍ତି । ସେମାନଙ୍କ ଦଳର କେହି ନା କେହି ନିଶ୍ଚୟ ଏଠିକି ଆସିବ । ଏମାନଙ୍କ କଥା ତମେ...

 

: ହଉ ଆପଣ ବସନ୍ତୁ ।

 

ମୁଁ କବାଟ ବନ୍ଦ କରି ନେଲି ।

 

ଭିତରକୁ ଯାଇ ଆଉଥରେ ଦେଖିଲି ପେସେଣ୍ଟକୁ ।

 

ତା’ପରେ ପାର୍ଟିସନ୍‌ ସେ ପାଖ ଖାଲି ବେଡ଼୍‌ରେ ଲୋଟାଇ ଦେଲି କ୍ଳାନ୍ତ ଦେହଟାକୁ ।

 

ଆଖି ଆଗରେ ଦେଖିଲି ପ୍ରଥମେ ନିଚ୍ଛିଦ୍ର ଅନ୍ଧକାର ଆକାଶ ।

 

ତା’ ଭିତରୁ ଶୁଭୁଚି ଅବୟବହୀନ ଅଦୃଶ୍ୟମାନ କାହାର କଣ୍ଠସ୍ୱର । : କ’ଣ ତୁ ଚାହୁଁ ଭଗବାନ୍‍ ହେବାପାଇଁ ?

 

ପାରିବୁ ସମସ୍ତଙ୍କୁ ସୁଖୀ କରି ?

 

ସମସ୍ତଙ୍କ ପ୍ରତି ତୋର ସହାନୁଭୂତି, ସମସ୍ତଙ୍କ ପ୍ରତି ତୋର ଅନୁକମ୍ପା !

 

ତୁ ଚାହୁଁ ନରପତି ସୁଖୀ ହୁଅନ୍ତୁ–ଅନଙ୍ଗବି ସୁଖୀ ହେଉ ।

 

ଚାହୁଁ ଅଞ୍ଜଳି ସୁଖୀ ହେଉ–ଏଣେ ଅଶୋକର ମର୍ଯ୍ୟାଦାବି ରହୁ !!

 

ଚାହୁଁ ତୋର ପେସେଣ୍ଟ ବଞ୍ଚି ରହୁ–ଅଥଚ ଜମାନବନ୍ଦୀ ନିଆ ନ ହେଉ !!!

 

ଅନ୍ତର୍ମନରେ ଅନେକ ଭାବିଚୁ–କିନ୍ତୁ ଶେଷ ସମାଧାନରେ ପହଞ୍ଚି ପାରିଛୁ କି ?

 

ସେଇ ଅନ୍ଧକାର ଭିତରେ ପୁଣି ଫୁଟି ଉଠିଲା ନରପତିଙ୍କ ମୁହଁ । : ଦେଖ ଅଭିଜିତ, ବ୍ରିଷ୍ଟନ୍‌ କେତେ ପଜେସିଭ । ନେଇ ଚାଲିଗଲା ଅନଙ୍ଗକୁ । ପୁରୁଷ ସିନା ଏଇପରି ହେବା କଥା !! କାହିଁ ତମେ ପାରୁଛ ଅଞ୍ଜଳିକୁ ପଜେସ କରି !!!

 

ହଠାତ ନିଦଟା ଭାଙ୍ଗିଗଲା ।

 

ଉଠି ପଡ଼ିଲି । ବାହାରେ କାହାର କଣ୍ଠସ୍ୱର ।

 

ଦରଜା ପାଖକୁ ଯାଇ ଦେଖେତ ଡକ୍ଟର ହାଜରା । ଅଶୋକ ଚୌଧୁରୀ କ’ଣ କହୁଚନ୍ତି ତାଙ୍କୁ । ଉଭୟ ଠିଆ ହେଇଚନ୍ତି ବିରାଟ୍ କାଚ ଦରଜାର ଆରପଟେ ।

 

ଖୋଲି ଧରିଲି ଦରଜା ।

 

ଡକ୍ଟର ହାଜରା କହୁଥିବାର ଶୁଣିଲି : ହଉ ଆପଣ ଆସନ୍ତୁ । ସେନ୍‌ସ ଆସିଲେ ମୁଁ ଖବର ଦେବି । କିନ୍ତୁ ଏତେ ଶୀଘ୍ର ସେନ୍‌ସ ଆସିବା କଥା ନୁହେଁ । ...ତା’ପରେ ମୋତେ ପଚାରିଲେ : ଆସିଚି କି ?

 

: ନା ସାର୍‌ ।

 

ଅଶୋକ ଚୌଧୁରୀ ବୁଲି ପଡ଼ି ଚାଲିଗଲେ ଦୃଢ଼ ପଦକ୍ଷେପରେ ।

 

: ଚାଲ ତ ଦେଖିବା.... । ଡକ୍ଟର ହାଜରା ଆଉ ମୁଁ ଚାଲିଲୁ ପେସେଣ୍ଟ ପାଖକୁ । ଷ୍ଟାଫ୍‌ ସିଷ୍ଟର ମିସ୍‌ ଥମାସ ସେତେବେଳକୁ–କଥାବାର୍ତ୍ତାର ଶବ୍ଦ ଶୁଣି ବୋଧହୁଏ–ବାରଣ୍ଡାକୁ ବାହାରି ଆସିଛନ୍ତି । ସେ ବି ଚାଲିଲେ ଆମ ସାଙ୍ଗରେ ।

 

: ଜାଣ ଅଭିଜିତ, ଡକ୍ଟର ହାଜରା କହିଲେ, ସେଇ ଯେ ଭଦ୍ରଲୋକ ଚାଲିଗଲେ... ରେଲ୍‌ୱେର ସିକ୍ୟୁରିଟି ଚିଫ୍‌ ମିଷ୍ଟର ଚୌଧୁରୀ... ତାଙ୍କ ସ୍ତ୍ରୀ ଏକ୍‌ସପାୟାର କରିଗଲେ ।

 

: ଏକ୍‌ସପାୟାର୍‌ !! ବଟ୍‌ ହାଓ ?

 

: ତମେ ତାଙ୍କୁ ଜାଣନା କ’ଣ ?

 

: ନା... ଏଇ ମେଡ଼ିକାଲରେ ଜଣାଶୁଣା...

 

: ଇମିତି ଇମୋସ୍‌ନାଲ୍‌ ହେଇ ଉଠିଲେ ଯେ ?

 

: ନା...ମାନେ...

 

: କେତେ ଜନ୍ମ, ମୃତ୍ୟୁ, ଆନନ୍ଦ, ବେଦନା ଦେଖିବ ! କିନ୍ତୁ ଡକ୍ଟର ଇମୋସ୍‌ନାଲ୍‌ ହେଲେ ଚଳେ ? ...ଭଦ୍ରମହିଳା ସୁଇସାଇଡ଼୍‌ କରିଚନ୍ତି ! ନିଜ ଶାଢ଼ିକୁ ଶିଲିଂ ଫ୍ୟାନ୍‌ରେ ଦେଇ...ହୁଁ...କ’ଣ ଯେ କାରଣ, ଲେଖିବି ଦେଇ ଗଲେନି !!

 

: ହୁଏତ ଲେଖି ନ ପାରିବା ଭଳି କାରଣ କିଛି ଥିଲା ! ...ଆଙ୍ଗ୍ଳୋଇଣ୍ଡିଆନ୍‌ ଷ୍ଟାଫ୍‌ ସିଷ୍ଟର୍‌ କହିଲେ, ଭାରତୀୟ ମହିଳାମାନେ ମୃତ୍ୟୁ ସମୟରେବି ନିଜର ସମସ୍ୟା ଉନ୍ମୋଚନ କରିବାକୁ କୁଣ୍ଠିତ...; ସଂକୁଚିତ....ସାର୍‌ ।

 

ଠିକ୍ । କିନ୍ତୁ ସେ ପ୍ରେଗ୍‌ନେଣ୍ଟ୍‌ ଥିଲେ ବୋଲି ମନେ ହେଉଥିଲା ମୋର ବଡ଼ିଟାକୁ ଦେଖି-। ସୁଇସାଇଡ଼୍‌ କେସ୍‌, ପୋଷ୍ଟମାର୍ଟମ ତ ନିଶ୍ଚୟ ହେବ । ତାଙ୍କ ସ୍ୱାମୀ କିନ୍ତୁ ରାଜି ନୁହନ୍ତି ସେଥିରେ-। ଓୟେଲ୍‌ ଚାଲ ତ ତମ ପେସେଣ୍ଟଟାକୁ ଏଥର ଦେଖିବା... । ଟେରରିଷ୍ଟ... ! ବଞ୍ଚିଲେବି ବିଚରାର ନିସ୍ତାର ନାହିଁ !! ପିଟିୟେବ୍ଲ !!! ...କିନ୍ତୁ ସେ’ଟା କ’ଣ ? ହ୍ୱାଟ୍‌ ଇଜ୍‌ ଦ୍ୟାଟ୍‌ ? ବାହାର ଝରକା କାଚ ଆରପାଖେ ପିସ୍ତଲ ନାଁ କ’ଣ ସେଇଟା ଦିଶୁଚି !!! ହ୍ୱାଟ୍‌ସ ଦ୍ୟାଟ୍‌ !!! କିଏ ସେଠି !!!

 

ପ୍ରଚଣ୍ଡ ଏକ ଶବ୍ଦ !!

 

ଲକ୍ଷ୍ୟ ଅବ୍ୟର୍ଥ ଥିଲା । ପେସେଣ୍ଟ ଛାତିରୁ ପିଚିକାରୀ ମାରିଲା ପରି ରକ୍ତର ସୁଅ ଛୁଟିଚି-

 

କିନ୍ତୁ ମୋ ବାମ ହାତ ଆଉ ତଳି ପେଟରେ ହଠାତ ଏତେ ଯନ୍ତ୍ରଣା କାହିଁକି ?

 

ତା’ପରେ ମୋର ସେନ୍‌ସ ଚାଲି ଯାଇଥିଲା ।

 

ସ୍ପେସାଲ୍‌ କେବିନ୍‌ର ବେଡ଼୍‌ରେ ଶୋଇ ଶୋଇ ଖବରକାଗଜ ପଢ଼ୁଥିଲି ।

 

ଦଙ୍ଗା ଶାନ୍ତ ହେଇ ଯାଇଚି ।

 

କର୍ଫ୍ୟୁ ବଦଳରେ ଶହେ ଚଉରାଳିଶ ଧାରା ଜାରି ହେଇଚି ସମଗ୍ର ମହାନଗରୀରେ ।

 

ଉଭୟ ସମ୍ପ୍ରଦାୟ ନେତାମାନଙ୍କ ବିବୃତି, ମୃତାହତ...ନିରୁଦ୍ଦିଷ୍ଟମାନଙ୍କର ତାଲିକା, ଲୁଣ୍ଠିତ ଦ୍ରବ୍ୟ ଉଦ୍ଧାରର ବିବରଣୀ.., ସ୍କୁଲ କଲେଜ ଖୋଲିବାର ବିଜ୍ଞପ୍ତି...

 

ଆଜିକି ଏକୋଇଶ ଦିନ ଧରି ଏହିପରି କେବଳ ପେପର ପଢ଼ି ଚାଲିଛି ।

 

ପିସ୍ତଲ ଗୁଳିରେ ସ୍ପିନ୍‍ଟର ବାଜି ଆହତ ହୋଇ ଏଠାରେ ରହିବାର ପରଦିନ ଠାରୁ ବହି ଆଉ ଖବରକାଗଜ ମୋର ଅବଲମ୍ବନ । ଇନ୍‌ଟେନ୍‌ସିଭ ଥେରାପିର ଘଟନାଟାବି ସେଇ କାଗଜରୁ ପଢ଼ିଥିଲି । ମୋ ନାଁ ଥିଲା ।

 

ନିଉଜ ଦେଖି ଆସିଥିଲେ ବ୍ରିଷ୍ଟନ୍‌, ଅନଙ୍ଗମଞ୍ଜରୀ ଆଉ ରାଜମାତା । ରାଜା ସାହେବଙ୍କ ଅବସ୍ଥା ଭଲ ନଥିବାରୁ ଆସି ପାରି ନଥିଲେ ।

 

ଆଉ ଦିନେ ଆସିଥିଲେ କେବଳ ବ୍ରିଷ୍ଟନ୍‌ ଆଉ ଅନଙ୍ଗ । ବସି ଗପ କଲେ ଅନେକ ସମୟ । ଆସିବାକୁ ଅସମର୍ଥ ଥିଲେବି ନରପତି ମୋପାଇଁ ଉଦ୍‌ବିଗ୍ନ ବୋଲି କହିଲେ । ଭାବିବାର କିଛି ନାହିଁ ବୋଲି ମୁଁ କହି ପଠାଇ ଥିଲି । ତା’ପରେ ବେଶ୍‌ କିଛିଦିନ ସେମାନଙ୍କର ଆଉ କୌଣସି ଖବର ନାହିଁ । ପେପର ପଢ଼ୁ ପଢ଼ୁ ଦରଜାଟା ଖୋଲି ଗଲା ।

 

ଅନାଇ ଦେଲି ।

 

ଡକ୍ଟର ହାଜରା ଆଉ ନରପତି ।

 

ହାଜରା କେବଳ ତାଙ୍କୁ ମୋ ପାଖରେ ଛାଡ଼ିବାପାଇଁ ଆସିଥିଲେ । ଚାଲିଗଲେ ସାମାନ୍ୟ କିଛି କୁଶଳ ପ୍ରଶ୍ନ ପଚାରି । ତାଙ୍କର ତେଣେ ଅପରେସନ୍‌ ଥିଲା ।

 

: କାହିଁକି ଆପଣ କଷ୍ଟ କରି ଆସିଲେ, ରାଜା ସାହେବଙ୍କୁ ପଚାରିଲି, ଆପଣଙ୍କ ଦେହ ଭଲ ତ ?

 

ସୋଫାରେ ଆଉଜି ବସି ସେ ଚୁରୁଟ ଧରେଇଲେ । : ମୁଁ କ’ଣ ଅସୁସ୍ଥ ଦିଶୁଚି ଆଉ ? ନିଜେ ସୁସ୍ଥ ବୋଲି ତ ତମ କଥା ବୁଝିବାପାଇଁ ଆସିବାକୁ ସମର୍ଥ ହେଲି ! ....ଶୁଣିଲି, ୟୁ ଆର୍‌ ଫିଟ୍‌...

 

: ହଁ, ମୁଁ ଭଲ ହୋଇ ଯାଇଚି । କାଲି ଚାଲି ଯିବି ହଷ୍ଟେଲକୁ ।

 

: ନା ହଷ୍ଟେଲକୁ ନୁହେଁ । ସିଧା ଲେକ୍‌ ଗାର୍ଡ଼େନ୍‌ସ । ... ନର୍ସିଂହୋମରୁ ମୁଁ ଆଜି ଫେରି ଯାଉଚି ଅଭିଜିତ ।

 

: ଆଜି !

 

: ଆରେ, କାଲି ଯେ ମୁଁ ପାର୍ଟି ଦେଉଛି । ବ୍ରିଷ୍ଟନ୍‌ ସାଙ୍ଗରେ କାଲି ଅନଙ୍ଗର ନିର୍ବନ୍ଧ ! ...ତା’ ଭଳିଆ ପିଲା ମିଳିବା ଦୁଷ୍କର !! କେତେ ଥର ଆସିଚି ମୋତେ ଦେଖିବାପାଇଁ । ଏଇ ରାୟଟ୍‌ ଭିତରେବି ଡ୍ୟୁଟିରୁ ଫାଙ୍କି ଦେଇ ପଳେଇ ଆସିଚି । ରାତିରେ ବେଡ଼୍‌ ଉପରୁ ପଡ଼ିଯାଇ ଦିନେ ଖୁବ୍‌ ରକ୍ତ-ସ୍ରୋତ ହେଇଥିଲା ମଥାରୁ । ବ୍ଲଡ଼ ଦେବା ଦରକାର ପଡ଼ିଲା । ମୋ ‘ଏ’ ରେୟାର ଗ୍ରୁପ୍‌ ! ମିଳିଲାନି । ବଞ୍ଚିବା ଦୁଷ୍କର ହେଇ ଥାଆନ୍ତା । ଶେଷରେ ସେଇ ବ୍ରିଷ୍ଟନ୍‌ !! ହଁ ଅଭିଜିତ ଜଣା ପଡ଼ିଲା ଆମ ଉଭୟଙ୍କର ଏକା ଗ୍ରୁପ୍‌... । ତା’ରି ରକ୍ତରେ ମୁଁ ବଞ୍ଚି ଉଠିଲି । ତା’ ନ ହେଲେ ହୁଏତ ମୋତେ ଦେଖିବାକୁ ପାଇ ନ ଥାଆନ୍ତ । ମୋ...ପାଇଁ ସେ ରକ୍ତ ଦେଇଚି... ପିତାମହକୃତ ପାପର ପ୍ରାୟଶ୍ଚିତ୍ତ କରିଚି....କୁହ ଆଉ କ’ଣ ଦରକାର ? ଅନଙ୍ଗ ସାଙ୍ଗରେ ଆଜି ମୁଁ ଯେ ବ୍ରିଷ୍ଟନ୍‍କୁବି ପଜେସ କରି ପାରିଚି ଅଭିଜିତ । ହୁଁ....ହୁଁ ମୁଁ ପଜେସିଭ; ଚିରଦିନ ପଜେସିଭ !!!

Image